ଜାତି ଜନଗଣନାକୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଜୁଲାଇ ୨୦, ୨୦୨୧ରେ ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ‘ଆଗାମୀ ଜନଗଣନାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଜାତିର ଗଣନା କରାଯିବ ନାହିଁ’ ବୋଲି କହିବା ପରେ ଦେଶରେ ଆସନ୍ତା ଜନଗଣନାରେ ଜାତିକୁ ସାମିଲ କରିବାକୁ ଦାବିଟି ଜୋର ଧରିଛି। ଇତିମଧ୍ୟରେ ଓଡ଼ିଶା, ବିହାର ଓ ମହାରାଷ୍ଟ୍ର ବିଧାନସଭାରେ ଏଥିପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଛତିଶଗଡ ସରକାର ନିଜ ରାଜ୍ୟରେ ଜାତିଗତ ଜନଗଣନା କରିବାକୁ ଘୋଷଣା କରିଛନ୍ତି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ସେଠାକାର ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। କେବଳ ବିରୋଧୀ ଦଳ ନୁହନ୍ତି, ଖୋଦ୍‌ ଏନ୍‌ଡିଏଭୁକ୍ତ ଏପରି କି ଭାଜପାର ଅନେକ ପଛୁଆା ବର୍ଗର ନେତା ମଧ୍ୟ ଜାତିଗତ ଜନଗଣନା କରିବା ସପକ୍ଷରେ ନିଜର ମତବ୍ୟକ୍ତ କରିଛନ୍ତି।
ଭାରତ ପରି ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ବିଭିନ୍ନ ବିକାଶମୂଳକ ନୀତି ଓ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ହେଲେ ନାଗରିକଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ସରକାରଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ସେହି ଦୃଷ୍ଟିରୁ ପ୍ରତି ଦଶବର୍ଷରେ ଆୟୋଜିତ ହେଉଥିବା ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଆମ ଦେଶରେ ସର୍ବପ୍ରଥମ ଜନଗଣନା ୧୮୭୨ରେ ବ୍ରିଟିଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲେ ମଧ୍ୟ ୧୮୮୧ରୁ ହିଁ ଏହା ପୂର୍ଣ୍ଣାଙ୍ଗ ଭାବେ ଆରମ୍ଭ ହୋଇ ପ୍ରତି ଦଶବର୍ଷ ବ୍ୟବଧାନରେ ସଂଗଠିତ ହୋଇଆସିଛି। ୧୮୮୧ରୁ ୧୯୩୧ ପର୍ଯ୍ୟନ୍ତ ଆୟୋଜିତ ଦେଶର ପ୍ରତିଟି ଜନଗଣନାରେ ଜାତି, ଧର୍ମ ସମେତ ସତରଟି ପ୍ରଶ୍ନ ପଚରା ଯାଉଥିଲା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ୧୯୪୧ରେ ଜନଗଣନା ହୋଇପାରି ନ ଥିବାରୁ ୧୯୩୧ର ଜନଗଣନା ହିଁ ବ୍ରିଟିଶ ଶାସନକାଳର ଶେଷ ଜନଗଣନା ଥିଲା। କାରଣ ସ୍ବାଧୀନତା ପରେ ୧୯୫୧ରୁ ଅନୁଷ୍ଠିତ ସମସ୍ତ ଜନଗଣନାରୁ କିନ୍ତୁ ଜାତିକୁ ବାଦ୍‌ ଦିଆଯାଇଥିଲା। ଜନଗଣନାରେ ଜାତିର ଗଣନା କଲେ ଜାତିବାଦ ବଢ଼ିବ ବୋଲି କୁହାଗଲା।
୧୯୩୧ ପରଠାରୁ ଏଯାଏ ଦେଶରେ ଜାତିଗତ ଜନଗଣନା ହୋଇ ନ ଥିବାରୁ ଦେଶରେ କେଉଁ ଜାତିର ଲୋକ କେତେ ସଂଖ୍ୟାରେ ଅଛନ୍ତି, ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନାହିଁ। ଏପରି କି ପଛୁଆ ଜାତିର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ପଶ୍ଚାତ୍‌ପଦତାକୁ ଦୂର କରିବାକୁ ଗଠିତ ମଣ୍ଡଳ କମିଶନଙ୍କ ୧୯୮୦ର ରିପୋର୍ଟ ବି ୧୯୩୧ର ଜନଗଣନା ତଥ୍ୟର ଆଧାରରେ ହିଁ ହୋଇଥିଲା। ଆଦିବାସୀ ଓ ଦଳିତଙ୍କୁ ଛାଡ଼ିଲେ ଅନ୍ୟ ଜାତିର ବିଶେଷ କରି ପଛୁଆ ବର୍ଗର କେତେ ଲୋକ ରହିଛନ୍ତି, ତା’ର ତଥ୍ୟ ଗତ ୯୦ ବର୍ଷ ମଧ୍ୟରେ ସରକାର ସଂଗ୍ରହ କରିନାହାନ୍ତି।
୨୦୧୧ରେ ଉପା ସରକାର ସମୟରେ ପ୍ରଥମ ଥର ପାଇଁ ଜାତିର ଆଧାରରେ ଏକ ସ୍ବତନ୍ତ୍ର ଜନଗଣନା ହୋଇଥିଲା। ଏହାକୁ ନିୟମିତ ଜନଗଣନା ସହ କରାଯାଇ ନ ଥିଲା। ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏସ୍‌ଇସିସି) ନାମରେ ହୋଇଥିବା ଏହି ଜାତିଗତ ଜନଗଣନାକୁ ସରକାର ପଛୁଆ ଜାତିଙ୍କ ଚାପରେ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଉଭୟ ଉପା ସରକାର ଓ ପରେ ଭାଜପା ସରକାର କେହି ବି ଏହି ଜନଗଣନାର ପରିସଂଖ୍ୟାନକୁ ସାର୍ବଜନୀନ କରିବାକୁ ଚାହିଁ ନ ଥିଲେ। ୨୦୧୬ରେ ମୋଦି ସରକାର ଉକ୍ତ ଜନଗଣନାକୁ ଯଦିଓ ସାର୍ବଜନୀନ କରିଥିଲେ କିନ୍ତୁ ସେଥିରୁ ଅତ୍ୟନ୍ତ ସୁନିୟୋଜିତ ଭାବେ ଜାତି ସଂକ୍ରାନ୍ତୀୟ ତଥ୍ୟକୁ ଉଜାଗର କରି ନ ଥିଲେ।
ଜାତିଗତ ଜନଗଣନା ବିରୋଧରେ ଏକ ବଡ଼ ପ୍ରଚାର ହେଲା, ଏହା ସମାଜରେ ଜାତିଗତ ବିଭେଦ ବା ଘୃଣାକୁ ବଢ଼େଇବ। ପ୍ରଥମ କଥା ହେଲା, ଦେଶରେ ବର୍ତ୍ତମାନ ଚାଲିଥିବା ଜନଗଣନା ମଧ୍ୟ ଜାତିରୁ ଆଦୌ ମୁକ୍ତ ନୁହେଁ। ସମ୍ବିଧାନରେ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଉପରୋକ୍ତ ଦୁଇ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଜାତିମାନଙ୍କ ଗଣନା ଅର୍ଥାତ୍‌ କେଉଁ ଜାତିର କେତେ ଲୋକ ରହିଛନ୍ତି, ତା’ର ଗଣନା କରି ସେହି ତଥ୍ୟକୁ ନିୟମିତ ପ୍ରକାଶ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଜାତିବାଦକୁ ବଢ଼ାଇବା ବୋଲି କହି ସେମାନଙ୍କ ବ୍ୟତୀତ ଅନ୍ୟ ଜାତି ଅର୍ଥାତ୍‌ ଓବିସି ଏବଂ ଉଚ୍ଚଜାତିର ଲୋକମାନଙ୍କର ଗଣନା ହେଉନାହିଁ। ତେବେ ବର୍ତ୍ତମାନର ଜନଗଣନାରେ ଧର୍ମ, ଭାଷା ଓ ଲିଙ୍ଗ ପରି ରହିଥିବା ସମସ୍ତ ବିଭେଦକୁ ଗଣନା କରାଯାଉଛି। ଯଦି ଧର୍ମ ଓ ଭାଷାର ଗଣନା ସମାଜରେ ବିଭେଦତା ଓ ସାମ୍ପ୍ରଦାୟିକତାକୁ ବଢ଼ାଉନାହିଁ ତା’ହେଲେ ଜାତିର ଗଣନା ସମାଜରେ ଜାତିବିଭେଦକୁ ବଢ଼ାଇବ କେମିତି?
ଜାତିଗତ ଜନଗଣନା ନେଇ ଭାଜପାର ଆଭିମୁଖ୍ୟଟି ଦୋହରା ମନେହୁଏ। ଆଜି କ୍ଷମତାକୁ ଆସିବା ପରେ ସେମାନେ ହୁଏତ ଜାତିଗତ ଜନଗଣନାକୁ ବିରୋଧ କରୁଛନ୍ତି, କିନ୍ତୁ ପୂର୍ବରୁ ବିରୋଧୀ ଦଳରେ ଥିବା ବେଳେ ସେମାନେ ଏଥିପାଇଁ ବାରମ୍ବାର ଦାବି କରିଛନ୍ତି। ତତ୍କାଳୀନ ଭାଜପା ନେତା ଗୋପୀନାଥ ମୁଣ୍ଡେ ସଂସଦରେ ନିଜର ବକ୍ତବ୍ୟ ରଖି ୨୦୧୧ର ଜନଗଣନାରେ ଜାତିକୁ ସାମିଲ କରିବା ପାଇଁ ଦାବି କରିଥିଲେ। ଏପରି କି ଗତ ନିର୍ବାଚନ ପୂର୍ବରୁ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ପ୍ରେସ୍‌ ବିବୃତି ଜରିଆରେ ୨୦୨୧ ଜନଗଣନାରେ ଓବିସିମାନଙ୍କ ଉପରେ ତଥ୍ୟ ସଂଗ୍ରହ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଛୁଆ ବର୍ଗର ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ନିକଟରେ ଗଠିତ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ୨୭ ଜଣ ପଛୁଆ ବର୍ଗର ମନ୍ତ୍ରୀଙ୍କୁ ନେଇ ଜୋରସୋରରେ ପ୍ରଚାର ହେଉ ଅଥବା ନିଟ୍‌ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ଓବିସି ସଂରକ୍ଷଣ ଦେବା ନେଇ ଜୋରସୋରରେ ପ୍ରଚାର ହେଉ, ଏସବୁ ସମାଜରେ ଜାତି ବିଭାଜନ ବଢ଼ାଉନି କି?
ଭାରତୀୟ ସମାଜରେ ବୈଷମ୍ୟର ଅନ୍ୟତମ ଉପାଦାନ ହେଉଛି ଜାତିବ୍ୟବସ୍ଥା। ଜାତି ଆଧାରରେ ଭେଦଭାବ ଆମ ସମାଜର ଏକ ନଗ୍ନ ବାସ୍ତବତା। ହଜାର ହଜାର ବର୍ଷର ଜାତିବ୍ୟବସ୍ଥା ଯୋଗୁ ଆଜି ବି ସମାଜର ଏକ ବଡ଼ ଭାଗ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ରହିଛନ୍ତି। ଶିକ୍ଷା ଓ ଚାକିରିରେ ସେମାନଙ୍କ ପ୍ରତିନିଧିତ୍ୱ ବହୁତ କମ୍‌ ରହିଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ‘Wealth Ownership and Inequality in India“ରୁ ଜଣାପଡ଼ିଛି ଯେ, ଦେଶର ମୋଟ ଜାତୀୟ ସମ୍ପଦର ସର୍ବାଧିକ ଭାଗ ଅର୍ଥାତ୍‌ ୪୧% ଉଚ୍ଚଜାତିର ହିନ୍ଦୁମାନଙ୍କ ହାତରେ, ୩୧% ଓବିସିଙ୍କ ହାତରେ, ୭.୬% ତଫସିଲଭୁକ୍ତ ଜାତିଙ୍କ ପାଖରେ ଏବଂ ୩.୭% ଆଦିବାସୀମାନଙ୍କ ପାଖରେ ରହିଛି। ପଛୁଆ ଜାତିଙ୍କ କଲ୍ୟାଣ ପାଇଁ ଗଠିତ ସଂସଦୀୟ କମିଟି ମଧ୍ୟ ୨୦୧୯ରେ ପ୍ରକାଶିତ ନିଜର ରିପୋର୍ଟରେ କହିଛି ଯେ, ଯଦିଓ ଓବିସିଙ୍କ ପାଇଁ ସରକାର ୨୭% ସଂରକ୍ଷଣ ଘୋଷଣା କରିଛନ୍ତି କିନ୍ତୁ ବାସ୍ତବ ଅର୍ଥରେ ତାହା କାର୍ଯ୍ୟକାରୀ ହୋଇନି। ୨୦୧୬ ମାର୍ଚ୍ଚ ପହିଲା ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ମୋଟ ୩୨.୫୮ ଲକ୍ଷ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୭ ଲକ୍ଷ ଅର୍ଥାତ୍‌ ୨୨.୬୫% ହିଁ ପଛୁଆ ଜାତିର ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସିଂହଭାଗଟି ବି ହେଉଛନ୍ତି ଗ୍ରୁପ ସି ଓ ଗ୍ରୁପ ଡି ଶ୍ରେଣୀର କର୍ମଚାରୀ।
ଦେଶରେ ଜାତି ଜନଗଣନା ପାଇଁ କେନ୍ଦ୍ରର ଭାଜପା ସରକାର ଅସହମତ ହେବା ପଛରେ ମୂଳତଃ ଦୁଇଟି କାରଣ ରହିଛି। ପ୍ରଥମଟି ହେଲା, ଯଦିଓ ଭୋଟ ପାଇଁ ଭାଜପା ଅତ୍ୟନ୍ତ ସୁନିୟୋଜିତ ଭାବେ ସମାଜରେ ଥିବା ଜାତିଗତ ବିଭାଜନକୁ ବ୍ୟବହାର କରୁଛି, କିନ୍ତୁ ତାହା ସେମାନଙ୍କ ହିନ୍ଦୁତ୍ୱ ରାଜନୀତିର ପରିପନ୍ଥୀ। କାରଣ ହିନ୍ଦୁ-ମୁସଲମାନ ଧ୍ରୁବୀକରଣ ବା ବାଇନେରିରେ ବିଶ୍ୱାସ କରୁଥିବା ସେମାନଙ୍କ ରାଜନୀତି ପାଇଁ ଜାତି ସବୁବେଳେ ପ୍ରତିବନ୍ଧକ ହୋଇ ପ୍ରସ୍ତାବିତ ହିନ୍ଦୁ ଏକତା ବା ଧୃବୀକରଣକୁ ଦୁର୍ବଳ କରୁଛି। ଅତଏବ ଯେତେବେଳେ ଜାତି ପ୍ରସଙ୍ଗ ପ୍ରମୁଖ ଭାବେ ସାମ୍‌ନାକୁ ଆସିବ ସେତେବେଳେ ସେମାନଙ୍କ ହିନ୍ଦୁ ଭୋଟବ୍ୟାଙ୍କ୍‌ ବିଭାଜିତ ହେବ। ସେହି କାରଣରୁ ଜାତି ଜନଗଣନାକୁ ଭାଜପା ବିରୋଧ କରିଆସିଛି।
ଦ୍ୱିତୀୟ କାରଣଟି ହେଲା, ଜାତିଗତ ଜନଗଣନାର ତାର୍କିକ ପରିଣତି। କାରଣ ଜାତି ଜନଗଣନା ଫଳରେ ଥରେ ଓବିସି ଜନସଂଖ୍ୟାର ପ୍ରକୃତ ସ୍ଥିତିଟି ସାମ୍‌ନାକୁ ଆସିଲେ ସେମାନଙ୍କୁ ଅଧିକ ସଂରକ୍ଷଣ ଦେବାକୁ ଭବିଷ୍ୟତରେ ଦାବି ହେବାର ସମ୍ଭାବନା ରହିଛି। ଆଜି ସମାଜରେ ଉଚ୍ଚ ଜାତିର ଲୋକେ ଶିକ୍ଷା, ଚାକିରି ଓ ସମ୍ପତ୍ତିରେ ଯେତିକି ସୁଯୋଗ ପାଉଛନ୍ତି, ତାହା ସେମାନଙ୍କ ଜନସଂଖ୍ୟା ତୁଳନାରେ ବହୁତ ଅଧିକ। ଓବିସି ଲୋକମାନେ ନିଜ ଜନସଂଖ୍ୟା ତୁଳନାରେ ବହୁତ କମ୍‌ ସୁଯୋଗ ପାଉଛନ୍ତି ବୋଲି ଥରେ ଜଣାପଡ଼ିଲେ ତାହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସରକାର ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଲେ ତାହା ଉଚ୍ଚଜାତିରେ ଥିବା ସେମାନଙ୍କ ପାରମ୍ପରିକ ସମର୍ଥନ ଭିତ୍ତିକୁ ଦୋହଲାଇ ଦେବାର ସମ୍ଭାବନା ରହିଛି। ଉପରୋକ୍ତ କାରଣରୁ ହିଁ ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ଭାଜପା ଓ କଂଗ୍ରେସ ଜନଗଣନାରେ ଜାତିର ଗଣନାକୁ ସାମିଲ କରିବା ସପକ୍ଷରେ ନାହାନ୍ତି। ଉଚ୍ଚଜାତିରେ ପ୍ରଭାବ ରହିଥିବା ଉପରୋକ୍ତ ଦୁଇ ଦଳ ସମାଜରେ ଜାତିବିଦ୍ୱେଷର ପ୍ରକୃତ ଚିତ୍ରକୁ ଉଜାଗର କରିବାକୁ କିମ୍ବା ତାକୁ ସମାପ୍ତ କରିବାକୁ ଚାହୁଁନାହାନ୍ତି।
ଭାରତ ପରି ଏକ ଜାତି ବିଭାଜିତ ଦେଶରେ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ଅସମାନତାକୁ ଦୂର କରିବାକୁ ହେଲେ ଦୃଢ଼ ନୀତିର ଆବଶ୍ୟକତା ରହିଛି। ଜାତି ବ୍ୟବସ୍ଥା ଯୋଗୁ ସମାଜରେ ଯେଉଁ ଲୋକମାନେ ସାମାଜିକ ଓ ଶିକ୍ଷାଗତ ଭାବେ ବଞ୍ଚିତ ରହିଛନ୍ତି, ସେମାନଙ୍କ ଉତ୍ଥାନ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେଲେ, ଉପରୋକ୍ତ ବଞ୍ଚିତ ଓ ପଶ୍ଚାଦ୍‌ପଦ ଲୋକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦରକାର। ଏହି ଦୃଷ୍ଟିରୁ ହିଁ ଦେଶରେ ଜାତିଗତ ଜନଗଣନାର ଆବଶ୍ୟକତା ରହିଛି। ଏହାଦ୍ୱାରା ସମାଜରେ କେତେ ଭାଗ ଜନତା ପଛୁଆ ରହିଛନ୍ତି, ତା’ର ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ଏବଂ ତାକୁ ଦୂର କରିବାକୁ ଠୋସ୍‌ ପଦକ୍ଷେପ ନେବାରେ ସରକାରକୁ ସହାୟକ ହେବ। ଜାତି ଜନଗଣନା କେବଳ ପଛୁଆ ବର୍ଗର ଲୋକଙ୍କ ପାଇଁ ଠୋସ୍‌ ନୀତି ଗ୍ରହଣ କରିବାରେ ହିଁ ସରକାରଙ୍କୁ ସହାୟକ ହେବନି ବରଂ ଏନେଇ ରହିଥିବା ପଛଘୁଞ୍ଚାକୁ ଅତିକ୍ରମ କରିବାରେ ସହାୟକ ହେବ। ତେବେ କେବଳ ପଛୁଆ ଜାତିମାନଙ୍କର ନୁହେଁ, ସମାଜର ଉଚ୍ଚଜାତି ସମେତ ସବୁ ଜାତିର ଗଣନା ହେବା ଜରୁରୀ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri