ପୁଞ୍ଜିପତିଙ୍କ ପଳାୟନ କାହିଁକି

ଚଳିତବର୍ଷ ଆଠ ହଜାରରୁ ଊର୍ଦ୍ଧ୍ୱ ପୁଞ୍ଜିପତି ଭାରତ ଛାଡ଼ି ଅନ୍ୟ ଦେଶରେ ବାସ କରିବେ ବୋଲି କୁହାଯାଉଛି। କେବଳ ଭାରତୀୟ ପୁଞ୍ଜିପତି ନୁହନ୍ତି, ଅନ୍ୟତ୍ର ବସତି ପାଇଁ ସାରାଦୁନିଆର ବିଭିନ୍ନ ପ୍ରାନ୍ତର ପୁଞ୍ଜିପତି ଆଜି ବିଦେଶମୁହଁା ହେଉଛନ୍ତି। ନିଜ ଦେଶର ଶାସନ ବ୍ୟବସ୍ଥା ପ୍ରତି ବୀତସ୍ପୃହ ହୋଇ ନା ପରିବାର ସହ ନିଜେ ଭଲରେ ଜୀବନ ଜିଇବା କାମନାରେ ଏମାନେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦେଶରେ ବସବାସ ପାଇଁ ପୁଞ୍ଜିପତିଙ୍କୁ ସହାୟତା କରୁଥିବା ହେନ୍‌ଲି ଆଣ୍ଡ ପାର୍ଟନର୍ସ କମ୍ପାନୀ ଦ୍ୱାରା ଜାରି ୨୦୨୨ର ଦ୍ବିତୀୟ ତ୍ରୈମାସିକ ରିପୋର୍ଟ ଅନୁସାରେ ରୁଷ, ୟୁକ୍ରେନ, ଭାରତ ଏବଂ ଚାଇନା ପରି ଦେଶରୁ ବହୁ ସଂଖ୍ୟକ ପୁଞ୍ଜିପତି ଅନ୍ୟ ଦେଶକୁ ପଳାୟନ କରୁଛନ୍ତି।
ଦେଶ ଛାଡ଼ି ଚାଲି ଯାଉଥିବା ଭାରତୀୟ ପୁଞ୍ଜିପତିମାନେ ୟୁରୋପୀୟ ଦେଶ ସମୂହ ପରେ ଦୁବାଇ ଏବଂ ସିଙ୍ଗାପୁରରେ ବସତି ପ୍ରତି ଅଧିକ ଆଗ୍ରହୀ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ପୂର୍ବରୁ ଲୋକମାନେ ଆମେରିକା ଅବା ବ୍ରିଟେନ୍‌ରେ ରହିବାର ସ୍ବପ୍ନ ଦେଖୁଥିଲେ, ବର୍ତ୍ତମାନ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ଆସିଛି। ୟୁରୋପୀୟ ସଙ୍ଘରୁ ପ୍ରସ୍ଥାନ ନେବା ପରେ ବ୍ରିଟେନ୍‌ରେ ଟିକସର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଛି, ଯେଉଁଥିପାଇଁ ଭାରତୀୟ ପୁଞ୍ଜିପତିମାନେ ବର୍ତ୍ତମାନ ଏଠାରେ ବସତି ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମେରିକାରେ ମଧ୍ୟ ଟିକସର ପରିମାଣ ବଢ଼ିଛି, ତତ୍‌ସହିତ ବିଦେଶୀଙ୍କ ପାଇଁ ରହିଥିବା ନୀତିନିୟମ ଓ କଟକଣା ପୂର୍ବାପେକ୍ଷା ଅଧିକ କଠୋର ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯୁକ୍ତରାଷ୍ଟ୍ରର ରାଜଧାନୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣା ବିଶ୍ୱ ଦରବାରରେ ଆମେରିକାକୁ କେବଳ ନିନ୍ଦିତ କରିନାହିଁ ବରଂ ତା’ର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି। ଏହି କାରଣରୁ ସାରାଦୁନିଆର ପୁଞ୍ଜିପତିମାନେ ଏହି ଦୁଇ ଦେଶଠାରୁ ଦୂରତା ରକ୍ଷା କରୁଛନ୍ତି।
ଦୁବାଇ ଏବଂ ସିଙ୍ଗାପୁର ଭଳି ସ୍ଥାନ ଭାରତର କେବଳ ନିକଟବର୍ତ୍ତୀ ତାହା ନୁହେଁ, ଏଠାରେ ସାରାଦୁନିଆର ବୈଷୟିକ ସଂସ୍ଥା ମଧ୍ୟ ରହିଛି। ଅଧିକାଂଶ ନୂତନ ଭାରତୀୟ ପୁଞ୍ଜିପତି ଯୁବ ବର୍ଗର, ଯେଉଁମାନେ ବୈଷୟିକ ଜଗତ ସହ ଜଡିତ। ତେଣୁ ଏମାନେ ଏହି ଦେଶ ଦ୍ବୟକୁ ପସନ୍ଦ କରିବା ଚକିତ କରୁନାହିଁ। ଦ୍ବିତୀୟ ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇବା ପରେ ହେନ୍‌ଲି ଆଣ୍ଡ ପାର୍ଟନର୍ସ କମ୍ପାନୀରେ କାର୍ଯ୍ୟରତା ଈପ୍ସିତା ଭୁବାନିଆ ଉକ୍ତ କମ୍ପାନୀର ୱେବ୍‌ସାଇଟ୍‌ରେ ଏହି ସନ୍ଦର୍ଭରେ ଏକ ଲେଖା ଲେଖିଥିଲେ। ସେ କହିଛନ୍ତି, ଦୁବାଇ ଓ ସିଙ୍ଗାପୁରରେ ଉତ୍କୃଷ୍ଟ ଧରଣର ସ୍ବାସ୍ଥ୍ୟସେବାର ସୁବିଧା ତ ରହିଛି, ପୁଣି ଏଠାକାର ଆଇନଶୃଙ୍ଖଳା ମଧ୍ୟ ଉନ୍ନତମାନର। ଏହି କାରଣରୁ ଦୁବାଇ ଏବଂ ସିଙ୍ଗାପୁର ଭଳି ଭୂଖଣ୍ଡ ଆଜି ଭାରତୀୟ ପୁଞ୍ଜିପତିଙ୍କ ପସନ୍ଦ ତାଲିକାର ଶୀର୍ଷ ସ୍ଥାନରେ ରହିଛି।
ତୁଳନାତ୍ମକ ଭାବେ ସାରାଦୁନିଆର ଦୃଶ୍ୟପଟକୁ ଯଦି ଆଲୋଚନାର ପରିସରକୁ ନେବା, ତେବେ ପରିସଂଖ୍ୟାନ ଅନୁଯାୟୀ ସାରାଦୁନିଆରେ ଅଧିକ ସଂଖ୍ୟକ ରୁଷୀୟ ପୁଞ୍ଜିପତି ହିଁ ବର୍ତ୍ତମାନ ସ୍ବଦେଶ ଛାଡ଼ିଛନ୍ତି। ହେନ୍‌ଲି ଗ୍ଲୋବାଲ ସିଟିଜେନ୍ସ ରିପୋର୍ଟର ତଥ୍ୟ ଦର୍ଶାଉଛି ଯେ ଚଳିତବର୍ଷର ଶେଷ ସୁଦ୍ଧା ୧୫,୦୦୦ରୁ ଊର୍ଦ୍ଧ୍ୱ ରୁଷୀୟ ଆରବପତି ବା ଅତି ଧନୀବ୍ୟକ୍ତି ବିଶେଷ ଦେଶ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି। ଏହା ହେଉଛି ବର୍ତ୍ତମାନ ସମୟରେ ରୁଷ ଛାଡୁଥିବା ପୁଞ୍ଜିପତିମାନଙ୍କର ସର୍ବବୃହତ୍‌ ଚିତ୍ର। ୨୦୧୯ରେ ମଧ୍ୟ ଏହିଭଳି ସମାନ ଧରଣର ଲହରୀ ଦେଖିବାକୁ ମିଳିଥିଲା। ସେତେବେଳେ ୯୫୦୦ ରୁଷୀୟ ପୁଞ୍ଜିପତି ସ୍ବଦେଶ ଛାଡ଼ି ଚାଲିଯାଇଥିଲେ, ଯାହାର କାରଣ ଥିଲା ମହାମାରୀ କରୋନା। କିନ୍ତୁ ବର୍ତ୍ତମାନର କାରଣ ହେଉଛି ବିଗତ କିଛି ମାସ ଧରି ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ। ଏହି ଯୁଦ୍ଧ ହେତୁ ୟୁକ୍ରେନ୍‌ରୁ ମଧ୍ୟ ୨୮୦୦ ଆରବପତି ଅନ୍ୟ ଦେଶକୁ ଚାଲି ଯାଇଛନ୍ତି। ଏହା ଦ୍ବାରା ୟୁକ୍ରେନ୍‌କୁ ଅଧିକ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ୨୦୧୯ରେ ମଧ୍ୟ ଏଠାରୁ ଆରବପତିଙ୍କ ପଳାୟନର ସୁଅ ଛୁଟିଥିଲା, କିନ୍ତୁ ୨୦୨୨ର ସଂଖ୍ୟା ପୂର୍ବର ସମସ୍ତ ରେକର୍ଡକୁ ଭଙ୍ଗ କରିଛି।
ରୁଷ, ଚାଇନା, ଭାରତ, ହଂକଂ, ବ୍ରାଜିଲ, ୟୁକ୍ରେନ୍‌, ବ୍ରିଟେନ୍‌, ମେକ୍ସିକୋ, ସାଉଦି ଆରବ ଏବଂ ଇଣ୍ଡୋନେସିଆ ଭଳି ଦେଶ ୨୦୨୨ର ଶ୍ରେଷ୍ଠ-୧୦ଟି ତାଲିକାରେ ରହିଛନ୍ତି। ଏସବୁ ଦେଶରୁ ଅଧିକ ସଂଖ୍ୟକ ପୁଞ୍ଜିପତି ବର୍ତ୍ତମାନ ସ୍ବଦେଶ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ବିଶ୍ୱ ଉପରେ କରୋନା ଆକ୍ରମଣ ନ କରିବା ପର୍ଯ୍ୟନ୍ତ ଗତ ଏକ ଦଶନ୍ଧି ଧରି ବିଭିନ୍ନ ଦେଶରୁ ପୁଞ୍ଜିପତିଙ୍କ ପଳାୟନ ଜାରି ରହିଥିଲା। ୨୦୨୦ ଏବଂ ୨୦୨୧ରେ ଏଥିରେ ଶିଥିଳତା ଦେଖାଦେଇଥିବା ବେଳେ ବର୍ତ୍ତମାନ ପୁଣିଥରେ ଏହା ଦ୍ରୁତ ଗତିରେ ବଢ଼ି ଚାଲିଛି। ତଥ୍ୟ ଅନୁସାରେ ଚଳିତବର୍ଷର ଶେଷ ସୁଦ୍ଧା ବିଶ୍ବର ବିଭିନ୍ନ ଦେଶର ୮୮ ହଜାର ଆରବପତି ସ୍ବଦେଶ ଛାଡ଼ି ଅନ୍ୟ ଦେଶରେ ବସବାସ କରିବେ। ଆକଳନ କହୁଛି ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ରେ ଏହି ସଂଖ୍ୟା ୧.୨୫ ଲକ୍ଷକୁ ଛୁଇଁଯିବ।
ବଡ଼ କଥା ହେଉଛି ଦୁନିଆର ଏତେ ସଂଖ୍ୟକ ପୁଞ୍ଜିପତି ଆମେରିକା କିମ୍ବା ବ୍ରିଟେନ୍‌କୁ ବସବାସ ପାଇଁ ଯାଆନ୍ତି ନାହିଁ। ବରଂ ଏଠାରୁ ପୁଞ୍ଜିପତି ପଳାୟନ କରୁଛନ୍ତି। ୨୦୧୭ ପରେ କେବଳ ବ୍ରିଟେନ୍‌ର ହିଁ ୧୨୦୦୦ରୁ ଊର୍ଦ୍ଧ୍ୱ ପୁଞ୍ଜିପତି ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଭାରତୀୟଙ୍କ ପସନ୍ଦକୁ ବାଦ୍‌ ଦେଲେ ଅବଶିଷ୍ଟ ବିଶ୍ବର ଅଧିକାଂଶ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦର ବସତିର ସ୍ଥାନ ହେଉଛି ମାଲ୍ଟା, ମରିସସ୍‌ ଏବଂ ମୋନାକୋ। ଏସବୁ ଦେଶ ପୂର୍ବରୁ ହିଁ ଟ୍ୟାକ୍ସ ଆଶ୍ରୟସ୍ଥଳ ବା ବିଦେଶୀ ପୁଞ୍ଜିପତିଙ୍କ ଭୂସ୍ବର୍ଗ ଭାବରେ ଅପଖ୍ୟାତି ଅର୍ଜନ କରିଛନ୍ତି। ଏତଦ୍‌ବ୍ୟତୀତ ସଂଯୁକ୍ତ ଆରବ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଇସ୍ରାଏଲ, ସୁଇଜରଲାଣ୍ଡ, ପର୍ତ୍ତୁଗାଲ, ଗ୍ରୀସ୍‌, କାନାଡ଼ା ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶରେ ଦୁନିଆର ବିଭିନ୍ନ ପ୍ରାନ୍ତର ପୁଞ୍ଜିପତିମାନେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ଏହିସବୁ ଦେଶଗୁଡ଼ିକ ମଧ୍ୟରୁ ପୁଞ୍ଜିପତିଙ୍କ ପସନ୍ଦ ତାଲିକାରେ ଇସ୍ରାଏଲ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ସିଙ୍ଗାପୁର ଶୀର୍ଷରେ ରହିଛନ୍ତି।
ବସବାସ ପାଇଁ ଏ ସମସ୍ତ ପୁଞ୍ଜିପତି ଖାଲି ହାତରେ କୌଣସି ଦେଶକୁ ଯାଆନ୍ତି ନାହିଁ। ସେମାନେ ସେଠାକୁ ପରିବାର ସହ ନିଜ ସମ୍ପତ୍ତିକୁ ମଧ୍ୟ ସାଙ୍ଗରେ ନେଇଯାଇଥା’ନ୍ତି। ଏହି କାରଣରୁ ପୁଞ୍ଜିପତିମାନେ ଯେଉଁ ଦେଶକୁ ବସବାସ ପାଇଁ ଯାଇଥା’ନ୍ତି, ସେହି ଦେଶର ଧନ ବୃଦ୍ଧି ହୋଇଥାଏ। ପୁଞ୍ଜିପତିଙ୍କ ପଳାୟନର ଏକମାତ୍ର କାରଣ କେବଳ ସ୍ବଦେଶର ଅତିରିକ୍ତ ଟିକସ ବୋଝ ନୁହେଁ, ଉତ୍ତମ ସ୍ବାସ୍ଥ୍ୟସେବା ଏବଂ ନିରାପତ୍ତା ମଧ୍ୟ ଅନ୍ୟତମ ପ୍ରମୁଖ କାରଣ। କଡ଼ା ଆଇନ ପ୍ରଣୟନ ସହ ଏହି କ୍ଷେତ୍ରରେ ଭାରତ ଉନ୍ନତି କଲେ ତାହା ପୁଞ୍ଜିପତିଙ୍କ ପଳାୟନ ଦିଗରେ ଯେ କେବଳ ରୋକ ଲଗାଇବାକୁ ସମର୍ଥ ହେବ ତାହା ନୁହେଁ, ବରଂ ଭାରତର ଅର୍ଥନୀତିକୁ ଏହା ଗତି ପ୍ରଦାନ କରିବ।

– ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri