ଜୀବନର ଶ୍ରେଣୀ ବିଚାର

ଡ.ସତ୍ୟନାରାୟଣ ମିଶ୍ର

ବିଶ୍ୱାସ, ଭକ୍ତି ଓ ସମର୍ପଣରେ ଭଗବାନଙ୍କର ସ୍ଥିତିକୁ ଉପଲବ୍ଧି କରିହୁଏ, ଯେଉଁଠି ମଣିଷ ମନରେ ନ ଥାଏ ଗ୍ଳାନି, ଅହଂକାର ଓ ଗର୍ବ। ସୃଷ୍ଟିର ମଣିଷ ହିଁ ଏକମାତ୍ର ପ୍ରାଣୀ, ଯିଏ ଭଲ ମନ୍ଦର ବିଚାର ଅବିଚାର, ଠିକ୍‌ ଭୁଲ ଆଦିର ତର୍ଜମା କରିଥାଏ ଓ ସିଦ୍ଧାନ୍ତରେ ଉପନୀତ ହୋଇଥାଏ ବାସ୍ତବତାର ରୂପରେଖକୁ ଚରିତାର୍ଥ କରିବା ପାଇଁ। ବର୍ଗୀକରଣ, ବିଭକ୍ତୀକରଣ, ସାମାଜିକ, ଅର୍ଥନୈତିକ ପାର୍ଥକ୍ୟ ଆଦି ମଣିଷହିଁ ସୃଷ୍ଟି କରିଥାଏ ମଣିଷଙ୍କ ପାଇଁ। ଧରାପୃଷ୍ଠରେ ଅନ୍ୟ ଜୀବଜଗତ ଯେତେବେଳେ ବଞ୍ଚିବା ପାଇଁ ସଂଗ୍ରାମ ବା ଇଚ୍ଛା କରିଥାଏ, ସେତେବେଳେ ମଣିଷ ସମାଜ ନିଜ ନିଜ ମଧ୍ୟରେ ପାତର ଅନ୍ତର ବିଭେଦ ଆଦି ସୃଷ୍ଟି କରି ସାମାଜିକ ତାରତମ୍ୟର ଏକ ବିଶେଷ ବଳୟ ସୃଷ୍ଟି କରିଥାଏ। ସେହି ବଳୟ ମଧ୍ୟରେ କିଏ ନିଷ୍ପେଷିତ ହୋଇଥାଏ ତ ପୁଣି କିଏ ଏହା ଏକ ସୁଯୋଗର ଭରପୂର ଲାଭ ଉଠାଇଥାଏ। ଭଗବାନଙ୍କ ସୃଷ୍ଟିରେ ଯେତେବେଳେ ସମସ୍ତ ଜୀବଜଗତ ଏକକ ନିର୍ଦ୍ଦେଶ ଦ୍ୱାରା ପରିଚାଳିତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ, ସେହି ଦୃଷ୍ଟିରେ ମଣିଷ କିନ୍ତୁ ମଣିଷକୁ ଈର୍ଷା କରେ, ଘୃଣା କରେ, ଭୟ କରେ, ଅନ୍ୟର ଦୁଃଖରେ ସୁଖୀ ହୁଏ, ଅନ୍ୟର ସୁଖରେ ଦୁଃଖୀ ହୁଏ, ଅନ୍ୟର ଉତ୍କର୍ଷରେ ଅସହିଷ୍ଣୁ ହୋଇଥାଏ ଇତ୍ୟାଦି ଇତ୍ୟାଦି। ଉକ୍ତ ପାର୍ଥକ୍ୟ, ବୈଷମ୍ୟ, ବିଭେଦ ଆଦି କରି ମଣିଷ ସମାଜ ନିଜ ନିଜ ମଧ୍ୟରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ବର୍ଗୀକରଣ କରିଥାଏ ଜୀବନର ସୁନ୍ଦର ମୁହୂର୍ତ୍ତକୁ, ଯେଉଁଠି ସେ କେବଳ ପାଇଥାଏ କିଛି ଅହଂକାର, ଗର୍ବ, ଈର୍ଷା ଓ ସାମାଜିକ ପ୍ରତିପତ୍ତି। ସମାଜରେ ବର୍ଗୀକରଣ ହେବା ପରେ ଯେଉଁମାନଙ୍କ ନିକଟରେ ଅଧିକ ଧନ, ପ୍ରତିପତ୍ତି କ୍ଷମତା ଆଦି ରହିଥାଏ, ସେମାନେ ହୋଇଥାନ୍ତି ସମାଜର ଉଚ୍ଚଶ୍ରେଣୀର ବ୍ୟକ୍ତିବିଶେଷ। ଯେଉଁମାନଙ୍କଠାରେ ଉକ୍ତ ସ୍ଥିତି ସ୍ବଳ୍ପମାତ୍ରାରେ ଥାଏ ବା ଜୀବନ ନିର୍ବାହ ପାଇଁ ଆବଶ୍ୟକତାକୁ ସମ୍ମୁଖୀନ ହେବା ଲାଗି ସାମର୍ଥ୍ୟ ଥାଏ, ସେମାନେ ହୋଇଥାନ୍ତି ମଧ୍ୟମ ଶ୍ରେଣୀର। ଯେଉଁମାନଙ୍କ ନିକଟରେ ଉକ୍ତ ସ୍ଥିତି କିଛି ନ ଥାଏ, ସେମାନେ ନିଃସ୍ବ, ଦରିଦ୍ର ଶ୍ରେଣୀର ପର୍ଯ୍ୟାୟଭୁକ୍ତ ହୋଇଥାନ୍ତି ଓ ଉକ୍ତ ଶ୍ରେଣୀର ବ୍ୟକ୍ତିମାନଙ୍କର ସମାଜରେ କୌଣସି ଆଧିପତ୍ୟ ନ ଥାଏ। ମନୁଷ୍ୟ ଉକ୍ତ ଶ୍ରେଣୀଭୁକ୍ତ ସମାଜ ସୃଷ୍ଟିକରି ତାହାକୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ବା ଗଣତାନ୍ତ୍ରିକ ବିଚାରଧାରାରେ ସ୍ବୀକୃତି ଦେଇଥାଏ, ଯାହାକୁ ଏ ସମାଜ ବାଧ୍ୟବାଧକତାରେ ମାନିନେଇଥାଏ। ଶ୍ରେଣୀଭୁକ୍ତ ସମାଜ ସୃଷ୍ଟିକରି ମଣିଷ ନିଜର ପତିଆରା ଓ ଆଭିଜାତ୍ୟର ଅଭିମାନ ଆଦିକୁ ସାବ୍ୟସ୍ତ କରିଥାଏ କେବଳ ଅନ୍ୟମାନଙ୍କ ଉପରେ, ଯେଉଁମାନଙ୍କ ନିକଟରେ ଉକ୍ତ ପ୍ରତିପତ୍ତି, କ୍ଷମତା, ଧନ ଓ ପ୍ରାଚୁର୍ଯ୍ୟ ନ ଥାଏ।
ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ମଣିଷ ସାମାଜିକ ଅର୍ଥରେ ବିଶିଷ୍ଟ ବ୍ୟକ୍ତି, ଅତିବିଶିଷ୍ଟ ବ୍ୟକ୍ତିର ମୋହରର ମର୍ଯ୍ୟାଦାକୁ ଆଧାର କରି ଜୀବନ ଅତିବାହିତ କରିଥାଏ। ଯେଉଁ ସୃଷ୍ଟିରେ ଭଗବାନ ନିଜର ସୃଷ୍ଟିର ଅବୟବମାନଙ୍କୁ ନିଜର ସନ୍ତାନ ବୋଲି ମନେ କରନ୍ତି ଓ କୌଣସି ପାର୍ଥକ୍ୟ, ବିଭେଦ କରି ନ ଥାନ୍ତି, ତାଙ୍କରି ସନ୍ତାନ ହୋଇ ମଣିଷ ନିଜକୁ ମଣିଷ ଠାରୁ ବର୍ଗୀକରଣ ଓ ଶ୍ରେଣୀଭୁକ୍ତ ହୋଇ ନିଜର ପ୍ରତିଷ୍ଠା ଓ ଅହଂକାରର ଦୃଢ଼ୋକ୍ତିରେ ସେ ଭଗବାନଙ୍କୁ ମଧ୍ୟ ଶ୍ରେଣୀଭୁକ୍ତ କରିଥାଏ। ଅନେକ ସମୟରେ ସମାଜରେ ପରିଲକ୍ଷିତ ହୋଇଥାଏ ଯେ ଯେଉଁ ରାସ୍ତାରେ ବିଶିଷ୍ଟ ବା ଅତିବିଶିଷ୍ଟ ବ୍ୟକ୍ତିମାନେ ଯାତାୟାତ କରିବେ, ସେମାନଙ୍କ ଯାତାୟାତ ସମୟରେ ଉକ୍ତ ରାସ୍ତା ଦେଇ ସାଧାରଣ ଜନତା ଯାତାୟାତ କରି ପାରି ନ ଥାନ୍ତି, ତାହା ଥାଏ ସମାଜଠାରୁ ଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ସେବା। ସରକାରୀ ବା ବେସରକାରୀ କାର୍ଯ୍ୟରେ, ସଭା ସମିତିରେ, ଧାର୍ମିକ ଅନୁଷ୍ଠାନ ଆଦିରେ ଉକ୍ତ ଶ୍ରେଣୀର ବ୍ୟକ୍ତିମାନେ ସର୍ବାଗ୍ରେ ବନ୍ଦନୀୟ ଓ ପୂଜନୀୟ ହୋଇଥାନ୍ତି। ଜଣେ ବିଶିଷ୍ଟ ବା ଅତି ବିଶିଷ୍ଟ ବ୍ୟକ୍ତି ଯଦି କୌଣସି ଧର୍ମାନୁଷ୍ଠାନ ଆଦିକୁ ପରିଦର୍ଶନ ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି, ତେବେ ସେହି ସମୟରେ ଭଗବାନଙ୍କୁ ଉକ୍ତ ବିଶିଷ୍ଟଙ୍କ ପାଇଁ ଭଗବାନଙ୍କୁ ମଧ୍ୟ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିଥାଏ। କାରଣ ସେତେବେଳେ ଉକ୍ତ ସମୟରେ ଯଦି ଜଣେ ସମାଜର ସାଧାରଣ ଦୀନ ଦରିଦ୍ର ବ୍ୟକ୍ତି, ଯିଏ ଭଗବାନଙ୍କର ଅତି ପ୍ରିୟ ଭକ୍ତ ହୋଇଥାଏ, ସେ ଯଦି ଭଗବାନଙ୍କୁ ପରିଦର୍ଶନ କରିବାକୁ ଉତ୍ସୁକ ଥାଏ, ତେବେ ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିମାନଙ୍କଙ୍କର ସୁରକ୍ଷା ବଳୟ ଭେଦ କରିପାରି ନ ଥାଏ। ଭଗବାନ ସେଠାରେ ନିରୁପାୟ ହୋଇଥାନ୍ତି। କାରଣ ଏ ମଣିଷ ଭଗବାନଙ୍କୁ ମଧ୍ୟ ନିଜ ଭଳି ଶ୍ରେଣୀରେ ବିଭକ୍ତ କରିସାରିଛି। ଉକ୍ତ ସମୟରେ ଭଗବାନ କେବଳ ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତି ପାଇଁ ଦର୍ଶନାର୍ଥେ ଉଭା ହୋଇଥାନ୍ତି ଓ ଉକ୍ତ ଶ୍ରେଣୀର ବ୍ୟକ୍ତି ସେଥିରେ ଅନେକ ଗର୍ବ ଅନୁଭବ କରିଥାନ୍ତି ଯେ, ସେମାନେ ଭଗବାନଙ୍କର ପ୍ରିୟ। ଗର୍ବ ଓ ଦାମ୍ଭିକତାରେ ମଣିଷ ଭଗବାନଙ୍କୁ ଯେତେବେଳେ ପରିଦର୍ଶନ କରିଥାଏ, ସେତେବେଳେ ଭଗବାନ କେବଳ ନିର୍ବାକ ହୋଇ ଅପେକ୍ଷା କରିଥାନ୍ତି ପରବର୍ତ୍ତୀ ସମୟକୁ। ଏକ ଘଟଣାକୁ ଅନୁଧ୍ୟାନ କଲେ ମଣିଷ ସମାଜରେ କିପରି ବିଶିଷ୍ଟ, ଅତିବିଶିଷ୍ଟ ଓ ସାଧାରଣ ମଣିଷର ଜୀବନଶୈଳୀ ଓ ଜୀବନ ପରେ ଅର୍ଥାତ ମୃତ୍ୟୁ ପରେ ତାହା କିପରି ବିଦ୍ୟମାନ ତାହା ଅନୁମାନ କରାଯାଇପାରେ।
ବିଶାସ, ଭକ୍ତି ଓ ଗ୍ରହଣର ତରାଜୁରେ ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିର ମୃତ୍ୟୁ ପରେ ଓଡ଼ିଶାର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କ ସ୍ବର୍ଗ ଦ୍ୱାରରେ ଉକ୍ତ ଶରୀରକୁ ଦାହ କରିଥାନ୍ତି । ବିଶ୍ୱାସ ଥାଏ ଏଠାରେ ସ୍ବର୍ଗକୁ ମୁକ୍ତି ମାର୍ଗ ସୁଗମ ହୋଇଥାଏ। ପୁରୀ ସ୍ବର୍ଗଦ୍ୱାରରେ ସାଧାରଣ ମଣିଷର ମୃତଦେହକୁ ଦାହ କରିବା ପାଇଁ ଯେଉଁ ସ୍ଥାନ ନିରୂପଣ ହୋଇଥାଏ, ସେଠାରେ ବିଶିଷ୍ଟ କିମ୍ବା ଅତିବିଶିଷ୍ଟ ବ୍ୟକ୍ତିମାନଙ୍କର ମୃତଦେହକୁ ଦାହ କରାଯାଇ ନ ଥାଏ। ସେମାନଙ୍କର ମୃତଦେହ ଦାହ କରିବା ପାଇଁ ସଂରକ୍ଷିତ ଓ ନିରୂପିତ ସ୍ଥାନ ନିରୂପଣ ହୋଇଥାଏ, କାରଣ ସେମାନେ ବିଶିଷ୍ଟ ଓ ଅତିବିଶିଷ୍ଟ। ଯେତେବେଳେ ସାଧାରଣ ମୃତଦେହ ଦାହ କରିବା ପାଇଁ ସ୍ଥାନର ଅଭାବରୁ ଅନେକ ଭିଡ ଥାଏ, ମାତ୍ର ବିଶିଷ୍ଟ ଓ ଅତିବିଶିଷ୍ଟ ସ୍ଥାନ ଉକ୍ତ ସମୟରେ ଖାଲିଥିଲେ ମଧ୍ୟ ଶ୍ରେଣୀଭୁକ୍ତ ସମାଜର କଠୋର ନୀତି ନିୟମ ପାଇଁ ସାଧାରଣ ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଭଗବାନଙ୍କ ନିକଟକୁ ଯିବା ପାଇଁ ବା ସ୍ବର୍ଗତ ହେବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ସେହି କ୍ଷେତ୍ରରେ ବିଶିଷ୍ଟ ଓ ଅତିବିଶିଷ୍ଟ ମୃତଦେହ ପାଇଁ ଯଥା ଶୀଘ୍ର କାର୍ଯ୍ୟ ସମ୍ପାଦନ ହୋଇଥାଏ। ଅର୍ଥାତ ଜୀବିତାବସ୍ଥାରେ ଓ ମୃତ୍ୟୁପରେ ବା ମୃତଦେହରେ ମଧ୍ୟ ବିଶିଷ୍ଟ ଓ ଅତିବିଶିଷ୍ଟର ଅହେତୁକ ସୁବିଧା ସୁଯୋଗ ମଧ୍ୟ ହାତଛଡ଼ା ଏ ମଣିଷ କରି ନ ଥାଏ। ମାତ୍ର ଏ ଶ୍ରେଣୀଭୁକ୍ତ ସମାଜ ମଣିଷର ମୃତ୍ୟୁ ପରେ ଆଉ ସୁରକ୍ଷାବଳୟ ବିଶିଷ୍ଟ ବା ଅତି ବିଶିଷ୍ଟଙ୍କର ସଂଜ୍ଞାକୁ ନେଇ ଭଗବାନଙ୍କ ଦ୍ୱାରରେ ଆପତ୍ତି ଅଭିଯୋଗ କରିପାରି ନ ଥାଏ, କାରଣ ସେଠାରେ ଆଉ ଭଗବାନଙ୍କୁ ମନୁଷ୍ୟକୃତ ଶ୍ରେଣୀଭୁକ୍ତର ବଳୟରେ ବନ୍ଦୀ ହେବାକୁ ପଡ଼ି ନଥାଏ। ଅତଏବ ସେଇଟା ଭଗବାନଙ୍କ କ୍ଷେତ୍ରର ସମାନତାର ପରିବ୍ୟାପକ କ୍ଷେତ୍ର। ମଣିଷ ଭଗବାନଙ୍କୁ ଶ୍ରେଣୀଭୁକ୍ତ କରିଥାଏ, ହେଲେ ମଣିଷର ମୃତ୍ୟୁ ପରେ ଯେଉଁଠାରେ ସମାଜର ସମସ୍ତ ବର୍ଗ ଶ୍ରେଣୀ ବା ବ୍ୟକ୍ତିଙ୍କର ସୂକ୍ଷ୍ମ ଆତ୍ମା ରହିଥାଏ, ସେଠାରେ ନ ଥାଏ ବିଶିଷ୍ଟ ଅତିବିଶିଷ୍ଟ ସାଧାରଣ ପାତର ଅନ୍ତର ବା ବୈଷମ୍ୟ। ସେଠାରେ ଥାଏ କେବଳ ଜୀବଦ୍ଦଶା ମଧ୍ୟରେ କର୍ମର ଫଳାଫଳର ଏକ ଅଦୃଶ୍ୟ ଲିଖିତ ନଥି। ସେହି ନଥିରୁ ଯେଉଁ ବିଚାର ନିର୍ଦ୍ଦେଶ ହୋଇଥାଏ ତାହାକୁ ବ୍ୟକ୍ତି ମାନିବାକୁ ବାଧ୍ୟ ହୋଇଥାଏ ଓ ସେଠାରେ ଅଭିମାନ, ଅହଂକାର, ଗର୍ବ ଆଦିର ବିଲୋପ ହୋଇ କେବଳ ଜୟ ହୋଇଥାଏ ସମାନତାର ନୀତି ନିୟମ। ଉକ୍ତ ମଣିଷଙ୍କର ଆତ୍ମା ଓ ସ୍ଥିତିରେ ସମସ୍ତ ଆତ୍ମାର ସମାହାର ହୋଇ ସୃଷ୍ଟି ହୋଇଥାଏ ଶ୍ରେଣୀହୀନ ସମାଜ। ଅତଏବ ସମାଜରେ ମଣିଷର ଜୀବଦ୍ଦଶା ମଧ୍ୟରେ ନିଜକୁ ସୟଂ ଶୃଙ୍ଖଳିତ କରି ଗଢ଼ିତୋଳିବାକୁ ଚାହେଁ, ତେବେ ଈଶ୍ୱରଙ୍କ ଦ୍ୱାରରେ ଭିକ୍ଷୁକ ହୋଇ ଭିକ୍ଷା ନିବେଦନ କରି ସମର୍ପଣ ହେବା ଆବଶ୍ୟକ, ତେବେ ଯାଇ ଭଗବାନଙ୍କ ସ୍ବର୍ଗଦ୍ୱାରର ପଥ ଉନ୍ମୁକ୍ତ ହୋଇପାରେ।
ସହ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ୱର
ମୋ : ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?