ଅନ୍‌ଲାଇନ ପାଠପଢ଼ା ଓ ଅପହୃତ ଶୈଶବ

ଡ. ମନୋରଞ୍ଜନ ପ୍ରଧାନ

ମନେପଡ଼େ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ କଥା-ତୋମରା କେଉ ଫୁଲ ଫୋଟାତେ ପାରବେନ୍‌ ନା,କେନୋନା ଯେ ଫୋଟେ ସେ ଆପନି ଫୋଟେ। ଅର୍ଥାତ୍‌ ଫୁଲ ତା’ର ସ୍ବଭାବ ଅନୁସାରେ ଫୁଟିବ, ମାଳୀର ଇଚ୍ଛା ବା ବରାଦ ଅନୁସାରେ ନାହିଁ। ମାଳୀର କାମ ମାଟି ପ୍ରସ୍ତୁତ କରିବା। ଆଲୋକ ଓ ଖୋଲା ପବନ ଲାଗି ବ୍ୟବସ୍ଥା କରିବା। ଆବଶ୍ୟକତା ଅନୁସାରେ ପାଣି, ଖତ, ସାର ଯୋଗାଇବା। ଓଲେଇ ଗାଈ, ଛେଳି, ମେଣ୍ଢା ଅଥବା ବିବିଧ ଅନିଷ୍ଟକାରୀ କୀଟ ପତଙ୍ଗ ଦାଉରୁ ରକ୍ଷା କରିବା ଲାଗି ପ୍ରଯତ୍ନ କରିବା। ଫଳତଃ ଗଛ ଅନୁକୂଳ ପରିବେଶ ପାଇ ସୁନ୍ଦର ସୁନ୍ଦର ଫୁଲ ଫୁଟାଇପାରେ। କିନ୍ତୁ ଏ ପ୍ରକ୍ରିୟାଟି ଆପଣା ଛାଏଁ ହୁଏ। ମାଳୀର ଇଚ୍ଛା ବା ଆବଶ୍ୟକ ଅନୁସାରେ ନୁହେଁ। ହେଲେ ଆଜିକାଲି ପିତାମାତା ବା ଶିକ୍ଷକ ଶିକ୍ଷୟିତ୍ରୀ ରୂପକ ମାଳୀମାନେ ପିଲାର ଆଗ୍ରହ, ବୟସ, ସାମର୍ଥ୍ୟ ବା ଜିଜ୍ଞାସା ଅନୁସାରେ ନୁହେଁ ବରଂ ନିଜ ଈପ୍ସିତ ଅସଫଳ ଲକ୍ଷ୍ୟ ପୂରଣ କିମ୍ବା ଶିଖି ଥିବା ଶିକ୍ଷାଦାନ ପଦ୍ଧତି ବା ଅନ୍ୟ ପିଲା ସହ ପ୍ରତିଯୋଗିତା କରି ପିଲାଙ୍କୁ ପାଠୁଆ କରିବାରେ ବ୍ୟସ୍ତ । ପ୍ରତ୍ୟେକ ଶିଶୁ ପରମେଶ୍ୱରଙ୍କ ଅନନ୍ୟ ସୃଷ୍ଟି। ଫୁଲଭଳି ପିଲାମାନେ ଖୁସିର ବାତାବରଣରେ ନିଜ ସ୍ବଭାବ ଅନୁସାରେ ବିକଶିତ ହୋଇଥାନ୍ତି। ସେଥିପାଇଁ ଶ୍ରୀମା କହନ୍ତି-ବାଧ୍ୟକରି କାମ କରେଇବାର ରୀତିକୁ କଦାପି ଶିକ୍ଷାର ସର୍ବୋତ୍ତମ ଅଥବା ସବୁଠାରୁ ଅଧିକ ଫଳଦାୟୀ ନୀତି ବୋଲି କୁହାଯାଇପାରିବ ନାହିଁ। ବିଶିଷ୍ଟ ଶିକ୍ଷାବିତ୍‌ ରୁଷୋଙ୍କ ମତରେ ଶିକ୍ଷା ହେଉଛି ଶିଶୁର ଅନ୍ତର୍ନିହିତ ଗୁଣାବଳୀର ସ୍ବାଭାବିକ, ସର୍ବାଙ୍ଗୀନ ଓ ପ୍ରଗତିଶୀଳ ବିକାଶ। ହେଲେ ଆଜିକାଲିର ପିତାମାତାମାନେ ଜୋରଜବରଦସ୍ତ ଠେଲିପେଲି ନିଜ ଇଚ୍ଛା ଅନୁସାରେ ପିଲାଙ୍କୁ ଶିକ୍ଷା ଦେବାକୁ ଚାହୁଁଛନ୍ତି। ଆମ ପାଠ ବ୍ୟବସାୟୀ ବିଦ୍ୟାଳୟମାନେ ମଧ୍ୟ ମୌକା ଛାଡିବାକୁ ହେଳା କରୁନାହାନ୍ତି। ସେମାନେ କଅଣ ବା କରିବେ। ଅଭିଭାବକମାନେ ତ ପିଲାଙ୍କୁ ରାତାରାତି ତଥ୍ୟରଟା ପାଠୁଆ କରିବା ପାଇଁ ଅତ୍ୟନ୍ତ ବ୍ୟସ୍ତ ଓ ବିଚଳିତ।
ଏବେ କରୋନା ମହାମାରୀ କାଳ। ବିଦ୍ୟାଳୟରେ ତାଲା। ଗୁରୁମାନଙ୍କ ଏକ ମାତ୍ର ସାହାରା ଗୁଗଲ। ଅନ୍‌ଲାଇନ ହିଁ ଏକମାତ୍ର ବିକଳ୍ପ ଶିକ୍ଷାଦାନ। ହେଲେ ଏଇ ଅନ୍‌ଲାଇନ ପାଠ ନାଆଁରେ ଶୈଶବର ଚପଳତା କିପରି ହଜିଯାଉଛି ଆସନ୍ତୁ ଆଲୋଚନା କରିବା ଏକ ଉଦାହରଣ ମାଧ୍ୟମରେ।
ସମୟ ସକାଳ ସାଢେ ସାତଟା। ପାଞ୍ଚଦିନ ହେଲା ପ୍ରବଳ ବର୍ଷା। ବନାଞ୍ଚଳ ହୋଇଥିବାରୁ ଥଣ୍ଡା ବି ପ୍ରବଳ ହେଉଛି। ବାରମ୍ବାର ଟିକି ଝିଅ ମାନୀକୁ ଉଠେଇବାକୁ ଚେଷ୍ଟା କରି ବିଫଳ ହେଉଥାନ୍ତି ଆଶାଦେବୀ। ଜୋର ଜବରଦସ୍ତ ଉଠେଇ ବସେଇଲେ ବି ଶୋଇପଡୁଛି ବାରମ୍ବାର। ଗୋଟିଏ ପରେ ଗୋଟିଏ କୌଶଳ ପ୍ରୟୋଗ କରୁଥାନ୍ତି ମାଆ ଆଶାଦେବୀ। ମାନୀ ଶୁଣ, ବାବା ତୋ ପାଇଁ ବଡ ଖେଳଣା ଆଣିଛନ୍ତି। ହଁ ଶୁଣ, ବାବା ପୁଣି ମାର୍କେଟ ଯାଉଛନ୍ତି ଆହୁରି ଅନେକ ଖେଳଣା ଆଣିଦେବେ। ତୁ ଯିବୁ କି ବାବାଙ୍କ ସାଥିରେ। ଏଭଳି ନାନା ପ୍ରଲୋଭନ ପରେ ଅନିଚ୍ଛା ସତ୍ତ୍ୱେ ଉଠିଲା ସାଢେ ତିନି ବର୍ଷର ଝିଅ ମାନୀ। ଆଖି ମଳି ମଳି ଚାରିଆଡେ ଦେଖିଲା। ଖୁସି ହୋଇଗଲେ ମାଆ। ସ୍ବାମୀଙ୍କ ବାରଣ ସତ୍ତ୍ୱେ ଆଶାଦେବୀ ନେଇ ବସେଇ ଦେଲେ ସୁକୋମଳ ଉଚ୍ଚା ଗଦିବାଲା ଚୌକି ଉପରେ। ଲାପଟପ୍‌ ଅପେକ୍ଷା କରିଥିଲା ମାନୀର ଅନ୍‌ଲାଇନ କ୍ଲାସକୁ। ବୁଝିଲୁ ମାନୀ ଆଜି ତୋର ଅନ୍‌ଲାଇନ କ୍ଲାସ ହେବ-ଅତି ସରାଗରେ କହିଲେ ଆଶାଦେବୀ। ଦେଖୁଛୁ ତୋ ମିସ୍‌ ପଢାଉଛନ୍ତି ଲାପ୍‌ଟପରେ। ଅପ୍ରସ୍ତୁତ କିନ୍ତୁ ଆଗ୍ରହର ସହ ଲାପ୍‌ଟପକୁ ଚାହିଁଲା ମାନୀ। ଭାରି ଖୁସି ହୋଇଗଲା। କେଡେ ସୌଭାଗ୍ୟ ତା’ର। ଲ୍ୟାପଟପ୍‌ ପାଖକୁ ଗଲେ ବାପାଙ୍କ ତାଗିଦ୍‌ ଶୁଣିବାକୁ ପଡୁଥିଲା। ସବୁବେଳେ ନାଲିଆଖି। ଲାପ୍‌ଟପକୁ ଛୁଅଁନା, ଗୋଟେ ତ ନଷ୍ଟ କରିଛୁ ପାଣି ଢାଳି। ଆଜି ସିଧା ଲାପ୍‌ଟପ ସାମ୍‌ନାରେ। ଅତ୍ୟନ୍ତ ବ୍ୟଗ୍ରତାର ସହ ଚାହିଁ ବସିଥାଏ ମାନୀ। ତା’ର ଆଶା କିଛି କାର୍ଟୁନ କିମ୍ବା ମଜା ଦୃଶ୍ୟ ଦେଖିବ। ହେଲେ ଛବିର ନଁା ଗନ୍ଧ ନାହିଁ। କେବଳ ଜଣେ ନାରୀଙ୍କ କଣ୍ଠସ୍ବର। ସମାନେ ସ୍କୁଲ ମିସ୍‌ଙ୍କ ପାଠପଢା।
ନାମ ଲେଖେଇବାଠାରୁ ମାନୀ ସ୍କୁଲ ଯାଇନି। କୋଭିଡ୍‌-୧୯ ତା’ପାଇଁ କାଳ ସାଜିଛି। ଅନେକ ଥର ନୂଆ ସ୍କୁଲ ଡ୍ରେସ, ବେଲ୍ଟ, ଟାଇ, ବୁଟ୍‌ ପିନ୍ଧି ବ୍ୟାଗ ଓ ଖାଲି ଟିଫିନ ବକ୍ସ ଧରି ସ୍କୁଲ ଯିବାକୁ ବାହାରିଛି। ହେଲେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ସବୁ ଆଶା ଧୂଳିସାତ୍‌। ହଠାତ୍‌ ଲାପଟପରୁ ଶୁଣାଗଲା ପ୍ରେରଣାଦାୟୀ ସମ୍ବୋଧନ। ମାନୀ ଆପ୍‌ ସବ୍‌ କୁଛ ଲିଖ୍‌ ଦିୟାନା। ଆପ୍‌ ଗୁଡ ଗର୍ଲ। ଆପ୍‌ ବଢିଆ ଲିଖ ରହେହୋ। ସବ୍‌ସେ ଆଗେ ଆପ୍‌ ସବ୍‌ ଲିଖ ଦେତେ ହୋ, ଇତ୍ୟାଦି ଇତ୍ୟାଦି। ଚାହିଁ ରହିଥାଏ ମାନୀ। ପରସ୍ପରକୁ ଚାହୁଁଥାନ୍ତି ବାପାମାଆ। ଦେଢମାସ ହେଲା କ୍ଲାସ ହେଲାଣି, ସ୍କୁଲ ତାଙ୍କୁ ସୂଚନା ବି ଦେଇ ନ ଥିଲା। ଅନ୍ୟଠାରୁ ଶୁଣି ପ୍ରଥମଥର ପାଇଁ ମାନୀ ଅନ୍‌ଲାଇନ କ୍ଲାସ ଏଟେନ୍ଡ କରିଛି। ମିସ୍‌ ସହ ଆଗରୁ କେବେ ଦେଖାସାକ୍ଷାତ ବି ହୋଇନି। ହେଲେ ସେ କେମିତି ଜାଣିଲେ ମାନୀ ଭଲ ପିଲା ଆଉ ଭଲ ପଢୁଛି ଲେଖୁଛି ବୋଲି। ବୋଧହୁଏ ମାନିର ଆଗ୍ରହ ସୃଷ୍ଟି କରେଇବାକୁ ଏମିତି କହିଥାଇ ପାରନ୍ତି। ଶିକ୍ଷାବିତ ସ୍ବାମୀଙ୍କ କଡା ନିର୍ଦ୍ଦେଶ ଯେ ଝିଅକୁ ଏତେ କମ୍‌ ବୟସରୁ ଲେଖାଲେଖି ପଢାପଢି ଉପରେ ଜୋର ଦିଅନାହିଁ। ସେ ଆମମାନଙ୍କ ଗହଣରେ ରହି ଯାହା ଶିଖିବ ଶିଖୁ। ଆଶାଦେବୀ ମଧ୍ୟ ପ୍ରତି କଥାରେ ଝିଅକୁ ଔପଚାରିକ ଶିକ୍ଷାରୁ ଦୂରେଇ ରଖିଛନ୍ତି। କିନ୍ତୁ ସାହି ପଡୋଶୀ ବା ସାଙ୍ଗସାଥୀଙ୍କ ପିଲାଙ୍କ ଲେଖାପଢା ଦେଖି ସେ ବିଚଳିତ ହୋଇ ପଡନ୍ତି। ଆତ୍ମସନ୍ତୋଷ ପାଇଁ ମଝିରେ ମଝିରେ କିଛି ପଢେଇବାର ପ୍ରୟାସ କରିଛନ୍ତି ଆଶାଦେବୀ। ତେଣୁ ଏ ଫର ଆପେଲ୍‌, ବି ଫର ବଲ୍‌ ଭଳି କେତେକ ଶବ୍ଦ ଶୁଆ ଭଳି ରଟିଛି ମାନୀ। ୟୁ ଟ୍ୟୁବ ଦେଖି ଅବୋଧଭାବେ କହିଚାଲୁଛି କେତେଟା ରାଇମ୍‌। କ୍ଲାସ ସାରିବା ବେଳକୁ ମିସ୍‌ ଗୃହକାମର ଏକ ଲମ୍ବା ତାଲିକା ମୁହେଁ ମୁହେଁ ଗାଇଗଲେ। ହଁ ଇଂଲିଶରେ ଏ ଠୁ ଜେଡ୍‌ ଲେଖିବ। ପୂର୍ବରୁ ପଢେଇଥିବା ଆଠଟି ରାଇମ୍‌ ବାଇହାର୍ଟ କରିଆସିବ। ହିନ୍ଦୀରେ ଅ ସେ ଝ ତକ ଅଭ୍ୟାସ କରିବ। ହଁ ଆଉ ଓ୍ବାନ୍‌ ଟୁ ଥର୍ଟି ଯାଏଁ ବଢିଆ ହ୍ୟାଣ୍ଡ ରାଇଟିଙ୍ଗରେ ଲେଖିଥିବ। ହିନ୍ଦୀ ଆଉ ଇଂଲିଶମିଶା ଭାଷାରେ ହୋମ୍‌ ଆସାଇନ୍‌ମେଣ୍ଟ ଅଜାଡି ଦେଇ ଗୁଡ୍‌ ବାଏ କହି ଚାଲିଗଲେ ମିସ୍‌। ଅତି ହାଲକା ଭାବେ ବସିଥିବା ମାନୀ କେବଳ ମଝିରେ ମଝିରେ ପଚାରୁଥାଏ -ମାଆ କିଏ କହୁଛନ୍ତି? କ’ଣ କହୁଛନ୍ତି? ଇତ୍ୟାଦି।
ଚିନ୍ତିତ ମୁଦ୍ରାରେ ମାଆ ଆଶାଦେବୀ। ଏତେ ପାଠପଢା ସରିଛି। ଝିଅର ସାଙ୍ଗମାନେ ଭଲ ଉତ୍ତର ବି ଦେଉଛନ୍ତି। ହେଲେ ମାନୀ ଲେଖାଲେଖି ଆଦୌ ଆରମ୍ଭ କରିନାହିଁ। କେମିତି ହେବ। କ୍ଲାସରେ ପଛୁଆ ହୋଇଯିବ। ଟ୍ୟୁଶନ ଶିକ୍ଷକ ଡାକିବାକୁ ହେବ। ମୋର ଦିନସାରା ଘରକାମ। ତୁମେ ତ ସବୁବେଳେ ପଢାଲେଖାରେ ବ୍ୟସ୍ତ। ପରପିଲାଙ୍କୁ ଏତେ ଉପଦେଶ ଓ ପରାମର୍ଶ ଦେଉଛ। ନିଜ ପିଲାଙ୍କ କଥା ଚିନ୍ତା ନାହିଁ। ଭାରି ବ୍ୟସ୍ତ ବିବ୍ରତ ହୋଇ କହିଚାଲିଥାନ୍ତି ଆଶାଦେବୀ। ସବୁ ଶୁଣି କିଛି କହୁ ନ ଥାନ୍ତି ମନମୋହନ ବାବୁ। ବେଳେବେଳେ ମୁରୁକି ହସି ଦେଉଛନ୍ତି, ଯାହା କି ଅସହ୍ୟ ହେଉଛି ପତ୍ନୀ ଆଶାଦେବୀଙ୍କୁ। ଦେଖ ପିଲାଟିକୁ ଚାରି ବର୍ଷ ବି ପୂରିନି। ଏବେ ତା’ର ଖେଳାବୁଲାର ସମୟ। ଶୈଶବର ଚପଳତାକୁ ସେ ଉପଭୋଗ କରୁ। ଆନନ୍ଦରେ ତୁମ ସହ ସମୟ ବିତାଉ। ଧୀରେ ଧୀରେ ଘରର ବିଭିନ୍ନ ଜିନିଷ ସହ ପରିଚିତ ହେଉ। ଛୋଟ ଛୋଟ ଗପ ଗୀତ ଶିଖୁ। ତା’ ଭିତରେ ଆଗ୍ରହ ସୃଷ୍ଟି କର। ସେ ବିଭିନ୍ନ ପ୍ରଶ୍ନ କରିବା ଶିଖୁ। ତା’ ଭିତରେ ଶ୍ରଦ୍ଧାଶୀଳ ମନଟିଏ ତିଆରି ହେଉ। ଏ ସମୟରେ ତାକୁ ସ୍ନେହ ମମତାର ପ୍ରାପ୍ୟ ଦେବା ଆମର କାମ। ଆମ ଶାସ୍ତ୍ର କହିଛି -ଶ୍ରଦ୍ଧାବାନ ଲଭତେ ଜ୍ଞାନମ। ବିଦ୍ୱାନ ଚାଣକ୍ୟଙ୍କ ଭାଷାରେ -ଲାଳୟତେ ପଞ୍ଚ ବର୍ଷାଣି । ମୁଁ ବାରମ୍ବାର ମନା କରୁଥିଲି ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ପାଇଁ ନାମ ନ ଲେଖେଇବାକୁ। ହେଲେ ତୁମ ଜିଦ୍‌ରେ ନଁା ଲେଖେଇଲି। ଏବେ ତ କୋଭିଡ୍‌-୧୯ ସମୟ। ପିଲାଟା ଅନ୍‌ଲାଇନରେ କ’ଣ ପଢିଦେବ। ହଁ ପଢନ୍ତା ଯଦି କିଛି ଭିଡିଓ କରି ଦେଖେଇ ଥିଲେ। ତାହା ତ ହେଉନି। ଚିନ୍ତା କରନି ଏଇ ପ୍ରି-ସ୍କୁଲ ପାଠ ସେମିତି କିଛି ଜରୁରୀ ନାହିଁ। ଆମେ ତ ପ୍ରଥମ ଶ୍ରେଣୀରୁ ପଢା ଆରମ୍ଭ କରିଥିଲେ। ଚିଇଁକି ଉଠିଲେ ଆଶାଦେବୀ। ସେକାଳ କଥା କ’ଣ ଏବେ ଆଉ ଅଛି। ଯୁଗ ବଦଳି ଗଲାଣି। ସବୁଆଡେ କମ୍ପିଟିଶନ। ଏଡିକି ଏଡିକି ବକଟେ ପିଲା ଅନର୍ଗଳ ଇଂଲିଶ କହୁଛନ୍ତି। ତୁମର ଟିକେ ଚିନ୍ତା ନାହିଁ। ମୋ ପିଲାଙ୍କ ପାଇଁ ତୁମର ବେଳ କାହିଁ। ତୁମେ କହୁଛ ପ୍ରି-ସ୍କୁଲ ପାଠ ଦରକାର ନାହିଁ। ହେଲେ ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରି-ସ୍କୁଲକୁ ବିଦ୍ୟାଳୟ ଶିକ୍ଷାରେ ସଂଲଗ୍ନ କରାଗଲା କାହିଁକି? କୁହ କିଏ ଠିକ୍‌? ତୁମେ ନା ଶିକ୍ଷାନୀତି? ତୁମେ ପଢିଥିବା ମନୋବିଜ୍ଞାନ ନା ଆଜିକାଲିର ଏଡଭାନ୍ସ ପାଠପଢା। ପରିବେଶ ଶୂନଶାନ୍‌। ମୌନମୁଦ୍ରାରେ ସମସ୍ତେ ଚିନ୍ତା କରିବାରେ ବ୍ୟସ୍ତ କିଏ ଠିକ୍‌? ମନେମନେ ମନମୋହନ ବାବୁଙ୍କ ମାନସପଟରେ ଝଲସି ଉଠୁଛି ବିଚରା ପିଲାମାନଙ୍କ ଅପହୃତ ଶୈଶବର ବେଦନା। ଓଟ ଭଳି ପିଠିରେ ବୋଝେଇ ହୋଇଥିବା ବହିବସ୍ତାନି। ଆଉ କମ୍ପୁଟର ଆଗରେ ମୁଣ୍ଡ ପିଟିହୋଇ ଯାଉଥିବାର ପିଲାଙ୍କ ଅର୍ଦ୍ଧନିଦ୍ରିତ କରୁଣ ଦୃଶ୍ୟ। ଉତ୍ତର ଖୋଜୁଥାନ୍ତି ପଢିଥିବା ମନୋବିଜ୍ଞାନୀମାନଙ୍କ ବିଶ୍ୱପ୍ରସିଦ୍ଧ ତତ୍ତ୍ୱ୍‌ ଓ ତଥ୍ୟରୁ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ,
ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri