ଦେଶ କାହାର

ଭାରତ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଓ ବିବିଧତାରେ ଏକତା ଏହାର ମୂଳମନ୍ତ୍ର। ଅନେକ ଭାଷା, ଧର୍ମ ଓ ଚାଲିଚଳଣିକୁ ନେଇ ଭାରତ ବିଶ୍ୱରେ ଅନନ୍ୟ।
ଗଣତନ୍ତ୍ରର ଅର୍ଥ ହେଲା ଦେଶର ସଂସାଧନ ଓ ଶାସନତନ୍ତ୍ରର ମାଲିକ ଖୋଦ୍‌ ନିଜେ ଜନତା। ଆମେ ଯୁଆଡେ ଆଖି ବୁଲେଇବା, ଗାଁର ସରକାରୀ ସ୍କୁଲ, ବ୍ଲକର ଡାକ୍ତରଖାନା, ସହରର କଲେଜ, ରାଜଧାନୀର ବିଶ୍ୱବିଦ୍ୟାଳୟ ଓ ଚକ ଚକିଆ ରାସ୍ତା ଆଦି ସବୁର ମାଲିକ ଦେଶର ଜନତା।
ସବୁ ଦେଶର ବା ସବୁ ଆମମାନଙ୍କର। ଆମେ ଆମ ମନଇଚ୍ଛାରେ ଭୋଟ ଦେଇ ପ୍ରତିନିଧି ବାଛୁ, ସରକାର ଗଢୁ ଓ ଭାଙ୍ଗୁ ମଧ୍ୟ। ଅର୍ଥାତ୍‌ ଦେଶର ଉନ୍ନତିରେ ସାଧାରଣ ନାଗରିକର ଭାଗୀଦାରି ଓ ପ୍ରଗତି ହେଇଥାଏ। ଯଦି କ୍ଷମତାରେ ବସିଥିବା ଶାସନତନ୍ତ୍ର ଉପରେ ଜନତା ନାରାଜ ହୁଏ ତା’ହାଲେ ପ୍ରତିବାଦ କରିବାରେ ଆମର ଅଧିକାର ଅଛି, କିନ୍ତୁ ଏହି ଆଳରେ ସରକାରୀ ସମ୍ପତ୍ତିକୁ ଛାରଖାର କରି ଦେଶର କ୍ଷତି କରିବା କେତେଦୂର ଉଚିତ ତାହା ବିଚାରସାପେକ୍ଷ। ୧୯୯୧ର ମଣ୍ଡଳ କମିଶନ ବିରୋଧରେ ଆନ୍ଦୋଳନ ହେଉ ଅଥବା ନାଗରିକ ସଂଶୋଧନ ବିଲ୍‌ ବିରୋଧରେ ଉଗ୍ର ପ୍ରଦର୍ଶନ ହେଉ, ସବୁ ସମୟରେ ଦେଶର ଅପାର ସମ୍ପତ୍ତିକୁ ନଷ୍ଟ କରାଯାଇଛି। ଏହାର ପ୍ରଥମ କାରଣ ହେଲା ଆମ ଯୁବ ଶକ୍ତି ଭିତରେ ଦେଶ ପ୍ରେମର ଅଭାବ।
ଅଗ୍ନିବୀର ଯୋଜନା ବିରୋଧରେ ଆନ୍ଦୋଳନରେ ବେପରୁଆ ଭାବେ ଯୁବ ଶକ୍ତି ଦିଶାହୀନ ଭାବରେ ଯେପରି ଅନେକ ରେଳ ସମ୍ପତ୍ତି ନିଆଁ ଲଗେଇ ନଷ୍ଟ କଲେ ତାହା ଦୁଃଖଦାୟକ। ଏକ ଆକଳନରୁ ଜଣାଯାଏ ଯେ ପ୍ରାୟ ସାତଶହ କୋଟି ତାଙ୍କର ଜାତୀୟ ସମ୍ପତ୍ତି ମାଟିରେ ମିଶିଗଲା।
ଶାନ୍ତିପୂର୍ବକ ଆନ୍ଦୋଳନ କରି କିପରି ଶାସନତନ୍ତ୍ରକୁ ଦୋହଲେଇ ହୁଏ ଓ ଜନତା ଦରକାର ପଡ଼ିଲେ ସରକାରଙ୍କୁ ପାନେ ଚଖେଇ ପାରେ, ତାହା ଅତୀତରେ ହୋଇଥିବା ଆନ୍ନା ଆଦୋଳନ ଏହାର ଏକ ବଳିଷ୍ଠ ଉଦାହରଣ। ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହାକୁ ଭରପୂର ସମର୍ଥନ ମିଳିଥିଲା। ଶସ୍ତା ଲୋକପ୍ରିୟତା ହେଉ କିମ୍ବା କ୍ଷମତା ବିରୋଧୀ ରାଜନେତାଙ୍କ ହାତବାରିସି ହେଉ ଯୁବ ସମାଜର ଏପରି କର୍ତ୍ତୃତ୍ୱ ଚିନ୍ତାଜନକ। ଆମେ ନିକଟ ଅତୀତରେ ଆମେରିକାରେ ବ୍ୟାପିଥିବା ବର୍ଣ୍ଣଭେଦୀ ଆନ୍ଦୋଳନକୁ ଦେଖିଛେ, କିନ୍ତୁ ଏତେବଡ଼ ଆନ୍ଦୋଳନ ଯାହା ସମଗ୍ର ଆମେରିକାରେ ବ୍ୟାପିଥିଲା କୌଣସି ଜାତୀୟ ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ହଂକଂରେ ଚାଇନା ବିରୋଧୀ ଆନ୍ଦୋଳନରେ ହଜାର ହଜାର ଆନ୍ଦୋଳନକାରୀ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ଜାତୀୟ ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହାର କାରଣ ହେଲା ସେମାନେ ଦେଶର ସମ୍ପତ୍ତିକୁ ନିଜର ସମ୍ପତ୍ତି ଭାବନ୍ତି । କିନ୍ତୁ ଆମ ଦେଶରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବାରେ ଆମକୁ ଆନନ୍ଦ ମିଳିଥାଏ। ଅର୍ଥାତ ଆମ ଯୁବଶକ୍ତି ଭିତରେ ପ୍ରଖର ରାଷ୍ଟ୍ର ଭକ୍ତିର ଅଭାବ ପରିଲକ୍ଷିତ ହୁଏ, ଯାହା ବିଦେଶରେ ନ ଥାଏ। ତେଣୁ ଆମମାନଙ୍କୁ ଯୁବଶକ୍ତି ଭିତରେ ଛାତ୍ର ଅବସ୍ଥାରୁ ଦେଶ ପ୍ରେମର ଭାବନା ଭରି ଦେବାକୁ ହେବ। ଇଏ ସେଇ ଦେଶ ଯେଉଁଠି ବନ୍ଦେ ମାତରମ୍‌ର ଗୋଟିଏ ସ୍ବରରେ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟ ପାଖରେ ଭଗତ ସିଂ, ରାଜଗୁରୁ, ସାଭରକର, ଜୟୀ ରାଜଗୁରୁ, ବାଜି ରାଉତଙ୍କ ଭଳି ଅନେକ ଯୁବ ପ୍ରାଣ ଆହୁତି ଦେଇଥିଲେ। ତେବେ ସ୍ବାଧୀନତାର ରୌପ୍ୟ ଜୟନ୍ତୀ ବର୍ଷ ହେଲା ବେଳକୁ ଯୁବବର୍ଗ ଏତେ ପଥଭ୍ରଷ୍ଟ କ’ଣ ପାଇଁ?
ଭାରତ ପୃଥିବୀର ଏକ ଯୁବା ଦେଶ ଯେଉଁଠି ୬୦ ପ୍ରତିଶତରୁ ଅଧିକ ୩୫ ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ତେଣୁ ଏମାନଙ୍କ ଭିତରେ ଦେଶ ପ୍ରତି ସମ୍ମାନ, ଦେଶପ୍ରେମ ଓ ଦରକାର ପଡିଲେ ଦେଶ ପାଇଁ ବଳିଦାନ ଦେଇପାରୁଥିବା ଯୁବ ସମାଜ ତିଆରି କରିବା ଆମର କର୍ତ୍ତବ୍ୟ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଦେଶ ହିତରେ ସରକାର ଅଗ୍ନିପଥ ସ୍କିମ୍‌ ଲାଗୁ କରିବାକୁ ଯାଉଛନ୍ତି I ଏହାଦ୍ୱାରା ଜୀବନର ଏକ ସ୍ବଳ୍ପ ସମୟ ଜଣେ ଯୁବକ ଦେଶର ସେନା ସହିତ ରହି ନିଜକୁ ଏକ ଚରିତ୍ରବାନ, ଶୃଙ୍ଖଳିତ, ଦେଶପ୍ରେମୀ ନାଗରିକ ରୂପେ ଗଢ଼ିତୋଳିବ ଓ ଦେଶର ସେବା କରିବାରେ ସହଭାଗିତା ଦେବ। ଶେଷରେ ଏକ ମୋଟା ଅଙ୍କର ଅବସରକାଳୀନ ଅର୍ଥ ପାଇ ଭବିଷ୍ୟତ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହ ଜୀବନ ବିତେଇବ। ତା’ ଛଡ଼ା ସେନାରେ ଲମ୍ବା ଅବଧି କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ପାଇବ। ସୂଚନାଯୋଗ୍ୟ ଯେ, ଅଗ୍ନିବୀରମାନଙ୍କୁ ଭାରତର ଘରୋଇ ଉଦ୍ୟୋଗରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ଅନେକ ଶିଳ୍ପପତି ଘୋଷଣା କରି ସାରିଲେଣି। ତେବେ ଦେଶର ଯୁବ ସମାଜକୁ ଏକ ଉତ୍ତମ ଚରିତ୍ର ପ୍ରଦାନ କରି ଶୃଙ୍ଖଳିତ ନାଗରିକ ଭାବରେ ଗଢ଼ିତୋଳିବାରେ ଏହି ଅଗ୍ନିବୀର ଯୋଜନା ସହାୟକ ହେବ ଓ ଦେଶପ୍ରେମର ଭାବନା ଉଜ୍ଜୀବିତ ରଖିବ। ସୂଚନାଯୋଗ୍ୟ ଯେ, ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶରେ ଅଗ୍ନିବୀର ଅନୁରୂପ ସ୍ବଳ୍ପ ସମୟ ପାଇଁ ସେନାରେ କାମ କରିବାର ସୁଯୋଗ ଯୁବ ସମାଜକୁ ଦିଆଯାଇ ଥାଏ।
ଏପରିକି ରୁଷିଆ, ଚାଇନା, ଓ ଇସ୍ରାଏଲ ପ୍ରଭୃତି ଦେଶରେ ବାଧ୍ୟତାମୂଳକ ଭାବରେ ସେନାରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ତେବେ ଯେ କୌଣସି ଆନ୍ଦୋଳନ ସମୟରେ ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଅର୍ଥ ଦେଶ ଅହିତରେ କାମ କରିବା, ଏହାକୁ କଦାପି ଔଚିତ୍ୟ କରାଯାଇପାରିବନି। ପୂର୍ବରୁ ଜାଠ ଆନ୍ଦୋଳନ ସମୟରେ ୩୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଦିଆଗଲା। ସେହିପରି ଗୁଜରାଟର ପାଟିଦାର ଆନ୍ଦୋଳନ ହେଉ ଅଥବା ନିକଟରେ ମହମ୍ମଦ ପୈଗମ୍ବର ପ୍ରକରଣ ହେଉ ସବୁବେଳେ ଦେଶର ସମ୍ପତ୍ତିକୁ ମନଇଚ୍ଛା ନଷ୍ଟ କରିଦିଆଗଲା ଓ ଆମେ ନୀରବଦ୍ରଷ୍ଟା ହୋଇ ରହିଲେ। ଏପରିକି କୃଷକ ଆନ୍ଦୋଳନ ନାମରେ ରାଜପଥକୁ କବଳିତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଶିଳ୍ପ ଓ ବାଣିଜ୍ୟକୁ ଷାଠିଏ ହଜାର କୋଟି ଟଙ୍କାର କ୍ଷତି କରାଗଲା।
ସବୁଠୁ ବଡ଼ କଥା ହେଲା ସ୍ବଳ୍ପ ସମୟ ଭିତରେ ଆମେ ସେସବୁ ଭୁଲିଯାଉ। ଏ ବିଷୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମୟ ସମୟରେ ସଂଜ୍ଞାନ ନେଇ ଅନେକ ଗାଇଡ଼ଲାଇନ୍‌ ପ୍ରଦାନ କରିଥିଲେ ମଧ୍ୟ ସେସବୁ କୌଣସି ପ୍ରଭାବ ପକେଇ ପାରିନାହିଁ I
ଆମକୁ ମନେରଖିବା ଉଚିତ ଯେ, ସରକାର କେବଳ ଆମ ସମ୍ପତ୍ତିର ରକ୍ଷକ ମାତ୍ର, ଅସଲ ମାଲିକ ହେଲେ ଆମେ ଜନତା। ତେଣୁ ସରକାରୀ ସମ୍ପତ୍ତିିକୁ ନଷ୍ଟ କରି ନିଜର ଦାବିକୁ ପ୍ରଭାବୀ କରିବା ଏକ ମୂର୍ଖତା ମାତ୍ର। ଏହି ମାନସିକତାରୁ ଯୁବ ସମାଜକୁ ଦୂରେଇ ନେଇ ଦେଶପ୍ରେମ ଭାବନା ଜାଗ୍ରତ କରିବାର ଆବଶ୍ୟକତା ରହିଛି। ଦେଶ କାହାର? ସରକାରଙ୍କର ନା ବିରୋଧୀଙ୍କର?
ପ୍ରକୃତରେ ଦେଶ ଆମ ସମସ୍ତଙ୍କର। ଯୁବ ସମାଜ ମନରେ ଏକ ଦୃଢ଼ ଚିନ୍ତାଧାରା ରହିବା ଉଚିତ ଯେ, ଏ ଦେଶ ଆମର, ଏହାର ସମ୍ପତ୍ତି ଆମର, ତେଣୁ ଏହାର କ୍ଷତି ଆମର ହିଁ କ୍ଷତି।

  • ଡ. ନରେନ୍ଦ୍ର ସେଠୀ
    ମୋ-୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri