
ସମ୍ବଲପୁର,୧୭ା୪(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଟାମ୍ପରଗଡ ପଞ୍ଚାୟତର ବିଭିନ୍ନ ଗାଁକୁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ କରିବାକୁ ଦାବି ହୋଇଛି। ଗୁରୁବାର ପଞ୍ଚାୟତ ଅଧୀନ ଧଳପାଲ ଛକରେ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀ ବସକୁ ଅଟକାଇ ପ୍ରତିବାଦ କରିଥିଲେ।
ଯଦ୍ୱାରା ସକାଳ ୯ଟାରୁ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ବସ୍ରେ ଯାତ୍ରୀମାନେ ରହି ହଇରାଣ ହୋଇଥିଲେ। ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ବେହେରାମାଲ ଓ ଲଏଡା ରାଜସ୍ବ ଗ୍ରାମ ଅନ୍ତର୍ଗତ ଗୋଗୁଆପଡା, ମହୁଲପାଲି, ବେହେରାମାଲ, ତିରପିଟକନି, ପିପଲପଡା ସମେତ ଅନେକ ଗାଁକୁ ମୁଖ୍ୟମନ୍ତ୍ରୀ ବସ ସେବା ପହଞ୍ଚି ପାରୁନାହିଁ। ବସ୍ ଚଳାଚଳ ହେଉ ନ ଥିବାରୁ ମହିଳା ଏବଂ ଛାତ୍ରୀଛାତ୍ରମାନେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯିବା ଆସିବା କରିବାରେ ହଇରାଣ ହେଉଛନ୍ତି।
ପୂର୍ବରୁ ମଧ୍ୟ ଅଞ୍ଚଳବାସୀ ବସ୍ ଚଳାଚଳ ନେଇ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ବସ୍ ଚଳାଚଳ ଦାବି କରି ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ବସକୁ ଅବରୋଧ କରି ପ୍ରତିବାଦ କରିଥିଲେ। ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ୨୩ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳା ନିଜ ଅଞ୍ଚଳକୁ ବସ୍ ଚଳାଚଳ କରିବାକୁ ଦାବି କରି ଅବରୋଧରେ ସାମିଲ ହୋଇଥିଲେ। ବସ୍ ଅବରୋଧ କରାଯିବା ଖବର ପାଇ ଟାମ୍ପରଗଡ ପଞ୍ଚାୟତର ସରପଞ୍ଚ କ୍ଷିରୋଦ ରାଉଳ ଘଟଣାସ୍ଥଳରେ ପହଞ୍ଚି ବସ୍ ଅବରୋଧ କରିଥିବା ଏସ୍ଏଚ୍ଜି ମହିଳାଙ୍କ ସହ ଆଲୋଚନା କରିଥିଲେ। ଦାବି ହେଉଥିବା ଅଞ୍ଚଳକୁ ବସ ଚଳାଚଳ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦାବି ପୂରଣ ନ ହେଲେ ଆଗକୁ ମହିଳାମାନେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।