ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତା ୧୫ ତାରିଖରୁ ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ରେ ଭାରତୀୟ ଦଳ ତା’ର ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ ଗେରୁଆ ରଙ୍ଗର ଜର୍ସିରେ ଖେଳିବ।
ସଭାପତି ଖାର୍ଗେ ଏକ୍ସ’ରେ ପୋଷ୍ଟ କରିଛନ୍ତି, ଭାରତୀୟ ହକି ଦଳର ଜର୍ସିର ରଙ୍ଗ ବଦଳାଯିବା କେବଳ ଏକ କ୍ରୀଡ଼ା ସମ୍ପର୍କିତ ନିଷ୍ପତ୍ତି ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ କ୍ରୀଡ଼ା ପରମ୍ପରା ସମ୍ପର୍କିତ ପ୍ରସଙ୍ଗ। ଭାରତୀୟ ଖେଳାଳି ଦୀର୍ଘ ବର୍ଷ ହେଲା ବିଶ୍ୱରେ ‘ମେନ ଇନ୍ ବ୍ଲ୍ୟୁ’, ‘ଦି ବ୍ଲ୍ୟୁସ’ ଓ ‘ଦି ବ୍ଲ୍ୟୁ ଟାଇଗର’ ଭାବେ ପରିଚିତ ହୋଇ ଆସୁଛନ୍ତି। ଏହି ପରିଚୟ କେବଳ ଜର୍ସି ରଙ୍ଗର ବିଷୟ ନୁହେଁ, ବରଂ ଏହା ଭାରତୀୟ କ୍ରୀଡ଼ାର ପରମ୍ପରା। ବର୍ତ୍ତମାନ ଏହି ଐତିହାସିକ ପରିଚୟକୁ କାହିଁକି ବଦଳାଇବାକୁ ଦରକାର ପଡ଼ିଲା, ତାହା ବୁଝିବା କଷ୍ଟକର। ପ୍ରଶ୍ନଟି କେବଳ କୌଣସି ନିର୍ଦ୍ଦିଷ୍ଟ ରଙ୍ଗର ବିଷୟ ନୁହେଁ, ବରଂ ନିଷ୍ପତ୍ତି ନେବା ପ୍ର୍ରକ୍ରିୟା, ସ୍ବଚ୍ଛତା ଓ ଜନସାଧାରଣଙ୍କ ଭାବନାର ବିଷୟ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହକି ଇଣ୍ଡିଆର ଏକ୍ଜିକ୍ୟୁଟିଭ ବୋର୍ଡର ବିନା ଅନୁମତିରେ କେଉଁ ଭଳି ନିଆଗଲା, ତାହା ସ୍ପଷ୍ଟ କରାଯିବା ଦରକାର ବୋଲି ଖାର୍ଗେ ସ୍ପଷ୍ଟ କରିଛନ୍ତି।
Dharitri – Odisha’s No.1 Odia Daily

