ଓଡ଼ିଶାର ଲେନିନ୍‌ : ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ
ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠୁଥିଲେ ଶୋଷକବର୍ଗ, ସେତିକିବେଳେ ଭଗବତୀ ଚରଣଙ୍କ ନେତୃତ୍ୱରେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ।
ସାମ୍ୟବାଦ ଏକ ମହାନ୍‌ ମାନବବାଦୀ ଦର୍ଶନ, ଏକ ବୈପ୍ଳବିକ ସିଦ୍ଧାନ୍ତ ଓ ବିଜ୍ଞାନସମ୍ମତ ବିଚାରଧାରା। ଅଷ୍ଟାଦଶ ଶତାବ୍ଦୀର ଶିଳ୍ପବିପ୍ଳବ ପରବର୍ତ୍ତୀ ଅର୍ଥନୈତିକ ବୈଷମ୍ୟଜନିତ ପ୍ରତିକ୍ରିୟାରୁ ତା’ର ଜନ୍ମ। ଜର୍ମାନରେ ଜନ୍ମିତ ବିଶ୍ୱବିଖ୍ୟାତ ଦାର୍ଶନିକ କାର୍ଲମାର୍କସ ଏହାର ଜନକ ହୋଇଥିବାରୁ ମାର୍କସବାଦୀ ଦର୍ଶନ ନାମରେ ଏହା ପରିଚିତ। ଏକ ଶ୍ରେଣୀହୀନ, ଶୋଷଣମୁକ୍ତ ଓ ସମତୁଲ ସମାଜ ଗଠନର ଆଭିମୁଖ୍ୟ ନେଇ ସମସ୍ତେ ମିଳିମିଶି ଉପତ୍ାଦନ କରିବା ଓ ଆବଶ୍ୟକତା ଅନୁସାରେ ବାଣ୍ଟି ଖାଇବା ହେଉଛି ଏହି ଦର୍ଶନର ମୂଳକଥା। ମାର୍କସ ଜାଣିଥିଲେ କାଳ କାଳ ଧରି ସମାଜର ନୀତି, ନିୟମ ଓ ପରମ୍ପରା ନିର୍ଦ୍ଦିଷ୍ଟ ଶ୍ରେଣୀର ସ୍ବାର୍ଥରକ୍ଷା ପାଇଁ ତିଆରି ହୋଇଥିବାରୁ କୌଣସି ବୈପ୍ଳବିକ ସିଦ୍ଧାନ୍ତ ବା ବିଚାରଧାରାକୁ କେବେ ସହଜରେ ଗ୍ରହଣ କରିବ ନାହିଁ ଉପଭୋଗୀ ଗୋଷ୍ଠୀ। ସେମାନଙ୍କଠାରୁ ଆପଣା ଅଧିକାର ଛଡ଼ାଇନେବା ପାଇଁ ବଞ୍ଚତ୍ତ ବର୍ଗକୁ ସେ ଦେଖାଇଲେ ବିପ୍ଳବର ବାଟ। ତାଙ୍କ ମତରେ ସର୍ବହରା ଓ ବୁର୍ଜୁଆଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ବିନା ପ୍ରତିଷ୍ଠା ହୋଇପାରିବନି ଅର୍ଥନୈତିକ ସମାନତା। ଅର୍ଥାତ୍‌ କ୍ରାନ୍ତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହିଁ ମାର୍କସୀୟ ଦର୍ଶନର ସୈଦ୍ଧାନ୍ତିକ ବକ୍ତବ୍ୟ।
ଏହି ସମାଜବାଦୀ ତତ୍ତ୍ୱ ପ୍ରଥମେ ପ୍ରୟୋଗ ହେଲା ରୁଷିଆରେ, ଅତ୍ୟାଚାରୀ ଜାର୍‌ ଶାସନ ବିରୋଧରେ। ସେଠାରେ କାର୍ଲମାର୍କସଙ୍କ ପଟ୍ଟଶିଷ୍ୟ ଲେନିନ୍‌ଙ୍କ ନେତୃତ୍ୱରେ ବିପ୍ଳବ କରି ସମାଜବାଦୀମାନେ ଦଖଲ କଲେ କ୍ଷମତା। ମାର୍କସଙ୍କ ଦର୍ଶନତତ୍ତ୍ୱ ସହିତ ଲେନିନ୍‌ଙ୍କ ବିପ୍ଳବତତ୍ତ୍ୱର ସମନ୍ବୟରେ ପ୍ରକାଶ ପାଇଲା ସାମ୍ୟବାଦର ଅସଲ ଶକ୍ତି। ଋଷ୍‌ ବିପ୍ଳବର ଅକଳ୍ପନୀୟ ସଫଳତା ବିଶ୍ୱବ୍ୟାପୀ ନିର୍ଯାତିତ ମଣିଷକୁ ଶୁଣାଇଲା କ୍ରାନ୍ତି ମାଧ୍ୟମରେ ଶ୍ରେଣୀହୀନ ସମାଜ ଗଠନର ବାର୍ତ୍ତା। ସାହିତ୍ୟ ମାଧ୍ୟମରେ ତା’ର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଆରମ୍ଭ କରିଦେଲେ ମାକ୍ସିମ୍‌ ଗର୍କି, ରୁଷୋ ଓ ଭୋଲ୍‌ଟେୟାର ପ୍ରମୁଖ ବିଶ୍ୱପ୍ରସିଦ୍ଧ ଲେଖକମାନେ। ପ୍ରଥମେ ଏହାକୁ ମାକର୍‌ସବାଦୀ ସାହିତ୍ୟ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ପୃଥିବୀର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଆତ୍ମପ୍ରକାଶ କଲା ପ୍ରଗତିଶୀଳ ସାହିତ୍ୟ ନାମରେ।
ସ୍ବାଧୀନତା ସଂଗ୍ରାମକୁ କେନ୍ଦ୍ରକରି ଯେତେବେଳେ ଭାରତୀୟ କବି ଓ ଲେଖକମାନେ ଜାତୀୟତାବାଦୀ ଭାବନାରେ ଅଭିମନ୍ତ୍ରିତ ହୋଇଥିଲେ, ସେତିକିବେଳେ ଭାରତୀୟ ସାହିତ୍ୟକୁ ପ୍ରବେଶକଲା ପ୍ରଗତିବାଦୀ ଚେତନା। ସେଥିରେ ଅନୁପ୍ରେରିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ (୧୯୩୫) ଏବଂ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ‘ଆଧୁନିକ’ (୧୯୩୬) ପତ୍ରିକା। ସେହିବର୍ଷ ‘ଆଧୁନିକ’ରେ ତାଙ୍କର କାଳଜୟୀ ଗଳ୍ପ ‘ଶିକାର’ ଆତ୍ମପ୍ରକାଶ କରିବାମାତ୍ରେ ଓଡ଼ିଆ ସାହିତ୍ୟକୁ ଆଲୋଡ଼ିତ କଲା ପ୍ରଗତିବାଦୀ ଚିନ୍ତା ଓ ଚେତନା। ‘ଶିକାର’ ଭଗବତୀ ଗଳ୍ପ ମାନସର ଆଦ୍ୟଫଳ ହେଲେ ବି ଏହା ତାଙ୍କ ପ୍ରଗତିବାଦୀ ଚେତନାର ଅଗ୍ନିବୀଜ। ଶ୍ରେଣୀ ସଂଘର୍ଷ ତତ୍ତ୍ୱକୁ ଅନୁସରଣ କରି ସେ ଏଥିରେ ଶୋଷିତ ହାତକୁ ବଢ଼ାଇ ଦେଇଛନ୍ତି ଶ୍ରେଣୀଶତ୍ରୁକୁ ସଂହାର କରିବାର ଅସ୍ତ୍ର। ମାର୍କସଙ୍କ ଦର୍ଶନ କହେ ଶୋଷକ ଓ ଶାସକଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରତିଷ୍ଠା ହୋଇଥିବା ବିଚାରାଳୟରୁ କେବେ ମିଳେନି ଶୋଷିତ ଓ ସର୍ବହରାଙ୍କୁ ନ୍ୟାୟ। ସେଥିପାଇଁ ଆଇନର ସୂକ୍ଷ୍ମ ଜାଲରୁ ଖସିଯାଇପାରିନି ସାମନ୍ତବାଦୀ ଗୋଷ୍ଠୀର ଉଗ୍ର ପ୍ରତିନିଧି ଗୋବିନ୍ଦ ସର୍ଦ୍ଦାରକୁ ହତ୍ୟା କରିଥିବା ଗଳ୍ପ (ଶିକାର) ନାୟକ ଘିନୁଆ। ବରଂ ବକ୍‌ସିସ୍‌ ଦେବା ଆଳରେ ତାକୁ ଫାଶୀଖୁଣ୍ଟରେ ଚଢ଼ାଇ ଦେଇଛି ସାମାଜିକ ଆଇନ।
ସରଳ ଆଦିବାସୀ ଘିନୁଆର ମୃତ୍ୟୁ ହୋଇଛି ସତ କିନ୍ତୁ ଶିଥିଳ ହୋଇଯାଇନି ସର୍ବହରାର ବିଦ୍ରୋହ। ବରଂ ବୁର୍ଜୁଆ ଗୋଷ୍ଠୀ ବିରୋଧରେ ଅଧିକ ତେଜିଉଠିଛି ବିପ୍ଳବର ନିଆଁ। ‘ଶିକାର’ ବ୍ୟତୀତ ‘ମୀମାଂସା’ ଏବଂ ‘ହାତୁଡ଼ି ଓ ଦା’ ଆଦି ଗଳ୍ପରେ ମଧ୍ୟ ଶ୍ରେଣୀ ସଂଘର୍ଷର ଚିତ୍ର ଉପସ୍ଥାପନ କରି ଆଗାମୀ ବିପ୍ଳବ ପାଇଁ ଗାଳ୍ପିକ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ପଟଭୂମି। ଜଣେ ସାହିତ୍ୟସ୍ରଷ୍ଟା ଭାବରେ ଭଗବତୀ ଚରଣ କେବଳ ଗାଳ୍ପିକ ନ ଥିଲେ, ଅଧିକନ୍ତୁ ସେ ଥିଲେ କବି, ପ୍ରାବନ୍ଧିକ ଓ ଅନୁବାଦକ। ଅଗଣିତ ଓଡ଼ିଆଙ୍କ ଭିତରେ ସାମ୍ୟବାଦୀ ଚିନ୍ତାଧାରାର ପ୍ରସାର ପାଇଁ ସେ କାର୍ଲମାର୍କସଙ୍କ ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’କୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପ୍ରକାଶ ପାଇଥିଲା ବୈଜ୍ଞାନିକ ‘ସମାଜବାଦ’ ନାମରେ। ପ୍ରଗତିବାଦୀ ଚେତନାର ଆଦ୍ୟ ଆବାହକ ଭଗବତୀ ଚରଣଙ୍କ ସାହିତ୍ୟ ସାଧନାଠାରୁ ତାଙ୍କ ରାଜନୈତିକ ଜୀବନ ଥିଲା ଅଧିକ ସଂଘର୍ଷମୟ ଓ ସମର୍ପିତ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ଗଠନ ହେବା ପୂର୍ବରୁ ସ୍ବାଧୀନତା ସଂଗ୍ରାମ ପାଇଁ କଂଗ୍ରେସର ଛତାତଳେ ଥିବା ବାମପନ୍ଥୀ ଯୁବକମାନେ ଚାହୁଁଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ। କଂଗ୍ରେସ ମହଲରେ ବାମପନ୍ଥୀ ସମାଜବାଦୀ ବିଚାରଧାରାର ପ୍ରବର୍ତ୍ତକ ଥିଲେ ନବକୃଷ୍ଣ ଚୌଧୁରୀ। ୧୯୩୪ ମସିହା ଫେବୃୟାରୀରେ ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣଙ୍କ ମିଳିତ ଉଦ୍ୟମରେ ଜନ୍ମ ନେଇଥିଲା ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟ ଦଳ। ଏହି ନବଗଠିତ ଦଳର ସମ୍ପାଦକ ହୋଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ। କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହି କମ୍ୟୁନିଷ୍ଟମାନେ ଗଢ଼ିଲେ ଏକ ଗୁପ୍ତ ସଂଗଠନ। ୧୯୩୬ ମସିହାରେ ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଅନେକ ବାମପନ୍ଥୀଙ୍କ ଉଦ୍ୟମରେ ଓଡ଼ିଶାରେ ବିଧିବଦ୍ଧ ଭାବେ ଗଠନ ହେଲା କମ୍ୟୁନିଷ୍ଟ ଦଳ। ଦଳର ପ୍ରଥମ ସମ୍ପାଦକ ଭାବେ ଭଗବତୀଙ୍କ ଦକ୍ଷ ଓ ଉଚ୍ଚକୋଟୀର ନେତୃତ୍ୱ ଯୋଗୁ ଛାତ୍ର, ଯୁବକ, ଶ୍ରମିକ ତଥା ମେହନତି ମଣିଷଙ୍କ ପ୍ରାଣରେ ବିଛୁରିତ ହୋଇପଡ଼ିଲା ସାମ୍ୟବାଦୀ ବିପ୍ଳବର ଅଗ୍ନିକଣିକା।
ପ୍ରଗତିର ଅଭିଯାତ୍ରୀ ଭଗବତୀ ଚରଣ ଥିଲେ କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର। ସାହୁକାର ଓ ଜମିଦାରମାନଙ୍କ ଦ୍ୱାରା ଶୋଷିତ ଚାଷୀମୂଲିଆଙ୍କ ସ୍ବାର୍ଥରକ୍ଷା ପାଇଁ ସେ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଗଠନ କରିଥିଲେ କୃଷକ ସଂଗଠନ। କୃଷକମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ତାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା ‘କୃଷକ’ ନାମରେ ଏକ ପତ୍ରିକା। ଏହା ଚାଷୀମୂଲିଆଙ୍କ ଭିତରେ ଯେତିକି ଜାଗରଣ ସୃଷ୍ଟି କରିଥିଲା, ସେତିକି ଆତଙ୍କ ଖେଳାଇ ଦେଇଥିଲା ସାମନ୍ତବାଦୀ ଶିବିରରେ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା ପରେ ସବୁଠାରୁ ବଡ଼ ଘଟଣାଥିଲା ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ। ଢେଙ୍କାନାଳ ରାଜାଙ୍କ ଅନ୍ଧାରି ଶାସନ ବିରୋଧରେ ଯେଉଁ ଗଣ ଆନ୍ଦୋଳନ ହୋଇଥିଲା ସେଥିରେ ସାମିଲ ହୋଇ ଶହୀଦ୍‌ ହେଲେ ବାରବର୍ଷର ବାଳକ ବାଜି ରାଉତ ଓ ଅନେକ ନିରୀହ ମଣିଷ। ଢେଙ୍କାନାଳ ଗୁଳିକାଣ୍ଡ ପ୍ରତିବାଦରେ କଟକ ଟାଉନହଲରେ ପ୍ରାଣନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଲା ଏବଂ ସଭାର ନିଷ୍ପତ୍ତିକ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେବାକୁ ଆଗେଇ ଆସିଲେ ଭଗବତୀ ଚରଣ ପାଣିଗ୍ରାହୀ। ଢେଙ୍କାନାଳ ପ୍ରଜାମାନଙ୍କ ସହିତ ସମ୍ମିଳିତ ହୋଇ ବେଠିବେଗାରି ବିରୋଧରେ ଚଳାଇଲେ ଆଇନ ଅମାନ୍ୟ ଆନ୍ଦୋଳନ। ଏଥିପାଇଁ କାରାବରଣ ସହିତ ତାଙ୍କୁ ସହିବାକୁ ପଡ଼ିଛି ଅକଥନୀୟ ଅତ୍ୟାଚାର। ତଥାପି ଶ୍ରେଣୀବାଦର ବିଲୋପ ପାଇଁ ତାଙ୍କ ଲଢ଼େଇ ଥିଲା ସାଲିସ୍‌ବିହୀନ। ତାଙ୍କ ମତରେ ସୂର୍ଯ୍ୟକୁ ବନ୍ଧୁକ ଦେଖାଇ ଯେପରି ସକାଳେ ତା’ର ଉଦୟକୁ ଅଟକାଇ ହୁଏନି, ସେମିତି ସାମାଜିକ ବିପ୍ଳବ କେବେ ଅଟକିବ ନାହିଁ ଲାଠି, ଗୁଳି, ଜେଲ, ଜରିମାନା ଭୟରେ।
ପୁରୀ ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ୧୯୦୮ ଫେବୃୟାରୀ ପହିଲାରେ ଜନ୍ମଗ୍ରହଣ କରିଥିବା ଭଗବତୀ ଚରଣଙ୍କ ଜୀବନଦୀପ ମାତ୍ର ୩୪ବର୍ଷ ବୟସରେ (୨୩ା୧୦ା୧୯୪୩) ଲିଭିଗଲା ସତ, କିନ୍ତୁ ନିଃସ୍ବ, ଦଳିତ ଓ ସର୍ବହରା ମଣିଷଙ୍କ କଣ୍ଠରେ ଚିରନ୍ତନ ସଙ୍ଗୀତର ଘୋଷାପଦ ପରି ରହିଗଲା ତାଙ୍କ ତ୍ୟାଗ ଓ ତିତିକ୍ଷାମୟ ଜୀବନ କାହାଣୀ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?