ଗୟାଶ୍ରାଦ୍ଧ ପରେ ବାର୍ଷିକ ଶ୍ରାଦ୍ଧ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ହିନ୍ଦୁ ଧର୍ମରେ ମାତା ଓ ପିତାଙ୍କର ତିରୋଧାନ ଦିବସକୁ ଶ୍ରାଦ୍ଧଦିବସ ବୋଲି କୁହାଯାଏ। ଏହାକୁ କେହି କେହି ପୁଣ୍ୟତିଥି ମଧ୍ୟ କହିଥାନ୍ତି। ଗତ ମହାଳୟା ଓ ଦୀପାବଳି ପୂର୍ବରୁ ଭୁବନେଶ୍ୱରସ୍ଥ ରବୀନ୍ଦ୍ରମଣ୍ଡପକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲି। ମୋ ଆଗଧାଡ଼ିରେ ଜଣେ ବିଶିଷ୍ଟ ସ୍ତମ୍ଭକାର ଓ ଏକ ସର୍ବଭାରତୀୟ ସେବାରେ ଯୋଗଦେଇ ଅବସର ଗ୍ରହଣ କରିଥିବା ବ୍ୟକ୍ତି ବସିଥାନ୍ତି। ସେ ମୋତେ ଚିହ୍ନିନାହାନ୍ତି। କିନ୍ତୁ ତାଙ୍କ ସାମାଜିକ ପ୍ରତିଷ୍ଠା ଓ ସ୍ବୀକୃତି ଯୋଗୁ ମୁଁ ତାଙ୍କୁ ଜାଣିଛି। ମୁଖ୍ୟ ଅତିଥି ଆସି ନ ଥିବା ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଆଗଧାଡ଼ିରେ ବସିଥିବା ଆମ ଚର୍ଚ୍ଚିତ ବ୍ୟକ୍ତି ତାଙ୍କର ଜଣେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ବ୍ୟସ୍ତ ଥାଆନ୍ତି। ସେ ତାଙ୍କ ବନ୍ଧୁଙ୍କୁ କହୁଥାନ୍ତି, ଏଥର ମୋତେ ମହାଳୟା ଶ୍ରାଦ୍ଧ ଦେବାକୁ ପଡ଼ିବ ନାହିଁ କିମ୍ବା ଦୀପାବଳି ଦିନ ବଡ଼ବଡ଼ୁଆଙ୍କୁ ଡାକିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ତାଙ୍କ ବନ୍ଧୁ ଏହାର କାରଣ ପଚାରିବାରୁ ସେ କହିଲେ, ମୁଁ ଗୟାରେ ବୋଉ ଓ ବାପାଙ୍କ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଇସାରିଛି। ଯାହାହେଉ ମୁଣ୍ଡରୁ ଗୋଟେ ବୋଝ ଗଲା।
ଏହି ଭଦ୍ରବ୍ୟକ୍ତିଙ୍କ କଥା ଶୁଣି ମୋର ମନ ଆନ୍ଦୋଳିତ ହେଲା। ମୁଁ ଭାବିଲି, ମା’ବାପାଙ୍କ ଋଣ ଆମେ ଜନ୍ମଜନ୍ମାନ୍ତରରେ ଶୁଝିପାରିବା ନାହିଁ। ସେମାନେ ଆମକୁ ଏ ସଂସାରର ଆଲୋକ ଦେଖାଇଛନ୍ତି ବୋଲି ଆମେ ଆଜି ଦମ୍ଭରେ ଏତେସବୁ କଥାବାର୍ତ୍ତା କରୁଛୁ। ଅଥଚ ତାଙ୍କ ପାଇଁ ଦିନଟିଏ ସ୍ମରଣ ନିମନ୍ତେ ଆମକୁ ବୋଝ ବୋଲି ମନେହେଉଛି। ମୁଁ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ନ ଦେଖି ଘରକୁ ପଳେଇ ଆସିଲି। ଘରେ ଖାଇ ପିଇ ଶୋଇବାକୁ ଗଲି। ନିଦ ଜମା ଲାଗିଲା ନାହିଁ। ମନକୁ ଯେତେ ବୁଝାଇଲେ ମଧ୍ୟ କିଛି ପ୍ରଶ୍ନ ଅସମାହିତ ହୋଇ ରହିଗଲା ପରି ମନେହେଲା।
ପ୍ରଥମେ ଆମେ ଶ୍ରାଦ୍ଧ ପ୍ରସଙ୍ଗକୁ ଆସିବା। ଆମେ ଜାଣିଛୁ ଯେ, ଶ୍ରଦ୍ଧାରୁ ଶ୍ରାଦ୍ଧ। ଶ୍ରଦ୍ଧା ବିହୀନ ଶ୍ରାଦ୍ଧ ଶ୍ରାଦ୍ଧ ପଦବାଚ୍ୟ ନୁହେଁ ବୋଲି ଯେକୌଣସି ବ୍ୟକ୍ତି ଆମ ସହ ଏକମତ ହେବେ। କିଛି ଲୋକଙ୍କୁ ମୁଁ ଦେଖିଛି, ମା’ କିମ୍ବା ବାପା ବଞ୍ଚତ୍ଥିଲା ବେଳେ ତାଙ୍କୁ ଅବହେଳା କରନ୍ତି। ଆଉ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ମା’ବାପାଙ୍କୁ ବୋଝ ବୋଲି ଭାବି ଘରୁ ତଡ଼ିଦିଅନ୍ତି। ଏସବୁ ଘଟଣା ପ୍ରତ୍ୟହ ଗଣମାଧ୍ୟମରେ ପ୍ରକାଶ ପାଉଛି।
ଏ ସଂସାର ବଡ଼ ବିଚିତ୍ର! ଜୀବନରେ ମା’ ଓ ବାପାଙ୍କୁ ପଚାରୁ ନ ଥିବା ବ୍ୟକ୍ତି ମୃତ୍ୟୁ ପରେ ନିଜ ସାମାଜିକ ପ୍ରତିଷ୍ଠା ଓ ସ୍ବୀକୃତିକୁ ଆଖିଆଗରେ ରଖି ତାଙ୍କ ଶୁଦ୍ଧିକ୍ରିୟା ପାଇଁ ବିରାଟ ଆୟୋଜନ କରିବାର ଦେଖାଯାଏ। ଆମର କହିବାର କଥା ହେଲା, ମା’ ଓ ବାପାଙ୍କୁ ଜୀବନ ଥିବାବେଳେ ତ ପଚାରିଲ ନାହିଁ। ମୃତ୍ୟୁ ପରେ ଏପରି ଆୟୋଜନରେ ତାଙ୍କର ଆତ୍ମା କ’ଣ ଶାନ୍ତି ପାଇବ?
ଆଉ ଗୋଟିଏ କଥା କହୁଛି, ଜଣେ ଉଚ୍ଚ ପଦାଧିକାରୀଙ୍କ ବାପା ମରିଗଲେ। ତାଙ୍କ ମୃତଦେହକୁ ଦାହ କରିବା ପାଇଁ ସ୍ବର୍ଗଦ୍ୱାର ନିଆଗଲା। ସେ ବାବୁ ଯେହେତୁ ସରକାରୀ ଚାକିରିରେ ଥାଆନ୍ତି; ତାଙ୍କ ଅଧୀନ କର୍ମଚାରୀମାନେ ବହୁ ସଂଖ୍ୟାରେ ସ୍ବର୍ଗଦ୍ୱାରରେ ରୁଣ୍ଡ ହେଲେ। ଥଣ୍ଡାପାନୀୟ ଆସିଲା ଏବଂ ଉପସ୍ଥିତ ଲୋକଙ୍କୁ ଦିଆଗଲା। ସ୍ବର୍ଗଦ୍ୱାର ହେଉଛି ଏକ ବୈରାଗ୍ୟର ସ୍ଥାନ। ସେଠି ଏପ୍ରକାର ଆୟୋଜନ ଦେଖି ଆମ ମନରେ ଭାବାନ୍ତର ହେଲା।
ଆମେ ସମସ୍ତଙ୍କ କଥା କହୁନାହୁଁ। ଜଣେ ଭଦ୍ରବ୍ୟକ୍ତିଙ୍କ କଥା କହୁଛୁ। ସେ ଆମ ସମୟର ବ୍ୟକ୍ତି। ସେ ଏକଦା ଭାରତୀୟ ପ୍ରଶାସନିକ ସେବାର ଏକ ଉଚ୍ଚ ପଦାଧିକାରୀ ଥିଲେ। ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସେ ପ୍ରତ୍ୟେକ ଦିନ ଅଫିସରୁ ଯାଇ ଯେତେ ଡେରି ହେଲେ ମଧ୍ୟ ମା’ବାପାଙ୍କୁ ଘଷାମୋଡ଼ା କରୁଥିଲେ। ତାଙ୍କ ମା’ବାପାଙ୍କର ସେପରି କିଛି ଆଖିଦୃଶିଆ ସାମାଜିକ ସ୍ଥିତି ବା ପ୍ରତିଷ୍ଠା ନ ଥିଲା। ଏହି ଭଦ୍ରବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆମ ମନରେ ଗଭୀର ରେଖାପାତ କରିଛି ବୋଲି ଆଜି ମଧ୍ୟ ଆମେ ସ୍ବୀକାର କରୁଛୁ। ଏପରି ପୁଅଙ୍କ ସଂଖ୍ୟା ଦିନକୁ ଦିନ କମିଯାଉଛି।
ବର୍ତ୍ତମାନ ଆମେ ଦ୍ୱିତୀୟ ପ୍ରସଙ୍ଗକୁ ଆସିବା। ଗୟାରେ ମା’ ଓ ବାପାଙ୍କର ଅସ୍ଥି ବିସର୍ଜନ ହେଲେ ଯେ ପୁଅ ଆଉ ବାର୍ଷିକ ଶ୍ରାଦ୍ଧ ଦେବନାହିଁ; ଏ ପ୍ରକାର କଥା ଶାସ୍ତ୍ରରେ ନାହିଁ। ଏ ବିଷୟରେ ମୁଁ ବ୍ୟକ୍ତିଗତ ଭାବରେ ପୁରୀ ମୁକ୍ତିମଣ୍ଡପର କିଛି ବ୍ରାହ୍ମଣଙ୍କ ସହ ଆଲୋଚନା କରିଛି ଏବଂ ଅନ୍ୟ ଶାସ୍ତ୍ରଜ୍ଞ ପଣ୍ଡିତଙ୍କ ସହ ମଧ୍ୟ ବିଚାରବିମର୍ଶ କରିଛି। ସମସ୍ତେ ଏ କଥା ସ୍ବୀକାର କରିଛନ୍ତି ଯେ, ଗୟାରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ବାର୍ଷିକ ଶ୍ରାଦ୍ଧ ଦେବାର ଆବଶ୍ୟକତା ନାହିଁ; ଏ କଥା କେଉଁଠି ଉଲ୍ଲେଖ ନାହିଁ। ପୁଣି ଗୟାରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ଯେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷ ହେବ ଏହାର ମଧ୍ୟ କୌଣସି ଯୁକ୍ତି ନାହିଁ। ଆମ ସମାଜରେ ବହୁ ଗରିବ ଲୋକ ଅଛନ୍ତି, ଯେଉଁମାନେ ସମ୍ବଳ ଅଭାବରୁ ମା’ ଓ ବାପାଙ୍କ ଅସ୍ଥି ଗୟାରେ ବିସର୍ଜନ ନ କରି ଗଁା ପୋଖରୀ, ନଈ କିମ୍ବା ମହୋଦଧିରେ ବିସର୍ଜନ କରନ୍ତି। ଏ କ୍ଷେତ୍ରରେ ସେମାନଙ୍କ ମା’ ଓ ବାପାଙ୍କ ଆତ୍ମା ଯେ ମୋକ୍ଷ ପାଇବ ନାହିଁ; ଏ ଯୁକ୍ତିର କିଛି ବାସ୍ତବତା ନାହିଁ।
ସତରେ ଏସବୁ କଥା ଭାବିଲା ବେଳକୁ ମନ ଭାରାକ୍ରାନ୍ତ ହୋଇଯାଉଛି। ବର୍ତ୍ତମାନ ମୁଁ ସିଦ୍ଧାନ୍ତ ନେଇଛି ଯେ, ମୃତ୍ୟୁ ପରେ ମୋ ସ୍ବଇଚ୍ଛାରେ ଅଙ୍ଗ ଦାନ କରିବା ପାଇଁ ଅଙ୍ଗୀକାରବଦ୍ଧ ହେବି। ଯେଉଁଠି ଜୀବିତ ଅବସ୍ଥାରେ ଲୋକମାନେ ମା’ ଓ ବାପାଙ୍କୁ ପଚାରୁନାହାନ୍ତି ଏବଂ ବାର୍ଷିକ ଶ୍ରାଦ୍ଧ ବୋଝରୁ ରକ୍ଷା ପାଇବା ପାଇଁ ଗୟା ବା ଗଙ୍ଗାରେ ଅସ୍ଥି ବିସର୍ଜନ କରି କାମ ସରିଗଲା ବୋଲି ଭାବୁଛନ୍ତି, ସେ କ୍ଷେତ୍ରରେ ଶ୍ରଦ୍ଧା ନ ଥାଇ ଔପଚାରିକତା ଦୃଷ୍ଟିରୁ ଶ୍ରାଦ୍ଧ ଦେବାର ଆବଶ୍ୟକତା କ’ଣ ଅଛି?
ଚୈତନ୍ୟଧାମ, ଶବର ସାହି, ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri