Posted inଫୁରସତ

ପିଲାଙ୍କ ଦାୟିତ୍ୱ କାହାର…

ଯୋଉ ଜାଗାରେ ଦେଶୀ ଦୁହାଁଳିଆ ଗାଈ କି ପାଞ୍ଚ ହଜାରେ ଟଙ୍କାରେ ବିକି, ପନ୍ଦର ହଜାର ଦେଇ ବିଦେଶୀ କୁକୁର କିଣି ପାଳିଲେଣି, ନିଃସନ୍ଦେହରେ କହିବା ସେଇଠି ଢେରେ ଉନ୍ନତି ହେଲାଣି l ତା’ ଛଡ଼ା ଯେଉଁ ଗାଁ ଗହଳିରେ ଅଛପର ସ୍କୁଲଘର ଅବା ପାଣି ଗଳୁଥିବା ଛାତ ଖସୁଥିବା ସରକାରୀ ସ୍କୁଲ ଛାଡ଼ି ପାଞ୍ଚ ଦଶ କିଲୋମିଟର ଦୂର ଇଂରାଜୀ ଘରୋଇ ବିଦ୍ୟାଳୟକୁ ପିଲାଏ ପଢ଼ିବାକୁ ଗଲେଣି, ମୁଁ ହଲପକରି କହିବି ସେଇଠି ଶିକ୍ଷାର ପ୍ରବଳ ବିକାଶ ହେଲାଣି l

ଏମିତି ଗୋଟେ ଘଟଣା କହୁଛି ଟିକେ ଶୁଣନ୍ତୁ l ସେଦିନ ମୁଁ ମୋର ଜଣେ ଗ୍ରାମ୍ୟବନ୍ଧୁଙ୍କ ଘରକୁ ଯାଇ ରହିଗଲି l ପରଦିନ ସକାଳୁ ପ୍ରାତଃ ଭ୍ରମଣସାରି ଗାଁ ମୁଣ୍ଡରେ ଥିବା ଚା’ ଦୋକାନ ପାଖରେ ଚା’ ପିଉଥାଏ l ମଗୁଶିର ହାଲୁକା ଶୀତୁଆ ସକାଳ l ବୁଢ଼ା -ବୁଢ଼ୀମାନେ ତାଙ୍କ ସାନ ନାତି ନାତୁଣୀଙ୍କୁ ଧରି ସୁକୁଟା ସାହୁ ଦୋକାନ ପାଖରେ ଅପେକ୍ଷା କରିଥାନ୍ତି… ସ୍କୁଲଗାଡ଼ିରେ ପିଲାଙ୍କୁ ଛାଡ଼ିବାକୁ l ପିଲାଗୁଡ଼ା ଏକମଛା ପୋଷାକରେ ଜୋତା ମୋଜା ପିନ୍ଧି, ବେକରେ ଟାଏ ଭିଡି, ପିଠିରେ ବ୍ୟାଗ, ପେଟ ଉପରେ ପାଣିବୋତଲ ଝୁଲେଇ ଠିଆ ହୋଇଥାନ୍ତି l ସେମାନେ ତାଙ୍କ ଭିତରେ ଆଳାପ ଜମେଇଥାନ୍ତି ତ ବୁଢ଼ା ବୁଢ଼ୀମାନେ ନିଜନିଜ ଘରକଥା ଗପୁଥାନ୍ତି l ସୁକୁଟା ସାହୁ ଦୋକାନ ଖୋଲୁ ଖୋଲୁ ଏଇ ଜେଜେ ଜେଜୀମାନେ ଦଶଟଙ୍କା ଲେଖା ବଢ଼େଇଦେଇ ବିସ୍କୁଟ ପ୍ୟାକେଟ ଗୋଟେ ଗୋଟେ କିଣି ପିଲାଙ୍କ ଟିଫିନ ପ୍ଲାଷ୍ଟିକବକ୍ସରେ ପୂରେଇ ମାଧ୍ୟାହ୍ନରେ ଖାଇବାକୁ ଧରେଇଦେଲେ l ଏଇ ପ୍ରଥାଟା ଆଜିକାଲି ସହରରୁ ଗାଁକୁ ସଂକ୍ରମିତ ଗ୍ରାମ୍ୟ ଫେଶନ l ସହଜିଆ ଜଳଖିଆ.. ଝମେଲା ନ ଥିବା ଭୋଜନ l ଏଥିରେ ବାପା ମା’ ଛୁଆ ସଭିଏଁ ଖୁସି l ଆଉ ଆଗପରି ପିଲାଙ୍କ ମମ୍ମି ଡାଡି ସକାଳୁଉଠି ବାସିପାଇଟି ସାରି ପଖାଳ କି ଚୁଡ଼ା, ଛତୁଆ, ଚକୁଳିଭଳି ଜଳଖିଆ ପ୍ରାୟ ପ୍ରସ୍ତୁତ କରୁନାହାନ୍ତି l ଅସଲକଥା ହେଲା ଟିଭି, ମୋବାଇଲ ମଉଜରେ ମାତି ବିଳମ୍ବ ରାତିରେ ଶୋଉଥିବାରୁ ପିଲାଙ୍କ ଖବର ବୁଝିବାକୁ ଏଇ ବୁଢ଼ା ବୁଢ଼ୀଙ୍କ ଦାୟିତ୍ୱରେ ଛାଡ଼ି ଡେରିରେ ଉଠୁଛନ୍ତି l ପହିଲେ ପହିଲେ ଏମିତି ରୀତି ନୀତି ବୁଢ଼ା ବୁଢ଼ୀଙ୍କୁ ବିରକ୍ତିକର ମନେହେଉଥିଲା l ଏବେ ଏସବୁ ଦେହସୁଆ କର୍ତ୍ତବ୍ୟ ବୋଧ ହୋଇଗଲାଣି l ପିଲାଏ ବି ମଧ୍ୟାହ୍ନରେ ଭୁରି ଭୋଜନ ନ କରି ଦଶଟଙ୍କିଆ ବିସ୍କୁଟ ଖାଇ ନିଜକୁ ଆଡ଼ଜଷ୍ଟ କରିନେଲେଣି l
ଗାଈ ନ ଥିବା ଘରୁ ଆଉ ଗୋବରଘଷି କି ଜାଳେଣି ଜାଳି ଘର ଧୂଆଁକରି ଜଳଖିଆ କି ରନ୍ଧାରନ୍ଧି ଝମେଲା ନାହିଁ l ଏଇ ଶସ୍ତା ସୁନ୍ଦର ସହଜଲଭ୍ୟ ବିସ୍କୁଟ ପ୍ୟାକେଟ ସବୁ ସମସ୍ୟାର ସରଳ ସମାଧାନ କରିଦେଉଛି l

