ଶ୍ରେଷ୍ଠ ପ୍ରଦର୍ଶନ କରିପାରୁନାହୁଁ କାହିଁକି

ସୁଧିରାଜ ରାଉତ

 

କରୋନାର କଳା ଚାଦରକୁ ଚିରି, ଜୀବନୀଶକ୍ତିକୁ ହରିନେଉଥିବା ଦୀର୍ଘ ରଜନୀକୁ ଅନ୍ତକରି ଉଦିତ ସୂର୍ଯ୍ୟ ପ୍ରାୟେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ବର୍ଷେ ବିଳମ୍ବରେ ହେଉ ପଛେ ଟୋକିଓରେ ହୋଇସାରିଛି। ଏହି କ୍ରୀଡ଼ା ମହାକୁମ୍ଭରେ ଅଧିକ ସଂଖ୍ୟକ ଖେଳାଳି ଭାରତବର୍ଷ ତରଫରୁ ଭାଗ ନେବାକୁ ମନୋନୀତ ହୋଇଥିଲେ, ଏହା ନିଶ୍ଚୟ ଏକ ଶୁଭ ସୂଚନା ଆମ ସଭିଙ୍କ ପାଇଁ। ଅନ୍ୟ ସବୁଥରଠାରୁ ଏଥର ଅନେକ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସବୁଠୁ ଖୁସିର କଥା ଆମ ରାଷ୍ଟ୍ରୀୟ ଖେଳ ହକିରେ ବହୁବର୍ଷ ପରେ ଖୁବ୍‌ ଭଲ ଖେଳିଛନ୍ତି ଉଭୟ ମହିଳା ଓ ପୁରୁଷ। ଆମେ କେତେ ଅଧିକ ପଦକ ଆଣିଲୁ, ନ ଆଣିଲୁ ଏହା ମୋଟେ ବଡ଼ କଥା ନୁହେଁ। ଆମର ପ୍ରସ୍ତୁତି ଏବଂ ମନୋଭାବ ହେଉଛି ଅସଲ କଥା। ଅଲିମ୍ପିକ୍ସ ଶେଷ ହୋଇଥିଲେ ବି ଆସ !
ଏଇ ପବିତ୍ର ଅଲିମ୍ପିକ୍ସ ଆଲୋକରେ ଆମ ନିଜକୁ ଦେଖିବା। ଭାରତ ସାଧୀନ ହେବାର ବହୁ ପୂର୍ବରୁ ୧୯୨୦ରୁ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗନେଇଆସୁଛି ସତ, କିନ୍ତୁ ଏତେ ବୃହତ୍‌ ଏବଂ ଏତେ ଜନବହୁଳ ଦେଶ ହେବା ସତ୍ତ୍ୱେ ଶ୍ରେଷ୍ଠ ପ୍ରଦର୍ଶନ ଦୂରର କଥା ସାଧାରଣ ପ୍ରଦର୍ଶନଠାରୁ ମଧ୍ୟ ଆମେ ବହୁଦୂରରେ ଅଛୁ। ଏହାର କାରଣ କ’ଣ ହୋଇପାରେ ? ପୂର୍ବରୁ ପରାଧୀନ ଥିଲୁ ଏବଂ ସାଧୀନ ପରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏହାର ମୁଖ୍ୟ କାରଣ। ଏହିଭଳି ଉତ୍ତର ପଣ୍ଡିତମାନଙ୍କଠାରୁ ଖବରକାଗଜ ଓ ଟିଭି ମାଧ୍ୟମରେ ଶୁଣିଆସୁଛୁ। ହୃଦୟ କହୁଛି ଏଇସବୁ ଉତ୍ତରରେ ଆତ୍ମତୃପ୍ତି ହେବା ଏକ ପ୍ରକାର ଅପରାଧ। ନିଷ୍ଠାର ସହ ଏହାର କାରଣ ଯଦି ଖୋଜିବା, ଭେଟିବା- ଏହାର ପଛରେ ରହିଛି- ଭୌଗୋଳିକ ଅବସ୍ଥିତି, ଜୀବନ ପ୍ରତି ଆମର ଦୃଷ୍ଟିକୋଣ, ଖାଦ୍ୟ ଏବଂ ଜୀବନଚର୍ଯ୍ୟା ଭଳି ଗଭୀର କାରଣ ସବୁ।
ଅନେକ ସମୟରେ ବରଦାନ ବହୁ ଦୁର୍ବଳତାର କାରଣ ହୋଇଥାଏ। ଉର୍ବର ଭୂମି, ନଦନଦୀ, ଅନୁକୂଳ ଜଳବାୟୁ ଅନ୍ୟ ସଭ୍ୟତାଠାରୁ ଭାରତୀୟ ସଭ୍ୟତା ପ୍ରତି ଆଦ୍ୟକାଳରେ ଥିଲା ବରଦାନ। ପୁନଶ୍ଚ ସମୁଦ୍ର ଏବଂ ହିମାଳୟର ଅଭେଦ୍ୟ ପ୍ରାଚୀର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବାହ୍ୟ ଶତ୍ରୁଠାରୁ ରଖିଥିଲା ସୁରକ୍ଷିତ। ଏଠି ତିନିମାସ ଚାଷକରି ବର୍ଷତମାମ ପାଇଁ ମଣିଷ ଯୋଗାଡ଼ି ପାରୁଥିଲା ଆହାର। କିନ୍ତୁ ଅନ୍ୟ ସଭ୍ୟତାରେ ପ୍ରକୃତିସହ ମଣିଷର ଥିଲା ରୀତିମତ ସଂଘର୍ଷ ଏବଂ ଏହାର ପରିଣାମ ସ୍ବରୂପ ସେମାନଙ୍କ ଶରୀର ହୋଇଥିଲା ଶକ୍ତ ଓ ମନୋଭାବ ହୋଇଥିଲା ଲଢ଼ୁଆ। ଶରୀର କିଭଳି ଅଧିକ ଦକ୍ଷ ଓ ଶକ୍ତିଶାଳୀ ହୋଇପାରିବ ସେଥିପାଇଁ ସେମାନେ ଆବିଷ୍କାର କରିଥିଲେ ବିଭିନ୍ନ କ୍ରୀଡ଼ା ଓ ବ୍ୟାୟାମ। ଆମ ଦେଶରେ ପ୍ରାରମ୍ଭରୁ କ୍ଷତ୍ରିୟ କେବଳ ଯୁଦ୍ଧବିଦ୍ୟା ଶିଖିବାକୁ କିଛି ଶାରୀରିକ କୌଶଳ ଅଭ୍ୟାସ କରୁଥିଲା ଏବଂ ଋଷି ମୁନିମାନେ ଧ୍ୟାନ ଧାରଣା ପାଇଁ କରୁଥିଲେ କିଛି ଆସନ ପ୍ରାଣାୟାମ। ସାର୍ବଜନୀନ ଭାବେ ଶରୀର ଚର୍ଚ୍ଚାକୁ ନେଇ ଏ ଭୂଖଣ୍ଡରେ କେବେ ଆଲୋଡ଼ନ ଅବା ବିପ୍ଳବଟିଏ ଘଟିନାହିଁ। ଦୁଇ ମହାକାବ୍ୟରେ ଶରୀର ଚର୍ଚ୍ଚାକୁ ନେଇ ମନମୋହିବା ଭଳି ବିଷୟଟିଏ ମୋଟେ ଆମେ ଭେଟିବା ନାହିଁ। ଏଠି ଅନ୍ତଃଜଗତ ଉପରେ ଚୈତନ୍ୟ ଉପରେ ଯେତେ କର୍ଷଣ ହୋଇଛି ଶରୀରକୁ ସେତେ ଅବହେଳା କରାହୋଇଛି। ଆମ ଦେଶ ଏବଂ ଅଲିମ୍ପିକ୍ସ ଜନକ ଗ୍ରୀକ୍‌ ସହ ତୁଳନା କଲେ ଏହି ସତ୍ୟକୁ ସହଜରେ ଅନୁଭବି ପାରିବା, ଉଦାହରଣଟିଏ- ଭାରତବର୍ଷର ବହୁ କିମ୍ବଦନ୍ତୀ ମଧ୍ୟରୁ ଶବରୀ ବୁଢୀ ଏକ ଅନନ୍ୟ ଘଟଣା। ଗ୍ରୀକ୍‌ ଦେଶର ବହୁ ଲୋକକଥା ମଧ୍ୟରୁ ଫେଡ଼ିପିଡ଼ସ ଚରିତ୍ର ମଧ୍ୟ ଏକ ଅନନ୍ୟ ଘଟଣା। ମାରାଥନ ସ୍ଥାନରୁ ୪୨ କିଲୋମିଟର ଦୌଡ଼ି ଦୌଡ଼ି ଆସି ଏଥେନ୍ସବାସୀଙ୍କୁ ସେ ଯୁଦ୍ଧ ବିଜୟର ଶୁଭ ଖବର ଦେଇଥିଲେ। ଏଇ ଘଟଣା ପରବର୍ତ୍ତୀ ସମୟରେ ମାରାଥନ ଦୌଡ଼କୁ ଜନ୍ମ ଦେଇଥିଲା। ଦୁଇଟି ଏହି ଅସାଧାରଣ ଚରିତ୍ର ମଧ୍ୟରେ ସମାନତା ହେଉଛି ଦୁହେଁ ସମାଜର ଖୁବ୍‌ ନିମ୍ନବର୍ଗର । ମା’ ଶବରୀ ଅନନ୍ୟ ଚୈତନ୍ୟକୁ ପ୍ରକାଶ କଲାବେଳେ ଫେଡ଼ିପିଡ଼ସ ଅସାଧାରଣ ଦୈହିକ, ପ୍ରାଣିକ ସାମର୍ଥ୍ୟର ପ୍ରତିନିଧି କରନ୍ତି। ଉକ୍ତ ଦୁଇ ଘଟଣାକୁ ଭଲ ଭାବେ ବୁଝିଲେ ନିଶ୍ଚେ ଜାଣିପାରିବା ଭାରତବର୍ଷ ଅଲିମ୍ପିକ୍ସରେ କାହିଁକି ଶ୍ରେଷ୍ଠ ପ୍ରଦର୍ଶନ କରିପାରେନାହିଁ।
ଆଉ ଏକ ଦିଗ ଯାହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ – ବୈଦିକ ସମୟର ସର୍ବମ ଖଳିତମ ବ୍ରହ୍ମ କିଭଳି ବ୍ରହ୍ମ ସତ୍ୟ ଜଗତ ମିଥ୍ୟାର ରୂପନେଲା ଏହାକୁ ନିଷ୍ଠାର ସହ ନ ଖୋଜିବା ଯାଏ ବିଶ୍ୱ କ୍ରୀଡ଼ା ମହାକୁମ୍ଭରେ କୀର୍ତ୍ତି ରଚିବା ସହଜ ହେବନି। ଦେହକୁ ଏକ ଉତ୍‌କ୍ଷେପଣ କେନ୍ଦ୍ର ଭଳି ବ୍ୟବହାରକରି ମୁକ୍ତି, କୈବଲ୍ୟ, ନିର୍ବାଣ ଉଠିଯିବା ଯଦି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହୁଏ ସେହି ଶରୀର କିଭଳି ଶ୍ରେଷ୍ଠତା ରଚନା କରିପାରିବ? ମୋତେ ତ ଲାଗେ ଆମ ଦେଶରେ ଜୀବନ ଦୁଇ ଭାଗରେ ବିଭକ୍ତ – ଭୋଗ ନଚେତ୍‌ ଭାଗ। ଭୋଗୀ କେବେ ଶରୀରର ଯତ୍ନ ନେଇପାରେ ନାହିଁ ଏବଂ ଭାଗ ବା ଏ ଜୀବନରୁ ପଳାୟନ ବା ମୁକ୍ତି, ନିର୍ବାଣ ଖୋଜୁଥିବା ମଣିଷ ମଧ୍ୟ ଶରୀର ଠିକ୍‌ ଯତ୍ନ ନେଇପାରେ ନାହିଁ। ଘଟଣାଟିଏ – ମହୀୟସୀ ଗାର୍ଗୀ ଯେବେ ଆତ୍ମଜ୍ଞାନ ବିଷୟରେ ବିଦ୍ୱାନଙ୍କ ସହ ବାକ୍‌ ଯୁଦ୍ଧ କରୁଥିଲେ, ସେଇ ପାଖାପାଖି ସମୟ ଅବଧିରେ ଏଥେନ୍ସର ଅଲମ୍ପିଆ ସହରରେ ଚାଲିଥିବା କ୍ରୀଡ଼ା କୁମ୍ଭମେଳାରେ ପୁରୁଷ ରଥିମାନଙ୍କୁ ପଛକରି ବେଲିସ ନାମକ ଜଣେ ଝିଅ ପ୍ରଥମ ହୋଇଥିଲା। ନାରୀ ଅଲିମ୍ପିକ୍ସରେ ଭାଗ ନେବାର ଅଧିକାର ସେ ସମୟରେ ନ ଥିବା ସତ୍ତ୍ୱେ ତା’ର ଏ ଅବଜ୍ଞା ଓ ଧୃଷ୍ଟତା ସତ୍ତ୍ୱେ ତାକୁ ସେଦିନ ବିଜୟର ଶିରପା ଅଲିଭ ପତ୍ରର ମୁକୁଟ ପିନ୍ଧା ହୋଇଥିଲା। ସବୁ ଧୃଷ୍ଟତାକୁ କ୍ଷମାକରି ଶରୀର ଏବଂ ପ୍ରାଣିକ ଶକ୍ତି ପ୍ରତି ଏ ଅନନ୍ୟ ସମ୍ମାନ ଇତିହାସରେ ବିରଳ । ଅପରପକ୍ଷରେ ଶ୍ରୀଗଣେଶ, ଶ୍ରୀକାର୍ତ୍ତିକ ଏବଂ ଅନ୍ୟ ଦେବଙ୍କ ମଧ୍ୟରେ ଶ୍ରେଷ୍ଠତାର ପ୍ରତିଯୋଗିତା ହେଲା ଏବଂ ଶେଷରେ ଶ୍ରୀଗଣେଶ ଯେଉଁ ଭାବରେ ବିଜିତ ହେଲେ ଏହା ଅବଶ୍ୟ ଅନନ୍ୟ ଏବଂ ଭାରତୀୟ ମୌଳିକ ଚିନ୍ତନର ଆତ୍ମା। ଏଠି ମଧ୍ୟ ଶକ୍ତି ନୁହେଁ ଚୈତନ୍ୟ ହିଁ ମୁଖ୍ୟ। ଶ୍ରୀଗଣେଶଙ୍କୁ ଶ୍ରେଷ୍ଠ କହିବାସହ ଶ୍ରୀକାର୍ତ୍ତିକଙ୍କୁ ମଧ୍ୟ ତାଙ୍କ ସାମର୍ଥ୍ୟ ଓ ଶକ୍ତି ପାଇଁ ସମ୍ମାନ ଅବଶ୍ୟ ଦେବାର ଥିଲା। ଚୈତନ୍ୟ ଏବଂ ଶକ୍ତି ଦୁହିଁଙ୍କର ସମନ୍ବୟ ହିଁ ଜୀବନର ପୂର୍ଣ୍ଣତା। ଶ୍ରୀଅରବିନ୍ଦ କହନ୍ତି, ‘ଆମେ ଜଡ଼କୁ ଅବଜ୍ଞା କରିଛୁ ତେଣୁ ଜଡ ତା’ର ପ୍ରତିଶୋଧ ନେଇଛି।’ ଯେଉଁଦିନ ଆମେ ଶ୍ରୀଗଣେଶ ଓ ଶ୍ରୀକାର୍ତ୍ତିକ ଉଭୟ ସାମର୍ଥ୍ୟର ଅଧିକାରୀ ହେବା କେବଳ ଅଲିମ୍ପିକ୍ସ ନୁହେଁ ସବୁ କ୍ଷେତ୍ରରେ ଆମେ ଶ୍ରେଷ୍ଠତାକୁ ଛୁଇଁବା।
ଏବେ ଆଉ ଏକ ଦିଗ- କାହିଁକି ଭାରତରେ ସର୍ବାଧିକ ମଧୁମେହ, ହୃଦ୍‌ରୋଗୀ ଏବଂ ଗ୍ୟାଷ୍ଟ୍ରିକ ରୋଗୀ ବଢ଼ିବାରେ ଲାଗିଛନ୍ତି। ଘଟଣାଟିଏ ମନେପଡୁଛି- ସ୍ବାମୀ ବିବେକାନନ୍ଦ ଯେଉଁ ମହୀୟସୀ ମହିଳାଙ୍କ ସହାୟତା ପାଇ ଆମେରିକାରେ ପ୍ରସିଦ୍ଧି ଓ ଧର୍ମସମ୍ମିଳନୀରେ ଯୋଗ ଦେଇପାରିଥିଲେ, ମିଠା ପ୍ରିୟ ସ୍ବାମିଜୀ ଦିନେ ଯତ୍ନରେ ଖିରି ତିଆରି ମହିଳାଙ୍କୁ ପରଷିଦେଲେ। ସେଇ ମା’ ସମାନ ନାରୀ ଖିରି ଚାମଚ ପାଟିରେ ମାରି ଚିତ୍କାରିଉଠିଲେ ପଏଜନ ପଏଜନ ଏବଂ ସମସ୍ତ ଖିରି ଢାଳିଦେଇ ଏଭଳି ଶରୀର ବିରୋଧୀ ଖାଦ୍ୟ ନ ଖାଇବାକୁ ସ୍ବାମିଜୀଙ୍କୁ ତାଗିଦ କଲେ। ଏଇ ଘଟଣା ସ୍ବାମିଜୀଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା ଏବଂ ଅନେକ ଚିଠିରେ ଉତ୍ତମ ଖାଦ୍ୟ ବିଷୟରେ କେତେ କଥା ଲେଖି ଜନ୍ମଭୂମିକୁ ପଠାଇଥିଲେ। ପରେ ଯେବେ ଜନ୍ମଭୂମିରେ ପହଞ୍ଚିଲେ, ସବୁଠି କହିଲେ, ଗୀତାପଢ଼ା ବନ୍ଦକରି ଫୁଟବଲ ଖେଳ, ଗୋଟିଏ ଶକ୍ତିଶାଳୀ ଶରୀର କେବଳ ଗୀତାକୁ ଠିକ୍‌ ଭାବେ ଗ୍ରହଣ କରିପାରିବ। ଆଜି ମଧ୍ୟ ଆମ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକରେ ଶରୀରଚର୍ଚ୍ଚା କେତେ ଦୟନୀୟ ଓ ହାସ୍ୟାସ୍ପଦ ହୋଇ ରହିଛି ଆମେ ସଭିଏ ଜାଣନ୍ତି। ଏହା ନିଶ୍ଚିତ ପାଶ୍ଚାତ୍ୟ ତୁଳନାରେ ଆମେ ଆମ ଶରୀରର ମୋଟେ ଠିକ୍‌ ଭାବେ ଯତ୍ନ ନେଇନାହୁଁ, ତା’ର ସମୃଦ୍ଧି ପାଇଁ ପୁରାଣ, ଇତିହାସ ହେଉ ଅବା ଆଜିର ଜୀବନଚର୍ଯ୍ୟା ହେଉ କେବେ ଆଖିଦୃଶିଆ କାର୍ଯ୍ୟ କରିନାହୁଁ। ଡାକ୍ତର ଏବଂ ରୋଗ ଆଜି ଆମକୁ ତାଡ଼ନା ଦେଲେ ବାଧ୍ୟ ହୋଇ କିଛି ଶରୀର ପାଇଁ ସମୟ ଦେଉଛୁ ଏବଂ ଖାଦ୍ୟ ପ୍ରତି ସଚେତନ ହେଉଛୁ। ଏହିଭଳି ଏକ ମାନସିକତା ମଧ୍ୟରେ କ’ଣ ଜଣେ ଶ୍ରେଷ୍ଠ ଶରୀର ସାଧକ ବା ଶ୍ରେଷ୍ଠ ଖେଳାଳି ଗଢ଼ି ହୋଇପାରେ। ଏଇଭଳି ଅନେକ ଗୁପ୍ତ କାରଣ ରହିଛି ଆମ ଶରୀର ବିଶ୍ୱ କ୍ରୀଡ଼ାରେ ଶ୍ରେଷ୍ଠତା ପ୍ରଦର୍ଶନ ନ କରିପାରିବାର।
ଅଲିମ୍ପିକ୍ସ ଗ୍ରୀକ୍‌ରେ ଯେବେ ଆରମ୍ଭ ହୋଇଥିଲା ତା’ର ଅନ୍ତଃଉଦ୍ଦେଶ୍ୟ ଥିଲା ଖୁବ୍‌ ଅସାଧାରଣ। ଉପନିଷଦରେ ନଚିକେତା ଯମଦେବଙ୍କୁ ଭେଟିବା ଭଳି ଥିଲା ଖୁବ୍‌ ସ୍ବର୍ଗୀୟ ଓ ଭାବମୟ। ସମଗ୍ର ଗ୍ରୀକ୍‌ ଭୂଖଣ୍ଡର ଦର୍ଶକ ବସିଥିବେ, ଖେଳାଳିମାନେ ଦେବତାଙ୍କ ଦେବତା ଜୀଅସଙ୍କ ମୂର୍ତ୍ତିସାମ୍ନାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଦେହେ ପବିତ୍ର ଅଲିଭ ତୈଳ ଲେପି ଦେବରାଜା ଜୀଅସଙ୍କ ସମୀପରେ ଅଙ୍ଗ ପ୍ରଦର୍ଶନ କରି କହନ୍ତି, ‘ଆପଣ ଆମକୁ ଯେଉଁ ଶରୀର ଦେଇଛନ୍ତି ଆମେ ତାହାର ଏଇ ଭଳି ଯତ୍ନ ନେଇଛୁ। ଆହୁରି କିଭଳି ଏହାର ଅଧିକ ଯତ୍ନ ନେଇପାରିବୁ ଆମକୁ ଉପାୟ, ସାମର୍ଥ୍ୟ ଏବଂ ଶ୍ରଦ୍ଧା ପ୍ରଦାନ କରନ୍ତୁ।’ ପ୍ରତିଟି ଭାରତୀୟ, ପ୍ରତିଟି ବିଶ୍ୱବାସୀ ପାଇଁ ଅଲିମ୍ପିକ୍ସ ଏଇ ପବିତ୍ର ଅନୁଭବ ଆଣି ଦେଉ । ଈଶ୍ୱରଙ୍କ ଦ୍ୱାରା ନିର୍ମିତ ଏଇ ମାନବ ଶରୀର କୋଟି କୋଟି ଗ୍ରହ, ନକ୍ଷତ୍ରଠାରୁ ସମସ୍ତ ସୃଷ୍ଟିଠାରୁ ଭିନ୍ନ, ଅନନ୍ୟ ଓ ଅସାଧାରଣ; ଆସ ଏହାର ପୂର୍ଣ୍ଣାଙ୍ଗ ଯତ୍ନ ନେବା। ଶ୍ରୀମା’ଙ୍କ ସହଜ ଶବ୍ଦ କେତୋଟି ‘ଶରୀରର ପ୍ରତିଟି କୋଷ ପରମଙ୍କୁ ପୂର୍ଣ୍ଣରୂପେ ପ୍ରକାଶିବାକୁ ପ୍ରୟାସ କରୁଛି। ଆସ! ଆମେ ତାକୁ ସହଯୋଗ କରିବା। ’
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ-୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri