ଗଣତନ୍ତ୍ରରେ କିଏ ମାଲିକ, କିଏ ସେବକ

ଈପ୍ସିତା ମହାନ୍ତି

 

ୱିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଏକ ପ୍ରସିଦ୍ଧ ବାଣୀ ଥିଲା- ”ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଶାସନ ପଦ୍ଧତି, ଯାହା ପୂର୍ବରୁ ଅନେକ ଥର ପରୀକ୍ଷିତ ହୋଇସାରିଛି।“ ଚର୍ଚ୍ଚିଲ ଏହା ମଧ୍ୟ କହିଥିଲେ ଯେ, ଅତି ସାଧାରଣ ମଣିଷଟିଏ ଭୋଟଦାନ କକ୍ଷରେ ପ୍ରବେଶ କରି ଏକ ଛୋଟିଆ ପେନ୍‌ସିଲ ସାହାଯ୍ୟରେ ଖଣ୍ଡେ କାଗଜ ଟୁକୁଡ଼ା ଉପରେ ଛୋଟିଆ ଦାଗଟିଏ ଅଙ୍କନ କରି ବିରାଟ ବଡ଼ ପରିବର୍ତ୍ତନ ଆଣିଥାଏ। ବାସ୍ତବରେ ଏହାହିଁ ହେଉଛି ଗଣତନ୍ତ୍ରର ବୈଚିତ୍ର୍ୟ ତଥା ମହାନତା। ସାଧାରଣ ଜନତାଙ୍କ ପ୍ରତ୍ୟକ୍ଷ ଏବଂ ବୃହତ୍‌ ଅଂଶ ଗ୍ରହଣ। କିନ୍ତୁ ଦୁର୍ଭାଗ୍ୟର କଥା, ସାଧାରଣ ଜନତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଜି କେବଳ ମତଦାନ ପର୍ଯ୍ୟନ୍ତ ସୀମିତ। ରାଜନୀତିର ପରିଧି ମଧ୍ୟରେ ସୀମାବଦ୍ଧ ଦେଶ ଓ ସମାଜର ସ୍ଥିତି ଆଜି କେବଳ ଏଭଳି ଅନୁସନ୍ଧାନକୁ ଜନ୍ମ ଦେଇନାହିଁ ବରଂ ପୂର୍ବ ଅନୁସନ୍ଧାନ ଉପରେ ଏହା ତୀକ୍ଷ୍ଣ ଦୃଷ୍ଟି ରଖିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠେ ବାସ୍ତବିକ ଗଣତନ୍ତ୍ରରେ ମାଲିକ କିଏ ଏବଂ ସେବକ କିଏ?
ଜନସାଧାରଣଙ୍କ ସ୍ବାର୍ଥରେ ନିଆଯାଉଥିବା ନିଷ୍ପତ୍ତିରେ ସେମାନଙ୍କର ନିଜସ୍ବ ସହଭାଗିତା କେତେ? ଏଥିରେ ଜନତାଙ୍କ ମତାମତ ପ୍ରତ୍ୟକ୍ଷ ରୂପେ ଜଡ଼ିତ ନ ହେଲେ ସେମାନଙ୍କ ଉପରେ ଲଦି ଦିଆଯାଉଥିବା ଅବା ସେମାନଙ୍କ ପାଇଁ ଲାଗୁ ହେଉଥିବା ନିଷ୍ପତ୍ତିଗୁଡ଼ିକ କେବଳ ତୋଗଲକୀ ନିୟମ ଭଳି ପ୍ରତୀୟମାନ ହେବ। ଯୁକ୍ତରାଷ୍ଟ୍ରର ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କ ମତରେ- ”ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା।“ ଏହାକୁ ସର୍ବମାନ୍ୟ ଉକ୍ତି ଭାବେ ଗ୍ରହଣ କରାଯାଇଛି। ଗଣତନ୍ତ୍ରରେ ଜନତାଙ୍କୁ କ୍ଷମତାର ସର୍ବେସର୍ବା ଭାବେ ବିବେଚନା କରାଯାଇଥାଏ। କିନ୍ତୁ ଏହା ଆଧୁନିକ ନୁହେଁ, ଅତ୍ୟାଧୁନିକ ଗଣତନ୍ତ୍ର; ଯେଉଁଥିରେ ଜନତାଙ୍କ ସାର୍ବଭୌମତ୍ୱ ବିଷୟରେ କହିବା ଓ ଶୁଣିବାକୁ ଭଲ ଲାଗେ! କୌଣସି ଆଲେଖ୍ୟ ପାଇଁ ଏହା ଏକ ଭଲ ନିବନ୍ଧ ମଧ୍ୟ ହୋଇପାରିବ, କିନ୍ତୁ ପ୍ରକୃତରେ ଗଣତନ୍ତ୍ର ଆଜି ବିବାଦ ଘେରରେ।
ଜନ ଆନ୍ଦୋଳନରୁ ଜନ୍ମିତ କୃଷକ ଆନ୍ଦୋଳନ ଏଭଳି ପର୍ଯ୍ୟାୟ ଦେଇ ଗତି କରିଥିଲା। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ବ୍ୟବସ୍ଥା ସମ୍ପାଦନରେ ଜନସାଧାରଣଙ୍କୁ କେତେ ମାତ୍ରାରେ ଅନ୍ତର୍ଭୁକ୍ତ କରାଯାଉଛି; କୃଷକ ଆନ୍ଦୋଳନକୁ ଏହାର ଏକ ପ୍ରତିଫଳନ ବୋଲି କହିପାରିବା। ନିକଟରେ ଖବରକାଗଜରେ ଏହି ବିଷୟରେ ଏକ ଆଲେଖ୍ୟ ପଢ଼ିଥିଲି, ଯେଉଁଥିରେ କୃଷି ଆଇନ ପରିପ୍ରେକ୍ଷୀରେ ସରକାରଙ୍କ ଉଦ୍ଦେଶ୍ୟ ଉତ୍ତମ ଥିବା ଦର୍ଶାଯାଇଥିଲା। ତେବେ ଏହାର ଏକମାତ୍ର ସମସ୍ୟା ହେଉଛି ଏପର୍ଯ୍ୟନ୍ତ ଚାଷୀଙ୍କୁ ଏହି ବିଷୟରେ ସଠିକ୍‌ ରୂପେ ବୁଝାଯାଇ ପାରିନାହିଁ। ସେହିଭଳି ଦେଶର ବିଭିନ୍ନ ରାଜ୍ୟରେ ନିୟମିତ ଅନ୍ତରାଳରେ ଚାଲୁଥିବା ଶିକ୍ଷକ, ଶ୍ରମିକ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀଙ୍କ ବାରମ୍ବାର ଆନ୍ଦୋଳନ ଗଣତାନ୍ତ୍ରିକ ସରକାରର କାର୍ଯ୍ୟକ୍ରମ ଓ ଯୋଜନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକାରଙ୍କ କଥା ଓ କାର୍ଯ୍ୟରେ ତାଳମେଳ ରହୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ପ୍ରତୀୟମାନ ହେଉଛି। ଏସବୁ ତଥ୍ୟ ଗଣତନ୍ତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଦ୍ୱାର ଖୋଲିଦେଇଛି।
ପାରଦର୍ଶିତା ହେଉଛି ଗଣତନ୍ତ୍ରର ଏକ ମୌଳିକ ଉପାଦାନ। ଗଣତନ୍ତ୍ର ଶାସନରେ ଶାସକରୂପୀ ମାନସିକତାରୁ ବାହାରି ଆସିବା ନିହାତି ଜରୁରୀ। ଯୋଜନା ପ୍ରଣୟନ ସଂପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ପଦ୍ଧତିରେ ହେବା ପ୍ରତ୍ୟକ୍ଷ ଗଣତନ୍ତ୍ରର ମୂଳ ଲକ୍ଷ୍ୟ। କୌଣସି ଯୋଜନା, ନିୟମ ଅବା ଆଇନକୁ ଜନତା କେଉଁ ଦୃଷ୍ଟିରେ ଦେଖନ୍ତି, ନିଷ୍ପତ୍ତି ନେବା ପୂର୍ବରୁ ଏହାର ଅଧ୍ୟୟନ ଜରୁରୀ। ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥ ଅବା ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଥିବା ନୀତିନିୟମ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଗଲେ ଗଣତନ୍ତ୍ରର ବିଶ୍ୱସନୀୟତା ବଢ଼ିବ। ସମ୍ପ୍ରତି ଏହାର ଘୋର ଅଭାବ ରହିଛି। ପ୍ରକୃତରେ ଆଇନ ଏବଂ ନ୍ୟାୟର ସମ୍ବନ୍ଧ ସାଧାରଣ ଜନତାଙ୍କ ସହ ଜଡ଼ିତ। ଗଣତନ୍ତ୍ର ଶାସନରେ ଆଇନ ପ୍ରଣୟନରେ ସାଧାରଣ ଜନତାଙ୍କ ସହଭାଗିତା ଜରୁରୀ। ସ୍ବିଜରଲାଣ୍ଡରେ ପ୍ରାରମ୍ଭିକ ପ୍ରୟାସ, ଜନମତ ସଂଗ୍ରହ ଏବଂ ପ୍ରତିନିଧି ପ୍ରତ୍ୟାବର୍ତ୍ତନ (ପ୍ରତ୍ୟାହାର)ର ବ୍ୟବସ୍ଥା ରହିଛି। ଆମ ଦେଶରେ ଏପରି କୌଣସି ବ୍ୟବସ୍ଥା ନାହିଁ। ଗଣତନ୍ତ୍ରରେ ଗଣ ଅର୍ଥାତ୍‌ ‘ଜନତା’ର ଅଧିକାର କ’ଣ? ସେହି ଅଧିକାରଗୁଡ଼ିକ ପ୍ରୟୋଗରେ ଏଠି ଅସଂଖ୍ୟ ପ୍ରତିବନ୍ଧକ ରହିଛି।
ଜନସାଧାରଣଙ୍କ ସ୍ବାର୍ଥ ଏବଂ ଅଧିକାରର ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ରହିଛି। କିନ୍ତୁ ବହୁ ସମୟରେ ନିଷ୍ପତ୍ତିରେ ଅସହମତ ଓ ମତଭେଦ ଯୋଗୁ ବିରୋଧ, ବିଦ୍ରୋହ ଏବଂ ଆନ୍ଦୋଳନ ମୁଣ୍ଡ ଟେକୁଛି। ବେଳେବେଳେ ଏହା ଉଗ୍ର ରୂପ ଧାରଣ କରୁଛି। ଗଣତନ୍ତ୍ରରେ ଜନତା ହିଁ ଶାସକ ଓ ସେବକ! ଯେତେବେଳେ ଜନତାଙ୍କ ଭୂମିକା ବ୍ୟବସ୍ଥାପକଠାରୁ ଆରମ୍ଭ କରି ବ୍ୟବସ୍ଥାପନ ପର୍ଯ୍ୟନ୍ତ ପରିବ୍ୟାପ୍ତ ସେତେବେଳେ ନିଷ୍ପତ୍ତିଗୁଡିକ ସର୍ବସମ୍ମତ ହୋଇପାରୁନାହିଁ କାହିଁକି? ଏକଥା ସତ୍ୟ ଯେ, ବ୍ୟବସ୍ଥା ବିରୋଧୀ ଯାଚିକାଗୁଡ଼ିକ ଉପରେ ପ୍ରାୟତଃ ଶୁଣାଣି ହୁଏନାହିଁ। ଏଭଳି ସ୍ଥିତିରେ ସାଧାରଣ ନାଗରିକଟିଏ ନ୍ୟାୟ ପାଇବ କିପରି? ଯେକୌଣସି ବିରୋଧକୁ ଅସହମତି ପର୍ଯ୍ୟାୟରେ ସମାଧାନ କରାଯାଉ ନ ଥିବାରୁ ଶେଷରେ ଏକ ବିଦ୍ରୋହୀ ସ୍ବର ବିସ୍ଫୋରିତ ହେଉଛି, ଯାହା ଆମେ ଗଣତାନ୍ତ୍ରିକ ହେବା ଉପରେ ସନ୍ଦେହ ସୃଷ୍ଟି କରେ।
ଆଜିର ଯୁଗରେ ଗଣତାନ୍ତ୍ରିକ ବୋଲି ଦାବି କରିବା ଫ୍ୟାଶନ ହୋଇଗଲାଣି। ନିର୍ବାଚନ ସମୟରେ ଚାରିଆଡ଼େ ଅଜବ ଧରଣର ଭାବପ୍ରବଣତା ଖେଳିଯାଉଛି। ଭାରତୀୟ ନିର୍ବାଚନ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥାଏ। ଏହି ସମୟରେ ନେତାଙ୍କ ଦ୍ବାରା ଆୟୋଜିତ ଜଳପାନ ଓ ଭୋଜିଭାତରେ ଜନତାଙ୍କ ଅଂଶଗ୍ରହଣ ଉତ୍ସବୀୟ ପରିବେଶର ଭ୍ରମ ସୃଷ୍ଟି କରୁଛି। ବଢ଼ୁଥିବା ରାଜନୈତିକ ପରିସର ଏବଂ ବିଶ୍ୱ ଅର୍ଥନୀତିର ଏକୀକରଣକୁ ଦୃଷ୍ଟିରେ ରଖି ଗଣତନ୍ତ୍ରର ‘ଗଣ’ ଅର୍ଥାତ୍‌ ଜନତା କେବଳ ଭୋଟଦାନ ମଧ୍ୟରେ ସୀମିତ ରହିବା ଅନୁଚିତ। ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟର ତଥ୍ୟ ଅନୁଯାୟୀ ସାରା ଦୁନିଆର କେବଳ ୧୫% ଦେଶ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ର। ଆଜି ଦୁନିଆର ପ୍ରାୟ ଏକ ତୃତୀୟାଂଶ ଦେଶ ଏକଚ୍ଛତ୍ରବାଦ ଶାସକଙ୍କ ଦ୍ବାରା ପରିଚାଳିତ। ଏଭଳି ପୃଷ୍ଠଭୂମିରେ ନିଜ ଶାସକଙ୍କ ଚୟନ ପାଇଁ ମତଦାନ କରୁଥିବା ଲକ୍ଷ ଲକ୍ଷ ଭାରତୀୟ କେବଳ ଆଦର୍ଶ ମତଦାତା ବୋଲାଇବା ଉଚିତ ହେବନାହିଁ। ଶାସକ କିଏ, ସେବକ କିଏ? ଏହା ମଧ୍ୟରେ ଥିବା ଭିନ୍ନତାକୁ ଚିହ୍ନିବା ଭାରତୀୟ ମତଦାତାଙ୍କ ପାଇଁ ବଡ଼ ଆହ୍ବାନ। ଏହା ଯଦିଚ କଷ୍ଟସାଧ୍ୟ, କିନ୍ତୁ ଏ ବିଷୟରେ ତର୍କସିଦ୍ଧ ଆଲୋଚନା ଗଣତନ୍ତ୍ରକୁ ପରିପୁଷ୍ଟ କରାଇବ।
ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri