ଭଞ୍ଜ ସାହିତ୍ୟରେ ନାରୀ

ବାଦଲ ଭୂୟାଁ

କବିତାକୁ କଳାମଞ୍ଜୁଳ ଓ ରସାଳତମ ସଙ୍ଗୀତ ବାହାନାରେ ଅଧିଷ୍ଠିତ କରାଇବା ପାଇଁ ବହୁ ଶତାବ୍ଦୀ କାଳ ଓଡ଼ିଆ ଜାତି ସାଧନା କରିଥିଲା। କିନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ହିଁ ଏହି ସାଧନାର ମୁଣ୍ଡି ମାରିଥିଲା। ଯେଉଁ ଅଳଙ୍କାର ବିଭବ ଓ ରସବିଭବ ନେଇ ସଂସ୍କୃତ ଭାଷା ବିଶ୍ୱବନ୍ଦ୍ୟା, ସେ ସବୁକୁ ନିଜ କାବ୍ୟ କବିତାରେ ପ୍ରବର୍ତ୍ତନ କରି ଓଡ଼ିଆ ଭାଷାର ସ୍ଥିତି ଦୃଢ଼ କରିଥିଲେ କବି ସମ୍ରାଟ। ତେବେ ସେତେବେଳର ସମାଜରେ ନାରୀର ଦୟନୀୟ ସ୍ଥିତିକୁ ପରିବର୍ତ୍ତନ କରିବାର ଚିନ୍ତା ନେଇ ସେ ଯେଉଁ କାବ୍ୟ କବିତାମାନ ରଚନା କରିଯାଇଥିଲେ ତା’ର ପ୍ରଭାବ ଆଜିର ସମାଜରେ ଦେଖିବାକୁ ମିଳୁଛି। ଓଡ଼ିଆ ଜାତି ଯେଉଁ ଜଣକୁ କବିଭାବେ ହୃଦୟର ସହିତ ଗ୍ରହଣ କରିଛି ସେ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଗତାନୁଗତିକ ସାହିତ୍ୟରୁ ବ୍ୟତିକ୍ରମ ଥିଲା ଭଞ୍ଜ ସାହିତ୍ୟ। ସମାଜକୁ ସୁସ୍ଥ ସୁନ୍ଦର କରିବାରେ ସହାୟକ ହେଉଥିବା ପୁରାଣ ବର୍ଣ୍ଣିତ ବିଚାରଧାରାକୁ ଗ୍ରହଣ କରିବା ସହ ଏହାର ପରିପନ୍ଥୀ ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ। ସେଥିମଧ୍ୟରୁ ମୁଖ୍ୟ ଥିଲା ନାରୀମାନଙ୍କ ସମ୍ପର୍କରେ ପୁରାଣ ଆଦିରେ ରହିଥିବା ଚିନ୍ତାଧାରା। ମାନବ ସମାଜର ଅର୍ଦ୍ଧେକ ନାରୀ ଶକ୍ତି ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମରେ, ଧର୍ମଗ୍ରନ୍ଥରେ ସେମାନଙ୍କୁ ସର୍ବଦା ନୂ୍ୟନଭାବେ ଦର୍ଶାଯାଇଛି। ଏହାକୁ ଉପେନ୍ଦ୍ର ଭଞ୍ଜ ସହଜରେ ଗ୍ରହଣ କରିପାରି ନ ଥିଲେ।
ଭାଗବତରେ ନାରୀମାନଙ୍କୁ ଶୂଦ୍ରମାନଙ୍କ ସହ ତୁଳନା କରାଯାଇ ବେଦ, ଶାସ୍ତ୍ର ଶୁଣିବା, ପଢ଼ିବା, ଆଲୋଚନା କରିବା ନିମନ୍ତେ ଅଯୋଗ୍ୟ ବୋଲି କୁହାଯାଇଛି। କୋରାନ୍‌ ଓ ବାଇବେଲ୍‌ରେ ମଧ୍ୟ ନାରୀମାନଙ୍କ ଉପରେ ପୁରୁଷଙ୍କ ଆଧିପତ୍ୟକୁ ସ୍ବୀକୃତି ଦିଆଯାଇଛି। ତ୍ରିପିଟକରେ କୁହାଯାଇଛି, ”ଯେଉଁ ପର୍ଯ୍ୟନ୍ତ ସ୍ତ୍ରୀମାନଙ୍କ ପ୍ରତି ପୁରୁଷମାନଙ୍କର ଅଣୁମାତ୍ର କାମନା ରହିବ ସେ ପର୍ଯ୍ୟନ୍ତ ପୁରୁଷ ମଧ୍ୟ ଦୁଗ୍ଧ ପିଉଥିବା ବାଛୁରୀ ଯେପରି ଗାଈ ସହିତ ରହିଥାଏ, ସେହିଭଳି ସ୍ତ୍ରୀ ସହିତ ବାନ୍ଧି ହୋଇ ରହିଥିବ।“ ଧର୍ମଗ୍ରନ୍ଥଗୁଡ଼ିକରେ ନାରୀ ନିର୍ଯାତନା କେବଳ ଲେଖନୀରେ ସୀମିତ ନ ଥିଲା ବରଂ ତାହା ପ୍ରକୃତରେ ହେଉଥିଲା। ରାମାୟଣ, ମହାଭାରତ ଆଦି ଗ୍ରନ୍ଥରେ ନାରୀ ନିର୍ଯାତନାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଥାଏ। ରାମାୟଣରେ ସୀତା, ମହାଭାରତରେ ଦ୍ରୌପଦୀ ଯେଉଁଭଳି ଭାବେ ସର୍ବସମ୍ମୁଖରେ ନିର୍ଯାତିତା ହୋଇଛନ୍ତି ତାହା ଏବେ ମଧ୍ୟ ସଚେତନ ବ୍ୟକ୍ତିର ଲୋମ ଟାଙ୍କୁରାଇ ଦିଏ। କବି ସମ୍ରାଟ ଭଞ୍ଜଙ୍କ ହୃଦୟ ଏହି ଅତ୍ୟାଚାରରେ ବ୍ୟଥିତ ହୋଇଛି। ସେ ନାରୀ ପୁରୁଷଙ୍କ ଜୀବନ ଓ ଆତ୍ମା ଭିତରେ କୌଣସି ପାର୍ଥକ୍ୟ ଦେଖିନାହାନ୍ତି। ତେଣୁ ତାଙ୍କ ମତରେ ଅତ୍ୟାଚାର ତ ଦୂରର କଥା ପୁରୁଷ ନାରୀ ଉପରେ ଆଧିପତ୍ୟ ବିସ୍ତାର କରିବା ଉଚିତ ନୁହେଁ। ନାରୀ ପୁରୁଷ ଦୁଇରେ, ଘେନି ଏକ ଜୀବନ କେବଳ ତନୁ ଭିନ୍ନ, ଯୋଗେ ଏକତ୍ୱ ହୋଇରେ। (ଲା.ବ.-୪୭/୧୮)
ହିନ୍ଦୁ ପୁରାଣଗୁଡ଼ିକରେ ନାରୀର ପାତିବ୍ରତ୍ୟ ଓ ସତୀତ୍ୱ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଏଥି ନିମନ୍ତେ ବହୁବିଧ ଉପାସବ୍ରତ, କଠୋର ନୀତିନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୃନ୍ଦାବତୀ, ସୀତା, ସାବିତ୍ରୀ, ସତୀ ଅନସୂୟା ଭଳି ଚରିତ୍ରର ସତୀତ୍ୱ ଓ ପତିଭକ୍ତିର ବର୍ଣ୍ଣନା କରାଯାଇ ନାରୀମାନଙ୍କ ସେହିଭଳି ହେବାପାଇଁ ପ୍ରେରିତ କରାଯାଇଛି। ଶିବପୁରାଣ, ଲକ୍ଷ୍ମୀପୁରାଣ ଆଦିରେ ନାରୀମାନଙ୍କୁ ଦାସୀଭାବେ ବର୍ଣ୍ଣନା କରାଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରାଣ ବର୍ଣ୍ଣିତ ଏହି ମତବାଦକୁ ଗ୍ରହଣ କରିପାରିନାହାନ୍ତି। କେବଳ ସେତିକି ନୁହେଁ, ପୁତ୍ର ସନ୍ତାନକୁ ଉତ୍କୃଷ୍ଟ ବୋଲି ମାନିନାହାନ୍ତି ସେ। ତାଙ୍କ ମତରେ ପୁତ୍ର, କନ୍ୟା ଉଭୟେ ଈଶ୍ୱରଙ୍କ ଅବଦାନ। ତେଣୁ ସେମାନଙ୍କ ଭିତରେ ଶ୍ରେଷ୍ଠ ଓ ନିକୃଷ୍ଟର ପାତରଅନ୍ତର ବିଚାର ଈଶ୍ୱରଙ୍କ ଇଚ୍ଛା ନୁହେଁ। ରାଜା, ମହାରାଜା ଓ ମୋଗଲ ସମ୍ରାଟମାନଙ୍କ ଅମଳରେ ନାରୀମାନଙ୍କୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରାଯାଉଥିଲା। କବି ଉପେନ୍ଦ୍ର ଏହା ବିରୋଧ କରିପାରିଥିଲେ। ଏକ ସୁସ୍ଥ ସୁନ୍ଦର ସମାଜ ପାଇଁ ସେ ନାରୀମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାକଥା ଚିନ୍ତା କରିଥିଲେ।
ଉପେନ୍ଦ୍ର ଭଞ୍ଜଙ୍କ କବିତାରେ ନାରୀର ସର୍ବଦା ମୁଖ୍ୟ ସ୍ଥାନ ରହିଛି। ତାଙ୍କର ଶହ ଶହ କାବ୍ୟରେ ନାରୀର ସ୍ଥାନ ବନ୍ଦନୀୟା ହୋଇ ରହିଛି। ନିଜସ୍ବ ରୀତିରେ ସେ ନାରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବାକଥା ଚିନ୍ତା କରିଥିଲେ। ତେଣୁ ସେ ସ୍ତ୍ରୀକୁ ସମସ୍ତ ମୂଲ୍ୟବାନ୍‌ ରତ୍ନଠାରୁ ଭିନ୍ନ, ଅନନ୍ୟ ଓ ଅମୂଲ୍ୟ ଭାବେ ବର୍ଣ୍ଣନା କରିଛନ୍ତି। କବି ଉପେନ୍ଦ୍ର ଜାଣିଥିଲେ ସୌନ୍ଦର୍ଯ୍ୟ ଦ୍ୱାରା ନାରୀକୁ ପୁରୁଷଠାରୁ ଭିନ୍ନ ଓ ଅନନ୍ୟ କରାଯାଇପାରିବ। ତେଣୁ ତାଙ୍କର କାବ୍ୟ କବିତାରେ ସେ ନାରୀର ସୌନ୍ଦର୍ଯ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ଲାବଣ୍ୟବତୀ’, ‘ପ୍ରେମ ସୁଧାନିଧି’ ଆଦି କାବ୍ୟଗ୍ରନ୍ଥରେ ସେ ନାରୀର ପ୍ରତିଟି ଅଙ୍ଗକୁ ଶବ୍ଦ ଚାତୁରୀରେ ବହୁ ଉପମା ଦେଇ ଉତ୍କର୍ଷ ପ୍ରମାଣ କରିଛନ୍ତି। କିଏ କୁରଙ୍ଗ କି ଅବା ତୁ ରଙ୍ଗ। ଏଣି ତେଣିକି କରାଇ ସୁରଙ୍ଗ। କିଏ ନବ ବିକଚ ପଦ୍ମଦଳ। ପଡ଼ି କାଳନ୍ଦୀ ଜଳେ ଢଳଢଳ। କିଏ ସୁଧା ସିନ୍ଧୁର ଅବତରି। ହୁଏ ତରଳ ଗରଳ ଲହରୀ। କି ଏ ଗଙ୍ଗା କଲ୍ଲୋଳେ ବାତ ଯୋଗେ। ନୀଳ ଉପତ୍ଳ ଚଳେ ଢଳେ ଦୁଇ ଦିଗେ। (ର.ଲେ. ୫-୫-୮) କେବଳ ସୌନ୍ଦର୍ଯ୍ୟରେ ନାରୀକୁ ଶ୍ରେଷ୍ଠତା ପ୍ରଦାନ କରି ଚୁପ୍‌ ହୋଇ ବସି ଯାଇ ନ ଥିଲେ କବି ଉପେନ୍ଦ୍ର। ଏବେଠାରୁ ତିନିଶହ ବର୍ଷ ତଳେ ମଧ୍ୟ ସେ ନାରୀ ଶିକ୍ଷାର ମହତ୍ତ୍ୱ ବିଷୟରେ ଚିନ୍ତା କରିପାରିଥିଲେ। ସେ ଜାଣିଥିଲେ ଯେ ଶିକ୍ଷିତା ନ ହେଲେ ନାରୀ ପୁରୁଷର ସମକକ୍ଷ ହୋଇପାରିବ ନାହିଁ। ତେଣୁ ନିଜର କାବ୍ୟ ନାୟିକାମାନଙ୍କୁ ସେ ବିଭିନ୍ନ ବିଦ୍ୟାରେ ପାରଦର୍ଶୀ ବିଦ୍ୟା ସହିତ ସଙ୍ଗୀତ ଶାସ୍ତ୍ର, ନୃତ୍ୟଶାସ୍ତ୍ର, ଚିତ୍ରକଳା, ତନ୍ତ୍ର ବିଦ୍ୟା, ଜ୍ୟୋତିଷ ବିଦ୍ୟାରେ ମଧ୍ୟ ପାରଙ୍ଗମ କରାଇଛନ୍ତି ସେମାନଙ୍କୁ। କେବଳ କାବ୍ୟ ନାୟିକା ନୁହେଁ ସଖୀ ଓ ଦାସୀମାନଙ୍କୁ ମଧ୍ୟ ସେ ଶିକ୍ଷିତା କରାଇ ନାରୀମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ପୁଣି ପୋଥିଗତ ବିଦ୍ୟାରେ ସନ୍ତୁଷ୍ଟ ହୋଇନାହାନ୍ତି କବି ଉପେନ୍ଦ୍ର। ବୁଦ୍ଧିବଳରେ ନାରୀ ପୁରୁଷର ସମକକ୍ଷ ହୋଇପାରିବ ଭାବି ସେ ନିଜ ରଚନାରେ ନାରୀ ଚରିତ୍ରମାନଙ୍କୁ ବିଦୂଷୀ, ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନା ଭାବରେ ଚିତ୍ରଣ କରିଛନ୍ତି। ନାରୀକୁ ପୁରୁଷର ସହକର୍ମୀ ଭାବେ ସମଭୂମିରେ ଅବସ୍ଥାପନ କରାଇଛନ୍ତି।
ନାରୀମାନଙ୍କ ସମ୍ବନ୍ଧରେ ନିଜର ମନ୍ତବ୍ୟ ଦେଇ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ”ନାରୀରୁ ଅଧିକ ହୋଇନାହିଁ ତିନିପୁରୀ, ପରମ ପଦାର୍ଥ ଏକା ବୋଲି ସେ ନାରୀ।“ ଉପେନ୍ଦ୍ର ଭଞ୍ଜଙ୍କ କଳ୍ପନାର ନାରୀ ଆଜି ସେହି ସ୍ତରରେ ପହଞ୍ଚିପାରିଛି। ଆମେ ଏବେ ନାରୀମାନଙ୍କୁ ଶିକ୍ଷା, କର୍ମକ୍ଷେତ୍ର, କଳା, ସାହିତ୍ୟ, ବିଜ୍ଞାନ, ରାଜନୀତି, କ୍ରୀଡ଼ା ଆଦି କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ଦେଖିବାକୁ ପାଉଛୁ। ଏବେ ନାରୀମାନଙ୍କ ଅଧିକାର ସମ୍ପର୍କରେ ଦାବି କରାଯାଉଛି। ମହିଳା ସଶକ୍ତୀକରଣ କଥା କୁହାଯାଇଛି। କିନ୍ତୁ ତାହା ବହୁ ବର୍ଷ ପୂର୍ବେ ଦୂରଦୃଷ୍ଟିସମ୍ପନ୍ନ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ଦେଖିବାକୁ ମିଳିଥାଏ।
ପ୍ରତିଷ୍ଠାତା ସମ୍ପାଦକ ‘ସିଂହଭୂମ’, ୭ ଏକ୍ସଟେନ୍‌ସନ ରୋଡ୍‌, ପୁରୁଣା ସୋନାରୀ, ଜାମସେଦପୁର, ମୋ- ୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?