ତୁମେ କିଛି ଜାଣିନ

ଆପଣଙ୍କୁ ଯଦି କିଏ କହିବ ତୁମେ କିଛି ଜାଣିନ। ନିଶ୍ଚିତ ଆପଣ ପ୍ରତିକ୍ରିୟାଶୀଳ ହୋଇପଡ଼ିବେ। ଆବଶ୍ୟକସ୍ଥଳେ ଉଚ୍ଚବାଚ ବି ହୋଇପାରେ। ନିଜକୁ ସମ୍ଭାଳି ପାରିବେନି। କେହି କେହି କାହାର ତୁଣ୍ଡ ଲାଗିବା ଉଚିତ ନୁହେଁ ଭାବି ଚୁପ ବି ରହିଯିବେ। ଅଥଚ ନିଜ ଭିତରେ ବ୍ୟଥିତ ହେବେ। ଏମିତି ବ୍ୟଥିତ ହୋଇ ପାର୍କର ଏକ ବେଞ୍ଚ୍‌ରେ ବସିଥିଲେ ସେ ଦିନ ଶଶିଶେଖରବାବୁ। ଶଶିଶେଖରବାବୁ ଆଉ ଅଳ୍ପ କିଛି ମାସରେ ଚାକିରିରୁ ଅବସର ନେବେ। ଦେଖୁ ଦେଖୁ ବିଷଣ୍ଣ ବଦନରେ କହିଲେ – ‘ଶୁଣନ୍ତୁ! ଆପଣ ତ ଏତେ କଥା ଲେଖୁଛନ୍ତି , କହିଲେ ସତରେ ମଣିଷ କିଛି ଜାଣେନି। ଆସି ବୁଢାବୟସ ହେଲା ଏବେବି ମୋତେ କିଛି ଜାଣିନି ବୋଲି କହିଲେ କ’ଣ ଲାଗିବ କହିଲ! ‘ଶଶିଶେଖରବାବୁଙ୍କ ମରମ ବ୍ୟଥାକୁ ବୁଝିବା କ’ଣ ସହଜ ା ଦୂରକୁ ଦେଖି ଡଙ୍ଗର ବିଷୟରେ ଗପିବା କିମ୍ବା ହିଡ଼ରେ ଥାଇ ନଦୀ ପାଣିର ଗଭୀରତାକୁ ଅନୁମାନ କରିବା ଯାହା ସେହି ସମୟରେ ଶଶିଶେଖରବାବୁଙ୍କ କଥାକୁ ବୁଝିବା ତାହା। ଅନେକ ସମୟରେ ଏମିତି ପରିସ୍ଥିତିର ସାମ୍ନା କରେ ମଣିଷ। ଲୋକଙ୍କ ଭିଡ଼ ଭିତରେ ହଠାତ୍‌ ଆପଣଙ୍କୁ ଦୃଷ୍ଟି ଆକର୍ଷଣ କଲାଭଳି କେହି କହିବେ ଆପଣ କିଛିଜାଣି ନାହାନ୍ତି। ବାକିଲୋକ ଆପଣଙ୍କୁ ଚାହିଁବେ। ସେତେବେଳେ ଆପଣଙ୍କ ଇଚ୍ଛା ହେବ ଆଗେ ଯାଇ ଦି ଚାପଡ ଥୋଇଦିଏ ତେଣିକି ପଛ କଥା ଯାହା। କିନ୍ତୁ ଅସଲରେ ମଣିଷ କିଛି କରିପାରେନା। ଖାଲି ଭିତରେ ଭିତରେ ସେହି ଲୋକଟିକୁ ବହେ ଶୋଧିବା ଏବଂ ବାହାରେ ଅନ୍ୟ ଲୋକଙ୍କ ସହ ନିଜର ରୋଷକୁ ବ୍ୟକ୍ତ କରି ସନ୍ତୁଷ୍ଟିଲାଭ କରିବା ବ୍ୟତୀତ କିଛି ଚାରା ନ ଥାଏ। ମଣିଷ ନିଜର ମାପଦଣ୍ଡରେ ଅନ୍ୟକୁ ତଉଲିବାକୁ ଚେଷ୍ଟା କରିଥାଏ ସବୁବେଳେ। ମୁଁ ଏମିତି କରିପାରୁଛି ସେ କି ପାଇଁ ନାହିଁ ା ସେ କରିପାରୁଛି ଯଦି ତୁ କି ପାଇଁ ନାହିଁ ା ପୁଣି ଯୋଡି କହିବେ ସେ ବି ମଣିଷ ତୁ ବି ମଣିଷ। ସମାନ ଅଙ୍ଗପ୍ରତ୍ୟଙ୍ଗ ଥାଇ ଜଣେ କରିପାରୁଛି। କିନ୍ତୁ ଆର ଜଣକ କାହିଁକି ନାହିଁ। ବିଶେଷକରି ଚାକିରି କ୍ଷେତ୍ରରେ ଅଧସ୍ତନଙ୍କୁ, ଅଭିଭାବକ ନିଜ ପିଲାଙ୍କୁ, ମାଲିକ ତା’ର କର୍ମଚାରୀଙ୍କୁ ଏଭଳି ଅପରିପକ୍ୱ ଉଦାହରଣ ଦିଏ। ତୁଳନା କରିବାରେ ଆମେ ସବୁ ଓସ୍ତାଦ। କିନ୍ତୁ ମଣିଷ -ମଣିଷ ଭିତରେ ଅନେକ ପ୍ରଭେଦ ରହିଛି ା ଶକ୍ତି, ସାମର୍ଥ୍ୟ ଓ ମେଧା ଦୃଷ୍ଟିରୁ ଜଣେ ଆରକ ମଧ୍ୟରେ ଅନେକ ଫରକ ଥାଏ ସେ କଥାକୁ ଅନେକ ଲୋକ ଭୁଲି ଯାଆନ୍ତି।
ପାରିବାରିକ କ୍ଷେତ୍ରରେ ଏଭଳି ତୁଳନାର ପଟ୍ଟାନ୍ତର ନାହିଁ। ପ୍ରତିକଥାରେ ମା’ବାପା ଓ ପରିବାରର ବଡ଼ମାନେ କହିଚାଲନ୍ତି ନାନା କଥା। ଏହା ଅନେକ ସମୟରେ ପିଲାଙ୍କ ଭିତରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ପିଲାଟି ଭୟାନକ ପଦକ୍ଷେପ ନେଇଯାଏ। ପିଲାଟି ଜନ୍ମ ହୋଇ ବଡ଼ ହେଲାବେଳେ ତା’ଠାରୁ ବଡ଼ମାନେ କଥାକଥାରେ କହିବେ ଆରେ ତୁ ଛୁଆଟେ ! କ’ଣ ବୁଝିବୁ। ତୁ କିଛି ଜାଣିନୁ। ଚୁପ ରହ। ବଡ଼ଲୋକଙ୍କ କଥାରେ ମୁଣ୍ଡ ପୂରାନା। ପିଲାଟି ଚୁପ୍‌ ରହିଯାଏ। ସ୍କୁଲକୁ ଗଲେ ଶିକ୍ଷକ ବି କହିଦିଅନ୍ତି ତୁ କିଛି ଜାଣିନୁ। ଶିଖିବାକୁ ଚେଷ୍ଟା କର। ଅମୁକ ପରି ହେବାକୁ ଉଦ୍ୟମ କର। ସେଇଠି ତା’ର ବିକାଶରେ ବ୍ରେକ୍‌ ଲାଗିଯାଏ ଅନେକାଂଶରେ। କିଶୋର ବୟସ ହେଲେ ଆହୁରି ବେଶି ନଜର ବଡ଼ଙ୍କର ା କ’ଣ ସବୁ ଅଡୁଆ କାମ ଭିତରେ ପଶି ଯାଇନି ତ! ଏ ବୟସରେ ସେ କ’ଣ ଜାଣିଛି! ଏମିତି ଭାବନା ଭିତରେ ବେଶି ବେଶି ତାଗିଦ। ବୟସ ବଢିଲେ ଘରେ ବାହାରେ ଲୋକେ କହିବେ ଆପଣ କିଛିଜାଣି ନାହାନ୍ତି। ଘର ଲୋକ କହିବେ ଆଉଟ୍‌ଡେଟେଡ୍‌ ଭର୍ସନ। ଯୁଗ ସହ ତାଳ ଦେଇ ଚାଲି ପାରୁନ। ଯୁଗୋପଯୋଗୀ ହେବାକୁ ପଡିବ ଇତ୍ୟାଦି ଇତ୍ୟାଦି। ଧୀର ସ୍ଥିର ଭାବରେ ଜୀବନକୁ ଆଗକୁ ବଢ଼େଇଲା ପରେ ବି ଶାନ୍ତି ନାହିଁ। ପରିଣତ ବୟସରେ ବି ପୁଅଝିଅ କହିବେ ତୁମେ କିଛିଜାଣିନ। ଚାକିରି କଲସିନା କିଛି ଜାଣି ପାରିଲନି ା ନଚେତ ମା’କୁ କହିବେ ତୁ ଘର ଭିତରେ ରହିରହି କିଛି ଜାଣିପାରିଲୁନି। ଦୁନିଆ କୁଆଡେ ନା କୁଆଡେ ଗଲା। ତୁମେ ସବୁ ମାନ୍ଧାତା ଅମଳରେ ରହିଛ। ଛୁଆ ଭଳି ହେଉଛ। ଟିକେ ତ ସ୍ମାର୍ଟ ହୁଅ। ଏତିକିରେ ବୟସ୍କ ମଣିଷର ଆଖିରୁ ଲୁହଝରେ। ହୃଦୟ ମନ୍ଥିହୋଇଯାଏ। କିଛି ଉତ୍ତର ଦେବାକୁ ବି ସାହସ କୁଳାଏନି। ଶେଷରେ ଏସବୁ ଶୁଣୁଥିବା ନାତିନାତୁଣୀ ଦିନେ କହିବେ ତୁମେ କିଛିଜାଣିନ। ଏସବୁ ମଜାଲାଗେ ପିଲାଙ୍କ ତୁଣ୍ଡରୁ ଶୁଣିବା। କିନ୍ତୁ ସାମଗ୍ରିକ ଭାବରେ ଦେଖିଲେ ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାହା ହେଲେ କେଉଁଠି ଜାଣିଲା !
ଜୀବନ ତମାମ ନ ଜାଣିବା ପଣରେ ସେ ବଞ୍ଚିଲା। ସବୁ ସ୍ତରରେ ମଣିଷ କିଛି ବି ଜାଣିଲା ନାହିଁ। ଯଦିଓ ସବୁ ମଣିଷ ସବୁ ବିଷୟରେ ଜାଣିବା ଜରୁରୀ ତାହା ନୁହେଁ। ନ ଜାଣି ବି ଚୁପ୍‌ ରହିବା ଆଦୌ ଉଚିତ ନୁହଁ। ବିଶାଳ ଦୁନିଆ ଭିତରେ ମଣିଷର ପାରଦର୍ଶିତା ସୀମିତ। ତା’ର ଉତ୍କର୍ଷ ନିର୍ଦ୍ଦିଷ୍ଟ ଅଥବା କିଛି ଦିଗରେ ଥାଇପାରେ। ଅନେକ ଦିଗରେ ସେ ଅଜ୍ଞ ରହିବା ସ୍ବାଭାବିକ। ଏହା ତା’ର ଅବୁଝାପଣ। ନିଜ ନିଜ ସ୍ତରରେ ସମୀକ୍ଷା କଲାବେଳେ ମଣିଷ ଜାଣିପାରେ ନିଜର କାଢୁଆପଣ। ସେ କେଉଁଥିରେ କେତେ ପାରଙ୍ଗମ ନିଜ ଭିତରେ ଅସୁମାରୀ ଶୂନ୍ୟତା ଓ ଅଜ୍ଞତା ଥାଇ ଅନେକ ସମୟରେ ନିଜର ପଦ ଓ ପ୍ରତିଷ୍ଠାର ଅପବ୍ୟବହାର କରନ୍ତି ବହୁତ ଲୋକ। ଅନ୍ୟକୁ ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି। ସବୁ କିଛି ଜାଣିବାର ଯିଏ ଆସ୍ଫର୍ଦ୍ଧା ରଖେ, ବାସ୍ତବରେ ସେ ସମସ୍ତଙ୍କ ନିକଟରେ ନିନ୍ଦିତ ହେବା ଥୟ। ଏକଥା ବି ସତ ଯେ ନିଜ ନିଜ ବୃତ୍ତି ଓ ବେଉଷା ଭିତରେ ଅନେକ କଥା ଜୀବନତମାମ ଜାଣି ହୁଏନା। ଗଭୀର ଓ ଗହନ କଥାକୁ ହେଜି ହୁଏନା। ତା’ ସତ୍ତ୍ୱେ ସେଇ ସେଇ କର୍ମରେ ଯେ ସାଧାରଣ କଥାକୁ ଯଦି ଜାଣିପାରିବାନି କିମ୍ବା ବୁଝିପାରିବାନି, ତେବେ ହୁଏତ ଆମର ଅଜ୍ଞତା ଆମ ପାଇଁ ନିଶ୍ଚିତ ସମସ୍ୟା। ଆଉ ତୁମେ କିଛି ଜାଣିନ ବୋଲି ଅପବାଦ ମୁଣ୍ଡେଇବା ଶିରୋଧାର୍ଯ୍ୟ। ଶୁଣିବା, ଦେଖିବା ଓ ଜାଣିବା। ଜାଣିଲେ ଯାଇ ଜିଣିବା। ଏତେ କଥା ଶୁଣିବା ପରେ ଶଶିଶେଖରବାବୁ ଏଥର ଦୀର୍ଘଶ୍ୱାସ ଛାଡିଲେ ଓ ଠୋଠୋ ହୋଇ ହସିଲେ। କହିଲେ – ”ଭାବୁଥିଲି ମୁଁ ହିଁ ଏସବୁର ଶିକାର ହୋଇଛି। କିନ୍ତୁ କେଡ଼େ ସହଜରେ ବୁଝେଇଦେଲ ଯେ ଏହା ଘର ଘରର କଥା। ସବୁ ପାରିବାରିକ ମଣିଷମାନେ ଶୁଣି ଆସୁଛନ୍ତି – ତୁମେ କିଛିଜାଣିନ! ମନଟା ହାଲୁକା ହୋଇଗଲା ମଣିଷର ା“ ଏଥର ମୁଁ ଚାଲିଲି କହି ପୁଳାଏ ଖୁସିକୁ ନେଇ ବସିବା ସ୍ଥାନରୁ ଉଠିଚାଲିଲେ।

ଡ. ଦ୍ୱିତୀଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?