ତୁମେ ଦେଲେ ଆମେ ଦେବୁ

ଏବେ ସାରା ଦେଶରେ ଭୋଟ ନିର୍ବାଚନ ଚାଲିଛି। ଦେଶରେ ହେବ ମୋଟ ସାତୋଟି ପର୍ଯ୍ୟାୟରେ ଭୋଟ ଲୋକ ସଭା ପାଇଁ। ଲୋକ ସଭା ହେଉଛି ଦେଶର ଆଇନ ତିଆରି ଗୃହ। ଏଠି ବସି ସାଂସଦ ଦେଶ ଦଶ ପାଇଁ ତିଆରି କରିଥାନ୍ତି ଆବଶ୍ୟକ ଆଇନ। ସେମିତି ଆଇନ ତିଆରି ଗୃହ ବିଧାନସଭା ପାଇଁ ଆମ ରାଜ୍ୟରେ ବି ଚାଲୁରହିଛି ନିର୍ବାଚନର ଗଣ ପର୍ବ। ଆମ ରାଜ୍ୟରେ ହେଉଛି ଚାରୋଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ। ସରିଲାଣି ଦୁଇଟି ପର୍ଯ୍ୟାୟରେ ଭୋଟ। ବାକି ଦୁଇଟି ପର୍ଯ୍ୟାୟର ଭୋଟ ସରିଲେ ସାରା ଦେଶରେ ଭୋଟଦାନ କାମ ସରିବ। ତା’ପରେ ଜୁନ୍‌ ଚାରି ତାରିଖକୁ ଲୋକ ସଭା ଓ ରାଜ୍ୟ ବିଧାନସଭା ଉଭୟର ଫଳକୁ ରହିବ ଅପେକ୍ଷା। ଏମିତି ନିର୍ବାଚନ ଆସେ ଯାଏ। ଏଥରକ ନିର୍ବାଚନ ବି ଏଇ ଦେଖୁ ଦେଖୁ ସରିଯିବ। ଆଗରୁ ସେମିତି କେତେ ନିର୍ବାଚନ ଆସିଛି ଯାଇଛି। ୨୦୨୪ ସାଧାରଣ ନିର୍ବାଚନ ଆସିଛି। ସରିବ ମଧ୍ୟ। ୨୦୨୯କୁ ସେମିତି ନିର୍ବାଚନ ହେବ। ବହୁତ ଦିନ ମାନେ ପୂରା ପାଞ୍ଚ ବର୍ଷ ଥିବାର ମନେହେଉଥିଲେ ହେଁ ସମୟ ଚକ ଗଡ଼ି ଚାଲି ୨୦୨୯ ପାଖେଇ ଆସି ପହଞ୍ଚିଯିବ।
ଆମ ଦେଶରେ ପ୍ରତିଦିନ କେଉଁଠି ନା କେଉଁଠି ଯେ କୌଣସି ଭୋଟ ହୋଇଥାଏ। ଲୋକ ସଭା, ବିଧାନସଭା ସହ ପଞ୍ଚାୟତ ନିର୍ବାଚନ, ପୌର ପରିଷଦ ନିର୍ବାଚନ, ନିଗମ ନିର୍ବାଚନ, କେଉଁ ପ୍ରାଇଭେଟ ବ୍ୟାଙ୍କ ବୋର୍ଡ ଗଠନ ପାଇଁ ନିର୍ବାଚନ ଆମ ଦେଶରେ ହୋଇଥାଏ ବିଭିନ୍ନ ଦିବସ ପାଳନ କରାଗଲା ଭଳିଆ। ଏତେ ନିର୍ବାଚନ ଆମ ଦେଶରେ ହୁଏ ଯେ ଦେଶକୁ ନିର୍ବାଚନର ଦେଶ କହିଲେ ଭୁଲ୍‌ ହେବ ନାହିଁ। ବିଶ୍ୱର ପରା ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାରତ। ସମଗ୍ର ବିଶ୍ୱରେ ସବୁଠୁ ବେଶି ନିର୍ବାଚନ ବୋଧେ ଭାରତରେ ହେଉଥିବ। ସବୁପ୍ରକାର ଭୋଟ ବ୍ୟବସ୍ଥାରେ ଭୋଟ ଦେବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଶ୍ଚୟ। ରାଜ୍ୟ/ରାଷ୍ଟ୍ରର ଆଇନ ତିଆରି ଗୃହ ପାଇଁ ହେଉଥିବା ଭୋଟ ଦାନ ଏକ ରାଜନୈତିକ ଅଧିକାର ମଧ୍ୟ। ଭୋଟ ମତଦାନ ହାର ଅଧିକ ରହିଲେ ଭଲ ପ୍ରାର୍ଥୀ ନିର୍ବାଚିତ ହୋଇ ଆସିବାର ସମ୍ଭାବନା ରହିଥାଏ। ଭଲ ଯୋଗ୍ୟ ପ୍ରାର୍ଥୀ ଜୟଯୁକ୍ତ ହେବା ରାଜ୍ୟ ତଥା ରାଷ୍ଟ୍ର ପାଇଁ ଶୁଭଙ୍କର ହୋଇଥାଏ। ଶିକ୍ଷିତ ସଂସ୍କାରିତ ରାଷ୍ଟ୍ରଭକ୍ତ ଆଇନ ପ୍ରଣୟନ ଗୃହକୁ ଆସିଲେ ଗୃହର ଶୋଭା ବଢ଼ିବା ସହିତ ଗୃହ ଗୌରବାନ୍ବିତ ମଧ୍ୟ ହୁଏ। ଏବେ ଅନେକ ଉଚ୍ଚ ଶିକ୍ଷିତ ଗୃହକୁ ନିର୍ବାଚିତ ହୋଇ ଆସି ଗୃହର ଗରିମା ମହିମାନ୍ବିତ କରନ୍ତି।
କଥା ହେଉଛି,ଭୋଟ ସମ୍ପର୍କିତ ଅନେକ କଥା ନେଇ ଭୋଟ ଆଗରୁ ଓ ଭୋଟ ପରେ କିଛି ଦିନ ଯାଏ ନାନା ଆଲୋଚନା ବାଟରେ ଘାଟରେ, ଚା’ ଖଟିରେ, ସକାଳ ସଞ୍ଜରେ ଗାଁ ମାଇପିଏ ଦଳ ହୋଇ ଗପି ବସିଥିଲା ବେଳେ, ଫାଇଲ କାମ ଛାଡ଼ି ଅଫିସରେ କର୍ମଚାରୀମାନେ କରିଥାନ୍ତି ବେଶ୍‌ ଦିନା କେତେ। ଯେତେ ପ୍ରସଙ୍ଗ ପଡ଼େ ଯେଉଁଠି ଯେଉଁ ଆଲୋଚନାରେ ସବୁଠୁ ଅଧିକ ଆଲୋଚନା ନିଶ୍ଚୟ ହେଉଥିବ କ୍ରିକେଟ ଖେଳକୁ ନେଇ। ତା’ପର ପ୍ରସଙ୍ଗ ହୋଇପାରେ ରାଜନୀତି। ନୀତି ମଧ୍ୟରେ ରାଜା ବା ଶ୍ରେଷ୍ଠ ଥିବା ଯୋଗୁ ବୋଧେ ଏହାର ଏମିତି ନାମକରଣ ହୋଇଛି। ରାଜନୀତି ବିନା ସବୁ ଏଠି ଅଚଳ ଯେମିତି। ରାଜୁଡ଼ା କାଳରେ ରାଜାଙ୍କର ନୀତି ବୋଲି ରାଜନୀତି ଥିଲା ଚର୍ଚ୍ଚିତ। ଏବେ ଗଣତନ୍ତ୍ରରେ ରାଜନୀତି କରିପାରନ୍ତି ସଭିଏ, ସବୁ ନାଗରିକ ଯା’ର ଇଚ୍ଛା ହେଲା। ଏବର ରାଜନୀତିରେ ସଭିଏ ଠିଆ ହୋଇପାରନ୍ତି। ବସି ବି ପାରନ୍ତି। ଠିଆ ହେବା ମାନେ ଭୋଟରେ ଠିଆ ହେବା/ ଲଢ଼ିବା। ବସିବା ହୋଇପାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା।
ଏମିତି ଥରେ ଛୋଟ ଭୋଟରେ ଠିଆ ହେବାକୁ ମନ କଲେ ବାସୁବାବୁ। କେତେ ଜଣ ବି ଟିହାମତା କଲେ ପଞ୍ଚାୟତରେ ସାହି ମେମ୍ବର ହେବା ପାଇଁ। ବାସୁବାବୁ ବି କୁତୁକୁତୁ ହେଉଥିଲେ। ଭୋଟ ବେଳ ଯେତେବେଳେ ଆସିଲା ସେ ବି ମନୋନୟନ ଦାଖଲ ପତ୍ର ଖଣ୍ଡେ ଆଣି ପକାଇ ଦେଲେ। ବାସୁବାବୁଙ୍କ ନାଆଁ ଭୋଟ ଲଢ଼ିବା ତାଲିକାରେ ଉଠିଲା। ଆଉ ଦଳେ ସେମିତି ଆଉ ଜଣକୁ କୁହାବୋଲା କରି ବାସୁବାବୁ ବିରୁଦ୍ଧରେ ଠିଆ କରାଇଦେଲେ। ବିପକ୍ଷର ଥିଲା ମାଠିଆ ଚିହ୍ନ। ବାସୁବାବୁଙ୍କର ବହି ଚିହ୍ନ। ମାଠିଆ ଚିହ୍ନବାଲା ଆଗୁଆ ସାହିଯାକର ସବୁ ଘରେ ଲେଖି ଆଣିଲା ମାଠିଆଚିହ୍ନରେ ଭୋଟ ଦେବାକୁ। ବାସୁବାବୁ ଏବେ କରିବେ କ’ଣ ?
ଲେଖିବେ କେଉଁଠି? ବହି ଚିହ୍ନରେ ଭୋଟ ମାଗିବାକୁ ସାହିରେ କେଉଁ ଲୋକର ଘର କାନ୍ଥରେ ଆଉ ମେଲା ଜାଗା ନାହିଁ। ଏ ନେଇ ସେ ଜଣକୁ ବୁଦ୍ଧି ମାଗିଲେ। ଜଣେ ବାସୁକୁ ବୁଦ୍ଧି ବତାଇଲେ। ମାଠିଆ ଚିହ୍ନ ଯେଉଁଠି ଅଙ୍କାଯାଇଛି, ସେଇ ଚିହ୍ନ ତଳେ ତୁମ୍ଭେ ଲେଖି ଆଣ – ‘ତୁମେ ଦେଲେ ଆମେ ଦେବୁ’। ରାତିରେ ସେମିତି ଲେଖି ଆଣିଲେ ବାସୁବାବୁ ଲୋକ ଲଗାଇ। ସକାଳୁ ସେ ଲେଖା ଦେଖି ସଭିଏ ହସିଲେ। ସାହିରେ ସବୁରି ମୁହଁରେ ସେଇ କଥା ‘ତୁମ୍ଭେ ଦେଲେ ଆମ୍ଭେ ଦେବୁ’। ଏହାର ଅର୍ଥ କ’ଣ ହୋଇପାରେ, ଏ ନେଇ କେତେକେ ଫୁସୁରୁଟୁପୁରୁ ହେଲେ। କିଏ କହିଲା ଏବେ ତ ଭୋଟ ବେଳ ଭୋଟ ପାଇଁ ଭତ୍ତା ମାଗୁଥିବେ। ‘ଭୋଟ ପାଇଁ ପରୋକ୍ଷରେ ଦିଅ ନୋଟ’ ଏ କଥା କହୁଥାଇପାରନ୍ତି। ସେମିତି କ’ଣ ଭୋଟ କିଏ ଦିଏ? କିଛି ଦେଲେ ସିଏ ବି ଦେବେ। ଅର୍ଥାତ୍‌ ଦେଲେ ଦେବେ, ନ ଦେଲେ ନାହିଁ। ଆଜିର ଦିନରେ ସବୁ ଯେତେବେଳେ କିଣା ବିକା ହେଉଛି ଭୋଟ କିଣା ବିକା ନ ହେବ ବା କେମିତି ? ଦେଖାଯାଇଥିଲା, ମାଠିଆ ଚିହ୍ନବାଲା ଯେଉଁଠି ଯେଉଁଠି ଯାହା ଯାହା ଲେଖିଥିଲେ ଭୋଟ ଦେବା ପାଇଁ ତାଙ୍କ ସପକ୍ଷରେ ସେସବୁକୁ ଗୋଟାମୋଟା ଲିଭାଇ ଦେଇଥିଲେ। ବିପକ୍ଷ ପ୍ରାର୍ଥୀଙ୍କ ‘ତୁମେ ଦେଲେ ଆମେ ଦେବୁ’ ବିଚାରଯୁକ୍ତ ଲେଖା ବୋଧେ ଖୁବ୍‌ କାଟୁ କରିଥିଲା।

  • ଧ୍ରୁବ ଚରଣ ଘିବେଲା
    ବଉଦରାଜ, ବୌଦ୍ଧ

Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?