ମୁମ୍ବାଇ,୧୬।୧୦: ଯୁଜବେନ୍ଦ୍ର ଚହଲ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳରୁ ବାଦ ପଡ଼ିଛନ୍ତି। ୨୦୧୯ ଦିନିକିଆ ବିଶ୍ୱକପରେ ସେ ଟିମ ଇଣ୍ଡିଆର ଅନ୍ୟତମ ଶ୍ରେଷ୍ଠ ସ୍ପିନର୍ ଥିଲେ। ଉଭୟ ଟି-୨୦ ଅନ୍ତର୍ଜାତୀୟ ଓ ଦିନିକିଆ କ୍ରିକେଟରେ ସେ ସବୁବେଳେ ନିଜର ପ୍ରଦର୍ଶନରେ ପ୍ରଭାବିତ କରିଛନ୍ତି। ଏହା ସତ୍ତ୍ୱେ ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ତାଙ୍କୁ ଭାରତୀୟ ଦଳରୁ ବାଦ ଦିଆଯାଇଥିଲା। ଏହାବ୍ୟତୀତ ୨୦୨୪ ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ଏବେ ଏହାର କାରଣ ଜଣାଇ ଚହଲ କହିଛନ୍ତି ଯେ ଏହା ରୋହିତ ଶର୍ମାଙ୍କ ନିଷ୍ପତ୍ତି ଥିଲା।
ଯୁଜବେନ୍ଦ୍ର ଚହଲ ନିଜର ଶେଷ ଦିନିକିଆ ମ୍ୟାଚ ୨୦୨୩ ଜାନୁଆରୀରେ ଖେଳିଥିଲେ। ଆକାଶ ଚୋପ୍ରାଙ୍କ ସହ ଏକ ପଡକାଷ୍ଟରେ ସେ ୨୦୨୩ ଦିନିକିଆ ବିଶ୍ୱକପ ଖେଳିପାରିନଥିବାର କାରଣ ବିଷୟରେ କହିଛନ୍ତି।
ଚହଲ କହିଛନ୍ତି , ଦଳ ପରିଚାଳନା କମିଟି ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ଚାହୁଁଥିଲା। ସେ କହିଛନ୍ତି, ୨୦୨୩ରେ ମୁଁ ଯେତେବେଳେ କାଉଣ୍ଟି କ୍ରିକେଟ ଖେଳିବାକୁ ଯାଇଥିଲି, ସେତେବେଳେ ରୋହିତ ଶର୍ମା ମୋତେ କହିଥିଲେ ଯେ ଦଳ ୮ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ କରିପାରୁଥିବା ଜଣେ ଖେଳାଳି ଚାହୁଁଛି। ସେହି ଯୋଜନା ଅନୁସାରେ ଦଳ ଆଗକୁ ବଢ଼ିବ। ଏହା ସହିତ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ମଧ୍ୟ ଦଳରେ ସାମିଲ କରିବା ନେଇ ବିଚାର କରାଯାଉଥିବା କଥା ସେ ମୋତେ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ। ମୋତେ ପୂର୍ବରୁ ହିଁ ସବୁକିଛି ସ୍ପଷ୍ଟ କରିଦିଆଯାଇଥିଲା। ବିଶ୍ୱକପ ପରେ ମୁଁ ଦଳରେ ମୋର ଚୟନକୁ ନେଇ ଆଉ ଚିନ୍ତା କରିବା ବନ୍ଦ କରିଦେଇଥିଲି।
ଯୁଜବେନ୍ଦ୍ର ଚହଲ ଏହା ମଧ୍ୟ କହିଛନ୍ତି ଯେ ରୋହିତ ଶର୍ମାଙ୍କ ଯୋଗୁ ହିଁ ତାଙ୍କୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।
ସେ କହିଛନ୍ତି, ୨୦୨୪ ଆଇପିଏଲରେ ମୁଁ ଖେଳକୁ ଉପଭୋଗ କରିଥିଲି ଏବଂ ନିଜ ଉପରେ କୌଣସି ଚାପ ପକାଇନଥିଲି। ମୋ ପାଇଁ ସେହି ସିଜିନ ଭଲ ଥିଲା। ରୋହିତ ଶର୍ମା ମୋତେ କହିଥିଲେ ଯେ ସେ ମୋତେ ପୁଣି ଦଳକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ଏବଂ ଚୟନ ବୈଠକରେ ଏ ବିଷୟରେ କଥା ହେବେ। ଚହଲ ଆହୁରି କହିଛନ୍ତି ଯେ ଦଳର ସଂଯୋଜନା ଅନୁକୂଳ ହେଲେ ହିଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ ବୋଲି ରୋହିତ ଶର୍ମା ତାଙ୍କୁ ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ।
ସେ କହିଛନ୍ତି, ୨୦୨୧ରେ ମୁଁ ବହୁତ ଖରାପ ଅନୁଭବ କରିଥିଲି, କାରଣ ମୋତେ ଦଳରେ ସାମିଲ କରାଯାଇନଥିଲା। ୨୦୨୨ରେ ଅନ୍ତତଃ ମୁଁ ଦଳରେ ଥିଲି। ଅନେକ ସମୟରେ ଆପଣ ଜାଣିଥାନ୍ତି ଯେ କେଉଁ ଦଳୀୟ ସଂଯୋଜନା କାମ କରିବ ନାହିଁ। ସେଥିପାଇଁ ମୁଁ ଏସବୁ ବିଷୟରେ ଅଧିକ ଚିନ୍ତା କରେ ନାହିଁ। ତଥାପି ମୋତେ ସବୁବେଳେ ଲାଗେ ଯେ ଟି-୨୦ ବିଶ୍ୱକପରେ ଅନ୍ତତଃ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ମୋତେ ମିଳିବା ଉଚିତ ଥିଲା। ରୋହିତ ଶର୍ମା ମୋତେ ସ୍ପଷ୍ଟ ଭାବେ କହିଦେଇଥିଲେ ଯେ ଦଳର ଆବଶ୍ୟକତା ଅନୁଯାୟୀ ସଂଯୋଜନା ହେଲେ ହିଁ ମୁଁ ଖେଳିବି। ଅନ୍ତତଃ ମୋତେ ଏ ବିଷୟରେ ସ୍ପଷ୍ଟ ଧାରଣା ମିଳିଯାଇଥିଲା।

