ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି ମହାନଗରୀର ପ୍ରଶସ୍ତ ରାଜପଥ। ବ୍ୟସ୍ତବହୁଳ, କୋଳାହଳମୁଖରିତ ସରକାରୀ ଦପ୍ତରଗୁଡ଼ିକରେ ଛାଇଗଲାଣି ନିଶୂନ ନୀରବତା। ମାତ୍ର ଏ ସମସ୍ତ ପ୍ରତି ବିସ୍ମୃତ ମଧ୍ୟବର୍ଗର ଜଣେ ସରକାରୀ କର୍ମଚାରୀ ରାଜଧାନୀର କୌଣସି ଏକ ବଡ଼ କାର୍ଯ୍ୟାଳୟରେ କାର୍ଯ୍ୟ କରି ଚାଲିଥାନ୍ତି। ତାଙ୍କ ଏକନିଷ୍ଠତାରେ ବାଧା ଉପୁଜାଇ ଜଣେ ସହକର୍ମୀ ମନ୍ତବ୍ୟ ଦେଲେ, ‘ଏ ଜଗତ ଉପରେ କାହିଁକି ଏତେ ଦାଉ ସାଧୁଚୁ ବନ୍ଧୁ। କାହିଁକି ଏକ ନିଶ୍ଚିତ ପ୍ରଳୟକୁ ରୋକି ଦେଉଛ କିଛି ସମୟ ପାଇଁ? ତୁମ ଭଳି କେଇଜଣ ଏ ଜଗତରେ ଆତଯାତ ହେଉଛନ୍ତି ବୋଲି ପ୍ରଳୟ ଆସିବାରେ ଏତେ ବିଳମ୍ବ ହେଉଛି ସିନା!’ ମନେ ମନେ ବିରକ୍ତ ହେଲେ ବି ଉପରକୁ ମୁହଁରେ ହସ ଫୁଟାଇ ପୂର୍ବୋକ୍ତ ଅଧିକାରୀ କହିଲେ, ଦେହ ଅସୁସ୍ଥ ଥିବାରୁ ଗତ ଦୁଇଦିନ ହେଲା ଛୁଟିରେ ଥିଲ ତ। ବକେୟା କାମ ସାରିବା ପାଇଁ ଅଫିସ ଛୁଟି ପରେ ବି ଅଟକି ରହିଛି। ହେଲେ ଏଥିସହିତ ପ୍ରଳୟ ବା ବିଲୟର ସମ୍ପର୍କ କ’ଣ?
ତାଙ୍କ ପ୍ରଶ୍ନର ଉତ୍ତରରେ ନିଜର ସେଇ ସଦାଶ୍ରୟୀ ସହକର୍ମୀଙ୍କୁ ଦ୍ୱିତୀୟ କର୍ମଚାରୀ ଯେମିତି ଯାହା ବୁଝାଇଲେ, ତା’ ଭିତରେ ଦୁଇ ସମଧର୍ମାଙ୍କ ଶ୍ଳେଷାତ୍ମକ ଲଘୁ ପରିହାସ ପ୍ରତିଫଳିତ ହେଉ ନ ଥିଲା। ବରଂ ପ୍ରତିଧ୍ୱନିତ ହେଉଥିଲା ଏକ ନିଷ୍ଠୁର ସତ୍ୟର ଗମ୍ଭୀର ପରିପ୍ରକାଶ। ସାତଘଣ୍ଟାର ଅଫିସ କାମକୁ ଦୁଇଘଣ୍ଟାରେ ସାରି ବାକି ସମୟ ଖୁସି ଗପ, ସିନେମା, ସିରିଏଲ ବା ରାଜନୀତି ଚର୍ଚ୍ଚାରେ ବିତାଇବାକୁ ଯେଉଁଠି ସାମର୍ଥ୍ୟ ଓ ସଫଳତାର ସଙ୍କେତ ଭାବେ ବିଚାର କରାଯାଏ, ସେଠି ସମସ୍ତେ ଚାଲିଯିବା ପରେ ବି ମନଧ୍ୟାନ ଦେଇ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ବିଲୟ ବିଳମ୍ବିତ ହେବାର କାରଣ ନୁହେଁ ତ ଆଉ କ’ଣ? ଆଚାରସଂହିତାର ସମସ୍ତ ଆଲୋକ ନିର୍ବାପିତ କରି ସକଳ ଜଗତକୁ ଅନାଚାରର ଅନ୍ଧକାରରେ ଡୁବାଇ ରଖିବାକୁ ସଭିଏ ଯେତେବେଳେ ପରସ୍ପର ମଧ୍ୟରେ ପ୍ରତିଯୋଗିତାରତ, ସେତେବେଳେ ବତିଟିଏ ଜାଳିବାର ଆଗ୍ରହ ରଖୁଥିବା ଲୋକଟିକୁ ବନ୍ଧୁ ଜଣେ ବିଦ୍ରୂପ ନ କରନ୍ତେ ବା କାହିଁକି। ସାମାନ୍ୟ ବତିଟିର ସ୍ବଳ୍ପ ଆଲୋକ ବିଶାଳ ଭୂଖଣ୍ଡର ବହଳ ଅନ୍ଧକାରକୁ ଦୂରୀଭୂତ ତ କରି ପାରିବ ନାହିଁ, ବରଂ ଦୂରେଇ ଦେଉଥିବ ଆଶାଲୋକର ସମ୍ଭାବନାକୁ।
ଏକା ଏକା ବତିଟିଏ ଜାଳୁଥିବା ଭଳି ଜଳୁଥିବା ବତିଟିକୁ ଲିଭାଇଦେଇ ଏକା ଏକା ଅନ୍ଧାରକୁ ଉପଭୋଗ କରୁଥିବା ଲୋକମାନଙ୍କର କୈଫିୟତ ସେଇ ଏକା ପରି। ଏକ ନୀତିନିଷ୍ଠ ସମ୍ବିଧାନରେ ଯାହା ଦୁର୍ନୀତି ବୋଲି ବିବେଚିତ, ତାହାକୁ ଆପଣେଇ ନେଲେ ସାରା ସମାଜ ନୀତିଭ୍ରଷ୍ଟ ହୋଇଯାଏ ବୋଲି ଏମାନେ ବିଶ୍ୱାସ କରନ୍ତି ନାହିଁ। ପୁଳାଏ ଲାଞ୍ଚ ନେଇ ପକେଟରେ ପୂରାଇଲେ, ଅଫିସରେ ଘଣ୍ଟାଏ କାମ କରି ଅନ୍ୟ କାମରେ ମାତିଲେ, ସରକାରୀ ଅର୍ଥ ବା ପରଧନ ହଡପ କରି ନିଜ ସିନ୍ଦୁକ ଭରିଲେ, ଅସଲି ବଦଳରେ ନକଲି ଉତ୍ପାଦନ କରି ବଜାରକୁ ଛାଡିଲେ ଅବା ନୋଟ ଦେଇ ଭୋଟ କିଣି ମନ୍ତ୍ରୀ ହେଲେ ସାରା ସମାଜଟା ଭୁଶୁଡ଼ି ପଡ଼ିବ କେମିତି। ହୋଇପାରେ, ଏହାଦ୍ୱାରା ବ୍ୟକ୍ତି ଚରିତ୍ରରେ କିଛିଟା କଳଙ୍କ ଲାଗିପାରେ (ତାହା ପୁଣି ଧରାପଡି ପ୍ରମାଣିତ ହେଲା ପରେ), ହେଲେ ସମଗ୍ର ସମାଜ କଳୁଷିତ ହେବ କେମିତି? ଗୋଟିଏ ବତି ଲିଭାଇଦେଲେ ଏତେ ବଡ଼ ଜଗତଟା ଅନ୍ଧାରରେ ଡୁବି ରସାତଳକୁ ଚାଲିଯିବ ବୋଲି କହିବାରେ କି ଯୁକ୍ତି ଅଛି?
ବଡ଼ ଅଜବ ଏ ଯୁକ୍ତି। ଉଦ୍ଦାମ ଯୁବକଟିଏ ଏକା ଏକା ଡଙ୍ଗାରେ ଚଢ଼ି ଯେତେ ଉଦଣ୍ଡ ନୃତ୍ୟ କଲେ ବି ଡଙ୍ଗାଟି ଟଳମଳ ହେଲା ସିନା, ବୁଡିଗଲା ନାହିଁ। ତା’ ଦେଖାଦେଖି ଅନ୍ୟ କେଇଜଣ ସମଧର୍ମୀ ଯୁବକ ଡଙ୍ଗାଟି ଉପରକୁ ଚଢ଼ିଗଲେ ଓ ଆରମ୍ଭ କରିଦେଲେ ମର୍କଟ ସୁଲଭ ଡିଆଁକୁଦା। ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ଡଙ୍ଗାଟି ବୁଡିଗଲା। ପ୍ରଥମ ଯୁବକଟି କୌଣସି ମତେ ପହଁରି ପହଁରି କୂଳରେ ଲାଗିଲା ଓ ସଫେଇଦେଲା, ଦେଖ ହୋ। ଏକା ଏକା ମୁଁ ଯେଉଁ ଭଙ୍ଗୀରେ ଯେତେ ନାଚିଲେ ବି ଡଙ୍ଗା କ’ଣ ବୁଡୁଥିଲା। ସଂଖ୍ୟା ବଢ଼ିଗଲା ବୋଲି ସିନା। ସୁତରାଂ ଡଙ୍ଗା ବୁଡିବା ପାଇଁ ମୁଁ କାହିଁିକି ଦାୟୀ ହେବି?
ଅସାଧୁ ମାର୍ଗରେ ଯାଇ ନିଜ ନିଜ ଜୀବନକୁ ଶ୍ରୀମଣ୍ଡିତ କରିବା ସହ ସମାଜକୁ ଶ୍ରୀହୀନ କରୁଥିବା ସବୁ ଲୋକଙ୍କ ସଫେଇ ଏଇ ଯୁବକଙ୍କ ପରି। ହଁ ସତକଥା, ମୁଁ ଅନ୍ୟାୟ ଅନୀତି କରୁଛି। ଯାବତୀୟ ଅନାଚାରକୁ ଆପଣେଇ ନେଇ ନିଜ ପାଇଁ ଏକ ସରସ ସୁନ୍ଦର ସଂସାର ଗଢୁଛି। ନ୍ୟାୟ ନୀତି ଭଳି ମିଥ୍ୟା ଆଦର୍ଶବୋଧର ଆଲୋକକୁ ମୁଁ ସହ୍ୟ କରିପାରେନା। ଅନ୍ଧାରରେ ହିଁ ମୋର ଆନନ୍ଦ। ସେଥିପାଇଁ ମୋ ବିବେକବତିକୁ ମୁଁ ଲିଭାଇଦେଇଛି ନିଜ ହାତରେ। ତା’ ବୋଲି ଜଗତ ଯାକର ଅନ୍ଧାର ପାଇଁ କ’ଣ ମୁଁ ଦାୟୀ? ସମାଜ ନଷ୍ଟଭ୍ରଷ୍ଟ ହୋଇଯିବା ପାଇଁ ଅନ୍ୟାନ୍ୟ କାରଣ ଥାଇପାରେ। ମୁଁ ନୁହେଁ କି ମୋ ଅନ୍ଧାର ପ୍ରୀତି ନୁହେଁ।
ଏମିତି ସ୍ପର୍ଦ୍ଧିତ ଉଦ୍‌ଘୋଷଣା କରି ନିଜକୁ ଦୋଷମୁକ୍ତ ବିଚାରୁଥିବା ଲୋକଟିର ପରିଚୟ କ’ଣ? ସାମାଜିକ ପ୍ରାଣୀ ତ! ନିଜର ଦୈନନ୍ଦିନ ଜୀବନଚର୍ଯ୍ୟା ପାଇଁ ସର୍ବନିମ୍ନ ଉପାଦାନ ଯେଉଁ ସମାଜରୁ ସଂଗୃହୀତ, ସେଇ ସମାଜଠୁ ନିଜକୁ ଯେତେ ଦୂରେଇ ରଖିଲେ ବି ସମାଜ କିନ୍ତୁ ମଣିଷର ଅନୁଧାବନ କରୁଥାଏ ଅହରହ। ବତିଟିଏ ଜାଳି ଅନ୍ୟମାନଙ୍କୁ ଆଲୋକିତ କରୁଥିବା ଭଲ ମଣିଷ ଓ ବତିଟି ଲିଭାଇ ଅନ୍ୟମାନଙ୍କୁ ଅନ୍ଧାର ମଧ୍ୟକୁ ଠେଲି ଦେଉଥିବା ଖରାପ ମଣିଷ, ଉଭୟଙ୍କୁ କୋଳେଇ ନେଇ ସମାଜ ଆଗେଇ ଚାଲୁଥାଏ ସମୟର ପ୍ରବହମାନ ସ୍ରୋତରେ। କେବଳ ଫରକ ଏତିକି, ଭଲ ମଣିଷର ଭଲପଣିଆକୁ ନେଇ ସେ ଉଜ୍ଜ୍ୱଳ ଦିଶୁଥିଲା ବେଳେ ଅତ୍ୟନ୍ତ ମଳିନ ଓ ବିବର୍ଣ୍ଣ ଦିଶେ ତା’ର ଚେହେରା ମନ୍ଦ ଲୋକଙ୍କ କଦର୍ଯ୍ୟ ଆଚରଣରେ।
ଅତଏବ, ମଣିଷ ରହିଲେ ସମାଜ ରହିବ। ସମାଜ ଭିତରେ ଭଲ ଥିବ, ଖରାପ ବି ଥିବ। ରାମ ଥିବେ, ରାବଣ ବି ଥିବ। କୃଷ୍ଣ ରହିବେ, କଂସ ମଧ୍ୟ ରହିବ। ସମାନୁପାତିକ ଭାବେ ଉଭୟଙ୍କ ସଂଖ୍ୟା ସମାନ ରହୁଥିଲେ ଆଉ କଥା ନ ଥାନ୍ତା। ସମାଜରେ ନୀତି ଅନୀତି ଓ ଆଚାର ଅନାଚାରର ଭାରସାମ୍ୟ ରକ୍ଷା ସହଜ ହୁଅନ୍ତା। ରାବଣର ଅସୁରପଣ ସହ ଧକ୍କା ଖାଇ ସମାଜ ଆହତ ହେଉଥିଲେ ରାମଙ୍କ ଉଦାର ହାତ ଲମ୍ବି ଆସୁଥାନ୍ତା ସାଷ୍ଟମ କରିବା ପାଇଁ। ମାତ୍ର ସମୟର ଦୁର୍ଭାଗ୍ୟ, ଏବେ ଏଠି ରାମଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବଢ଼ି ବଢ଼ି ଚାଲିଛନ୍ତି ରାବଣଗଣ। ଭଲକୁ ପଛକୁ ଠେଲିଦେଇ ଆଗକୁ ମାଡିଚାଲିଛି ଖରାପର ବିଜୟ ଶୋଭାଯାତ୍ରା। ସମାଜର ଏ ପ୍ରକାର ଗତି ଦେଖି କିଛି ଲୋକ ନିଜ ଭଲପଣକୁ ନେଇ ହନ୍ତସନ୍ତ ହେବା ଅପେକ୍ଷା ଟିକେ ଭଲରେ ବଞ୍ଚିବା ପାଇଁ ସେଇ ଶୋଭାଯାତ୍ରାରେ ଯୋଗ ଦେଉଛନ୍ତି ତ ଆଉ କେତେକ ନିର୍ଯାତିତ ହୋଇ ସେମାନଙ୍କ ଉଦ୍ଧାର ପାଇଁ ନୀରବରେ ଅପେକ୍ଷା କରି ରହୁଛନ୍ତି କେଉଁ ଏକ ଦିବ୍ୟଶକ୍ତିର ଆବିର୍ଭାବକୁ।
ଏ ପ୍ରସଙ୍ଗରେ ଜଣେ ବିଶିଷ୍ଟ ବିଦ୍ୱାନଙ୍କ ବକ୍ତବ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ। କେଇବର୍ଷ ତଳେ ଏ ଲେଖକ ଯାଇଥିଲା ଏକ ସାରସ୍ବତ ସମାବେଶକୁ ମୁଖ୍ୟବକ୍ତାର ଭୂମିକା ନେଇ। ବସ୍ତୁବାଦୀ ସଭ୍ୟତା ଓ ଉଗ୍ର ଆଧୁନିକତାର ଆସୁରିକ ଆକ୍ରମଣରେ ଭଲପଣିଆର ଅବକ୍ଷୟ ଘଟୁଥିବାରୁ ସେ ଚିନ୍ତାପ୍ରକଟ କରିଥିଲା ତା’ ଭାଷଣ ପ୍ରସଙ୍ଗରେ। ସେଇ ଆସରର ମୁଖ୍ୟଅତିଥି ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ମହୋଦୟ। ତାଙ୍କ ଭାଷଣରେ ସେ ଏ ଲେଖକର ଉଦ୍‌ବେଗ ସହ ଏକମତ ନ ହୋଇ ଏକ ଅଭିନବ ତତ୍ତ୍ୱର ଅବତାରଣା କରିଥିଲେ। କହିଥିଲେ ‘ପ୍ରତ୍ୟେକ ଯୁଗରେ ଭଲ ସହିତ ଖରାପ ମିଶି ରହିଛି ଓ ରହିବ। ଖରାପ ତୁଳନାରେ ଭଲ କମ୍‌ ଲୋକଙ୍କ ଗ୍ରହଣୀୟ ହେବ। ମାତ୍ର ଏଥିପାଇଁ ଭଲପଣିଆ ଉପରୁ ଆସ୍ଥା ହରାଇ ବସିଲେ ଖରାପ ଲୋକଙ୍କ ସଂଖ୍ୟା କମିବ ତ ନାହିଁ, ବରଂ ଭଲ ଲୋକଙ୍କ ଭଲପଣିଆର ଅସମ୍ମାନ ହେବ।’
ବୃତ୍ତିରେ କୁଳପତି ମହୋଦୟ ଜଣେ ବିଶିଷ୍ଟ ଗଣିତଜ୍ଞ ହୋଇଥିବାରୁ ଗାଣିତିକ ସୂତ୍ରର ସାହାଯ୍ୟ ନେଇ ବୁଝାଇ ଦେଇଥିଲେ। ବର୍ତ୍ତମାନ ଉପଭୋକ୍ତାବାଦ ମଧ୍ୟରେ ସାଧାରଣ ଲୋକଙ୍କ ଚେତନାରେ ଆଶୁ ଉପଲବ୍ଧିର ବିଚାର ପ୍ରାଧାନ୍ୟ ବିସ୍ତାର କରିଛି। ଚରମ ସଙ୍କଟ ଦେଇ ଗତି କରୁଛି ମୂଲ୍ୟବୋଧର ମହତ୍ତ୍ୱ। ଭଲ ବିଭକ୍ତ ଖରାପ ପ୍ରକ୍ରିୟାରେ ଲବ କମ୍‌ ହୋଇ ହର ଅଧିକ ହୋଇପଡିଛି। ମୂଲ୍ୟବୋଧର ମୂଲ୍ୟାଙ୍କ ଏକ ତଳକୁ ଖସିପଡିଛି। ଏମିତି ଏକ ସଙ୍କଟ ସମୟରେ ଯେଉଁ ଅଳ୍ପ କେତେକ ଭଲ ଲୋକ ନିଜ ଭଲପଣିଆ ନେଇ ତଥାପି ତିଷ୍ଠି ରହିଛନ୍ତି, ସେମାନଙ୍କ ବିଶ୍ୱାସକୁ ଅଧିକ ବଳିଷ୍ଠ କରି ଗଢି ତୋଳିବାକୁ ପଡିବ। କେବଳ ନିଜର ବିଶ୍ୱାସ ନୁହେଁ, ଅନ୍ୟର ବିଶ୍ୱାସକୁ ପ୍ରଭାବିତ କରିବା ପାଇଁ ସେମାନଙ୍କୁ ଅଧିକ ଭଲ, ଅଧିକ ଉଦାର ହେବାକୁ ପଡ଼ିବ। ଯେମିତି ଭଲପଣିଆର ଲବ ଅଧିକ ହୋଇ ଖରାପ ଗୁଣଠୁ ନିଜ ପ୍ରାଧାନ୍ୟ ବିସ୍ତାର କରିପାରିବ। ସାମ୍ପ୍ରତିକ ସାମାଜିକ ସ୍ଥିତିରେ ଭଲ ବିଭକ୍ତ ଖରାପର ଏମିତି ଏକ ଭଗ୍ନାଂଶ ହାତଗଣତି ଭଲ ଲୋକଙ୍କ ପାଇଁ ସହଜସାଧ୍ୟ ହୋଇ ନ ପାରେ। ମାତ୍ର ଅସମ୍ଭବ ନୁହେଁ। ବାସ୍‌, କେବଳ ଏକ ସାର୍ଥକ ଜୀବନ ପାଇଁ ଆକୁଳତା ଓ ଏକ ଶୁଦ୍ଧ ସମାଜ ଗଠନ ପାଇଁ ବ୍ୟାକୁଳତା ହିଁ ଲୋଡା।
ଉପସଂହାରରେ ଆଉ ଥରେ ସେଇ କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କ କଥା, ଯିଏ ଅଫିସ ସରିଲାପରେ ବି କାମ କରି ଚାଲିଛନ୍ତି କେବଳ କମିଯାଇଥିବା ଲବର ଅଙ୍କକୁ ବଢ଼ାଇବା ପାଇଁ। କ୍ରମେ କ୍ରମେ ଲିଭି ଆସୁଥିବା ମୂଲ୍ୟବୋଧର ବତିକୁ ପ୍ରଜ୍ୱଳିତ କରି ଏ ସମାଜକୁ ଆଲୋକିତ କରିବା ପାଇଁ। ବିଦ୍ୱାନ କୁଳପତିଙ୍କ ଗାଣିତିକ ବିଶ୍ଳେଷଣ ଯେ ଅର୍ଥହୀନ ନୁହେଁ, ଏ କଥାର ପ୍ରମାଣ ଦେବା ପାଇଁ।
ପ୍ରଜ୍ଞା ନିଳୟ ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?