ବିମୁଦ୍ରୀକରଣ କାହିଁକି ବିଫଳ ହେଲା

ସରକାର କ୍ରୂର ବିମୁଦ୍ରୀକରଣ ପଦକ୍ଷେପ ନେବାର ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହେଲାଣି। ଏହି ପଦକ୍ଷେପ ଦୁର୍ନୀତି, କଳାଟଙ୍କା, ଜାଲ୍‌ନୋଟ କାରବାର ବନ୍ଦ କରିବା ସହିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବ ବୋଲି କୁହାଯାଇଥିଲା। କିନ୍ତୁ ଯେତେବେଳେ ଏହି ଲକ୍ଷ୍ୟ ପୂରଣ ହେଲାନି, ସେତେବେଳେ ନଗଦମୁକ୍ତ ଅର୍ଥନୀତି ବା କ୍ୟାଶଲେସ ଅର୍ଥନୀତି ଲକ୍ଷ୍ୟ ବୋଲି କୁହାଗଲା। ପୁଣି ଯେତେବେଳେ ସରକାର ଦେଖିଲେ ନଗଦମୁକ୍ତ ଅର୍ଥନୀତି ଏକ ମରୀଚିକା ଏହା ବଦଳରେ କମ୍‌ ନଗଦଭିତ୍ତିକ ଅର୍ଥନୀତି ବା ଲେସ କ୍ୟାଶ ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ଯୋଡ଼ାଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ହାସଲ ହୋଇପାରିଲା ନାହିଁ। ପରେ ଏସବୁ ହାସଲ ନ ହେବା ଯୋଗୁ ଟିକସଦାତାଙ୍କ ସଂଖ୍ୟା ବଢ଼ାଇବା, ଅର୍ଥନୀତିକୁ ଅଣାନୁଷ୍ଠାନିକ କ୍ଷେତ୍ରରୁ ଆନୁଷ୍ଠାନିକ ବା ସଂଗଠିତ କ୍ଷେତ୍ରକୁ ରୂପାନ୍ତର କରିବା କଥା କୁହାଯାଇଥିଲା। କିନ୍ତୁ ୫ ବର୍ଷ ପରେ ସମସ୍ତେ ଏକମତ ହେବେ ଯେ ବିମୁଦ୍ରୀକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଉଦାହରଣସ୍ବରୂପ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲର ଦୁର୍ନୀତି ଧାରଣା ସୂଚକାଙ୍କ (ସିପିଆଇ -୨୦୧୮)ଅନୁଯାୟୀ, ୧୮୦ଟି ଦେଶ ମଧ୍ୟରୁ ଭାରତର ମାନ୍ୟତା ୭୮ ଥିଲା, ଯାହା ସିପିଆଇ -୨୦୧୯ରେ ୮୦କୁ ଖସିଆସିଥିଲା ଏବଂ ୨୦୨୧ରେ ୮୬କୁ ଖସି ଆସିଛି। ଅର୍ଥାତ୍‌ ଦୁର୍ନୀତି ଦୃଷ୍ଟିରୁ ଭାରତ ୮୫ଟି ଦେଶ ଆଗରେ। ଦେଶର ଅନ୍ୟାୟ ଏବଂ ଅସ୍ପଷ୍ଟ ଭାବେ ରାଜନୈତିକ ଦଳ ପାଣ୍ଠିକୁ ଆସୁଥିବା ପ୍ରଚୁର ଅର୍ଥକୁ ନେଇଁ ପ୍ରଶ୍ନ ଉଠିଛି। ଏଣୁ ଜାଣିଶୁଣି ଗତ ୫ବର୍ଷ ହେବ ବିଦେଶୀ ଆକାଉଣ୍ଟରେ କଳା ଟଙ୍କା ପରିମାଣ ସମ୍ପର୍କରେ କୌଣସି ସରକାରୀ ଆକଳନ କରାଯାଇ ନାହିଁ।
କଳାଟଙ୍କା ହ୍ରାସ ସାମାନ୍ୟ ହ୍ରାସ ନ ପାଇବାର କାରଣ ହେଲା ଏହାର ମୂଳ କାରଣର ସମାଧାନ ନ କରିବା। ମୂଳ କାରଣ ହେଲା ଉପରୁ ତଳୁ ଅଧିକାଂଶଙ୍କର ଦୁର୍ନୀତିର ମାନସିକତା ଏବଂ ନିର୍ବାଚନ ପ୍ରକ୍ରିୟାରୁ ସୃଷ୍ଟ ଦୁର୍ନୀତି ଓ କଳାଟଙ୍କାର ସାମ୍ରାଜ୍ୟ। ବାସ୍ତବରେ ନିର୍ବାଚନ ପ୍ରକ୍ରିୟା ଦୁର୍ନୀତିର ମୂଳ ଉତ୍ସ ହୋଇଛି; ଯାହାର କେହି ସଂସ୍କାର କରୁନାହାନ୍ତି। ନିର୍ବାଚନରେ ରାଜନେତା, ରାଜନୈତିକ ଦଳ ଯେଉଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା କ’ଣ ଦୁର୍ନୀତି ଓ କଳାଟଙ୍କା ବିନା ସମ୍ଭବ। ନିର୍ବାଚନ ପ୍ରକ୍ରିୟା ଏତେ ବ୍ୟୟବହୁଳ ଓ କଳୁଷିତ ହେଲାଣି ଯେ ବିନା ଅର୍ଥ ଓ ବାହୁବଳରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ସମ୍ଭବ ନୁହେଁ। ବିନା ଅର୍ଥ ବାହୁବଳରେ ପଞ୍ଚାୟତ ନିର୍ବାଚନ ଜିତି ହେବନି, ଲୋକ ସଭା, ବିଧାନସଭା ଆସନରେ ଜିତିବା ଏକ ମରୀଚିକା। ବିନା ଅର୍ଥରେ କେହି ନେତାଙ୍କ ରାଲି, ସଭାକୁ ଯିବେନି କି ପଛରେ ଧାଇଁବେ ନାହିଁ। ଅନେକ ଲୋକ ଭୋଟ ଦେବା ପାଇଁ ଅର୍ଥ ନେଉଛନ୍ତି ଏବଂ ନେତା ଦେଉଛନ୍ତି। କୋଟି କୋଟି କଳାଟଙ୍କା ନିର୍ବାଚନରେ ନେତା ବ୍ୟୟ କରୁଛନ୍ତି। ସେଣ୍ଟର ଫର ମିଡିଆ ଷ୍ଟଡିଜ (ସିଏମ୍‌ଏସ୍‌ ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୯ ଲୋକ ସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ହୋଇଥିବା ମୋଟ ଖର୍ଚ୍ଚ ପରିମାଣ ପ୍ରାୟ ୬୦,୦୦୦କୋଟି ଟଙ୍କା ହେବ। ଭାଜପା ପ୍ରାୟ ୨୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଅର୍ଥ କେଉଁଠୁ ଆସୁଛି ? ନେତାମାନେ ବିଭିନ୍ନ ଅନୈତିକ ପଥ ଅବଲମ୍ବନ କରି କଳା ଟଙ୍କା ଠୁଳ କରୁଛନ୍ତି। ଏଣୁ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ସଂସ୍କାର ନ ଆଣି କଳାଟଙ୍କା ଉଦ୍ଧାର ସମ୍ଭବ ନୁହେଁ।
ଭାରତରେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ରାଜନେତାଙ୍କ ଦୁର୍ନୀତି, କଳାଧନ ବିରୋଧୀ ସ୍ଲୋଗାନ ଓ ଲଢ଼େଇକୁ ସାଧାରଣ ଜନତା ବିଶ୍ବାସ କରିବା ଏବଂ ଅମୁକ ନେତା ଦୁର୍ନୀତିଗ୍ରସ୍ତ ବୋଲି ଭାବିଲାବେଳେ, ଆଉଜଣକୁ ସ୍ବଚ୍ଛ, ସାଧୁ ଦୁର୍ନୀତିମୁକ୍ତ ବୋଲି ବିଶ୍ବାସ କରିବା। ହୁଏତ କିଏ ଚଳନୀୟ, କମ୍‌ ବା ବେଶି ଦୁର୍ନୀତିଗ୍ରସ୍ତ ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ସ୍ବଚ୍ଛହେବା ରାଜନୀତିରେ ସମ୍ଭବ ନୁହେଁ। ଲୋକଙ୍କର ଏହି ଦୁର୍ନୀତି ବିରୋଧୀ ମାନସିକତାର ଫାଇଦା ନେଇ ରାଜନେତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦୁର୍ନୀତି ସହିତ ସଂପୃକ୍ତ ଥିଲେ ମଧ୍ୟ ନିଜକୁ ସ୍ବଚ୍ଛ, ସାଧୁ ବୋଲି ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦୁର୍ନୀତି, କଳାଧନ ବିରୋଧରେ ଲଢ଼େଇ କରୁଛନ୍ତି ବୋଲି ଜନମାନସରେ ପ୍ରତିଛବି ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି। ଏଣୁ ନିଜକୁ ଦୁର୍ନୀତି ବିରୋଧୀଭାବେ ପ୍ରତିପାଦନ କରି ବିଦେଶରୁ କଳାଧନ ଫେରାଇ ଆଣିବା ସହିତ ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ଅନେକ ମିଥ୍ୟା ପ୍ରତିଶ୍ରୁତି ନରେନ୍ଦ୍ର ମୋଦି ଦେଇଥିଲେ। ବିମୁଦ୍ରୀକରଣ ପରି ନିଷ୍ଠୁର ପଦକ୍ଷେପ ନେବାର ମୂଳ ଲକ୍ଷ୍ୟ କଳାଟଙ୍କା ଉଦ୍ଧାର ନ ଥିଲା ବରଂ ସରକାର ନିଜକୁ ଜନମାନସରେ କଳାଟଙ୍କା, ଦୁର୍ନୀତି ବିରୋଧୀ ଭାବେ ଉପସ୍ଥାପନ କରି ତତ୍କାଳୀନ ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପାଇଁ ଏହି ସିଦ୍ଧାନ୍ତ ନେଇଥିଲେ। ଏଣୁ ଯେତେବେଳେ ଉଦ୍ଦେଶ୍ୟ ମହତ ନ ଥିଲା, ଏହା ସଫଳ ହୋଇଥାନ୍ତା କିପରି।
ସାଧାରଣତଃ ଲୋକମାନେ ତାଙ୍କର କଳା ଟଙ୍କା ନଗଦ ଟଙ୍କା ଭାବରେ ରଖି ନ ଥାନ୍ତି, ଅଧିକାଂଶ ବ୍ୟାଙ୍କ, ବୀମା, ମ୍ୟୁଚୁଆଲ ଫଣ୍ଡ, ଶେୟାର ଆଦି ବିତ୍ତୀୟ ସଞ୍ଚୟ ସହିତ ଜମି, ଘର, ସୁନା ଆଦି ଭୌତିକ ସଞ୍ଚୟ ବା ଆସେଟ୍‌ରେ ନିବେଶ କରିଥାନ୍ତି। କେତେକେ ବିଦେଶରେ ବା ଟ୍ୟାକ୍ସ ହାଭେନ୍ସରେ ରଖିଥାନ୍ତି। କିନ୍ତୁ ବିମୁଦ୍ରାୟନ କେବଳ କଳାଟଙ୍କାକୁ ବ୍ୟାଙ୍କକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଲୋକମାନଙ୍କ ପାଖରେ ଯେତିକି ବି ନଗଦ ଆକାରରେ ଥିଲା ଲୋକ ନିଜେ ସବୁ ନିଜ ଆକାଉଣ୍ଟରେ ଜମା ନ କରି ଅନ୍ୟମାନଙ୍କ ଆକାଉଣ୍ଟରେ ଜମା କରି ସବୁ କଳାଟଙ୍କାକୁ ଧଳା କରିଦେଲେ। ପ୍ରାୟ ଯେତିକି ଟଙ୍କା ଅଚଳ କରାଯାଇଥିଲା ତାହାର ୯୯.୩% ବ୍ୟାଙ୍କକୁ ଫେରିଲା। ସରକାର ଭାବୁଥିଲେ, ଯେତିକି ନ ଫେରିବ, ତାହା ତାଙ୍କୁ ପ୍ରାପ୍ତ ହେବ, ସେହି ଆଶା ତାଙ୍କର ଆଶାରେ ହିଁ ରହିଗଲା।
ଆମ ସମାଜରେ କ୍ଷମତାଶାଳୀ, ଧନୀ, ଥିଲାବାଲାଙ୍କୁ ଅଧିକ ସମ୍ମାନ ମିଳିଥାଏ। ଆଜି ସ୍ବାର୍ଥ ଓ ଅର୍ଥସର୍ବସ୍ବ ଦୁନିଆରେ ସାଧୁତା, ସଚ୍ଚୋଟତାର ମୂଲ୍ୟ ହ୍ରାସ ପାଉଛି। ଜଣେ ଯଦି ଅସତ୍‌ ଉପାୟରେ ଅର୍ଥ ଅର୍ଜନ କରି ବା କଳାଟଙ୍କାରୁ କିଛି ଦେଲା, ଭୋଜି ଭାତ ଦେଲା, ବିଭିନ୍ନ ଉତ୍ସବ ପାଇଁ ଦେଲା, ତେବେ ଲୋକମାନେ ତା’ର ଗୁଣଗାନ କରିବେ, ପ୍ରଶଂସା କରିବେ। ଟଙ୍କା ଅଧିକ ପାଇଲେ ସମସ୍ତେ ଖୁସି। ଜଣେ ସତ୍‌ ଉପାୟରେ ବଞ୍ଚିଲେ ବା ରୋଜଗାରକରି ଅଭାବର ଶିକାର ହେଲେ, ଡାକ୍ତର ହେଉ, ଦୋକାନୀ ହେଉ, ଡ୍ରାଇଭର ହେଉ ବା ଚାକରାଣୀ ହେଉ କେହି ତାଙ୍କ ପାଉଣା କମେଇବେ ନାହିଁ। ସେମାନଙ୍କ ପାଖରେ ପ୍ରଶ୍ନ ନୁହେଁ ଜଣେ କେମିତି ରୋଜଗାର କରୁଛି, ପ୍ରଶ୍ନ ହେଉଛି କେତେ ଅଧିକ ଅର୍ଥ ଦେଉଛି। ଏପରି କି ପିଲା, ପରିବାରର ସଦସ୍ୟମାନେ କେବଳ କେତେ ଟଙ୍କା ପାଇଲେ ଦେଖିବେ। ସେଥିପାଇଁ ଟଙ୍କା, ସମ୍ପତ୍ତିକୁ ନେଇ ଘରେ ଘରେ ବା ଭାଇ ଭାଇ ମଧ୍ୟରେ ବିବାଦ ଦେଖିବାକୁ ମିଳିଥାଏ। ଯଦି ଜଣେ ସାଧୁ ଏବଂ ସଚ୍ଚୋଟ ଉପାୟରେ ରୋଜଗାର କରୁଥିବାରୁ ନ ଦେଇପାରିଲା, ସମ୍ପର୍କୀୟମାନେ ତଥା ସାଧାରଣ ଲୋକମାନେ ନିନ୍ଦା କରିବେ। ଏଣୁ ଏପରି ପରିବେଶରେ ସମସ୍ତେ କଳେବଳେ ଅର୍ଥ ଉପାର୍ଜନରେ ବ୍ୟସ୍ତ। ସୁଯୋଗ ପାଇଲେ କଳାଟଙ୍କା ଠୁଳ କରିବାରେ ଅଧିକାଂଶ ବ୍ୟସ୍ତ। ବହୁତ କମ ଲୋକ ସୁଯୋଗ ଥାଇ ମଧ୍ୟ ସତ୍‌ ଉପାୟରେ ବଞ୍ଚିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେମାନେ ବେଶି ହଇରାଣ ଓ ଅପମାନିତ ହୋଇଥାନ୍ତି। ପ୍ରାୟ ଅଧିକାଂଶ ବ୍ୟବସାୟୀ, ଶିଳ୍ପପତି ସର୍ବଦା ଟିକସ ଫାଙ୍କିବା ବା କମ୍‌ ଟିକସ ଦେଇ କିପରି ଲାଭ ବୃଦ୍ଧି କରିବା, କଳାଟଙ୍କା ଠୁଳ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି। ଏପରି ସମାଜରେ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆଣିଲେ କଳାଟଙ୍କା କିପରି ହ୍ରାସ ପାଇବ।
ବାସ୍ତବରେ କେବଳ ଭାରତ ନୁହେଁ, ବିଶ୍ବର ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଏପରି କରାଯାଇଛି ଯେ, ଯେପରି କଳାଟଙ୍କା କିପରି ଲୁକ୍କାୟିତ ଭାବେ ରଖିହେବ ଓ ଟିକସ ଫାଙ୍କିହେବ। ଭାରତର ଇଲେକ୍ଟୋରାଲ ବଣ୍ଡ୍‌ କେବଳ ଗୋଟିଏ ଉଦାହରଣ। ଦୁର୍ନୀତିକୁ ପ୍ରଶ୍ରୟ ଦେବା ବା କଳାଟଙ୍କାକୁ ଲୁକ୍କାୟିତ ଭାବେ ରଖିବାପାଇଁ ବିଶ୍ବରେ ୧୩୩ଟି ଟ୍ୟାକ୍ସ ହାଭେନ୍ସ ରହିଛି। ସେଠାରେ ନାମ ଲୁକ୍କାୟିତ ରୁହେ ଏବଂ ବହୁତ କମ୍‌ ଟିକସ ପଡ଼େ। କଳା ଟଙ୍କାକୁ ବିଦେଶୀ ପୁଞ୍ଜି ହିସାବରେ ବିନିଯୋଗ କରିବାକୁ ସହଜ କରିବାପାଇଁ ଦ୍ୱୈତ ଟିକସ ଏଡ଼ାଇବା ଚୁକ୍ତିନାମା ରହିଛି। ବିନା ପରିଶ୍ରମରେ ରାତାରାତି ଧନିକ ଲୋକଙ୍କ ସମ୍ପଦ ଅହେତୁକ ବଢ଼ାଇବା ପାଇଁ ଷ୍ଟକ ମାର୍କେଟ ରହିଛି। କିଛି ବର୍ଷ ତଳେ, ପାନାମା ପେପର୍‌ସରେ କଳା ଟଙ୍କା ରଖିଥିବା ଧନିକ ଶ୍ରେଣୀ, ସେଲିବ୍ରିଟି, କ୍ଷମତାଶାଳୀଙ୍କ ନାମ ପ୍ରକାଶ ପାଇଥିଲା। ସେମାନଙ୍କୁ ଦଣ୍ଡିତ କରାଯାଇପାରିଲା ନାହିଁ। ବରଂ ଯେଉଁ ବ୍ୟକ୍ତି ଏହି ତଥ୍ୟ ପ୍ରକାଶ କରିଥିଲା, ତାକୁ ମାରିଦିଆଗଲା। ଏବେ ପାଣ୍ଡୋରା ପେପର କଥା ପୁଣି ଉଠିଛି। ପୁନଶ୍ଚ ଭାରତରେ ୪୩% ଲୋକ ସଭା ସାଂସଦ ବିରୋଧରେ ଆପରାଧିକ ଅଭିଯୋଗ ଅଛି। ପ୍ରାୟ ୨୯%ଙ୍କ ବିରୋଧରେ ବଳାତ୍କାର, ହତ୍ୟା, ହତ୍ୟା ଉଦ୍ୟମ କିମ୍ବା ମହିଳାଙ୍କ ପ୍ରତି ଅପରାଧ ସହ ଜଡ଼ିତ ମାମଲା ରହିଛି। ସେହିଭଳି ୨୩୩ଟି ରାଜ୍ୟ ସଭା ସାଂସଦ ମଧ୍ୟରୁ ୫୪ ସାଂସଦ କିମ୍ବା ୨୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଲୋକ ସଭା ନିର୍ବାଚନରେ ବିଜେତାଙ୍କ ହାରାହାରି ସମ୍ପତ୍ତି ହେଉଛି ୨୦.୯୩ କୋଟି ଟଙ୍କା ହୋଇଥିଲାବେଳେ ରାଜ୍ୟ ସଭା ସାଂସଦଙ୍କ ହାରାହାରି ସମ୍ପତ୍ତି ୫୫.୬୨ କୋଟି ଟଙ୍କା। ଯଦି ନିୟମ ପ୍ରଣେତାଙ୍କ ନାମରେ ଆପରାଧିକ ଅଭିଯୋଗ ରହିବ ଏବଂ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ, ତେବେ କିପରି ଏବଂ କିଏ କଳାଟଙ୍କା ଉଦ୍ଧାର କରିବ। ଏଣୁ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ସଂସ୍କାର ପ୍ରଥମେ ଆଣିବା ବେଶି ଗୁରୁତ୍ୱପୂର୍ଣ୍ଣ।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ-୯୪୩୭୨୦୮୭୬୨
    skmohapatra67@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ଗୁଣାତ୍ମକତା ଲୋଡ଼ା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ଓଡ଼ିଶା ସରକାର ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନିର୍ମିତ ହେଉଛି ସ୍ମାର୍ଟ କ୍ଲାସ, ଅତ୍ୟାଧୁନିକ ବିଜ୍ଞାନାଗାର, ଶୌଚାଳୟ,...

ଏଇ ଭାରତରେ

ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏଭଳି...

ଚାହିଁଥିବା ଜଳକା

ସହଦେବ ସାହୁ ରାଷ୍ଟ୍ରପତି ବାଇଡେନ୍‌ ବଡ଼ ସହଜରେ କହିଦେଲେ, “ଆଫ୍‌ଗାନିସ୍ତାନରୁ ୟୁଏସ୍‌ ଫୋର୍ସକୁ ଫେରାଇଆଣିବା ଯୁକ୍ତିଯୁକ୍ତ; ଯାହା ହୋଇଛି ତାହାଠାରୁ ବେଶି କିଛି ହେବାର ନାହିଁ।”...

ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର...

ବିବାହ ବୟସ

ଘାସିରାମ ପଣ୍ଡା ଗତ ବଜେଟ (୨୦୨୦-୨୧) ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଏକ କମିଟି ଗଠନ...

ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା...

ସୁରକ୍ଷାକବଚ

ଡ. ଅଜୟ କୁମାର ପାତ୍ର ଓଜୋନ (O3) ଗୋଟିଏ ଅଣୁରେ ତିନୋଟି ପରମାଣୁ ଥିବା ତୀବ୍ର କିନ୍ତୁ ଉଦ୍ଦୀପକ ଗନ୍ଧ ଥିବା ଘନୀଭୂତ ଅସ୍ଥାୟୀ ଅମ୍ଳଜାନ।...

କୋଭିଡ୍‌-୧୯ ବିଶେଷଜ୍ଞ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍‌...

Advertisement
Archives

Model This Week