ନୂଆଦିଲ୍ଲୀ,୩୧।୧୦: ବିଶ୍ୱର ସବୁଠାରୁ ବିସ୍ଫୋରକ ଓପନିଂ ବ୍ୟାଟରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ଅଭିଷେକ ଶର୍ମା। ତାଙ୍କର ବର୍ତ୍ତମାନର ଦମ୍ଦାର ଫର୍ମ ଦର୍ଶାଉଛି ଯେ, ରାଙ୍କିଂରେ ବିଶ୍ୱର ନମ୍ବର-୧ ସ୍ଥାନ ହାସଲ କରିବାକୁ ସେ ପ୍ରକୃତରେ ହକଦାର। ଏବେ ତାଙ୍କ ଗୁରୁ ତଥା ମେଣ୍ଟର ଯୁବରାଜ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା ଉଚିତ ବୋଲି ଯୁବରାଜ କହିଛନ୍ତି।
ଆଗାମୀ ପିଢ଼ିର କ୍ରିକେଟରଙ୍କୁ ଗଢ଼ି ତୋଳିବାରେ ଲାଗିଛନ୍ତି ଯୁବରାଜ ସିଂ। ପ୍ରକୃତରେ ଅଭିଷେକ ଶର୍ମା, ଶୁଭମନ ଗିଲ ଏବଂ ପ୍ରଭସିମରନ ସିଂଙ୍କ ଭଳି କ୍ରିକେଟରଙ୍କୁ ଯୁବରାଜ ହିଁ ନିଜ ମାର୍ଗଦର୍ଶନରେ ଗଢ଼ି ତୋଳିଛନ୍ତି। ତାଙ୍କ କହିବା ଅନୁସାରେ, ଅଭିଷେକ, ବୈଭବ ସୂର୍ଯ୍ୟବଂଶୀ ଏବଂ ଇଶାନ କିଶନଙ୍କ ଭଳି ଖେଳାଳିଙ୍କୁ ଯଦି ଦିନିକିଆ ଦଳରେ ସୁଯୋଗ ନମିଳେ, ତେବେ ଏହା ସେମାନଙ୍କ ପ୍ରତିଭାର ଅପଚୟ ହେବ।
ନିକଟରେ ଯୁବରାଜ ସିଂ ମୁମ୍ବାଇ ଯାଇଥିଲେ। ଏଠାରେ ଅଭିଷେକ ଶର୍ମାଙ୍କୁ ଦିନିକିଆ ଦଳରେ ସାମିଲ କରିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ତାଙ୍କୁ (ଅଭିଷେକ) ଦିନିକିଆ ଦଳରେ ଦେଖିବାକୁ ନିଶ୍ଚିତ ଭାବେ ଚାହିଁବି। ମୁଁ ପୂର୍ବରୁ ମଧ୍ୟ କହିଛି ଯେ, ଯଦି ଆମେ ଅଭିଷେକ, ଇଶାନ କିଶନ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଖେଳାଳିଙ୍କୁ ୫୦ ଓଭର ଫର୍ମାଟରେ ସୁଯୋଗ ନଦେବା, ତେବେ ଆମେ କେଉଁଠି ନା କେଉଁଠି ନିଜ ପ୍ରତିଭା ସହ ଅନ୍ୟାୟ କରିବା। ଏହି ତିନି ଜଣ ବ୍ୟାଟର ଟି-୨୦ କ୍ରିକେଟରେ ଟପ୍ ଅର୍ଡରର ଦାୟିତ୍ୱ ସମ୍ଭାଳୁଛନ୍ତି। ଅନ୍ୟପଟେ ୨୦୨୭ ଦିନିକିଆ ବିଶ୍ୱକପ ପରେ ସମ୍ଭବତଃ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେଇପାରନ୍ତି। ଏହାପରେ ଭାରତୀୟ ଦଳର ଟପ ଅର୍ଡରରେ ଦୁଇଟି ସ୍ଥାନ ଖାଲି ହୋଇପାରେ। ବିଶେଷ କରି ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ଲିଷ୍ଟ-ଏ ଓ ଦିନିକିଆ କ୍ରିକେଟର ଅଧିକ ଅଭିଜ୍ଞତା ନାହିଁ। ବୈଭବ ଏପର୍ଯ୍ୟନ୍ତ ମାତ୍ର ୧୩ଟି ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି। ତଥାପି ଏହି ଯୁବ ଖେଳାଳିଙ୍କୁ ଦିନିକିଆ ଦଳ ପାଇଁ ପ୍ରସ୍ତୁତ କରିବାକୁ ଟିମ ମ୍ୟାନେଜମେଣ୍ଟ ଉଦ୍ୟମ କରିବା ଉଚିତ ବୋଲି ଯୁବରାଜ ମତ ଦେଇଛନ୍ତି।
ଯୁବରାଜ ସିଂ ମଧ୍ୟ ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ ୫୦ ଓଭର ଫର୍ମାଟରେ ଅଭିଷେକ, ବୈଭବ ଏବଂ ଇଶାନଙ୍କ ପାଇଁ ସ୍ଥାୟୀ ସ୍ଥାନ ହାସଲ କରିବା ସହଜ ନୁହେଁ। କିନ୍ତୁ ସେମାନଙ୍କର ବର୍ତ୍ତମାନର ଦମ୍ଦାର ପ୍ରଦର୍ଶନକୁ ଦେଖିଲେ ଖୁବଶୀଘ୍ର ସେମାନଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ଉଚିତ।

