ଅଳସୁଆ ହାଟ କାନ୍ଥ ଭୁଶୁଡ଼ିବା ଘଟଣା : ଗୁରୁତର କିଣାଙ୍କ ଅବସ୍ଥା ବିଗୁଡୁଛି

ଢେଙ୍କାନାଳ ଅଫିସ, ୨୭।୬ – ଅଳସୁଆ ହାଟ ନିକଟରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ିବା ଘଟଣାକୁ ଇତିମଧ୍ୟରେ ବିତିଛି ୧୭ ଦିନ। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବାକୁ କାନ୍ଥ ପାର୍ଶ୍ୱ ଛାଇରେ ପରିବା ଦୋକାନ ଖୋଲିଥିବା ୪ଜଣ ବ୍ୟବସାୟୀଙ୍କୁ ନିମିଷକ ମଧ୍ୟରେ ଟାଣିନେଲା ମୃତ୍ୟୁ। ଏଥିରେ ଗୁରୁତର ହୋଇଥିଲେ ଅନ୍ୟ ୩ ଜଣ। ଦୁର୍ଘଟଣା ଘଟିବା ପରେ ପ୍ରଶାସନିକସ୍ତରରେ ପ୍ରକାଶ ପାଇଥିଲା ତତ୍ପରତା। ମୃତାହତଙ୍କ ପରିବାରକୁ ଛୁଟିଥିଲା ସମବେଦନାର ସୁଅ। ଲାଗୁଥିଲା ଆହତଙ୍କୁ ନିଶ୍ଚୟ ମିଳିଯିବ ଚିକିତ୍ସା ସହାୟତା। ହେଲେ ଦିନ ଗଡ଼ିବା ସହିତ ସମସ୍ତେ ଯେମିତି ଭୁଲିଯାଇଛନ୍ତି ସେମାନଙ୍କୁ। ଗୁରୁତରମାନେ କେମିତି ଅଛନ୍ତି, ଚିକିତ୍ସା କିପରି ଚାଲିଛି, ସେ ନେଇ କାହାରି ପାଖରେ ଖବର ନାହିଁ। କଟକରେ ଚିକିତ୍ସାଧୀନ କିଣା ବେହେରା (୫୬)ଙ୍କୁ ଏଯାଏ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ଅସ୍ତ୍ରୋପଚାର ହୋଇପାରୁ ନ ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ପରିବାର ଲୋକେ କହିଛନ୍ତି।
ଜୁନ୍‌ ୯ରେ ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଥିଲା। ଗୁରୁତରଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଣାଙ୍କ ଚିକିତ୍ସାକୁ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରିଛି, ଯାହା ଅସନ୍ତୋଷର କାରଣ ପାଲଟିଛି। କିଣାଙ୍କ ମେରୁଦଣ୍ଡ, ପଞ୍ଜରା ହାଡ଼ ଭାଙ୍ଗିଯାଇଛି। ସେ ଉଠିବସି ପାରୁନାହାନ୍ତି। ଅସ୍ତ୍ରୋପଚାର ଦ୍ୱାରା ସେ ଆରୋଗ୍ୟ ଲାଭ କରିପାରିବେ ବୋଲି ଡାକ୍ତର କହିସାରିଛନ୍ତି। ଏଥିରେ ଅର୍ଥ ସାଜିଛି ପ୍ରତିବନ୍ଧକ। ଅନ୍ୟପଟେ ଦୀର୍ଘଦିନ ହେଲା ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଡିସ୍‌ଚାର୍ଜ କରିଦେବେ ବୋଲି କହିଲେଣି। ଏପରିସ୍ଥିତିରେ ବାପାଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇବାକୁ ପୁଅ ମୁନା ବୁଧବାର ଜିଲାପାଳଙ୍କୁ ନେହୁରା ହୋଇଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ଏ ନେଇ ଜିଲା ଜରୁରୀ ଓ ଆପତ୍‌କାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଘଟଣା ଜାଣିବା ପରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଛି। ଆହତ କିଣାଙ୍କୁ ଡିସ୍‌ଚାର୍ଜ ନ କରିବାକୁ କୁହାଯାଇଛି। ଜିଲାପାଳଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। କିଣାଙ୍କ ଘର କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କଣପାଳ ଗ୍ରାମରେ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri