Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ଫାଇନାଲ

ବର୍ମିଂହାମ୍‌,୧୨।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୦୭ଟି ବଲ୍‌ ବାକିରଖି ୮ ଉଇକେଟରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଅତି ସହଜରେ ହରାଇ ଫାଇନାଲକୁ ଉଠିଛି। ଏଥିସହିତ ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ଲିଗ୍‌ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଟାଇଟଲ ପାଇଁ ଇଂଲଣ୍ଡ ରବିବାର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗତଥରର ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ ଭେଟିବ। ବୁଧବାର ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏଥିସହିତ ଇଂଲଣ୍ଡ ଚତୁର୍ଥଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ଫାଇନାଲ ଟିକେଟ ହାସଲ କରିଥିଲେ ମଧ୍ୟ ବିଶ୍ୱକପ୍‌ ଟ୍ରଫି ଜିତିବାରେ ବିଫଳ ହୋଇଥିଲା। ଅନ୍ୟପଟେ ୫ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଇତିହାସରେ ପ୍ରଥମଥର ପାଇଁ ସେମିଫାଇନାଲରେ ପରାସ୍ତ ହୋଇଛି। ୧୯୯୨ ପରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଫାଇନାଲକୁ ଉଠିଛି।
ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହା ବୁମେରାଂ ସାବ୍ୟସ୍ତ ହୋଇଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୪୯ ଓଭରରେ ମାତ୍ର ୨୨୩ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ଇଂଲଣ୍ଡ ୩୨.୧ ଓଭରରେ ୨ ଉଇକେଟ ହରାଇ ୨୨୬ ରନ କରି ବିଜୟୀ ହୋଇଛି। ୮ ଓଭରରେ ୨୦ ରନ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍‌ ଓ୍ବକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୨୪ ରନ ଆଭରେଜ ଟାର୍ଗେଟର ପିଛା କରି ଇଂଲଣ୍ଡ ଆରମ୍ଭରୁ ଧୂଆଁଧାର ପ୍ରଦର୍ଶନ କରିଥିଲା। ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ପ୍ରଥମ ଉଇକେଟରେ ୧୦୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୨୪ ରନ କରି ବିଜୟର ମୂଳଦୁଆ ପକାଇଥିଲେ। ତେବେ ବେୟାରଷ୍ଟୋ ୪୩ ବଲ୍‌ରୁ ୫ ଚୌକା ସହ ୩୪ ରନ କରିଥିବା ମିଚେଲ ଷ୍ଟାର୍କ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିବା ସହ ବ୍ରେକ୍‌ ଥ୍ରୁ ଦେଇଥିଲେ। ରିଭ୍ୟୁ ନେଇଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା ଓ ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ୍‌ ଘୋଷିତ କରିଥିଲେ। ଏହାପରେ ରୟ ୬୫ ବଲରୁ ୯ ଚୌକା ଓ ୫ ଛକା ସହ ୮୫ ରନ କରିଥିବା ବେଳେ ପ୍ୟାଟ୍‌ କୁମିନ୍ସଙ୍କ ଲେଗ୍‌ଷ୍ଟମ୍ପ ଉପରେ ବାଉନ୍ସରକୁ ପୁଲ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ବଲ ତାଙ୍କ ବ୍ୟାଟ୍‌ରେ ବାଜିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲେ ମଧ୍ୟ ଅମ୍ପାୟର ଆଉଟ୍‌ ଘୋଷିତ କରିଥିଲେ। ଇଂଲଣ୍ଡ ତା’ର ରିଭ୍ୟୁ ହରାଇଥିବା ବେଳେ ରୟଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ପରେ ନିରାଶ ହୋଇ ସେ ଡ୍ରେସିଂରୁମ୍‌ରେ ବ୍ୟାଟିଂ ଗ୍ଲୋଭ୍ସ ଫୋପାଡିବାର ଲକ୍ଷ୍ୟ କରାଯାଇଥିଲା। ତୃତୀୟ ଉଇକେଟରେ ଅଧିନାୟକ ଇଅନ ମୋର୍ଗାନ ଓ ଜୋ ରୁଟ୍‌ ୭୫ ବଲରୁ ଅପରାଜିତ ୭୯ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ମୋର୍ଗାନ ୩୯ ବଲରୁ ୮ ଚୌକା ସହ ୪୫ ଓ ରୁଟ୍‌ ୪୬ ବଲରୁ ୮ ଚୌକା ସହ ୪୯ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଷ୍ଟାର୍କ ଓ କୁମିନ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାତ୍ର ୧୪ ରନରେ ଟପ୍‌ ଅର୍ଡରର ମୂଲ୍ୟବାନ ୩ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଥାସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଶେଷପର୍ଯ୍ୟନ୍ତ ଏହି ବିପର୍ଯ୍ୟୟର ପ୍ରଭାବରୁ ମୁକୁଳିପାରି ନ ଥିଲା। ଫଳରେ ଦଳ ମାତ୍ର ୨୨୩ ରନରେ ସୀମିତ ରହିଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଘରୋଇ ବୋଲରଙ୍କ ମାପଚୁପ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନମାନେ ବିଫଳ ପ୍ରଦର୍ଶନ କରିଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଇନ୍‌ଫର୍ମ ଓପନର ତଥା ଅଧିନାୟକ ଆରୋନ ଫିଞ୍ଚ୍‌ ଖାତା ଖୋଲିବା ପୂର୍ବରୁ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍‌କୁ ଖେଳିବାକୁ ଯାଇ ଲାଇନ୍‌ କ୍ରସ୍‌ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଫଳରେ ବଲ୍‌ ତାଙ୍କ ଆଗ ପ୍ୟାଡ୍‌ରେ ବାଜିଥିଲା। ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ସେମିରେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଢଙ୍ଗରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଟୁର୍ନାମେଣ୍ଟରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଥିବା ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ସେ ୧୧ ବଲରୁ ୨ ଚୌକା ସହ ମାତ୍ର ୯ ରନ କରିଥିବାବେଳେ କ୍ରିସ୍‌ ଓ୍ବକ୍ସଙ୍କ ଏକ ବାଉନ୍ସରକୁ ମାରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଫଳରେ ସେକେଣ୍ଡ ସ୍ଲିପ୍‌ରେ ଜନ୍ନି ବେୟାରଷ୍ଟୋ ତାଙ୍କ କ୍ୟାଚ୍‌ ନେଇଥିଲେ। ସେହିପରି ପିଟର ହ୍ୟାଣ୍ଡ୍ସକମ୍ବ ୪ ରନ କରିଥିବା ବେଳେ ଓ୍ବକ୍ସଙ୍କ ଏକ ଷ୍ଟମ୍ପ ଉପର ବଲକୁ ହାଲକା ଭାବେ ଡ୍ରାଇଭ କରିବାକୁ ଚେଷ୍ଟା କରିଥିଲେ। ତେବେ ବ୍ୟାଟ୍‌ ଓ ପ୍ୟାଡ୍‌ ମଝିରେ ବଲ୍‌ ଯାଇ ଷ୍ଟମ୍ପରେ ବାଜିଥିଲା ଓ ସେ ବୋଲ୍ଡ ହୋଇଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ସ୍ମିଥ୍‌ ଓ କାରେ ୧୨୭ ବଲରୁ ୧୦୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୭୦ ବଲରୁ ୪ ଚୌକା ସହ ୪୬ ରନ କରିଥିବା ବେଳେ ସ୍ପିନର ଆଡିଲ ରସିଦ୍‌ଙ୍କ ବଲ୍‌ରେ ଡିପ୍‌ ମିଡ୍‌ଉଇକେଟରେ ବଦଳ ଖେଳାଳି ଜେମ୍ସ ଭିନ୍ସଙ୍କୁ କ୍ୟାଚ୍‌ ଦେଇଥିଲେ। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଖାତା ଖୋଲିବା ପୂର୍ବରୁ ଏଲ୍‌ବିଡବ୍ଲ୍ୟୁ ହୋଇ ରସିଦଙ୍କ ଶିକାର ହୋଇଥିଲେ। ଏହାପରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୨ ରନ କରିଥିବା ବେଳେ ଆର୍ଚରଙ୍କ ବଲ୍‌ରେ ଶର୍ଟ କଭରରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ସେହିପରି ପ୍ୟାଟ୍‌ କୁମିନ୍ସ ୬ ରନ କରି ରସିଦଙ୍କ ବଲରେ ଫାଷ୍ଟ ସ୍ଲ୍‌ିପ୍‌ରେ ଜୋ ରୁଟଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ସ୍ମିଥ୍‌ଙ୍କ ପାଳି ପଡିଥିଲା। ସ୍ମିଥ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ୧୧୯ ବଲ୍‌ ଖେଳି ୬ ଚୌକା ସହ ୮୫ ରନ କରିଥିବା ବେଳେ ଉଇକେଟକିପର ଜୋଶ ବଟଲରଙ୍କ ଡାଇରେକ୍ଟ ଥ୍ରୋ’ରେ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ। ଲେଗ ବାଇ ନେବାକୁ ଯାଇ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ସେ ରନ୍‌ଆଉଟ ହୋଇଥିଲେ। ଏହାପରେ ମିଚେଲ ଷ୍ଟାର୍କ ୩୬ ବଲରୁ ୧ ଚୌକା ଓ ୧ ଛକା ସହାୟତାରେ ୨୯ ରନ କରିଥିବାବେଳେ ଓ୍ବକ୍ସଙ୍କ ବଲ୍‌ରେ ଉଇକେଟ ପଛରେ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଶେଷରେ ଜାସନ ବେହରନଡୋର୍ଫ ୧ ରନ କରି ମାର୍କ ଉଡ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ଓ ଏଥିସହିତ ଅଷ୍ଟ୍ରେଲିଆ ଇନିଂସର ପରିସମାପ୍ତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri