ଆସ, ଘରକୁ ଯିବା

ସୁଧାକର ଦାସ

ବନମାଳୀର ଚା’ ଦୋକାନ ବନ୍ଦ ହେବା ଆଜିକୁ ୪୮ ଦିନ ହେଇଗଲା। ଚା’ ଛଡା ବିସ୍କୁଟ, କେକ୍‌, ଗୁଟ୍‌ଖା, ସିଗାରେଟ୍‌ ମିଶେଇଲେ ଟଙ୍କା ୩୦୦୦ ଭଳିଆ ବେପାର କରୁଥିଲା। ଦିନକୁ ଲାଭ ୫୦୦ ଥୁଆ। ରାତି ୮ ଟା ବେଳକୁ ଭଙ୍ଗା ବିସ୍କୁଟ ଆଉ ଫିମ୍ପିମରା କେକ୍‌ଗୁଡା ତା’ ଦୋକାନ ସାମ୍ନାରେ ନିୟମିତ ଗ୍ରାହକମାନଙ୍କ ଅପେକ୍ଷାରେ ରହୁଥିବା ତିନି ଚାରୋଟି କୁକୁରଙ୍କୁ ବାଣ୍ଟି ଦିଏ ସେ। କେଟ୍‌ଲି, ଗ୍ଲାସ୍‌, ଚା’ କପ୍‌ ସବୁ ଗୋଟେ ଜରି ବସ୍ତାରେ ବାନ୍ଧି ଦୋକାନ ବନ୍ଦ କରି ହ୍ବିଶିଲ୍‌ ମାରି ସାଇକେଲ ଗଡାଏ ଘର ଆଡେ। ବନମାଳୀ ଘରେ ପହଞ୍ଚିବା ବେଳକୁ ଭଜା ସନ୍ତୁଳା ଯାହା ଟିକେ କରିଦେଇ ଥାଏ ସୁଶୀଳା। ବନମାଳୀ ଘରେ ପହଞ୍ଚି କୋଳ ଛୁଆଟାକୁ ପାଖକୁ ନେଲେ ଗରମ ଗରମ ରୁଟି ବନାଏ ସୁଶୀଳା। କୋଳରେ କୁନି ପୁଅର ଗୁଲୁରୁ ଗୁଲୁରୁ ହସ, ଗରମ ରୁଟି ସାଙ୍ଗକୁ କଞ୍ଚା ପିଆଜ ଓ ଲଙ୍କାର ସ୍ବାଦ, ଆଖି ଆଗରେ ବିନ୍ଦୁ ବିନ୍ଦୁ ଝାଳରେ ଚିକ୍‌ମିକ୍‌ କରୁଥିବା ସୁଶୀଳାର କମକୁଟ ମୁହଁ, ତା’ ଭିତରେ ବନମାଳୀର ରାତି କେମିତି ଗୋଟାଏ ମିଠା ଭୁରୁ ଭୁରୁ ମହକରେ ବାସୁ ବାସୁ ସକାଳ ହେଇଯାଏ। ସହରତଳି ବସ୍ତିରେ ବଖରାଏ ଟିଣ ଛପର ଘରେ ବନମାଳୀର ସଂସାର। ନିଜ ପରିବାରର ଖର୍ଚ୍ଚବାର୍ଚ ତୁଲେଇ, ଗାଁରେ ରହୁଥିବା ବିଧବା ମା’ ଆଉ ଅଭିଆଡୀ ଭଉଣୀ ପାଇଁ ମାସକୁ ମାସ କିଛି ପଇସା ବି ପଠାଏ ବନମାଳୀ। ସୁଶୀଳା ବନମାଳୀକୁ ବଦଖର୍ଚ୍ଚୀ ବୋଲି ଅପବାଦ ଦିଏ। ଦିନେ ଦିନେ ବନମାଳୀ ଘରକୁ ଫେରିବାବେଳେ ଢାବାରୁ କୁକୁଡା ଝୋଳ ଆଣି ଆସେ, ସେଦିନ ତା’ ପାଟିଟା କେମିତି ଫୁରକୁଟିଆ ଫୁରକୁଟିଆ ବାସୁଥାଏ। ଖଣ୍ଡେ ଲୁଗା ଆଣିବାକୁ କହିଲେ ତିନି ଖଣ୍ଡ ଧରି ପହଞ୍ଚେ। ପୂଜାପାର୍ବଣରେ କେବେ କେମିତି ଗାଁକୁ ଗଲେ ବୋଉ ପାଇଁ ଗୁଆ, ଗୁଣ୍ଡି, ଗୁଡାଖୁଠୁ ନେଇ ଭଉଣୀ ପାଇଁ ହେୟାର କ୍ଲିପ୍‌, ବାସନା ତେଲ, କ୍ରୀମ୍‌, ପାଉଡର ଯାଏ ଗୋଟେ ଗଣ୍ଠିଲି ବାନ୍ଧେ ସେ। ଏଗୁଡା ଜମାରୁ ସୁଶୀଳାର ଦେହରେ ଯାଏନି। କୋଳରେ ଛୁଆଟା, କାଲି ସକାଳେ ଦେହପା’ ଭଲମନ୍ଦ ଅଛି, ଦି ପଇସା ସଞ୍ଚି ରଖନ୍ତା ହେଲେ! ସୁଶୀଳାର ହଜାରେ ନେହୁରାକୁ ଫୁ’ କରି ବନମାଳୀ କହେ ଯେତେଦିନ ମୋ ହାତ ଚାଲୁଥିବ ତମ ମା’ଛୁଆଙ୍କର କିଛି ଅସୁବିଧା ହବନି, ବାକି କଥାରେ ତୁ ମାଇପି ଲୋକ ମୁଣ୍ଡ ପୂରାନା।
ହେଲେ ଏଇ ୪୮ ଦିନ ଭିତରେ କେମିତି ବଦଳିଯାଇଛି ବନମାଳୀ। ମୁହଁରେ ସେ ଠୋ ଫଟକା କଥା ନାହିଁ, ଚେହେରାରେ ଦମ୍ଭ ନାହିଁ। କୋଳ ଛୁଆଟାର ଗୁଲୁରୁ ଗୁଲୁରୁ ହସରେ ଫାଟି ପଡୁନି ତା’ ଟିଣଛପର ଭଡାଘରର ଚାରି କାନ୍ଥ, ସୁଶୀଳାର ମୁହଁଟା ଥମ୍‌ ଥମ୍‌, କମକୁଟ ମୁହଁରୁ ତା’ର ଉଭାନ ହେଇଯାଇଛି ଝଲମଲ କାନ୍ତି। ଘରେ ଚାଉଳ, ଅଟା, ଡାଲି ଡବା ସବୁ ଫାଙ୍କା। ପରିବା ଡାଲାରେ ପଡି ରହିଥିବା କିଛି ପିଆଜ ରସୁଣ ଚୋପା ଯେମିତି ପରିହାସ କରୁଛନ୍ତି ବନମାଳୀର ପାରିବାପଣିଆକୁ! କାହାକୁ ଗୋଟେ ଫୋନ୍‌ କରି ପଇସା ଧାର ମାଗିବ ବୋଲି ବନମାଳୀ, ମୋବାଇଲଟା ହାତକୁ ନେଇ ଆସିବା ପରେ ହଠାତ୍‌ ତା’ର ମନେପଡିଲା କଲ୍‌ କରିବାକୁ ସେଥିରେ ବି ପଇସା ନାହିଁ। ଧେତ୍‌…! ଚିତ୍କାର କରି ଫୋନ୍‌ଟାକୁ ଖୁବ୍‌ ଜୋରରେ କାନ୍ଥ ଉପରକୁ ଫିଙ୍ଗିଦେଲା ବନମାଳୀ। ତିନି ଚାରି ଖଣ୍ଡ ହେଇ ଭାଙ୍ଗିଯାଇ ପଡି ରହିଲା ଲକ୍‌ଡାଉନ୍‌ ସମୟର ଏକମାତ୍ର ଯୋଗାଯୋଗର ମାଧ୍ୟମଟି। ବସିବା ଜାଗାରୁ ଗର୍ଜନ କରି ଉଠିଆସିଲା ସୁଶୀଳା, ”କାହିଁକି ଭାଙ୍ଗିଦେଲୁ ତାକୁ? ମୁଁ ଗୁପ୍‌ଚୁପ୍‌ ବେପାରୀ ନରିଆ ସ୍ତ୍ରୀକୁ କହିଥିଲି, ସେ ଏଇ ମୋବାଇଲ ଫୋନ୍‌କୁ ନେଇ ହଜାରେ ଟଙ୍କା ଦେଇଥାନ୍ତା। ସେଇ ପଇସାରେ ଡାଲି, ଚାଉଳ, ଅଟା, ଛୁଆର ଓଷଦ ଆସିଥାନ୍ତା। ବାଡିପଡ଼ା, ନିଜେ ତ ଭୋକଉପାସରେ ମରିବୁ, ଆମ ମା’ଛୁଆଙ୍କୁ ବି ମାରିବୁ ବସିଛୁ! ଏତିକି କଥାରେ ପିତ୍ତ ଉଠିଗଲା ବନମାଳୀ ମୁଣ୍ଡକୁ। ଉଠିଯାଇ ଭିଡି ଧରିଲା ସୁଶୀଳାର ଚୁଟିକୁ। ରାଗରେ କାଣ୍ଡଜ୍ଞାନ ହରାଇଥିବା ବନମାଳୀ ସୁଶୀଳାର ମୁଣ୍ଡକୁ ଖୁବ୍‌ ଜୋରରେ ଆଣି ପିଟିଦେଲା କାନ୍ଥରେ। ମା’ ଠାଏ, ଛୁଆ ଠାଏ। ସୁଶୀଳା ମୁଣ୍ଡରୁ ଧାର ଧାର ଛୁଟୁଛି ରକ୍ତ, ଛୁଆଟି କାନ୍ଦୁଛି ହାଉଳିଖାଇ। ଏତିକିବେଳେ ଲକ୍‌ଡାଉନ୍‌ ପାଟ୍ରୋଲିଙ୍ଗ୍‌ରେ ଯାଉଥିବା ପୁଲିସ ଭ୍ୟାନ୍‌ ଅଟକିଗଲା ବନମାଳୀ ଘର ସାମ୍ନାରେ। ପୁଲିସ କଲ୍‌ରେ ଆମ୍ବୁଲାନ୍ସ ଆସି ହସ୍ପିଟାଲକୁ ନେଇଗଲା ସୁଶୀଳାକୁ। ପୁଲିସ ବନମାଳୀକୁ ନେଇଗଲା ଥାନାକୁ।
ଆଠଦିନ ପରେ ଆଜି ହାଜତରୁ ବାହାରିଛି ବନମାଳୀ। ସଞ୍ଜ ନଇଁ ଆସୁଛି। ମନେ ପଡୁଛି ସୁଶୀଳାର ରକ୍ତଧୁଆ ମୁହଁ, ଛୁଆର ଛାତିଫଟା ବିକଳ କାନ୍ଦଣା। ଆଖି ଆଗରେ ନାଚିଯାଉଛି ଲକ୍‌ଡାଉନ୍‌ ତୋଫାନରେ ମାଟିକାମୁଡି ପଡିଥିବା ତା’ ହସଖୁସିର ସଂସାର। ଚାଲୁ ଚାଲୁ ନିଜ ଅଜାଣତରେ ବନମାଳୀ କେତେବେଳେ ଆସି ତା’ ଚା’ ଦୋକାନ ପାଖରେ ପହଞ୍ଚି ଯାଇଛି ସେ ନିଜେ ବି ଜାଣିପାରିନି। ଦୋକାନ ଆଗରେ ପଡିଥିବା ବେଞ୍ଚ ଉପରେ ବସି ପଡିଲା ବନମାଳୀ। କୋଉଠି ଥିଲେ କେଜାଣି, ତା’ ଦୋକାନ ଆଗରେ ସବୁବେଳେ ଘୂରି ବୁଲୁଥିବା ଚାରିଟାଯାକ କୁକୁର ତାକୁ ଆସି ଘେରିଗଲେ। କିଏ ଚାଟି ପକାଇଲାଣି ତ, କିଏ ଶୁଙ୍ଘି ପକାଇଲାଣି, ପୁଣି କିଏ ଆଗ ଦୁଇଗୋଡ ଟେକି ଥୋଇଲାଣି ବନମାଳୀର ଆଣ୍ଠୁ ଉପରେ। ବନମାଳୀ କାହାର ବି ମୁହଁ ଦେହ ଅନ୍ଧାରରେ ଦେଖିପାରୁ ନ ଥିଲେ ମଧ୍ୟ ସେମାନଙ୍କ ଦେହରେ ହାତ ବୁଲେଇ ଜାଣିପାରୁଥିଲା ପଶୁଗୁଡା ଏତେ ଦିନ ହେଲା ଖାଇବାକୁ ନ ପାଇ କଙ୍କାଳସାର ହେଇଗଲେଣି। ହେଲେ ନାଚାର ଥିଲା ବନମାଳୀ। ଏତିକିବେଳେ କାନରେ ପଡିଲା ଚାଲି ଚାଲି ଯାଉଥିବା ଦୁଇ ଜଣ ଲୋକଙ୍କ କଥା। ଜଣେ ପଚାରୁଥିଲା, ବିଚରା ବନମାଳୀର ଚା’ ଦୋକାନ ପୁଣି ଫିଟିବ କେବେ, କେମିତି ଚଳୁଥିବ ସେ? ଆର ଜଣକ କହୁଥିଲା, ତମେ ଜାଣିନ କି, ସେ ପରା ଏବେ ଘରୋଇ ହିଂସା କେସ୍‌ରେ ହାଜତରେ। ବନମାଳୀର ମୁଣ୍ଡ ଉପରଦେଇ ଏଇ ଘରୋଇ ହିଂସା କଥାଟା ଅନ୍ଧାରରେ ମିଶିଗଲା। କିନ୍ତୁ ତା’ ମୁଣ୍ଡରେ ଯେତିକି ବୁଦ୍ଧି ସେତିକିରେ ସେ କ’ଣ ବୁଝିଲା କେଜାଣି, ଗୋଟାଏ କୁକୁରକୁ କୁଣ୍ଢେଇ ପକେଇ କୋହ ଉଠେଇ କହିଲା ମୋ ପାଖରେ ନାହିଁ ବୋଲି ମୁଁ ତୁମକୁ କିଛି ଖାଇବାକୁ ଦେଇପାରୁନି, ହେଲେ ମୁଁ କ’ଣ ତୁମକୁ ହିଂସା କରେ? ଏତିକିବେଳେ ଅଚାନକ ତା’ କାନ୍ଧ ଉପରେ କାହା ହାତର ଛୁଆଁରେ ବନମାଳୀ ବୁଲିପଡି ଦେଖିଲା, ସୁଶୀଳା ଛୁଆକୁ କାଖେଇ ଠିଆହେଇ କରୁଣ କଣ୍ଠରେ କହୁଛି- ଆସ, ଘରକୁ ଯିବା।

ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ,
ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri