ଗୃହିଣୀଙ୍କ ଶ୍ରମର ଅବମୂଲ୍ୟାୟନ କାହିଁକି

ଈପ୍ସିତା ମହାନ୍ତି

ମହିଳା ବା ନାରୀମାନେ ହେଉଛନ୍ତି ସମସ୍ତ ଶକ୍ତିର କେନ୍ଦ୍ରବିନ୍ଦୁ। ଏମାନଙ୍କୁ ବାଦ୍‌ ଦେଇ କେବଳ ପରିବାରର ନୁହେଁ; ସମାଜ, ଅଞ୍ଚଳ, ରାଜ୍ୟ ଓ ରାଷ୍ଟ୍ରର ପ୍ରଗତି ବିଷୟରେ ଆଦୌ ଚିନ୍ତା କରାଯାଇ ନ ପାରେ। ଏମାନେ ମହାକାଶରେ ପାଦ ଦେଇ ସାରିଲେଣି। ତଥାପି ମହିଳାମାନେ ଆଜି ନିଜର ପରିଚୟ ଓ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି। ଗୃହିଣୀମାନଙ୍କ ପାଇଁ ଦୁର୍ଘଟଣା ସମ୍ବନ୍ଧୀୟ କ୍ଷତିପୂରଣ ଧାର୍ଯ୍ୟ କଲାବେଳେ ନ୍ୟାୟାଳୟକୁ ସେମାନଙ୍କ ଗୃହକାର୍ଯ୍ୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କିଛି ଦିନ ତଳେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ମାମଲାର ଶୁଣାଣି ଅବସରରେ ପ୍ରକାଶ କରିଥିଲେ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, କ୍ଷତିପୂରଣ ସମ୍ପର୍କିତ ମାମଲାରେ ଗୃହିଣୀମାନଙ୍କର କାଳ୍ପନିକ ଆୟ ସ୍ଥିର କରିବା ଦ୍ବାରା ଆମ ଆଇନ, ବିଚାର ବ୍ୟବସ୍ଥା ଓ ନ୍ୟାୟପାଳିକା ଯେ ସେମାନଙ୍କ ଶ୍ରମ, ସେବା ଏବଂ ବଳିଦାନକୁ ଗୁରୁତ୍ୱ ଦିଅନ୍ତି, ଏ କଥାକୁ କେବଳ ଗୃହିଣୀମାନେ ଅନୁଭବ କରିବେ ନାହିଁ ବରଂ ସମାଜକୁ ମଧ୍ୟ ଏହା ଏକ ଭଲ ବାର୍ତ୍ତା ପ୍ରଦାନ କରିବ।
ସରକାରୀ ଭାବେ ହୋଇଥିବା ଅଧ୍ୟୟନରେ ଆଜି ମଧ୍ୟ ଗୃହିଣୀମାନଙ୍କୁ ଏକ ଅଣ-ଉତ୍ପାଦନକାରୀ ଶ୍ରେଣୀଙ୍କ ବର୍ଗରେ ଗଣତି କରାଯାଏ। କେବଳ ଏତିକି ନୁହେଁ, ଗୃହିଣୀମାନଙ୍କର କାର୍ଯ୍ୟକଳାପକୁ କାର୍ଯ୍ୟ ଭାବରେ ମଧ୍ୟ ବିବେଚନା କରାଯାଏ ନାହିଁ। ୟୁନିସେଫ୍‌ ଦ୍ବାରା ପ୍ରକାଶିତ ‘ବାଳିକାମାନଙ୍କ ପାଇଁ ସଂଖ୍ୟାକୁ ଏକତ୍ର କରିବା, ସମୀକ୍ଷା କରିବା ଏବଂ ୨୦୩୦ ପରର ଦୂରଦୃଷ୍ଟି’ ଶୀର୍ଷକ ରିପୋର୍ଟ ଦର୍ଶାଉଅଛି ଯେ ଏମାନଙ୍କ ଉପରେ ଘରୋଇ କାମର ଭାର ବହୁତ କମ୍‌ ବୟସରୁ ହିଁ ପଡୁଅଛି। ପୁଣି ଏହି ତଥ୍ୟ ଅନୁସାରେ ୫ରୁ ୯ବର୍ଷ ବୟସର ଝିଅମାନେ ନିଜ ବୟସର ପୁଅମାନଙ୍କ ଅପେକ୍ଷା ଦୈନିକ ୩୦%ରୁ ଅଧିକ ସମୟ କାମ କରୁଥିବା ଜଣାଯାଏ। ଏକ ଜାତୀୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଆମ ଦେଶର ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ଅଧିକାଂଶ ମହିଳା ଆଜି ଘରୋଇ କାର୍ଯ୍ୟରେ ନିଜର ବହୁମୂଲ୍ୟ ସମୟକୁ ଅତିବାହିତ କରିଚାଲିଛନ୍ତି। ଗ୍ରାମାଞ୍ଚଳର ୬୦% ଏବଂ ସହରାଞ୍ଚଳର ୬୪% ମହିଳା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ମହିଳାଙ୍କ ସର୍ବାଧିକ ସମୟ ନିଜ ପରିଣତ ବୟସରେ ଘରୋଇ କାର୍ଯ୍ୟରେ କଟିବା ଆମ ପାଇଁ ଯେତିକି ଚିନ୍ତାଜନକ, ସେତିକି ଗର୍ବର ବିଷୟ।
ପୁରୁଷମୁଖ୍ୟ ସମାଜର ବିଶ୍ୱାସରେ ମହିଳାମାନେ କେବଳ ସେବା ପାଇଁ ହିଁ ଜନ୍ମ ନେଇଛନ୍ତି। ଏହି ଚିନ୍ତାଧାରା ଆଜି ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣକୁ ପରିବ୍ୟାପ୍ତ ହୋଇଚାଲିଛି। ଏସବୁ କଥା ମହିଳାମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱବୋଧତା ସହ ବିଭିନ୍ନ ଭୂମିକାରୁ ସ୍ପଷ୍ଟ ରୂପେ ବାରି ହୋଇପଡ଼େ। ମହିଳାମାନଙ୍କର କାର୍ଯ୍ୟକୁ କେବଳ ଅର୍ଥନୈତିକ ଗଣନାରେ ନୁହେଁ, ଭାବପ୍ରବଣତା କ୍ଷେତ୍ରରେ ମଧ୍ୟ ଅମୂଳକ ଭାବେ ବିବେଚନା କରାଯାଉଛି। ଏହା ହେଉଛି ଏମାନଙ୍କର ଅବୈତନିକ ଘରୋଇ କାର୍ଯ୍ୟ ସହ ଜଡ଼ିତ ଏକ କଠୋର ସତ୍ୟ ଏବଂ ଯେଉଁଥିରେ ବାସ୍ତବିକତା ମଧ୍ୟ ରହିଅଛି। ମହିଳାମାନେ ଘରେ ରହିବା ସମୟରେ କିଛି କରନ୍ତି ନାହିଁ ବୋଲି ସେମାନଙ୍କ ମନରେ ନିରନ୍ତର ଭାବେ ବିଶ୍ବାସ ଜନ୍ମା ଯାଉଛି। ତେଣୁ ଆମ୍ଭେ ମଧ୍ୟ ନିଜେ କିଛି କରୁନାହୁଁ ବୋଲି ମହିଳାମାନେ ସ୍ବୟଂ ଭାବି ନେଇଛନ୍ତି।
ଉତ୍ତରାଖଣ୍ଡର ମହିଳାମାନେ କୌଣସି ବି କାମ କରୁନଥିବା ମାଉଣ୍ଟେନ୍‌ ରିସର୍ଚ୍ଚ ଜର୍ନାଲ୍‌ ଦ୍ୱାରା ସମ୍ପାଦିତ ଏକ ଅଧ୍ୟୟନରେ ପ୍ରକାଶ ପାଇଛି। କିନ୍ତୁ ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ସଂଗ୍ରହ କରି ତାହାକୁ ବିଶ୍ଳେଷଣ କରିବାରୁ ଜଣାପଡ଼ିିଥିଲା, ଏଠାକାର ପରିବାରର ପୁରୁଷମାନେ ଦୈନିକ ହାରାହାରି ୯ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ମହିଳାମାନେ ୧୬ ଘଣ୍ଟା କାର୍ଯ୍ୟ କରିଚାଲିଛନ୍ତି। ଏମାନଙ୍କର ଏସବୁ କାର୍ଯ୍ୟକୁ ସଠିକ୍‌ ଭାବେ ମୂଲ୍ୟାୟନ କରି ଯଦି ସର୍ବନିମ୍ନ ଦୈନିକ ମଜୁରି ପ୍ରଦାନର ବ୍ୟବସ୍ଥା କରାଯାଏ; ତା’ହେଲେ ପାରିଶ୍ରମିକ ବାବଦରେ ପୁରୁଷମାନେ ଦୈନିକ ୧୨୮ଟଙ୍କା ଏବଂ ମହିଳାମାନେ ଦିନକୁ ୨୨୮ଟଙ୍କା ପାଇବେ ବୋଲି କୁହାଯାଇଛି। ଅର୍ଥାତ୍‌ ଏ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ୧୦୦ ଟଙ୍କା ମଜୁରି ପାଇବାର ଦାବିଦାର ଅଟନ୍ତି। ବିଶ୍ବ ଅର୍ଥନୈତିକ ମଞ୍ଚର ବିଶ୍ବସ୍ତରୀୟ ଲିଙ୍ଗଗତ ପ୍ରଭେଦ ରିପୋର୍ଟ ଅନୁଯାୟୀ ଜନ ଗଣନାରେ ଅଣ-ରୋଜଗାର ବର୍ଗରେ ଲିପିବଦ୍ଧ କରାଯାଇଥିବା ଏହି ବର୍ଗର ଗୃହିଣୀମାନେ ଦୈନିକ ୩୫୦ ମିନିଟ୍‌ର ସମୟ ଅବୈତନିକ ଘରୋଇ କାର୍ଯ୍ୟରେ ବିତାଇଥାନ୍ତି। ମାତ୍ର ଏଥିପାଇଁ ଏମାନେ କୌଣସି ପ୍ରକାରର ଆର୍ଥିକ ଲାଭ କିମ୍ବା ପ୍ରୋତ୍ସାହନ ପାଆନ୍ତି ନାହିଁ। ଅକ୍ଟୋବର ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ କହୁଛି, ଭାରତୀୟ ମହିଳାମାନେ ଦିନକୁ ହାରାହାରି ୨୪୩ ମିନିଟ ଅବୈତନିକ କାର୍ଯ୍ୟ କରନ୍ତି, ଅପରପକ୍ଷେ ପୁରୁଷମାନେ ମାତ୍ର ୨୫ ମିନିଟ ଏଭଳି କାର୍ଯ୍ୟ କରିଥାଆନ୍ତି।
ସମ୍ପ୍ରତି କେତେକ ଦେଶ ଏବଂ ଅନୁଷ୍ଠାନ ଘରୋଇ ଅବୈତନିକ କାର୍ଯ୍ୟର ମୂଲ୍ୟାୟନ ପାଇଁ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରିବା ଆରମ୍ଭ କରି ଦେଇଛନ୍ତି। ଏହି ପଦ୍ଧତିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସମୟ ବ୍ୟବହାରର ସର୍ବେକ୍ଷଣ। ଜଣେ ମହିଳା ଯେତେ ସମୟ ଅବୈତନିକ ଘରୋଇ କାର୍ଯ୍ୟ ପାଇଁ ଦେଇଥାଆନ୍ତି, ସେତିକି ସମୟ ଯଦି ସେ ବେତନଯୁକ୍ତ କାର୍ଯ୍ୟ ପାଇଁ ଦେବେ, ତା’ହେଲେ ତାଙ୍କୁ ଏ ବାବଦରେ କେତେ ପାରିଶ୍ରମିକ ମିଳିବ? ତା’ର ହିସାବ ଏହି ପଦ୍ଧତି ଦ୍ବାରା ସହଜରେ ମୂଲ୍ୟାୟନ କରାଯାଇପାରିବ। କେତେକ ଦେଶ ଏହି ଅବୈତନିକ କାର୍ଯ୍ୟକୁ ହିସାବ କରିବା ପାଇଁ ବଜାର ବଦଳ ବା ବିନିମୟ ମୂଲ୍ୟ ନାମକ ସିଦ୍ଧାନ୍ତକୁ ବ୍ୟବହାର କରିଥା’ନ୍ତି। ଘରମାନଙ୍କରେ ଯେଉଁସବୁ କାର୍ଯ୍ୟ ଅବୈତନିକ ରୂପେ ଗୃହିଣୀଙ୍କ ଦ୍ୱାରା ହେଉଅଛି, ସେହି ସେବାଗୁଡ଼ିକୁ ଯଦି ବଜାର ମାଧ୍ୟମରେ ଉପଲବ୍ଧ କରାଯାଏ; ତେବେ ଏଥିପାଇଁ ପାରିଶ୍ରମିକ ବାବଦକୁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ, ସେ ବିଷୟରେ ଏହି ସିଦ୍ଧାନ୍ତ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଇଥାଏ। ୱାଶିଂଟନ୍‌ସ୍ଥିତ ଅନ୍ତର୍ଜାତୀୟ ମହିଳା ଅନୁସନ୍ଧାନ କେନ୍ଦ୍ର, ମଧ୍ୟ ଆମେରିକାସ୍ଥ ଗ୍ବାଟେମାଲାଠାରେ ସମୟର ବ୍ୟବହାର ସର୍ବେକ୍ଷଣ ପଦ୍ଧତି ଅବଲମ୍ବନ କରି ଯେଉଁ ନିଷ୍କର୍ଷରେ ଉପନୀତ ହୋଇଥିଲେ, ସେଥିରୁ ଜଣାଯାଇଛି ଯେ, ସେଠାକାର ପ୍ରାୟ ୭୦% ଘରୋଇ କାର୍ଯ୍ୟ ମହିଳାଙ୍କ ଦ୍ବାରା ବିନା ବେତନ ବା ପାରିଶ୍ରମିକରେ ସମ୍ପାଦିତ ହେଉଅଛି।
ଏସବୁ ଦୃଷ୍ଟିରୁ ଦିନକୁଦିନ ଗୃହିଣୀମାନଙ୍କ କାର୍ଯ୍ୟକଳାପ କିଭଳି ଭାବେ ଅବମୂଲ୍ୟାୟନ ହୋଇ ଚାଲିଛି, ତାହା ଏ ସମସ୍ତ ଅଧ୍ୟୟନ ଦର୍ଶାଇବାରେ ସମର୍ଥ ଅଟନ୍ତି। ବର୍ତ୍ତମାନ ମହିଳାମାନଙ୍କର ଅବୈତନିକ ଘରୋଇ କାର୍ଯ୍ୟକୁ ଅର୍ଥନୈତିକ ଉତ୍ପାଦନ ହିସାବରେ ଗଣତି କରାଯିବାର ସମୟ ଆସିଯାଇଛି। ଆମ ଦେଶରେ ଘରୋଇ ମହିଳାଙ୍କ କାର୍ଯ୍ୟର ଅର୍ଥନୈତିକ ମୂଲ୍ୟକୁ ସ୍ବୀକାର ନ କରିବା ପ୍ରବୃତ୍ତି ଦେଶକୁ ପଛକୁ ଠେଲି ଦେଇପାରେ। ମେକ୍କିନ୍ସ ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିଜ ଗବେଷଣାତ୍ମକ ତଥ୍ୟରୁ ଜାଣିବାକୁ ପାଇଛି ଯେ, ଅବୈତନିକ ଘରୋଇ କାର୍ଯ୍ୟର ଗଣନାକୁ ଯଦି ଦୈନିକ ସର୍ବନିମ୍ନ ବେତନର ମାନଦଣ୍ଡ ଆଧାରରେ ହିସାବ କରାଯାଏ, ତେବେ ଏହା ଆମ ଦେଶ ଭାରତର ସମସ୍ତ ଘରୋଇ ଉତ୍ପାଦନ ବା ଜିଡିପିରେ ୩୯% ବୃଦ୍ଧି ଘଟାଇବାରେ ସମର୍ଥ ହେବ।
– ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫
imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ମୁଁ କବି ହେବି

ବନ୍ଧୁ ହାରାଧନ ବାବୁ କହିଲେ- ମୋତେ କେତୋଟି ପତ୍ରିକାର ଠିକଣା ଦିଅ। ମୁଁ ମୋ କବିତା ପଠାଇବି। କେଉଁ ପତ୍ରିକା? ମୁଁ ପଚାରିଲି। ସେ କହିଲେ- ଯେଉଁ…

ଡେଥ୍‌ ଟେକ୍‌-ମୃତ୍ୟୁର ବଜାରୀକରଣ

କିଛିଦିନ ତଳେ ଗୋଟିଏ ବିବାହ ସମାରୋହର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଭିଡିଓଟି ଭାଇରାଲ ହେବାର ମୁଖ୍ୟ କାରଣ ଥିଲା ଯେ ଏଥିରେ…

ନିୟମ ମାନିବାକୁ ପଛଘୁଞ୍ଚା

ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ…

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri