ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ଅନୁମୋଦନ କରି ନ ଥିଲେ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି। ଭୋଟର ତାଲିକାରେ ନିଜକୁ ପଞ୍ଜୀକୃତ କରିବା ଲାଗି ନାଗରିକମାନେ ଫର୍ମ-୬କୁ ଏକ ବୈଧାନିକ ଆବେଦନ ପତ୍ର ଭାବେ ବ୍ୟବହାର କରିଥାନ୍ତି। ତେବେ ଏହି ଭୋଟର ଫର୍ମ କିଏ ବଦଳାଇଲେ, ସେ ନେଇ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। ଇସି ରେକର୍ଡ ଦାଖଲ କଲେ କିଏ ଫର୍ମ-୬କୁ ବଦଳାଇଥିଲେ, ତାହା ଆମେ ଦେଖିବୁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କହିଛନ୍ତି।
ଫର୍ମ-୬ରେ ପରିବର୍ତ୍ତନ ସମେତ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନକୁ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ୩ ନିର୍ବାଚନ କମିଶନରଙ୍କ ମଧ୍ୟରୁ ୨ ଜଣ ପ୍ରତିବାଦ କରିଥିଲେ ବୋଲି ନିକଟରେ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ଖବର ପ୍ରକାଶ ପାଇବା ପରେ ଦାଏର ଫର୍ମ-୬ରେ
ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଅନ୍ୟ ୨ ନିର୍ବାଚନ କମିଶନରଙ୍କ ସହମତି ବିନା ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ନେବା ସହ ଗାଇଡ୍ଲାଇନ ଓ ସଫ୍ଟଓ୍ବେରରେ ପରିବର୍ତ୍ତନ କରିଥିଲେ ବୋଲି ଆବେଦନକାରୀ ଶୈଳେନ୍ଦ୍ରମଣି ତ୍ରିପାଠୀ ତାଙ୍କ ପିଆଇଏଲ୍ରେ ଦର୍ଶାଇବା ସହ ଏହାର ଚ୍ୟାଲେଞ୍ଜ କରିଥିଲେ। ତେବେ ପିଟିଶନରେ ଥିବା ନିବେଦନଗୁଡ଼ିକ ଏପଟସେପଟ ହୋଇଥିବା ଭଳି ମନେହେଉଥିବା ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ମାନେକା ଗୁରୁସ୍ବାମୀଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ବିହାର ଏସ୍ଆଇଆର୍ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ଗତ ମେ’ ମାସର ରାୟରେ ଫର୍ମ-୬ର ଘୋଷଣାନାମାକୁ ସର୍ବୋଚ୍ଚ ଅଦାଲତ କାଏମ ରଖିଥିଲେ ବୋଲି ଗତ ସେପ୍ଟେମ୍ବର ୨୬ରେ ଇସି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଥିଲେ। ଖଣ୍ଡପୀଠ ତ୍ରିପାଠୀଙ୍କ ଆବେଦନ ଉପରେ ନୋଟିସ ଜାରି କରିବା ସହ ଉକ୍ତ ମାମଲାକୁ ପାଟନା ବାସିନ୍ଦା ରାକେଶ କୁମାର ସିଂ ଦାଏର କରିଥିବା ପିଆଇଏଲ୍ ସହ ଯୋଡ଼ିଛନ୍ତି। ତ୍ରିପାଠୀ ତାଙ୍କ ଆବେଦନରେ ଦର୍ଶାଇଥିଲେ, ସିଇସିଙ୍କ କାର୍ଯ୍ୟ ସାମୂହିକ ନିଷ୍ପତ୍ତି ଗ୍ରହଣର ସାମ୍ବିଧାନିକ ଆବଶ୍ୟକତାର ଉଲ୍ଲଂଘନ କରୁଛି। ସରକାରୀ କର୍ତ୍ତବ୍ୟର ଉଲ୍ଲଂଘନ ପାଇଁ ସିଇସି ଏବଂ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ଫୌଜଦାରି କାର୍ଯ୍ୟାନୁଷ୍ଠାନ କରାଯିବାକୁ ପିଟିଶନରେ ନିବେଦନ କରାଯାଇଥିଲା।
କୌଣସି ଆଇନଗତ ବା ସାମ୍ବିଧାନିକ ସୁରକ୍ଷା ନ ଥିବାରୁ ଆଇନ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ସିଧାସଳଖ ଦାୟୀ ରହିବେ। ଜଣେ ସାଧାରଣ ଅଭିଯୁକ୍ତ ଭାବେ ସେ ପୋଲିସ ତଦନ୍ତ, ପ୍ରମାଣ ସଂଗ୍ରହ ଏବଂ ନିୟମିତ ଶୁଣାଣି ଅଧୀନ ଅଟନ୍ତି ବୋଲି ପିଟିଶନରେ କୁହାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ଆଇନ, ୨୦୨୩ର ଧାରା ୧୮ରେ ସ୍ପଷ୍ଟ ଭାବେ କୁହାଯାଇଛି, ନିର୍ବାଚନ କମିଶନରେ କୌଣସି ନିଷ୍ପତ୍ତି ନେବାରେ ମତଭେଦ ରହିଲେ ସଂଖ୍ୟାଗରିଷ୍ଠ ମତକୁ କାଏମ ରଖାଯିବ। ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଫର୍ମ୬ରେ ପରିବର୍ତ୍ତନ କରାଯାଇଥିବାବେଳେ ନିର୍ବାଚନ ନିୟମାବଳୀରେ ଆବଶ୍ୟକ ବୈଧାନିକ ସଂଶୋଧନ ବିନା ନିର୍ବାଚନ କମିଶନଙ୍କ ସଫ୍ଟଓ୍ବେର ଜରିଆରେ ପୂର୍ବ ଏସ୍ଆଇଆର ସହ ଜଡ଼ିତ ବାପା, ଜେଜେବାପାଙ୍କ ବିବରଣୀ ନିଆଯାଇଥିଲା। ଉକ୍ତ ଫର୍ମକୁ ବୈଧାନିକ ପ୍ରକ୍ରିୟା ବିନା ବଦଳାଯାଇପାରିବ ନାହିଁ ବୋଲି ୨ ନିର୍ବାଚନ କମିଶନର କହିବା ସହ ପ୍ରତିବାଦ ଜଣାଇଥିଲେ।
ତେବେ ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କୁ ନିଲମ୍ବନ କରିବା ନିମନ୍ତେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି। ଆବେଦନକାରୀ ରାକେଶ କୁମାର ସିଂଙ୍କ ପିଟିଶନର ଶୁଣାଣି କରି ନିର୍ବାଚନ କମିଶନ୍ରେ ନିଷ୍ପତ୍ତି ସର୍ବସମ୍ମତ କିମ୍ବା ସଂଖ୍ୟାଗରିଷ୍ଠ ମତରେ ନିଆଯିବା ଆବଶ୍ୟକ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି।