ସେଦିନ କାର୍ତ୍ତିକ ପୂନେଇଁ ଓ ଛାଡ଼ଖାଇ ପାଳନ ଦି’ ଦିନ ଛୁଟି ପରେ ବୁଢ଼ା ବୁଢ଼ୀମାନେ ତାଙ୍କ ଡିଉଟିରେ ଖିଲାପ କରି ନ ଥିଲେ l ଏଇଭିତରେ ଚିନ୍ମୟ ନାମକ ପିଲା.. ଯାହାକୁ ଜେଜୀ ମା’ ଓ ସାଙ୍ଗମାନେ ଚାଇଁଆ ସମ୍ବୋଧନ କରୁଥିଲେ, ସେ ବି ଠିଆହୋଇଥାଏ l ତାକୁ ତା’ ସାଙ୍ଗ ତରବରିଆ ଡାକପକେଇବାରୁ ଗାଡ଼ି ଛାଡିଦବ ବୋଲି ଜେଜେମା’ ତାଗିଦାରେ ସକାଳର ନିତ୍ୟକର୍ମ ନ ସାରି ଡ୍ରେସ ପିନ୍ଧି ବ୍ୟାଗଧରି ଚାଲିଆସିଥାଏ l ଜେଜେମା’ କମଳାକ୍ରିମ ବିସ୍କୁଟପ୍ୟାକେଟ କିଣି ତାକୁ ଦେଉଦେଉ ଟକଳା ଚାଇଁଆ ତା’ ବାସ୍ନାରେ ଅଥୟହୋଇ କମଳାରୁ ଚୋପାଛଡେଇଲା ଭଳିଆ କାଗଜଖୋଳ ଛଡେଇ ସବୁତକ ଖାଇପକେଇଲା l ତାକୁ ଟାଉଟାଉ କରି ଖାଉଥିବାଦେଖି ଜେଜେମା’ ତା ପିଠିକି ବିଧାଏ ମାରି ଗାଳିଦେଇ କହିଲେ… ହେଇରେ ଟାଉକା ଟୋକା ! ଏବେ ତ ସବୁ ଗିଳିଦେଲୁ l ଖରାବେଳକୁ ଇସୁକୁଲୁରେ ଗିଳିବୁ କ’ଣ? ବାଧ୍ୟରେ ବୁଢ଼ୀମା’ ଆଉଗୋଟେ ପ୍ୟାକେଟ ସୁକୁଟା ଠୁ ବାକିରେ କିଣି ତାକୁ ଦେଲାରୁ, ସେଇଟାକୁ ବି ଖାଇବ ବୋଲି ଖୋଲିବାଦେଖି ଜେଜେମା’ ତା’ ହାତରୁ ଛଡେଇ ବ୍ୟାଗରେ ପୂରେଇ କହିଲେ… ରହରେ ବାଡ଼ିପୋଡ଼ା l ତୁ ଆଜି ଇସୁକୁଲୁରୁ ଘରକୁ ଆ l ମୁଁ ଯେବେ ତୋ ଦାଡିକି କହି ବୁହେମାଡ଼ ନ ଖୁଆଇଛି, ତେବେ ତୁ ମେତେ ଚିହ୍ନିବୁ l

ଏସବୁ ଦେଖି ମୁଁ ହସକୁ ଚାପି ପଚାରିଲି… ହେ ମାଉସୀ ! ୟାର ଦାଦିକି କିଆଁ କହିବ? ଛୁଆର ବାପା ବୋଉ କ’ଣ ନାହାନ୍ତି ନା ଦାଦି-ଖୁଡ଼ୀ ସବୁ ଦାୟିତ୍ୱ ବୁଝୁଛନ୍ତି ? ମାଉସୀ କହିଲେ… ମୋ ପୁଅପରା ତାକୁ ବାପ ନ ଡାକି ଦାଡି ଡାକିବାକୁ କହିଛି l କି ଯୁଗ ହେଲା ଲୋ ମା… ଆଗରୁ ଆମେ ଶୁଣିଥିଲୁ ଜାଣିଥିଲୁ କିଏ ହଇରାଣ ହରକତ ହେଲେ ବୋପାକୁ ମଉସା ଡାକିବାକଥା l ହେଲେ ଆଜିକାଲିର ଛୁଆ ବାପାକୁ ଦାଡି ଡାକିଲେଣି !!

ସ୍କୁଲଗାଡ଼ି ଆସିଗଲା l ଗାଡ଼ି କହିଲେ ଗାଁ ଗହଳିର ଟ୍ରଲିରିକ୍ସl ଗୋଟେ l  ତା’ ପଟାଉପର ଚାରିକଡେ ଟିଣ ତାରଜାଲି କଭର କରାଯାଇଛି l ପଛପଟରେ ଗେଟ l ତା ଭିତରେ ଛୁଆ ବସିବାକୁ ଚାଖଣ୍ଡେ ଚଉଡା ପାଞ୍ଚଫୁଟିଆ ପଟା ଦୁଇପଟେ ବେଞ୍ଚପରି ବାଡ଼ିଆ ହୋଇଛି l ଦଶଟା ଛୁଆଙ୍କୁ ଖୁନ୍ଦିଖାନ୍ଦି ତା’ ଭିତରେ ପୂରେଇ ପଛଗେଟରେ ବାହାରୁ କିଳିଣିଦେଇ ଟ୍ରଲିଭାଇ ଚଳେଇବା ଆରମ୍ଭ କଲେ l ଟ୍ରଲିବାଲାକୁ ପିଲାଏ ଅଙ୍କଲ ଡାକନ୍ତି l

ଯଦିଓ ସେ ଏଇ ପିଲାଙ୍କ ଭିତରୁ କାହାର ମାମୁ କି କକା ନୁହଁ l ପିଲାଏ ତା’ ଭିତରେ ବସି ଜାଲିପଟେ ବାହାରକୁ ବ୍ରଏଲର କୁକୁଡ଼ା ଗଲାବେଳେ ଚାହିଁଲାଭଳିଆ ଜୁଳୁ ଜୁଳୁକରି ଚାହୁଁଥାନ୍ତି l ମତେ ଲାଗୁଥିଲା ସେମାନେ ଛୁଆ ନୁହଁନ୍ତି.. ଯେମିତି ଛେଳି l ତାଙ୍କୁ କଂସେଇ ଧରିକି ନେଇ ଯାଉଛି କି ଆଉ l

ଗଲାକାଲି ଟ୍ରଲି ଅଙ୍କଲ ଛାଡଖାଇରେ ସାଙ୍ଗ ସାଥୀରେ ମାଉଁସ ଭୋଜିରେ ଭଲକି ମାଲ୍‌ ପିଇ ମସ୍ତିକରି ଢ଼େରେ ବିଳମ୍ବ ରାତିରେ ଘରକୁ ଫେରିଥିଲେ l ଟ୍ରଲି ଧରି ଆସିଲାବେଳେ ଟଳି ଟଳି ଆସିଥିଲା l ଏକଥା କୁନିଛୁଆମାନେ କି ଜେଜେମା, ଜେଜେ ଜାଣନ୍ତେ ବା କେମିତି? ଉଭୟେ ସରଳ ସହଜ ସ୍ବଭାବର l

ପିଲାଙ୍କୁ ନେଇ ଅଙ୍କଲ ଟ୍ରଲିରିସ୍କାରେ ଝୁଲି ଝୁଲି ଗଲାବେଳେ ମଝିରେ ମଝିରେ ପିଲାଏ ଚିତ୍କାରକରି କହୁଥାନ୍ତି… ଅଙ୍କଲ ! ଗାଡି ଭଲରେ ଚଲାଅ। ପଛରୁ ପିଲାଙ୍କ କଥା ଅଙ୍କଲଙ୍କୁ ଶୁଭୁଥିଲା କି କଣ, ମାତ୍ର ତାଙ୍କ କଣ୍ଠରୁ ଶୀତୁଆ ସକାଳର ପୁରୁଣା ଫିଲିମ ସଂଗୀତ ଛୁଟୁଥିଲା…. ‘ଆଜି ମୁଁ ପିଇନି.. ଆଜି ମୁଁ ଛୁଇଁନି.. ବାକିଅଛି କାଲିର ନିଶା…’ l ୟା ଭିତରେ କୋଉ କାଳରୁ ମରାମତି ହୋଇନଥିବା ସଡ଼କ କଡର ଖାଲରେ ଟ୍ରଲିର ପଛଚକା ଗଳିପଡି ଗାଡି ରାସ୍ତାପାଖ ଖାଲୁଆ ଜାଗାକୁ ଓଲଟିପଡିଲା l ଅଙ୍କଲଙ୍କ ମୁଣ୍ଡ ଗୋଟେ ପଥରରେ ପିଟିହୋଇ ଅକଲ ଗୁଡ଼ୁମ l କେହି ଉଠିବା ସହଜ ନଥିଲା l ଯାତାୟାତ କରୁଥିବା ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଗଲା l ବିଚରା ନିଷ୍ପାପ ପିଲାଙ୍କ ଜୀବନ, ଦଇବ ରଖିଲା l

ଏଣିକିଆଉ ବୁଢ଼ା ବୁଢ଼ୀ କି ଟ୍ରଲିଅଙ୍କଲଙ୍କ ଉପରେ ଭରସା ନକରି ମମୀ ଡାଡିମାନେ ଛୁଆଙ୍କ ଦାୟିତ୍ୱ ନିଜେ ନେଇ ସ୍କୁଲକୁ ନେବା ଆଣିବା କଲେଣି l

-ମଙ୍ଗରାଜପୁର, ପୁରୀ ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri