Posted inଫୁରସତ

ଯା ଦେବୀ ସର୍ବ ପେଣ୍ଡାଲେ…

ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା ବିଭିନ୍ନ କଟକଣା । ସଭା ଆରମ୍ଭରୁ ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ଗରମା ଗରମ ମିଶାଇଲ ଫୋପଡାରେ ସଭାସ୍ଥଳ ସରଗରମ ହୋଇଉଠିଲା । ଗ୍ରାମର ଯୁବକମାନେ ଦୁର୍ଗାପୂଜା କମିଟିର ବୟସ୍କମାନଙ୍କ ଉପରେ ମନଇଚ୍ଛା ବର୍ଷିଗଲେ । ତାଙ୍କର ଯୁକ୍ତି ଥିଲା ଏ ବୁଢ଼ା ମୁରବିମାନେ ସରକାରଙ୍କ ଆଦେଶକୁ ମୁଣ୍ଡପାତି ମାନିନେଇ ବଡ଼ ଭୁଲ କରିଛନ୍ତି । ଆରେ ବର୍ଷକୁ ଥରେ ପୂଜା, ସେଥିରେ ପୁଣି ଏତେ ନିୟମ କାନୁନ ।
ଏ ସରକାର ଶିବ ବିରୋଧୀ ବୋଲି ନିଜକୁ ପ୍ରମାଣିତ କରିସାରିଲେଣି । ରଥଯାତ୍ରାକୁ ଅନୁମତି ମିଳିଲା । ଜଗନ୍ନାଥ ତାଙ୍କ ପରିବାର ସହ ଯାତ୍ରା କଲେ ।
ଶିବଙ୍କ ବେଳକୁ ସବୁ କଟକଣା କ’ଣ ପାଇଁ ? ବୋଲ୍‌ ବମ୍‌ ବନ୍ଦ, ଗଣେଶ ପୂଜା ବନ୍ଦ, ଦୁର୍ଗା ପୂଜା ବନ୍ଦ । ଆଗକୁ କାର୍ତ୍ତିକେଶ୍ୱର ପୂଜା କ’ଣ ହେବ ଏବେଠୁ ଜଣା ପଡ଼ିଲାଣି । ଦେଶରେ ଏ ପରିବାର ପ୍ରିୟାପ୍ରୀତି ଆଉ ଚଳିବନି ।
ଯଦି ଚଳିବ ତେବେ ରାସ୍ତାରେ ନିଆଁ ଜଳିବ । ତୁମେମାନେ ଯଦି ପାରୁନ ତେବେ ଗାଦି ଛାଡ଼। ଆମମାନଙ୍କୁ ଆଗକୁ ଆସିବାକୁ ଦିଅ ଦେଖିବ ଆମେ କେମିତି ପୂଜା କରୁଛୁ। କେତେ ସରକାର ଆସିଲେଣି ଗଲେଣି, କେତେ ବେମାର ଆସିଲାଣି ଗଲାଣି । ଯେଉଁ ପୂଜା ହେବା କଥା ହେଉଛି ନା ନାହିଁ ।
ଭାଇ ଦେଖିଲେ ପରିସ୍ଥିତି ଅଣାୟତ୍ତ ହେଲାଣି । ଆଜିକାଲିର ଛୁଆ ନିଜ ହାତରେ ନିଜେ ଚଉଦପା । ଏମାନଙ୍କ ମନ ନେଇ କାମ ନ କଲେ ନିଜ ମୁରବିପଣିଆକୁ ଖତରା । ଉପରକୁ ପୁଣି ଦେହରେ ମୁଣ୍ଡରେ ବସିବା ସାର ହେବ । ନରିଆ ଭାଇ ସମସ୍ତଙ୍କୁ ଶାନ୍ତ ହେବାକୁ ଅନୁରୋଧ କରି କହିଲେ ‘ଆମକୁ ଏମିତି କିଛି ଚିନ୍ତା କରିବାକୁ ପଡ଼ିବ ଯେମିତି ସାପ ମରିବ କିନ୍ତୁ ବାଡ଼ି ଭାଙ୍ଗିବନି । ସରକାରଙ୍କ ନିୟମ ଭିତରେ ରହି କେମିତି ଆମେ ଆମ ମୁତାବକ ପୂଜା କରିବା ସେ ବିଷୟରେ ଚିନ୍ତା କର। କାହାପାଖରେ ଯଦି କିଛି ଉପାୟ ଅଛି କୁହ ।“ ଏଥର ସମସ୍ତେ ଗ୍ରାମର ନାମକରା ବାଣୀପୁରୁଷ ପିନୁଆ ଆଡେ ଅନେଇଲେ। ଖାସ ତାରି ପାଇଁ ଏ ବର୍ଷ ଅଗଷ୍ଟ ପନ୍ଦରକୁ ଗ୍ରାମର ଇଜ୍ଜତ ରହିଗଲା । ଏବେ ବିଦ୍ୟାନଗରୀରେ ତା’ର ଖାତିର କାହିଁରେ କ’ଣ । ଗ୍ରାମର ମୁଖ୍ୟ ମାମଲତ୍କାର ଖୋଦ ନରିଆ ଭାଇ କେତେଥର କହିଲେଣି ଟୋକାଟା ସିନା ଦେଖିବାକୁ ନଡ଼ନଡ଼ିଆ ହେଲେ ମୁଣ୍ଡରେ ଭେଜା ଭର୍ତ୍ତି । ଟ୍ୟାଲେଣ୍ଟେଡ଼ ଛୁଆଟା । ଆଗରୁ ସଭାରେ ପଛରେ ବସୁଥିବା ପିନୁଆ ଏବେ ନରିଭାଇଙ୍କ ସାଇଡ଼ରେ ବସୁଛି ।
ବୋଧେ ଅପେକ୍ଷା କରିଥିଲା, ଟିକେ ସଳଖେଇ ବସି କହିବା ଆରମ୍ଭ କଲା, ”ସରକାର ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟ ହେବ କହିଛନ୍ତି । ମହିଷାସୁର ମୂର୍ତ୍ତି ବିଷୟରେ କିଛି ନିର୍ଦ୍ଦିଷ୍ଟ ଉଚ୍ଚତା କୁହାହେଇନି । ଆମେ ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟ କରିବା ହେଲେ ମହିଷାସୁର ମୂର୍ତ୍ତି ଦଶ ଫୁଟ ରହିବ ।“ ପଛରୁ କିଏ ଜଣେ କହିଲା,- ”ଏମିତି ହେଲେ ମୂର୍ତ୍ତି କ’ଣ ସୁନ୍ଦର ଦିଶିବ“ । ପିନୁଆ ଛେପ ଢୋକି ପୁଣି ଆରମ୍ଭ କଲା ” ଦେଖ ଆଜିକାଲି ଯିଏ ଯେତେ ନୂଆ ଆଇଡିଆରେ ମୂର୍ତ୍ତି କରିବ ସେ ସେତେ ପପୁଲାର ହେବ । ଆଗରୁ ଗଣେଶଙ୍କ ଚଷମା ଜିନ୍‌ ପ୍ୟାଣ୍ଟ ପିନ୍ଧି ମୋଟର ସାଇକେଲରେ ବସିଥିବା ମୂର୍ତ୍ତିକୁ ଲୋକେ ବିରୋଧ କରୁଥିଲେ, ଏବେ ଏ ସବୁ ଦେହସୁହା ହୋଇଗଲାଣି । ଲୋକେ ଖୋଜି ଖୋଜି ଏମିତିକା ମୂର୍ତ୍ତି ଦେଖିବାକୁ ଯାଉଛନ୍ତି । ଖବରକାଗଜ ବାଲା ଏଭଳି ମୂର୍ତ୍ତିର ଫଟୋ ବେଶି ଛାପୁଛନ୍ତି । ଏମିତିରେ ଦେଖିବାକୁ ଗଲେ ଆଜି ମହିଷାସୁରର ଖାତିର ସମାଜରେ ଦୁର୍ଗାଙ୍କ ଠାରୁ କାହିଁ କେତେ ଉଚ୍ଚରେ ।
ଏବେକାର ଦୁର୍ଗା ନିଛାଟିଆ ଜାଗାରେ ମହିଷାସୁରକୁ ଦେଖିଲେ ପ୍ରମାଦ ଗଣୁଛନ୍ତି । ସଭା ସମିତି ଉଦ୍‌ଘାଟନ ଉତ୍ସବ ଇତ୍ୟାଦିରେ ଯେଉଁଠି ଦେଖ ମହିଷାସୁରମାନେ ସମ୍ମାନିତ ଅତିଥି । ଦୁର୍ଗାମାନେ ସେମାନଙ୍କୁ ତିଳକ ଲଗେଇ ବେକରେ ହାର ପକେଇ ମଞ୍ଚକୁ ପାଛୋଟି ନେଉଛନ୍ତି । ନୂଆ ଡିଜାଇନର ମୂର୍ତ୍ତି ହେଲେ ଖବରକାଗଜ ବାଲା ଆମର ବେଶି ପ୍ରଚାର କରିବେ ।“ ନରିଆ ଭାଇ ପିନୁଆ ପିଠିକୁ ଥାପୁଡ଼େଇ କହିଲେ ”ସେଇଥିପାଇଁ ତ ଫିଲ୍ମରେ ଭିଲେନମାନଙ୍କ ଭାଉ ବେଶି।“ ଏତେବେଳ ଯାଏ ସବୁ ଚୁପ୍‌ଚାପ୍‌ ଶାନ୍ତର ସହ ଶୁଣୁଥିବା ଯୁବକସସଂଘ ସେକ୍ରେଟାରି ସନ୍ତୁଆର ଧୈର୍ଯ୍ୟ ଭଙ୍ଗ ହେଲା । ସେପଟୁ ଚିଲେଇଲା ‘ଓହୋ ରଖ ମ ତମ ମୂର୍ତ୍ତି ଫୁର୍ତ୍ତି କଥା । ମୂର୍ତ୍ତି ହେଉ କି ନ ହେଉ କିନ୍ତୁ ଭସାଣି ଯାତ୍ରା ହେବ କି ନାହିଁ ସେଇଟା କୁହ। ବିନା ଭସାଣିରେ କି ପୂଜା ଜମିଲାଣି ନା କେବେ ଜମିବ । ସମସ୍ତଙ୍କ ପାଇଁ ସମ୍ବଲପୁରୀ ଗାମୁଛା ସହ କର୍ପୂର ହାର ହେବ । ପାଞ୍ଚ ପଚାଶ ପଛେ ଖର୍ଚ୍ଚ ହଉ ଶ୍ରୀକାକୁଲମରୁ ବ୍ୟାଣ୍ଡ ପାର୍ଟି ସହ ଚାଙ୍ଗୁ ଓ ଢୋଲକ ବାଜା ରହିବ । ଆମ ମେଢ଼ ପାର୍ବତୀପୁର ଏରିଆ ଭିତର ଦେଇ ଯିବ ମାନେ ଯିବ । ତାଙ୍କ ଦେବୀଘର ସାମ୍ନାରେ ବନଟି ବୁଲିବ ।
ଦେଖିବି କୋଉ ପୋଲିସ ମୋର କ’ଣ ଉଖାଡିବେ । ଜାନ୍‌ ଯାଉ ପଛେ ମାନ୍‌ ରହୁ ।“ ସଭାରେ ଉପସ୍ଥିତ ଯୁବକସଂଘର ସଭ୍ୟମାନଙ୍କ ତାଳିମାଡ଼ରେ ଏରିୟା କମ୍ପିଲା । କେହି କେହି ପାର୍ବତୀପୁର ମୁଖିଆଙ୍କ ଚଉଦପୁରୁଷ ନାଁ ନେଇ ଅଶ୍ରାବ୍ୟ ଭାଷାରେ ମନ୍ତବ୍ୟ ଦେଲେ । ନରିଆ ଭାଇ ହାତ ହଲେଇ ସମସ୍ତଙ୍କୁ ଚୁପ ବସିବାକୁ ତାଗିଦ କରି କହିଲେ, ”ସରକାରଙ୍କ ପାଖରେ ଶାନ୍ତିକମିଟି ସମସ୍ତ କୋଭିଡ ନିୟମ ମାନି ପୂଜା ସମ୍ପନ୍ନ କରିବ ବୋଲି ଲିଖିତ ଅନୁରୋଧ କରିଛି । ଉପର ସ୍ତରରେ ବିଚାର ବିମର୍ଶ ଚାଲିଛି । ଧୈର୍ଯ୍ୟଧର । ଏମିତି ଛାନିଆ ହେଲେ କ’ଣ ହେବ । ସରକାରଙ୍କ ହାତରେ କ’ଣ ଆଉ କଥା ଅଛି ।
ଏବେ ସବୁ କୋର୍ଟ ଉପରେ ରହିଛି । କୋର୍ଟ ଯାହା କହିବ ତାକୁ ସମସ୍ତେ ମାନିବାକୁ ବାଧ୍ୟ । ଏଯାଏ ମୂର୍ତ୍ତି କଥା ଛିଣ୍ଡିନି ତୁମର ଭଷାଣି ଚିନ୍ତା ହେଲାଣି ।“
ପଛରେ ଭାଙ୍ଗ ଟେଳା ପକେଇ ଘୁମଉ ଥିବା ବେନୁଆଦି କହିଲେ, କେତେ ଜଜ୍‌ ମାଜିଷ୍ଟର ଆଇଲେଣି, କେତେ ଗଲେଣି ସେଇ କଚେରି ପଡିଛି ନା ନାହିଁ । ଫି ସାଲ ଏମିତି କେତେ ନିୟମ ହେଲାଣି ଭାଙ୍ଗିଲାଣି, ପୂଜା ହେବା କଥା ହେଉଛି ନା ନାହିଁ । ଦୁଇ ବର୍ଷ ହେଲାଣି ଛୁଆ ସବୁ ଘରେ ବସି ବସି ତାଙ୍କ ଗୋଡ଼ ହାତ କାଉନ୍ଦା ହୋଇଗଲାଣି । ନୀତି ନୂଆ ଡିଜାଇନ୍‌ର ଡ୍ରେସ ପିନ୍ଧି ସହର ଯାକ ଚକ୍କର କାଟୁଥିବା ପିଲାମାନେ ସରକାରଙ୍କ କଥା ମାନି ହାପ୍‌ପେଣ୍ଟରେ ଦିନ କାଟୁଛନ୍ତି ପଛେ ଆଦେଶକୁ ବିରୋଧ କରିନାହାନ୍ତି ।
ଏଣୁ ସରକାର ବି ପାଦେ ଆଗେଇଆସି ପିଲାମାନଙ୍କ କଥା ଭାବନ୍ତୁ । ଛୁଆମାନେ ଯଦି ମନ କରିଛନ୍ତି ତାହାହେଲେ ମୂର୍ତ୍ତି ପୂଜା ପଛେ ବନ୍ଦ ହେଉ ହେଲେ ଛୁଆମାନଙ୍କ ପାଇଁ ଭଷାଣି ଯାତ୍ରାଟା ହେଉ । ସରକାର କହୁଛି ଦେବୀ ବିସର୍ଜନ ଶୋଭାଯାତ୍ରା ହେବନି । ହଉ ହେଲା, ଆମେ ଭସାଣିରେ ଦେବୀଙ୍କ ମୂର୍ତ୍ତି ନେବାନି । ବିନା ଦେବୀରେ ହେଉଥିବା ଶୋଭାଯାତ୍ରାକୁ କ’ଣ ବିସର୍ଜନ ଶୋଭାଯାତ୍ରା କୁହାଯିବ କି? “ ଜଣେ ପଚାରିଲା ”ଦାଦି, ଦୁରୁଗା ମୂର୍ତ୍ତିତ ଯିବେନି ଆମେ ଭସେଇବୁ କାହାକୁ ।“ ବେନୁଆଦି ଚଟାପଟ ଉତ୍ତର ଦେଲେ, ”ଆରେ ମୂର୍ତ୍ତି ନାହିଁ ବୋଲି କ’ଣ ଦେବୀଙ୍କ ଘଟ ଆଉ ଛଡାଫୁଲ ନାହିଁ? ସେସବୁ ମେଢ଼ରେ ଥୁଆହୋଇ ଯିବ। ବିସର୍ଜନ ହେବ ।“
ଯାହାକୁହ ବେନୁଆଦିଙ୍କ କଥା ସମସ୍ତଙ୍କ ମନକୁ ପାଇଲା । ଶେଷରେ ଏହି ନିଷ୍ପତ୍ତି ହେଲା ଯେ ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟିଆ ହେବ ଓ ମହିଷାସୁର ମୂର୍ତ୍ତି ଦଶ ଫୁଟିଆ ହେବ । ବିନା ଦେବୀଙ୍କ ମୂର୍ତ୍ତିରେ ଭସାଣି ଶୋଭାଯାତ୍ରା ହେବ । ସା ଆସନ୍ନ ହେତୁ ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ବସିଥିବା ସଭା କାର୍ଯ୍ୟ ସରିଲା । ତେଣେ ମନ୍ଦିର ଭିତରେ ନନା ଆଳତି ସମୟରେ ମନ୍ତ୍ରୋଚ୍ଚାରଣ କରୁଥାନ୍ତି- ଯା ଦେବୀ ସର୍ବ ପେଣ୍ଡାଲେ ଖର୍ବ ରୂପେଣ ସଂସ୍ଥିତା…….
ଓଁ ଅଭିଜ୍ଞାନ ସାହୁ

-ବନମାଳୀ ଭବନ, ଖାନନଗର, କଟକ, ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri