ଆଜିର ଅର୍ଥନୀତି/ଦୋହରା ଝଟକା

ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ଜବାବରେ କ୍ଷୁବ୍ଧ ଇରାନ ବାଗଦାଦସ୍ଥିତ ମାର୍କିନ ବିମାନଘାଟୀଗୁଡ଼ିକ ଉପରେ ଏକ ଡଜନରୁ ଅଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରି ଅଞ୍ଚଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଆମେରିକା ସୋଲେମାନୀଙ୍କୁ ହତ୍ୟାକରିବା ଏବଂ ଏହାର କଡ଼ା ଜବାବ ଦିଆଯିବ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମିନୀଙ୍କ ଦମ୍ଭୋକ୍ତି ପରେ ପରେ ତୁରନ୍ତ ବ୍ରେଣ୍ଟ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୩ ପ୍ରତିଶତ ବୃଦ୍ଧିପାଇ ୬୮.୨୫ ଡଲାରରେ ପହଞ୍ଚିଥିଲା। ଏହା ଫଳରେ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ତୈଳ ଦର ୨.୭୧ ପ୍ରତିଶତ ବୃଦ୍ଧିପାଇବା ସହ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମାସକର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇ ଟ୭୧.୬୧ରେ ପହଞ୍ଚିଛି। ବଜାରରେ ତୈଳ ସମ୍ପର୍କିତ ଷ୍ଟକ୍‌ ମଧ୍ୟ ହ୍ରାସ ପାଇଛି। ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌), ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ (ଏଚ୍‌ପିସିଏଲ୍‌) ଓ ଭାରତ ପେଟ୍ରୋଲିୟମ୍‌ (ବିପିସିଏଲ୍‌) ପରି ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର ବେପାର ହ୍ରାସ ପାଇଛି। ନିବେଶକମାନେ ନିରାପଦ ନିବେଶସ୍ଥଳ ଖୋଜୁଥିବାରୁ ଷ୍ଟକ୍‌ ବଜାରଗୁଡ଼ିକ ଅଳ୍ପେବହୁତେ ମାନ୍ଦା ପଡ଼ିଯାଇଛି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଚଳିତ ସପ୍ତାହରେ ସୁନାର ମୂଲ୍ୟ ୧୦ ଗ୍ରାମ୍‌ ପିଛା ଐତିହାସିକ ସର୍ବୋଚ୍ଚ ସ୍ତର ୪୧,୦୦୦ ଟଙ୍କାକୁ ଟପିଯାଇଛି। ଯଦି ଏପରି ବାଷ୍ପଶୀଳ ଅବସ୍ଥା ପ୍ରାୟ ମାସେ ଯାଏ ଲାଗିରହେ, ତେବେ ଏହା ଭାରତୀୟ ଅର୍ଥନୀତି ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇବ। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାର ବା ତା’ଠୁ ଅଧିକ ହୋଇପାରେ। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଲାଭ ହ୍ରାସ ପାଇବା ସହ ତାହା ଆର୍ଥିକ ମାନ୍ଦାବସ୍ଥାକୁ ତ୍ୱରାନ୍ବିତ କରିପାରେ।
ଭାରତ ତା’ର ଅଶୋଧିତ ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନି କରୁଥିବା ବେଳେ ଏହାର ୬୦ ପ୍ରତିଶତରୁ ଅଧିକ ମଧ୍ୟପ୍ରାଚ୍ୟରୁ ଆମଦାନି କରିଥାଏ। ବର୍ତ୍ତମାନ ଭାରତ ଇରାନରୁ ଖୁବ୍‌ କମ୍‌ ବା ନଗଣ୍ୟ ତୈଳ ଆମଦାନି କରୁଛି କାରଣ ଆମେରିକା ତେହେରାନ ଉପରେ କଟକଣା ଲାଗୁକରିବା ପରଠାରୁ ଭାରତ ପରି ଦେଶଗୁଡ଼ିକ ଶିୟା ଦେଶରୁ ତୈଳ ଆମଦାନି କରିବା ଏକପ୍ରକାର ବନ୍ଦ କରିଦେବାକୁ ବାଧ୍ୟ ହୋଇଛନ୍ତି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ନିଜର ଶକ୍ତି ସୁରକ୍ଷା ତଥା ପଶ୍ଚିମ ଏସିଆରେ ରହୁଥିବା ୮ ନିୟୁତରୁ ଅଧିକ ଓ ସୌଦୀ ଆରବରେ ରହୁଥିବା ୨.୫ ନିୟୁତରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସ୍ବାର୍ଥ ବିଷୟରେ ଚିନ୍ତାକରି ଏହା ଉପରେ ସତର୍କତାର ସହ ପ୍ରତିକ୍ରିୟା ପ୍ରକାଶ କରିବା ଦରକାର। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୦୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୬-୧୭ରେ ବିଦେଶରୁ ଭାରତକୁ ଆସିଥିବା ଅର୍ଥ ମଧ୍ୟରୁ ସଂଯୁକ୍ତ ଆରବ ଏମିରେଟ୍‌ସ, ସୌଦୀ ଆରବ, କାତାର, କୁଏଟ୍‌ ଓ ଓମାନ ଏବଂ ପଶ୍ଚିମ ଏସିଆର ସମସ୍ତ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ପଠାଇଥିବା ଅର୍ଥ ୫୩.୫ ପ୍ରତିଶତ ଥିଲା। ଏହାଦ୍ୱାରା ଉଭୟ ଫରେନ୍‌ ଏକ୍ସଚେଞ୍ଜ (ବିଦେଶୀ ମୁଦ୍ରା) ଓ ବିଦେଶରୁ ଆସୁଥିବା ଅର୍ଥ ଉପରେ ନିର୍ଭର କରୁଥିବା ଭାରତୀୟମାନଙ୍କର ଘରୋଇ ଚାହିଦା ପ୍ରଭାବିତ ହୋଇପାରେ।
ଆମେରିକା ଓ ଇରାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲେ ପାରସ୍ୟ ଉପସାଗରରେ ଥିବା ସାମୁଦ୍ରିକ ପଥ ଏବଂ ତୈଳ ମୂଲ୍ୟ ଓ ଯୋଗାଣ ପ୍ରଭାବିତ ହେବ। ଉଭୟ ଆମେରିକା ଓ ଇରାନ ସହ ଭାରତର ସୁସମ୍ପର୍କ ରହିଆସିଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନା ନୂଆଦିଲ୍ଲୀକୁ ଅଡ଼ୁଆ ପରିସ୍ଥିତିରେ ପକାଇଦେଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସ୍ଥିର ଥିବାବେଳେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଯଦି ୧ ଡଲାର ବୃଦ୍ଧି ପାଏ, ତେବେ ବିପଣନ ଲାଭ ଲିଟର ପିଛା ପ୍ରାୟ ୪୫ ପଇସା ହ୍ରାସ ପାଇବ। ଯଦି ଦେଶକୁ ବିଦେଶୀ ମୁଦ୍ରା ଆସିବା କମିଯାଏ, ତେବେ ବାଣିଜି୍ୟକ ନିଅଣ୍ଟ ବୃଦ୍ଧି ପାଇବା ସହ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ଯାହା ଭାରତୀୟ ଅର୍ଥନୀତି ପାଇଁ ଦୋହରା ଝଟକା ସଦୃଶ ହେବ। ଗତ ଚାରିବର୍ଷ ଧରି ତୈଳ ମୂଲ୍ୟରେ ବିଶେଷ ବୃଦ୍ଧି ଘଟି ନ ଥିଲା। ୨୦୧୧-୧୨ରୁ ୨୦୧୩-୧୪ ପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଥିବା ବେଳେ ୨୦୧୫-୧୬ରେ ବ୍ୟାରେଲ ପିଛା ଦର ୫୦ ଡଲାର ତଳକୁ ଖସିଯାଇଥିଲା। ୨୦୧୬-୧୭ରେ ଏହି ଦର ବ୍ୟାରେଲ ପିଛା ୫୬ ଡଲାର ହୋଇଥିବା ବେଳେ ୨୦୧୭-୧୮ ଓ ୨୦୧୮-୧୯ରେ ଏହା ୭୦ ଡଲାର ରହିଥିଲା। ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁ ଶିରୋରେଖା ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବାବେଳେ ତୈଳଦର ବଢ଼ିଲେ ତାହା ବର୍ତ୍ତମାନର ମୁଦ୍ରାସ୍ଫୀତିଜନିତ ସ୍ଥିତିକୁ ଆହୁରି ବିଗାଡ଼ିଦେବ। ଅଶୋଧିତ ତୈଳଦର ବଢ଼ିଲେ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ବୃଦ୍ଧି ପାଇବ କାରଣ ଏହାଦ୍ୱାରା ତୈଳ ଆମଦାନି ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ବଢ଼ିଯିବ। ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ଆର୍‌ବିଆଇ ସୁଧହାର ହ୍ରାସକରିବା ସମ୍ଭାବନା ମଉଳିଯିବ। ସରକାରଙ୍କ ନିଜ ଆକଳନ ଅନୁସାରେ ୨୦୨୦ରେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତରେ ସୀମିତ ରହିବାକୁ ଥିବାବେଳେ ଉକ୍ତ ମୁଦ୍ରାସ୍ଫୀତିଜନକ ପରିସ୍ଥିତି ଦେଶର ଅର୍ଥନୀତି ପାଇଁ ଦୋହରା ଝଟକା ସଦୃଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?