ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ

ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି ଅତ୍ୟନ୍ତ ଅସହଜ ଚିତ୍ର ଜଳଜଳ ଦିଶୁଛି। ଗୁଜରାଟର ସୁରତ ନଗରୀରେ ବହୁତ ଓଡ଼ିଆ ରହନ୍ତି। ୬୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସୁରତ ନଗରୀରେ ମେ ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ସର୍ବମୋଟରେ ୮୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତହିଁରୁ ୪୪୫ଜଣ ସୁସ୍ଥ ହୋଇ ଏବେ ମାତ୍ର ୩୫୯ ଜଣ ହିଁ ସକ୍ରିୟ ସଂକ୍ରମିତ ଅଛନ୍ତି ବୋଲି ଗୁଜରାଟ ସରକାରଙ୍କ ତଥ୍ୟ କହେ। ଯେଉଁ ଦିନଠାରୁ ସୁରତରୁ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଫେରିବା ଆରମ୍ଭ ହେଲା, ସେହିଦିନ ସୁରତ ନଗରୀରେ ଚିହ୍ନଟ କୋଭିଡ୍‌ ରୋଗୀ ସଂଖ୍ୟା ନିଶ୍ଚୟ କମ୍‌ ଥିବ। ଏବେ ଆସିବା ଓଡ଼ିଶାକୁ। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ମେ ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ୪,୩୩୨ ଜଣ ବ୍ୟକ୍ତି ରାଜ୍ୟର ବିଭିନ୍ନ ‘କ୍ୱାରାଣ୍ଟାଇନ’ କେନ୍ଦ୍ରରେ ଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସୁରତରୁ ଆସି ନାହାନ୍ତି ଏବଂ ସେହିଭଳି କେନ୍ଦ୍ରରେ ଥିବା ସମସ୍ତେ ପ୍ରବାସୀ ଓଡ଼ିଆ ବି ନୁହନ୍ତି। ସୁରତରୁ କେତେ ଲୋକ ଓଡ଼ିଶାକୁ ଫେରି ସାରିଛନ୍ତି ଓ ତାଙ୍କ ମଧ୍ୟରୁ କେତେକଙ୍କର ନମୁନା ପରୀକ୍ଷା ସାରିଲାଣି ତା’ତଥ୍ୟ ମୋ ପାଖରେ ନାହିଁ। ବ୍ରହ୍ମପୁର ବଡ ଡାକ୍ତରଖାନାରେ ଦିନକୁ ଅତିବେଶିରେ ୧୫୦ଟି ହିଁ ନମୁନା କରୋନା ପାଇଁ ପରୀକ୍ଷା ହୋଇପାରିବ। ତେଣୁ ଖୁବ ବେଶି ଲୋକଙ୍କ ପରୀକ୍ଷା ହୋଇ ନ ଥିବ ନିଶ୍ଚୟ କିନ୍ତୁ ୧୫୩ ଜଣ ସୁରତ ଫେରନ୍ତା କୋଭିଡ୍‌ ରୋଗୀ ବୋଲି ଚିହ୍ନଟ ହୋଇସାରିଲେଣି। ଏକ ସାଧାରଣ ହିସାବରେ ସୁରତରୁ ଓଡ଼ିଶାକୁ ପହଞ୍ଚୁଥିବା ପ୍ରତି ୧୦ ଜଣରେ ଜଣେ କରୋନା ସଂକ୍ରମିତ ବାହାରୁଛନ୍ତି। ସୁରତରେ ପ୍ରାୟ ୮ରୁ ୧୦ ଲକ୍ଷ ଓଡ଼ିଆ ପ୍ରବାସୀ ରହନ୍ତି। ଓଡ଼ିଶାକୁ ଫେରୁଥିବା ସୁରତ ପ୍ରବାସୀଙ୍କ ସଂକ୍ରମଣ ହାରକୁ ହିସାବକୁ ନେଲେ ସୁରତରେ କରୋନାର ସଂକ୍ରମଣ ଯେ କେତେ ବ୍ୟାପକ ହୋଇସାରିଲାଣି ତାହାର ଅନୁମାନ କରିବା ଆଦୌ କଷ୍ଟକର ନୁହେଁ। ଗୁଜରାଟ ସରକାର ହୁଏତ ପ୍ରବାସୀଙ୍କର ପରୀକ୍ଷା ହିଁ କରିନାହାନ୍ତି ବା କରୋନାର ସଂକ୍ରାମକ ସ୍ଥିତିକୁ ସମ୍ପୂର୍ଣ୍ଣ ଲୁଚାଇ ରଖିଛନ୍ତି। ହୁଏତ ସଂକ୍ରମଣର ଏହି ହାର ଜାଣିଥିଲେ ଓଡ଼ିଶା ସରକାର ପ୍ରବାସୀଙ୍କ ପାଇଁ ଭିନ୍ନ ବ୍ୟବସ୍ଥା କରିଥାନ୍ତେ। ପ୍ରବାସୀଙ୍କ ଓଡ଼ିଶା ଆଗମନ ଏବେ ଓଡ଼ିଶାର ସ୍ଥିତିକୁ ଜଟିଳ କରିବାର ବଡ ଆଶଙ୍କା ରଖେ।
ଏହି ସ୍ଥିତିରୁ ମୁଁ ବାରୁଥିବା ପ୍ରଥମ ଚିତ୍ରଟି ହେଲା ଯେ, ସୁରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାଠାରୁ ଲୁକ୍କାୟିତ ହୋଇ ରହିଥିବା ସଂକ୍ରମିତଙ୍କ ସଂଖ୍ୟା ଅନେକଗୁଣ ଅଧିକ। ଓଡ଼ିଶାକୁ ପହଞ୍ଚୁଥିବା ପ୍ରବାସୀଙ୍କ ପରୀକ୍ଷା ହେଉଛି ବୋଲି ହିଁ କରୋନା ସଂକ୍ରମଣର ଅଧିକ ମାମଲା ଲୋକଲୋଚନକୁ ଆସୁଛି। ଅନ୍ୟ ଭାବରେ କହିଲେ, ସୁରତ ହେଉ ବା ଓଡ଼ିଶା ହେଉ ବା ଭାରତରେ ହେଉ, କରୋନା ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ଚିହ୍ନଟ ହୋଇସାରିଥିବା ସଂଖ୍ୟାଠାରୁ ଢେର ଅଧିକ ଥିବା ନିଶ୍ଚିତ। ମୋତେ ଦୃଶ୍ୟମାନ ହେଉଥିବା ଅନ୍ୟ ଚିତ୍ରଟି ଆହୁରି ଭୟାବହ। କେନ୍ଦ୍ର ସରକାର ପ୍ରବାସୀଙ୍କ ଯାତାୟାତ ପାଇଁ ଅନୁମତି ଦେବା ମାତ୍ରେ ଗୁଜରାଟ ସରକାର ଅତ୍ୟନ୍ତ ଆଗଭର ହୋଇ ଓଡ଼ିଆ ତଥା ଅନ୍ୟ ରାଜ୍ୟର ପ୍ରବାସୀଙ୍କୁ ବସ୍‌ ମାଧ୍ୟମରେ ପଠାଇବା ଆରମ୍ଭ କରିଦେଇଥିଲେ। ଗତ ସପ୍ତାହରେ ଯେତେବେଳେ ଓଡ଼ିଶା ହାଇକୋର୍ଟ ସଂକ୍ରମିତ ହୋଇ ନ ଥିବା ପ୍ରବାସୀଙ୍କୁ ହିଁ ଓଡ଼ିଶାକୁ ଆସିବାକୁ ଦିଆଯିବ ବୋଲି ନିର୍ଦ୍ଦେଶ ଦେଲେ ସେତେବେଳେ ଓଡ଼ିଶା ସରକାର ନୁହେଁ, ବରଂ ଗୁଜରାଟ ସରକାର ରାତିକ ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କଲେ ଓ କେନ୍ଦ୍ର ସରକାରଙ୍କ ‘ସଲିସିଟର ଜେନେରାଲ’ ପରଦିନ ସୁପ୍ରିମ କୋର୍ଟ ଖୋଲିବା ମାତ୍ରେ ହିଁ ସ୍ଥଗିତାଦେଶ ନେଇ ଆସିଲେ। ହାଇକୋର୍ଟଙ୍କ ସେହିଭଳି ନିର୍ଦ୍ଦେଶ ଅବଶ୍ୟ ମାନବତାର ବିରୋଧୀ ଥିଲା ବୋଲି ଏକ ବଡ ବର୍ଗ ବିଶ୍ୱାସ କରନ୍ତି କିନ୍ତୁ ଗୁଜରାଟ ସରକାରଙ୍କ ତ୍ୱରିତ ପଦକ୍ଷେପରୁ ଗୋଟେ କଟୁ ବାସ୍ତବତା ଅତ୍ୟନ୍ତ ସ୍ପଷ୍ଟ ଭାବରେ ବାରି ହେଉଛି। ବାସ୍ତବତାଟି ହେଲା ଯେ ଗୁଜରାଟ ସରକାର ସୁରତ ବା ସେହି ରାଜ୍ୟର ଅନ୍ୟ ପ୍ରାନ୍ତରରେ ଥିବା ପ୍ରବାସୀଙ୍କ ପ୍ରତି ଅତ୍ୟନ୍ତ ହେୟଭାବ ପ୍ରକାଶ କରିଛନ୍ତି ଓ କରୋନା ସଂକ୍ରମଣର ବାସ୍ତବ ସ୍ବରୂପ ଅତି ଭଲ ଭାବରେ ଜାଣିଛନ୍ତି। ତେଣୁ, ପ୍ରବାସୀଙ୍କୁ ତଡିବା ପାଇଁ ଖୁବ୍‌ ତରବରରେ ଅଛନ୍ତି। ଓଡ଼ିଶାକୁ ଫେରୁଥିବା ସୁରତ ପ୍ରବାସୀଙ୍କ ସଂକ୍ରମଣ ହାର ଦେଖିଲେ ସୁରତ ଭଳି ସ୍ଥାନମାନଙ୍କର ସ୍ଥିତି ଓ ଗୁଜରାଟ ସରକାର କାହିଁକି ତରବରରେ ଅଛନ୍ତି ତାହା ବୁଝିବା ଆଦୌ କଷ୍ଟ ନୁହେଁ।
ଏହି କଟୁ ବାସ୍ତବତାଟି ସୁରତ ନଗରୀ ବା ଗୁଜରାଟ ରାଜ୍ୟରେ ସୀମିତ ଥିବ ବୋଲି ବିଶ୍ୱାସ ହେଉନାହିଁ। ଏହା ପୂର୍ବରୁ ଓଡ଼ିଶାରେ କରୋନା ସଂକ୍ରମଣରେ ବୃଦ୍ଧି ପାଇଁ କଲିକତାକୁ ଏକପ୍ରକାର ଦୋଷୀ ବୋଲି ଧରି ନିଆଯାଇଥିଲା। ତାହା ପୂର୍ବରୁ ନିଜାମୁଦ୍ଦିନ ମାର୍କଜ଼ ଉପରେ ସବୁ ଦୋଷ ଅଜାଡି ହୋଇଥିଲା। ଅନ୍ୟ ରାଜ୍ୟ ବା ଦେଶମାନଙ୍କରେ ବି ସେହିଭଳି ଅବସ୍ଥା। ସମସ୍ତେ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ। ପ୍ରକୃତ ବାସ୍ତବତା ହେଲା ଯେ, ଆମେ ଯଥେଷ୍ଟ ପରୀକ୍ଷଣ କରୁନାହିଁ। ଯେହେତୁ ବାହାରୁ ଆସୁଥିବା ଲୋକଙ୍କୁ ହିଁ କରୋନା ସଂକ୍ରମଣର ସନ୍ଦେହରେ ପରୀକ୍ଷା କରୁଛୁ, ତାଙ୍କଠାରେ ହିଁ ସାଧାରଣତଃ ସଂକ୍ରମଣ ମିଳୁଛି। ଏହି କାରଣରୁ ହିଁ ଏକ ଭ୍ରାନ୍ତଧାରଣା ଜନମାନସରେ ଚେରମାଡି ବସୁଛି ଯେ ବାହାରୁ ଆସୁଥିବା ଲୋକେ ହିଁ କରୋନା ଭୂତାଣୁର ବାହକ। ଏହି କାରଣରୁ ହିଁ ବାହାରୁ ଆସୁଥିବା ଲୋକ, ଏପରି କି ବାହାରୁ ଆସୁଥିବା ଆପଣା ପ୍ରବାସୀଙ୍କ ଉପରେ ମାନସିକ, ସାମାଜିକ, ପ୍ରଶାସନିକ ଓ ସ୍ଥଳ ବିଶେଷରେ ଶାରୀରିକ ପ୍ରହାର ବଢ଼ିବାରେ ଲାଗିଛି। ପ୍ରବାସୀ ଫେରନ୍ତାଙ୍କ ପ୍ରତି ବାଟଘାଟରେ, ନିଜ ଗାଁରେ ଏମିତି ବାଛବିଚାର ହେଉଛି ଯାହା ଆମ ମୁଣ୍ଡ ତଳକୁ କରିଦେବା କଥା। ତେବେ, ସୁରତ ବା କଲିକତାକୁ ଉଦାହରଣ ଭାବରେ ନେଲେ ଏହା ସ୍ପଷ୍ଟ ହୋଇଯାଏ ଯେ ପ୍ରାୟ ସମସ୍ତ ସ୍ଥାନରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତାହାଠାରୁ ଢେର ଗୁଣ ଲୋକଙ୍କ ଦେହରେ କରୋନା ପଶି ସାରିଛି। ଓଡ଼ିଶାରେ ମଧ୍ୟ ସ୍ଥିତି ତାହା ଥିବ ନିଶ୍ଚୟ। ନିଜକୁ ସୁସ୍ଥ ବିଚାରି ପ୍ରବାସୀଙ୍କ ଉପରେ ଦାଉ ସାଧୁଥିବା ଅନେକ ସ୍ଥାନୀୟ ଲୋକଙ୍କ ଶରୀରରେ ନିଶ୍ଚିତ ଭାବରେ କରୋନା ପ୍ରବେଶ କରିସାରିଥିବ।
ତେବେ ଏହି କଟୁ ବାସ୍ତବତାର ଏକ ବଡ ସକାରାତ୍ମକ ଦିଗ ଅଛି। କରୋନା ଶରୀରରେ ଅବଶ୍ୟ ଅଛି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଲକ୍ଷଣ ବି ପ୍ରକାଶ ପାଉନି। ଜୀବନହାନିର ମାତ୍ରା ତ’ ଖୁବ କମ। ଓଡ଼ିଶାରେ ମିଳିଥିବା ଅନେକ କୋଭିଡ ମାମଲାରୁ ଏହା ମଧ୍ୟ ପ୍ରାୟ ସାବ୍ୟସ୍ତ ହୋଇସାରିଛି ଯେ କରୋନା ଭୂତାଣୁ ଜଣକଠାରୁ ଅନ୍ୟ ଜଣକ ନିକଟକୁ ସଂକ୍ରମିତ ହେବାର ହାର ଖୁବ୍‌ କମ୍‌, ନାହିଁ କହିଲେ ଚଳେ। ଉଦାହରଣ ସ୍ବରୂପ, ତାମିଲନାଡ଼ୁରୁ ଫେରିବାର ୪୫ ଦିନ ପରେ ବଲାଙ୍ଗୀରର ଦୁଇଜଣ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ। ସେହି ସମୟ ଭିତରେ ସେମାନେ ସାଧାରଣ ବ୍ୟକ୍ତିଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ। ତଥାପି ବି ସେମାନେ ସଂକ୍ରମିତ ବୋଲି ଜଣାପଡ଼ିବାର ୧୦ ଦିନ ପରେ ବି ଅନ୍ୟ କେହି ସେମାନଙ୍କ ଠାରୁ ସଂକ୍ରମିତ ହୋଇଥିବାର ଜଣାପଡ଼ିନାହିଁ। ତେଣୁ, ଆମେ କରୋନାକୁ ଏକ ସାଧାରଣ ସମସ୍ୟା ଭାବରେ ଦେଖିବା ଆରମ୍ଭ କରିଦେବା କଥା। ‘କରୋନା’ ପ୍ରତି ଭୟ ଛାଡି ଦିଆଯାଉ। କରୋନାଠାରୁ ‘ଲକ୍‌ଡାଉନ୍‌’ କାହିଁ କେତେଗୁଣ ଅଧିକ କ୍ଷତି କରୁଛି। ରାଜ୍ୟ ଓ ଦେଶକୁ ଆଉ ଅଧିକ ଦିନ ବନ୍ଦ କରି ରଖାଯାଇପାରିବ ନାହିଁ। ତେଣୁ, ଆମେ ଗୁରୁତ୍ୱର ସହ ସାମାନ୍ୟ ଜନଜୀବନ ଓ ବ୍ୟବସ୍ଥାକୁ ଫେରିବାର ପ୍ରୟାସ ଆରମ୍ଭ କରିବା ଦରକାର। କରୋନା ପାଇଁ କାହାର ମନ ଓ ଶରୀର କଷ୍ଟ ନ ପାଉ, ଲୋକଙ୍କ ଖାଇବା ଓ ରହିବାରେ ବାଧା ନ ଉପୁଜୁ ଓ ଆମେ ପୁଣି ସାମାନ୍ୟ ସ୍ଥିତିକୁ ଫେରି ଆସୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri