
ଭଦ୍ରକ,୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁଁ ସାହୁସାହି ୧୧ନମ୍ବର ଓ୍ବାର୍ଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ଏହି ଗ୍ରାମର ରମାକାନ୍ତ ସାହୁ ଓ ନାରାୟଣ ସାହୁଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିପାଇଁ ଏମାନେ ବହୁବାର ଥାନାରେ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ରଜପର୍ବରେ ରମାକାନ୍ତ ସାହୁଙ୍କ ପରିବାର ଲୋକେ ତାଙ୍କ ବନ୍ଧୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ରମାକାନ୍ତଙ୍କ ଘରେ ତାଙ୍କ ମା’ ବନଲତା ସାହୁ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ନାରାୟଣ ସାହୁ ଓ ତାଙ୍କ ପରିବାର ଲୋକେ ରମାକାନ୍ତଙ୍କ ଘରେ ପଶି ବନଲତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ ବୋଲି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ସଞ୍ଜୟ ସାହୁ। ବନଲତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ସାମାନ୍ୟ ଚିକିତ୍ସା ହେବା ପରେ ଡାକ୍ତର କହିଥିଲେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେବା ପାଇଁ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ନିଜ ଘର ବାଲିଗାଁରେ ପଡ଼ି ରହିଛନ୍ତି। ଚାନ୍ଦବାଲି ପୋଲିସ କେବଳ ଏକ ମାମଲା ରୁଜୁ କରି ଚୁପ୍ ବସିଯାଇଛି। ଏ ପର୍ଯ୍ୟନ୍ତ କୌଣସି ତଦନ୍ତ କରିନାହଁ କିମ୍ବା କାହାକୁ ଗିରଫ କରିନାହିଁ। ଏଠି ପ୍ରଶ୍ନ ଉଠୁଛି ଏହି ଗରିବ ପରିବାରଟି କିଭଳି ନ୍ୟାୟ ପାଇବ।