ଛତ୍ରପୁର, ୧୬/୧୧(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ କାର୍ଯ୍ୟରତ ୨୬ଟି ପଞ୍ଚାୟତର ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ହଇରାଣ, ନିର୍ଯାତନା ଓ ଅସହ୍ୟ ମାନସିକ ଚାପର ଶିକାର ହେଉଥିବା ଅଭିଯୋଗ କରି ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଇସ୍ତଫା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ଏମ୍ବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ ସିଆର୍ପିମାନେ ରହିଛନ୍ତି।
ସୂଚନା ଅନୁଯାୟୀ, ଏହି କର୍ମଚାରୀମାନେ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ସଫଳତାର ସହ ରୂପାୟନ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ସୋରଡ଼ା ବ୍ଲକରେ କାର୍ଯ୍ୟରତ କେତେକ ଅଧିକାରୀଙ୍କ ଦ୍ୱାରା ସେମାନେ ଦୀର୍ଘଦିନ ଧରି ଅଯଥା ଚାପ, ଅପମାନ ଓ ଅମାନବୀୟ ବ୍ୟବହାରର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଦରମା ପ୍ରଦାନ ପାଇଁ ଲାଞ୍ଚ ମଗାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ସେମାନେ ଆଣିଛନ୍ତି।
ଗତ ଦୁଇ ବର୍ଷ ଧରି ଏହି ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଶେଷରେ ନିଜର ସ୍ୱାଭିମାନ ଓ ସମ୍ମାନ ରକ୍ଷା ପାଇଁ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା କର୍ମଚାରୀମାନେ କହିଛନ୍ତି।
ଏହି ଘଟଣାକୁ ନେଇ ସୋମବାର କର୍ମଚାରୀମାନେ ଛତ୍ରପୁର ଆସି ଗଞ୍ଜାମର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ନିଜର ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ। ଏଥିସହ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଏବଂ ଡିପିଏମ୍ଙ୍କୁ ମଧ୍ୟ ସମୂହ ଇସ୍ତଫାପତ୍ରର ନକଲ ପ୍ରଦାନ କରିଛନ୍ତି।
ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି କର୍ମଚାରୀମାନଙ୍କ ସମୂହ ଇସ୍ତଫା ଘଟଣା ସୋରଡ଼ା ବ୍ଲକର ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କର୍ମଚାରୀମାନେ ଆଣିଥିବା ଅଭିଯୋଗର ତଦନ୍ତ ଏବଂ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

