ଜଳବାୟୁ ପରିବର୍ତ୍ତନର ପରିଣାମ

ଡ. ରମେଶ ଚନ୍ଦ୍ର ପରିଡ଼ା
ଜାତିସଂଘ ପରିଚାଳିତ ଗ୍ଲୋବାଲ ‘ଏନ୍‌ଭାଇରନ୍‌ମେଣ୍ଟ ଆଉଟ୍‌ଲୁକ୍‌’ ଦ୍ୱାରା ଚଳିତ ବର୍ଷ (୨୦୧୯ରେ) ପ୍ରକାଶିତ ବିବରଣୀ ଅନୁସାରେ ଜାଗତିକ ଉଷ୍ମତା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ପୃଥିବୀରେ ସର୍ବାଧିକ ଅକାଳ ମୃତ୍ୟୁ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦାୟୀ। ଆମ ଦେଶରେ ଏହାର ସଂଖ୍ୟା ପ୍ରାୟ ୧.୨୪ ନିୟୁତ। ପୁନଶ୍ଚ ପୂର୍ବ ଏବଂ ଦକ୍ଷିଣ ଏସିଆର ୧୪୫ ନିୟୁତ ପାଖାପାଖି ଲୋକ ଖାଦ୍ୟ ନିରାପତ୍ତା ଏବଂ ଉପଯୁକ୍ତ ପାନୀୟ ଜଳରୁ ବଞ୍ଚିତ ହେବା ତଥା ବିବିଧ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଏହା ହିଁ ମୁଖ୍ୟ କାରଣ। ଏଥିରେ ଆହୁରି ମଧ୍ୟ ସୂଚିତ ଅଛି ଯେ ବିଶ୍ୱର ସର୍ବାଗ୍ରେ ଥିବା ୧୦ ଶତାଂଶ ଧନିକ ଏ ପରିସ୍ଥିତି ଉତ୍ପନ୍ନ କରୁଥିବା ସବୁଜଗୃହ ବାଷ୍ପର ୪୫ ଶତାଂଶ ନିର୍ଗମନ ଘଟାଇଥାନ୍ତି। ଅନ୍ୟ ପକ୍ଷରେ ୫୦ ଶତାଂଶ ସର୍ବନିମ୍ନ ଆୟକାରୀ ବର୍ଗ ଏହାର ମାତ୍ର ୧୦ ଶତାଂଶ ନିର୍ଗମନର କାରଣ ହେଲେ ହେଁ ସେହିମାନେ ଏହାର ସର୍ବାଧିକ କୁପରିଣାମ ଭୋଗ କରିଥାନ୍ତି। କାରଣ ଏମାନେ ଜୀବନ ଧାରଣ ପାଇଁ ଅଧିକ ନିର୍ଭରଶୀଳ ହେଉଥିବା କୃଷି, ସ୍ବାସ୍ଥ୍ୟ, ପରିବେଶ ଓ ପରିସଂସ୍ଥା ଜାଗତିକ ଉଷ୍ମତା ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୁଏ। ବିଭିନ୍ନ କ୍ଷେତ୍ରରେ ଏହି କ୍ଷୟକ୍ଷତିର ଏକ ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଗଲା।
ବିଶ୍ୱର ପ୍ରାୟ ୮୦ ପ୍ରତିଶତ କୃଷିକ୍ଷେତ୍ର ବୃଷ୍ଟିପୁଷ୍ଟ। ଜାଗତିକ ଉଷ୍ମତା ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନ ହେତୁ ବଢି ଚାଲିଥିବା ବୃଷ୍ଟିପାତରେ ଅନିୟମିତତା, ବନ୍ୟା, ମରୁଡି ଓ ବାତ୍ୟା ଏହାକୁ ପ୍ରଭାବିତ କରିବା ସ୍ବାଭାବିକ। ‘ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ର ଆକଳନ ଅନୁସାରେ ଏହି କାରଣରୁ ବିଶ୍ୱରେ ଆଗାମୀ କିଛିବର୍ଷ ମଧ୍ୟରେ ୧୫ରୁ ୨୫ ଶତାଂଶ କୃଷି ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଛି। ସେହିପରି ଏହା ଫଳରେ ଗୋ-ସମ୍ପଦ (୧୦ରୁ ୨୦ ଶତାଂଶ) ଏବଂ ମତ୍ସ୍ୟସମ୍ପଦ (୨୦ରୁ ୩୦ ଶତାଂଶ) କମ୍‌ ହୋଇପାରେ ବୋଲି ମଧ୍ୟ ଏଥିରେ ଆଶଙ୍କା ପ୍ରକଟ କରାଯାଇଛି। ବିଶେଷକରି କୃଷିପ୍ରଧାନ ଆଫ୍ରିକା ଓ ଏସିଆର ବିକାଶଶୀଳ ଦେଶଗୁଡ଼ିକରେ ଏହା ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସଂକଟ ସୃଷ୍ଟି କରିବ।
ଅରଣ୍ୟ ସମ୍ପଦକୁ ଜାଗତିକ ଉଷ୍ମତା ଓ ଜଳବାୟୁ ପରିବର୍ତ୍ତନ ଦୁଇଟି ଦିଗରୁ ଅବକ୍ଷୟ ଘଟାଇବ। ପ୍ରଥମତଃ ଉଚ୍ଚତର ତାପମାତ୍ରା ମଧ୍ୟରେ ରୋଗ ସୃଷ୍ଟିକାରୀ ସୂକ୍ଷ୍ମଜୀବମାନେ ଦ୍ରୁତ ବଂଶ ବଢ଼ାଇପାରନ୍ତି ଏବଂ ସେମାନଙ୍କଠାରେ ଜିନୀୟ ଧ୍ରୁବୀକରଣ ହେତୁ ନୂତନ ପ୍ରଜାତିମାନ ଉତ୍ପନ୍ନ ହୁଅନ୍ତି। ତହିଁରୁ ଅନେକ ଅରଣ୍ୟ ବିଧ୍ୱଂସର କାରଣ ହୋଇପାରନ୍ତି, ଯେପରି ଏବେ (୨୦୧୮ରେ) ଘଟିଛି ପଶ୍ଚିମ ଆମେରିକାରେ ‘ପାଇନ ବାର୍କ’ (କୋଟଳିପୋକ)ଙ୍କ ଯୋଗୁ। ଦ୍ୱିତୀୟତଃ ଏହା ଫଳରେ ବାଡ଼ବାଗ୍ନିର ସମ୍ଭାବନା ବୃଦ୍ଧି ପାଇବ ଏବଂ ତାହା ବହୁ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ବିଲୁପ୍ତି ଘଟାଇପାରିବ। ୨୦୦୭ରେ ଏହି କାରଣରୁ ସାରା ଦୁନିଆରେ ପ୍ରାୟ ୪୦୦୦ ହେକ୍ଟର ଅରଣ୍ୟ ଧ୍ୱଂସପ୍ରାପ୍ତ ହୋଇଥିଲା। ପୁନଶ୍ଚ ଚଳିତବର୍ଷ ‘ଜାଗତିକ ଫୁସ୍‌ଫୁସ୍‌’ ବୋଲାଉଥିବା ବ୍ରାଜିଲର ଆମାଜନ ଅରଣ୍ୟରେ ଅଗ୍ନିକାଣ୍ଡ କିପରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ତାହା ଆମେ ଜାଣୁ। ପରିବେଶ ଅଧିକ ଉତ୍ତପ୍ତ ହେଲେ ଏ ପ୍ରକ୍ରିୟା ଅଧିକ ହେବ।
ଜଳବାୟୁର ଉଷ୍ମତା ବୃଦ୍ଧି ଶୀତଳୀକରଣ ଯନ୍ତ୍ର (ଫ୍ରିଜ, ଏୟାର କଣ୍ଡିଶନିଂ, କୋଲ୍‌ଡ ଷ୍ଟୋରେଜ ଇତ୍ୟାଦି)ର ବହୁଳ ବ୍ୟବହାର ଲାଗି ମଧ୍ୟ ଘଟୁଛି। ଉଷ୍ମତା ବଢ଼ି ବଢ଼ି ଚାଲିଲେ ଅଧିକ ଶକ୍ତି ଲୋଡ଼ାହେବ ଶୀତଳୀକରଣ ଲାଗି। ଅନ୍ୟପକ୍ଷରେ ଏହା ଜଳ ଉତ୍ସକୁ ସଂକୁଚିତ କରିବା ଫଳରେ ବିଦ୍ୟୁତ୍‌ ଉତ୍ପାଦନ ମଧ୍ୟ ହ୍ରାସ ପାଇବ।
ଉଚ୍ଚ ତାପମାତ୍ରାରେ ରୋଗ ସୃଷ୍ଟିକାରୀ ଜୀବାଣୁ, ଭୂତାଣୁ ଆଦି ସୂକ୍ଷ୍ମଜୀବମାନେ ଦ୍ରୁତ ବଂଶ ବିସ୍ତାର କରନ୍ତି। ଏଣୁ ସଂକ୍ରାମକ ରୋଗ ବୃଦ୍ଧିପାଏ। ପୁନଶ୍ଚ ସେମାନଙ୍କଠାରେ ଜୀନୀୟ ଧ୍ରୁବୀକରଣ ହେତୁ ନୂତନ ପ୍ରଜାତିମାନଙ୍କର ମଧ୍ୟ ଉଦ୍ଭବ ଘଟେ, ଯେଉଁମାନେ କି ପ୍ରଚଳିତ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଏଡ଼ାଇପାରନ୍ତି। ଏହି କାରଣରୁ ଏବେ ସାରା ଦୁନିଆରେ ବିସ୍ତାରିତ ହେବାରେ ଲାଗିଛି ନୂତନ ନୂତନ ଶ୍ରେଣୀର ଫ୍ଲୁ ଆଦି ରୋଗ। ଏଥିସହିତ ଉଷ୍ମପ୍ରବାହ, ନିରାପଦ ପାନୀୟଜଳର ଅଭାବ ହେତୁ ଜାତ ବିବିଧ ରୋଗରେ ଏବେ ବିଶ୍ୱରେ ମୃତ୍ୟୁବରଣ କରୁଛନ୍ତି ନିୟୁତ ନିୟୁତ ଲୋକ। ଜାଗତିକ ଉଷ୍ମତା ବୃଦ୍ଧି ସହିତ ଏସବୁ ବଢିଚାଲିବ। ସୁପ୍ରସିଦ୍ଧ ବ୍ରିଟିଶ ସ୍ବାସ୍ଥ୍ୟ ପତ୍ରିକା ଲାନ୍‌ସେଟ୍‌ର ଆକଳନ ଅନୁସାରେ ୨୦୧୭ ମସିହାରେ ଏହା ବିଭିନ୍ନ ଦେଶର ୨ରୁ ୬ ଶତାଂଶ ପର୍ଯ୍ୟନ୍ତ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ହ୍ରାସ କରିଥିଲା। ପ୍ରତି ୧ ଡିଗ୍ରୀ ତାପମାତ୍ରା ବୃଦ୍ଧି ଏହାକୁ ଦ୍ୱିଗୁଣିତ କରିବାର ସମ୍ଭାବନା ରହିଛି।
ଜାଗତିକ ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ଅବକ୍ଷୟକାରୀ ପ୍ରଭାବ ପରିଲକ୍ଷିତ ହେଉଛି ସ୍ଥଳ ଓ ଜଳଭାଗର ପରିସଂସ୍ଥା ଉପରେ। ମେରୁ ଅଞ୍ଚଳର ବରଫ-କିରୀଟ ତଥା ହିମବାହ ତରଳିବାଠାରୁ ଆରମ୍ଭ କରି ବିଷୁବମଣ୍ଡଳୀୟ ଅଞ୍ଚଳରେ ଉଷ୍ମ ପ୍ରବାହ ଅତିବୃଷ୍ଟି, ଅନାବୃଷ୍ଟି ଓ ବାତ୍ୟା ସହିତ ସମୁଦ୍ରର ଜଳସ୍ତର ଏବଂ ଅମ୍ଳତା ବୃଦ୍ଧି ଏବେ ବିବିଧ ପରିବେଶୀୟ ତଥା ପରିସଂସ୍ଥୀୟ ସମସ୍ୟା ଉତ୍ପନ୍ନ କରୁଛି। ଫଳରେ ପ୍ରତିଦିନ ପୃଥିବୀରୁ ବିଲୁପ୍ତ ହୋଇଯାଉଛନ୍ତି ଅନେକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ଏବଂ ନିୟୁତ ନିୟୁତ ଅନ୍ୟାନ୍ୟ ପ୍ରଜାତି ବିଲୁପ୍ତପ୍ରାୟ କିମ୍ବା ବିଲୁପ୍ତମୁଖୀ ହୋଇରହିଛନ୍ତି। ଫଳରେ ପ୍ରଭାବିତ ହେଉଛି କୃଷି, ଗୋପାଳନ ଏବଂ ଜନସ୍ବାସ୍ଥ୍ୟ। ଏକ ଆକଳନ ଅନୁସାରେ ବର୍ତ୍ତମାନ ଅବସ୍ଥାରେ ଏହାର ଅର୍ଥନୈତିକ ମୂଲ୍ୟ ୬ରୁ ୧୦ ଟ୍ରିଲିୟନ ଡଲାର ହେବ। ଜାଗତିକ ଉଷ୍ମତା ବଢି ଚାଲିଲେ ଏ ପ୍ରକ୍ରିୟା ଦ୍ରୁତ ଓ ବ୍ୟାପକ ହୋଇ ମହାବିଲୁପ୍ତିର ଆଗମନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ।
ମେରୁପ୍ରଦେଶର ବରଫ-କିରୀଟ ଓ ହିମବାହ ତରଳିବା ସହିତ ଶୀତଦିନେ ତୁଷାରପାତ କମ୍‌ ହେବା ଫଳରେ ମଧୁର ଜଳର ଏହି ଶାଶ୍ୱତ ଉତ୍ସଗୁଡିକ ଏବେ ସଂକୁଚିତ ହେବାରେ ଲାଗିଛି। ସେହିପରି ବୃଷ୍ଟିପାତରେ ଅନିୟମିତତା ଉଭୟ ଭୂପୃଷ୍ଠ ଓ ଭୂତଳ ଜଳକୁ ହ୍ରାସ କରିଚାଲିଛି। ଫଳରେ ଆଗାମୀ ଦିନରେ ଏହା ଭୟାବହ ରୂପ ନେବ ବୋଲି ଆଶଙ୍କା କରାଯାଏ। ଏକ ଆକଳନ ଅନୁସାରେ ଜାଗତିକ ଉଷ୍ମତାର ୧ ଡିଗ୍ରୀ ବୃଦ୍ଧି ମୁଣ୍ଡପିଛା ମଧୁର ଜଳର ଲଭ୍ୟତା ୩ରୁ ୭ ଶତାଂଶ ହ୍ରାସ କରିବ।
ମଧୁରଜଳ ଉତ୍ସ ସଂକୋଚନ ଦେଶ-ଦେଶ ମଧ୍ୟରେ, ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରବାହିତ ନଦୀଜଳକୁ ନେଇ ବିବାଦ ସୃଷ୍ଟି କଲାଣି। ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀର ଶାଖାଗୁଡିକୁ ନେଇ ଏବଂ ଚାଇନା ଓ ଭାରତ ମଧ୍ୟରେ ବ୍ରହ୍ମପୁତ୍ରକୁ ନେଇ ପ୍ରକାଶ ପାଉଥିବା ଉତ୍ତେଜନାକୁ ଏହାର ଉଦାହରଣ ରୂପେ ଗ୍ରହଣ କରାଯାଇପାରେ। ପୁନଶ୍ଚ କୃଷି ଉତ୍ପାଦନ ହ୍ରାସ ହେତୁ ସୃଷ୍ଟି ହେବ ପ୍ରାକୃତିକ ସଂସାଧନ ଉପରେ ଚାପ। ଏହାକୁ ହାସଲ କରିବାରେ ପ୍ରତିଯୋଗିତା ହିଂସାତ୍ମକ ରୂପ ନେବା ବିଚିତ୍ର ନୁହେଁ। ଅତଏବ ବିଶ୍ୱଶାନ୍ତି ପାଇଁ ମଧ୍ୟ ଏହା ଏକ ବିପଦ ରୂପେ ମୁଣ୍ଡ ଟେକିଲାଣି।
ଜାଗତିକ ଉଷ୍ମତା ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମଗୁଡିକୁ ପ୍ରତିହତ କରିବାର ସର୍ବୋତ୍କୃଷ୍ଟ ପନ୍ଥା ହେଲା ୨୦୧୫ରେ ସମ୍ପାଦିତ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ଚୁକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା। ଏହା ହେଲେ ଏ ଉଷ୍ମତା ପ୍ରାକ୍‌-ଶିଳ୍ପବିପ୍ଳବ କାଳ ତୁଳନାରେ ୧.୫ ଡିଗ୍ରୀରୁ ୨ ଡିଗ୍ରୀ ମଧ୍ୟରେ ସୀମିତ ରହିପାରିବ। ତାହା ତହିଁରୁ ଅଧିକ ହେଲେ ପରିଣାମ ଅଣଲେଉଟା ହୋଇଯିବ ଏବଂ ବିଲୁପ୍ତି ପ୍ରକ୍ରିୟା କ୍ଷିପ୍ରତର ହୋଇଚାଲିବ। କିନ୍ତୁ ବଡ଼ କ୍ଷୋଭର ବିଷୟ ଯେ ମୁଣ୍ଡପିଛା ସବୁଜଗୃହ ବାଷ୍ପ ନିର୍ଗମନରେ ସର୍ବାଗ୍ରରେ ଥିବା ଦେଶ ଆମେରିକା ସମେତ କେତେକ ଶିଳ୍ପସମୃଦ୍ଧ ଦେଶ ଏହା ପାଳନ କରିବାକୁ ରାଜି ନୁହନ୍ତି। ଏହା ମୂଳରେ ରହିଛି ସେଠାର ସରକାରଙ୍କ ଉପରେ ଅପରିଣାମଦର୍ଶୀ ତଥା ସ୍ବାର୍ଥସର୍ବସ୍ବ ଶିଳ୍ପପତିମାନଙ୍କ ପ୍ରଭାବ। ଏଣୁ ଏହି ବିନାଶକାରୀ ବିକାଶକୁ ପ୍ରତିହତ କରି ବିଶ୍ୱକୁ ଏକ ସରସ ସୁନ୍ଦର ଏବଂ ଜୀବନ ସହାୟକ ବାସସ୍ଥଳୀର ରୂପ ଦେବାକୁ ହେଲେ ସାରା ଦୁନିଆର ସବୁଦେଶର ପ୍ରପୀଡିତ ଜନସାଧାରଣ ସମସ୍ବରରେ ଏହାର ପ୍ରତିବାଦ କରିବା ଉଚିତ। ଏହି ଆଭିମୁଖ୍ୟ ନେଇ ଭାରତୀୟ ଜଳବାୟୁ କଂଗ୍ରେସ ବିଗତ ଏକ ଦଶକ ଧରି କାର୍ଯ୍ୟ କରିଆସୁଛି। ବଡ଼ ସୁଖର କଥା ଯେ, ଏହାର ଏକାଦଶ ଅଧିବେଶନ ଭୁବନେଶ୍ୱରସ୍ଥିତ କୃଷି ବିଶ୍ୱବିଦ୍ୟାଳୟଠାରେ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ପରିବେଶ ବିଜ୍ଞାନୀମାନେ ଏଠାରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱଶାନ୍ତି ବିଷୟ ଉପରେ ଆଲୋଚନା କରିବେ।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରିବିହାର, ଭୁବନେଶ୍ୱର,ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?