ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ ୨୭.୩ ଅଙ୍କ ପାଇ ଭାରତ ୧୦୫ତମ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁସାରେ ୯.୯ ଅଙ୍କ ସ୍ବଳ୍ପ କ୍ଷୁଧାକୁ ସୂଚାଉଥିବା ବେଳେ ୧୦ରୁ ୧୯.୯ ଅଙ୍କ ମଧ୍ୟମ, ୨୦ରୁ ୩୪.୯ ଗମ୍ଭୀର ଓ ୩୫ରୁ ୪୯.୯ ଅତି ଗମ୍ଭୀର ଓ ୫୦ରୁ ଊର୍ଦ୍ଧ୍ୱ ଅଙ୍କ ଭୟଙ୍କର କ୍ଷୁଧାକୁ ସୂଚାଏ।ଯେବେ ବି ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟ ଆସେ ଭାରତ ସରକାର ଓ ବୁଦ୍ଧିଜୀବୀମାନେ ଏହାର ଯୁକ୍ତିଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଚଳିତବର୍ଷ ରିପୋର୍ଟରେ ଯଦିଓ ଭାରତରେ କ୍ଷୁଧାର ପରିସ୍ଥିତିକୁ ଗମ୍ଭୀର ବୋଲି ଦର୍ଶାଯାଇଛି କିନ୍ତୁ ସାଧାରଣରେ ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ପ୍ରାୟତଃ ବିଶ୍ୱାସଯୋଗ୍ୟ ହୋଇ ନ ଥାଏ।ତେଣୁ ଏହି ରିପୋର୍ଟକୁ ବୁଝିବାକୁ ହେଲେ ବିଶ୍ୱ ଖାଦ୍ୟ ସୂଚକାଙ୍କର ମାନକ ବା ଇଣ୍ଡିକେଟର ଗୁଡ଼ିକ ବୁଝିବାକୁ ହେବ। ଏହି ସୂଚକାଙ୍କରେ ପ୍ରାପ୍ତ ହେଉଥିବା ଅଙ୍କ ମୁଖ୍ୟତଃ ଚାରୋଟି ପ୍ରମୁଖ ମାନକ ଭିତ୍ତିରେ ନିର୍ଦ୍ଧାରଣ ହୋଇଥାଏ।

ଯଥା ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଷ୍ଟଣ୍ଟିଙ୍ଗ ବା ବୟସ ଅନୁସାରେ କମ୍‌ ଉଚ୍ଚତାର ହାର (ଦୀର୍ଘକାଳୀନ ଅପପୁଷ୍ଟି), ଲୋକମାନଙ୍କ ମଧ୍ୟରେ ପୋଷଣର ଅଭାବ (କମ କ୍ୟାଲୋରି ସେବନ କରୁଥିବା ଲୋକମାନଙ୍କର ହାର), ପାଞ୍ଚ ବର୍ଷରୁ କମ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଅପପୁଷ୍ଟି (ଉଚ୍ଚତା ଅନୁସାରେ କମ ଓଜନ) ଓ ଶିଶୁ ମୃତ୍ୟୁହାର (ପାଞ୍ଚ ବର୍ଷ ପୂର୍ବରୁ ମୃତ୍ୟୁବରଣ କରୁଥିବା ଶିଶୁ)।ରିପୋର୍ଟ ଅନୁସାରେ ଭାରତରେ ୧୩.୭% ଲୋକ ଉପଯୁକ୍ତ କ୍ୟାଲୋରିର ଆହାର ସେବନ କରିବାରୁ ବଞ୍ଚିତ ହେଉଛନ୍ତି, ୩୫.୫% ଶିଶୁ ଷ୍ଟଣ୍ଟିଙ୍ଗର (ବୟସ ଅନୁସାରେ ଉଚ୍ଚତା କମ) ଶିକାର ହୋଇଥିବା ବେଳେ ୧୮.୭% ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ କମ୍‌ ଓ ୨.୯% ଶିଶୁ ସେମାନଙ୍କର ପଞ୍ଚମ ଜନ୍ମଦିନ ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ଏଭଳି ସ୍ଥିତି ପାଇଁ ଭାରତ ବିଶ୍ୱ ଖାଦ୍ୟ ସୂଚକାଙ୍କରେ ତଳେ ରହୁଛି; ଯାହାକୁ ଭାରତ ସରକାର କିମ୍ବା ବୁଦ୍ଧିଜୀବୀମାନେ ଅସ୍ବୀକାର କରିପାରନ୍ତି କିନ୍ତୁ ସତ୍ୟତାକୁ ଆଖି ବୁଜିଦେଇ ହେବନାହିଁ।

ଗତ କିଛିବର୍ଷ ହେବ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ନେଇ ଭାରତ ସରକାର ଯଦିଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ପୋଷଣ କରୁଛନ୍ତି ଓ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି, ତଥାପି ପରିସ୍ଥିତିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହୁରି ଅଧିକ ନିଷ୍ଠାର ଆବଶ୍ୟକତା ରହିଛି। ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ନ୍ୟାଶନାଲ ମିଶନ ଫର୍‌ ନାଚୁରାଲ ଫାର୍ମିଂ ଆଦି ଯୋଜନା ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ପରିସ୍ଥିତିରେ ଅନେକ ସୁଧାର ଆଣିଛି। କିନ୍ତୁ ଭାରତରେ ଯେଉଁଠି ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ ଅତ୍ୟଧିକ, ଜାତି, ଧର୍ମ ଓ ବର୍ଗକୁ ନେଇ ଲୋକଙ୍କ ପରିସ୍ଥିତିରେ ଆକାଶ ପାତାଳ ତଫାତ୍‌, ସେଠି କେବଳ କେତେକ ଯୋଜନା କାର୍ଯ୍ୟକାରୀ କରିବା ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ହେବ ନାହିଁ। ବିଭିନ୍ନ ସରକାରୀ ଓ ବେସରକାରୀ ତଥ୍ୟ ପ୍ରମାଣ କରୁଛି ଯେ, ଦେଶରେ ଆଦିବାସୀ, ଦଳିତ ଓ ଅତିଗରିବ ଅଞ୍ଚଳଗୁଡ଼ିକରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ସୁରକ୍ଷାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। କେବଳ ଚକଚକିଆ ସହର, କିଛି ବିକଶିତ ଗ୍ରାମ ବା ଭିତ୍ତିଭୂମିର ବିକାଶକୁ ଲକ୍ଷ୍ୟ କରି ସମଗ୍ର ଦେଶକୁ ଗୋଲାପି ବୋଲି ଚିତ୍ରିତ କରିହେବ ନାହିଁ। ଏହା ବିଶ୍ୱ ଖାଦ୍ୟ ସୂଚକାଙ୍କ ପୁଣି ଥରେ ପ୍ରମାଣ କରିଛି।

ମହିଳାମାନଙ୍କର ଦୁର୍ବଳ ସ୍ବାସ୍ଥ୍ୟ ଓ ପୁଷ୍ଟି, ରକ୍ତହୀନତା, ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ଆଦି ପରିସ୍ଥିତି ଶିଶୁ ଅପପୁଷ୍ଟି ସମସ୍ୟାକୁ ଗମ୍ଭୀର କରୁଛି। ଆମେ ଜାଣିଛେ ଗୋଟେ ଦୁର୍ବଳ ଓ ଅପପୁଷ୍ଟିର ଶିକାର ମହିଳାଙ୍କ କ୍ଷେତ୍ରରେ କମ ଓଜନର ଶିଶୁକୁ ଜନ୍ମ ଦେବାର ସମ୍ଭାବନା ଅଧିକ ।

ଏହିପରି ଭାବରେ ଅପପୁଷ୍ଟି ଚକ୍ର ଗଡ଼ି ଚାଲୁଛି। କେବଳ ସରକାରଙ୍କ କିଛି ଯୋଜନା ବା ଅତିରିକ୍ତ ପୋଷକ ଆହାର ପ୍ରଦାନରେ ଏହି ସମସ୍ୟାର ସମାଧାନ କରିହେବ ନାହିଁ। ଯେପର୍ଯ୍ୟନ୍ତ ସମାଜର ନିମ୍ନ ବର୍ଗର ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ପ୍ରଦାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ଏ ସମସ୍ୟାର ସମୂଳେ ସମାଧାନ ହେବା କଷ୍ଟସାଧ୍ୟ। ଆମେ ଦେଖୁଛେ ଗତ କିଛିବର୍ଷ ହେବ ଭାରତର ଅପପୁଷ୍ଟି ହାର କମ୍‌ ହେଉଛି। କିନ୍ତୁ ଯେଉଁ ହାରରେ କମିବା କଥା ତାହା ହେଉନାହିଁ। ଏହାର ପଛରେ ଲୋକମାନଙ୍କ ପାଖରେ ମୌଳିକ ସୁବିଧା ସୁଯୋଗର ଅଭାବ, ସମ୍ପତ୍ତି ଉପରେ ଅଧିକାର, ଲିଙ୍ଗଗତ ବିଷମତା ଆଦି ମୌଳିକ ସମସ୍ୟା ରହିଛି। ସରକାର ଏ କ୍ଷେତ୍ରରେ ପଦକ୍ଷେପ ନ ନେଲେ ବିଭିନ୍ନ ବିଶ୍ୱ ସ୍ତରୀୟ ଅଧ୍ୟୟନରେ ଭାରତର ଚିତ୍ର ଧୂସର ହିଁ ରହିବ।

ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ହେଉଥିବା ଅନ୍ୟାନ୍ୟ ଅଧ୍ୟୟନ ଓ ବିଶ୍ୱ ଖାଦ୍ୟ ସୂଚକାଙ୍କ ପ୍ରମାଣ କରୁଛି ଯେ ଜିଡିପି ଅଭିବୃଦ୍ଧି ସହିତ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାର ପ୍ରତ୍ୟକ୍ଷ ସମ୍ପର୍କ ବହୁତ କମ୍‌। ସରକାର ଦର୍ଶାଉଛନ୍ତି , ଦେଶର ଜିଡିପି ବଢି ଚାଲୁଛି, ଭାରତ ପାଞ୍ଚ ଟ୍ରିଲିଅନ ଅର୍ଥନୀତି ଦିଗରେ ଦ୍ରୁତ ବେଗରେ ଗତି କରୁଛି, ତଥାପି ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ଆଶାନୁରୂପ ଉନ୍ନତି ହାସଲ ନ ହେବା ଏହାକୁ ପ୍ରମାଣ କରୁଛି। ତେଣୁ ଜିଡିପିି ଅଭିବୃଦ୍ଧି ସହିତ ଯଦି ବିସମତାକୁ କମ କରିବା ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ବିକାଶ କେବଳ କିଛି ଲୋକଙ୍କ ବିକାଶରେ ସୀମିତ ରହିଯିବ। ସାଂପ୍ରତିକ ବିକାଶ ପ୍ରକ୍ରିୟାକୁ ସାମୂହିକ ବିକାଶରେ ପରିଣତ କରିବା ପାଇଁ ହେଲେ ବିସମତାକୁ କମ କରିବାକୁ ପଡ଼ିବ।

ସମାଜରେ ଆଦିବାସୀ, ଦଳିତ, ସଂଖ୍ୟାଲଘୁ, ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରି ଏହାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରିବାକୁ ହେବ। ଶାସନ ଓ ଯୋଜନା ପ୍ରସ୍ତୁତ ସମୟରେ ଏହି ସବୁ ବର୍ଗର ଲୋକମାନଙ୍କର ଭାଗୀଦାରିତାକୁ ନିଶ୍ଚିତ କରିବାକୁ ପଡ଼ିବ। ଜନସଂଖ୍ୟାର ଏକ ସିଂହଭାଗ କୁହାଯାଉଥିବା ଚାଷୀଙ୍କ ପରିସ୍ଥିତି ପ୍ରତି ଆଖି ବୁଜି ଦେଇ ସମଗ୍ର ଦେଶର ବିକାଶ, ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ନିଶ୍ଚିତ କରିବା କେବଳ ଏକ ଦିବା ସ୍ବପ୍ନ ଛଡ଼ା ଆଉ କିଛି ନୁହେଁ। ସରକାର ଯେଭଳି ଭାବେ ଦରମା ଓ ଭତ୍ତା ବୃଦ୍ଧି କରୁଛନ୍ତି, କମ୍ପାନୀମାନଙ୍କ ପାଇଁ ରିହାତି ଦେଉଛନ୍ତି, ସେହି ହାରରେ କ’ଣ ଚାଷୀମାନଙ୍କ ଅବସ୍ଥାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଉଛନ୍ତି? ବାହାନାରେ ଦେଶର ବିକାଶର ଦାୟ ଦିଆଯାଉଛି। ଗୋଟିଏ ପଟେ ଦେଶର ଅର୍ଥନୀତିର ଆକାର ଓ ଜିଡିପି ବଢ଼ୁଛି, କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଭୋକରେ ରହୁଛନ୍ତି। ସଂପ୍ରତି ଅର୍ଥନୀତିରେ ନୋବେଲ ପାଇଥିବା ଅର୍ଥନୀତିଜ୍ଞ ଡାରୋନ ଆକେମୋଗ୍ଲୁ, ଜେମ୍ସ ରବିନସନ ଓ ସାଇମନ ଜନସନ ମଧ୍ୟ ସାମାଜିକ ନ୍ୟାୟ, ଶୋଷଣହୀନ ଶାସନ ବ୍ୟବସ୍ଥା, ନିମ୍ନବର୍ଗର ଲୋକଙ୍କ ସମୃଦ୍ଧି ଉପରେ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ଗୁରୁତ୍ୱ ଆରୋପ କରିଛନ୍ତି। ତେଣୁ ସରକାର ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ନିଷ୍ଠାପର ଭାବେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ:୯୪୩୮୪୬୮୪୭୪

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri