ବିଦ୍ୟାସାଗରଙ୍କ ବିଚାର

ଭାଲଚନ୍ଦ୍ର ଷଡ଼ଙ୍ଗୀ
ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ ଗୋବିନ୍ଦ ରାନାଡ଼େ, ରାଜା ରାମମୋହନ ରାୟ, ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି ଯଦିଓ ତାଙ୍କର କାର୍ଯ୍ୟ ପରିସର ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ସୀମିତ ଥିଲା କିନ୍ତୁ ତାଙ୍କର ବିଚାରଧାରା ଓ ଆନ୍ଦୋଳନର ପ୍ରଭାବ ସମଗ୍ର ଦେଶରେ ଅନୁଭୂତ ହୋଇଥିଲା। ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର, ବାଲ୍ୟ ବିବାହ, ବିଧବା ବିବାହ, ନାରୀ ଶିକ୍ଷା, ଜାତି ବିଦ୍ୱେଷ ଭଳି ସେ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଦେଶବାସୀଙ୍କୁ ଆନ୍ଦୋଳିତ କରିଥିଲା।
ଆଜକୁ ଦୁଇଶହ ବର୍ଷ ତଳେ ୨୬ ସେପ୍ଟେମ୍ବର ୧୮୨୦ ମସିହାରେ ବଙ୍ଗଳାର ଅବିଭକ୍ତ ମେଦିନୀପୁର ଜିଲାର ବୀରସିଙ୍ଗ ଗ୍ରାମରେ ଏକ ଗରିବ ପରିବାରରେ ଈଶ୍ୱରଚନ୍ଦ୍ରଙ୍କ ଜନ୍ମ। ପିଲାବେଳରୁ ଜ୍ଞାନଲାଭ ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଅଭାବ ସତ୍ତ୍ୱେ ସେ ନିଜର ପ୍ରାଥମିକ ଶିକ୍ଷା ନିଜ ଗ୍ରାମରେ ସଂସ୍କୃତ ଭାଷାରେ ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ କଲିକତାରେ ଏକ ସମ୍ପର୍କୀୟଙ୍କ ଘରେ ରହି ପଢ଼ିଥିଲେ। ସେଠାରେ ସଂସ୍କୃତ କଲେଜରେ ପଢ଼ିବା ସମୟରେ ସେ ବେଦାନ୍ତ, ବ୍ୟାକରଣ, ସାହିତ୍ୟ, ଦର୍ଶନ ଆଦି ଅନେକ ବିଷୟରେ ପଢ଼ିବାର ସୁଯୋଗ ପାଇଥିଲେ। ସଂସ୍କୃତ ତଥା ଅନ୍ୟାନ୍ୟ ବିଷୟରେ ତାଙ୍କର ଅଗାଧ ଜ୍ଞାନ ପାଇଁ ୧୮୩୯ ମସିହାରେ କଲେଜ ପକ୍ଷରୁ ତାଙ୍କୁ ବିଦ୍ୟାସାଗର ଉପାଧି ପ୍ରଦାନ କରାଯାଇଥିଲା। ୧୮୪୧ ମସିହାରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ ପରେ ସେ ଫୋର୍ଟ ୱିଲିୟମ୍‌ କଲେଜରେ ସଂସ୍କୃତ ବିଭାଗର ମୁଖ୍ୟ ରୂପେ ଅଧ୍ୟାପନାରେ ଯୋଗ ଦେଇଥିଲେ।
ସେତେବେଳେ ଶିକ୍ଷା କହିଲେ ମୂଳତଃ ଗୁରୁକୁଳ ଆଧାରିତ ଥିଲା, ଯେଉଁଥିରେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କୁ ହିଁ ପଢ଼ିବାର ସୁଯୋଗ ମିଳୁଥିଲା। ଏପରିକି ଉଚ୍ଚଜାତିର ମହିଳାମାନେ ବି ଶିକ୍ଷାଲାଭରୁ ବଞ୍ଚିତ ରହୁଥିଲେ। ବିଦ୍ୟାସାଗର ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷାର ସୁଯୋଗ ପାଇଁ ଉଦ୍ୟମ କରିଥିଲେ। ସେ ଅଧ୍ୟାପକ ଥିବା କଲେଜରେ ସର୍ବପ୍ରଥମେ ଅନ୍ୟ ଜାତିର ପିଲାଙ୍କୁ ପଢ଼ିବାର ସୁଯୋଗ ଦେଇଥିଲେ।
ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସେ ନିଜର ମାତୃଭାଷାକୁ ଅଧିକ ସହଜ ଓ ବୋଧଗମ୍ୟ କରିବାକୁ ବଙ୍ଗଳାରେ ‘ବର୍ଣ୍ଣ ପରିଚୟ’ ନାମକ ପୁସ୍ତକ ରଚନା କରିଥିଲେ, ଯାହାକୁ ଆଜି ବି ପିଲା ପଢ଼ୁଛନ୍ତି। ନାରୀମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସେ ନିଜର ସହଯୋଗୀ ରାମଗୋପାଳ ଘୋଷ ଏବଂ ମଦନମୋହନଙ୍କ ସହ ମିଶି ଅନେକ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ।
ବିଦ୍ୟାସାଗର ତତ୍କାଳୀନ ସମାଜରେ ଚାଲିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ତାକୁ ଏକ ସାମାଜିକ ଆନ୍ଦୋଳନର ରୂପ ପ୍ରଦାନ କରିଥିଲେ। ସେତେବେଳେ ସମାଜରେ ବାଲ୍ୟବିବାହ ଏକ ସାଧାରଣ କଥା ଥିଲା। ବାଲ୍ୟାବସ୍ଥାରେ ନିଜର ଅଜାଣତରେ ବିବାହ କରୁଥିବା ଅନେକ ବାଳିକା ପରବର୍ତ୍ତୀ ଅବସ୍ଥାରେ ବିଧବା ହୋଇ ସାରା ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ। ବିଦ୍ୟାସାଗର ବାଲ୍ୟବିବାହ ଓ ବିଧବା ପ୍ରଥା ବିରୋଧରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିବା ସହିତ ବିଧବାମାନଙ୍କ ପୁନର୍ବିବାହ ପାଇଁ ସଚେତନତା ସୃଷ୍ଟି କରୁଥିଲେ ଏବଂ ନିଜ ଉଦ୍ୟମରେ ଶହ ଶହ ବିଧବାଙ୍କ ପୁନର୍ବିବାହର ବ୍ୟବସ୍ଥା କରିଥିଲେ।
ବିଦ୍ୟାସାଗର ତତ୍କାଳୀନ ସମାଜରେ ଆରମ୍ଭ ହୋଇଥିବା ନବଜାଗରଣ ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ଥିଲେ। ତାଙ୍କର ପୂର୍ବସୂରୀ ରାଜା ରାମମୋହନ ରାୟ (୧୭୭୨-୧୮୩୦), ମହାରାଷ୍ଟ୍ରର ମହାଦେବ ଗୋବିନ୍ଦ ରାନାଡେ (୧୮୪୮-୧୯୦୧) ପ୍ରମୁଖ ସମାଜ ସଂସ୍କାରକ ଆରମ୍ଭ କରିଥିବା ଏହି ଆନ୍ଦୋଳନକୁ ସେ ଆଗକୁ ନେଇଥିଲେ। ରାଜା ରାମମୋହନଙ୍କ ଅଭିଯାନର ଫଳସ୍ବରୂପ ବ୍ରିଟିଶ ସରକାର ୧୮୨୯ ମସିହାରେ ସତୀଦାହ ପ୍ରଥାକୁ ନିଷିଦ୍ଧ କରିଥିବା ବେଳେ ବିଦ୍ୟାସାଗରଙ୍କ ସଂଗ୍ରାମର ଚାପରେ ୧୮୫୬ ମସିହାରେ ବିଧବା ପୁନର୍ବିବାହ ଆଇନ ପ୍ରଣୟନ ହୋଇଥିଲା। ୧୮୭୦ ମସିହାରେ କନ୍ୟାଭ୍ରୂଣ ହତ୍ୟା ନିଷିଦ୍ଧ ହୋଇଥିବା ବେଳେ ୧୮୯୧ ମସିହାରେ ବିବାହ ପାଇଁ ମହିଳାଙ୍କ ସମ୍ମତିର ବୟସକୁ ସରକାର ୧୦ରୁ ୧୨ ବର୍ଷକୁ ବୃଦ୍ଧି କରିଥିଲେ, ଯାହାକି ପରେ ୧୯୨୯ ମସିହାରେ ଏହା ୧୪ ବର୍ଷକୁ ବୃଦ୍ଧି କରାଯାଇଥିଲା। ବିଦ୍ୟାସାଗର ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର ଓ ସାମାଜିକ ଭେଦଭାବ ବିରୋଧରେ ସଂଗ୍ରାମ କରୁଥିବାରୁ ତାଙ୍କୁ ସମାଜର ରୂଢ଼ିବାଦୀ ଶକ୍ତିମାନଙ୍କ ବିରୋଧର ଶିକାର ହେବାକୁ ପଡ଼ୁଥିଲା।
ମୋ- ୯୪୩୭୧୬୬୩୯୧, bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri