ସ୍ବାଗତିକା କିଏ

ଓଡ଼ିଶା ସରକାର ୨୪ ଜିଲାର ୩୬ଟି ନୂଆ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ପୋଲିସ ଷ୍ଟେଶନ ସଂଖ୍ୟା ୬୭୯ରେ ପହଞ୍ଚିବ। ଏଥିସହିତ ଆଇପିଏସ୍‌ ଅଫିସରଙ୍କଠାରୁ ଆରମ୍ଭକରି କନଷ୍ଟେବଲ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ବଳର ସମୁଦାୟ ସଂଖ୍ୟା ୭୫,୦୦୦ ହେବ ବୋଲି କୁହାଯାଉଛି। ନୂଆ ପୋଲିସ ଷ୍ଟେଶନରେ ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ୍‌ର ବ୍ୟବସ୍ଥା କରାଯିବ। ଏପରି କି ମହିଳା ଓ ପିଲାମାନେ ବସିବା ସକାଶେ ଅଲଗା ସ୍ଥାନର ବ୍ୟବସ୍ଥା ରହିବ। ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ, ସରକାର ପୋଲିସ ଷ୍ଟେଶନର ଭିତ୍ତିଭୂମି ବଢ଼ାଇବା ସହ ସେଗୁଡ଼ିକର ଆଧୁନିକୀକରଣ କରୁଛନ୍ତି। ଏପରିକି ଥାନା ଚାରିପାଖେ ମେଘନାଦ ପାଚୋରି ତିଆରି କରି ତା’ଉପରେ ତାରବାଡ଼ ଲଗାଉଛନ୍ତି। ହେଲେ ଲୋକଙ୍କୁ ଯେଭଳି ନ୍ୟାୟ ମିଳିବା କଥା ସେ ଦିଗରେ ବିଶେଷ ଅଗ୍ରଗତି ହୋଇପାରୁ ନାହିଁ। ଆଇନ ଓ ଶୃଙ୍ଖଳ ସ୍ଥିତି ସମୟେ ସମୟେ ଏଭଳି ବିଗିଡ଼ିଯାଉଛି ଯେ, ତାହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁ ନ ଥିବା ସମସ୍ତେ ଅନୁଭବ କରୁଥିବେ। ଏପରି କି ପୋଲିସ ବିଭାଗରେ ମଧ୍ୟ ଘୋର ଅବ୍ୟବସ୍ଥା ଓ ବିଶୃଙ୍ଖଳା ଥିବା ବାରମ୍ବାର ଦୃଷ୍ଟିଗୋଚର ହେଉଛି। ୨୭ ଅଗଷ୍ଟରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନାର ମହିଳା ସବ୍‌ଇନ୍ସପେକ୍ଟର ସ୍ବାଗତିକା ବେହେରାଙ୍କ ଆତ୍ମହତ୍ୟା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଥାନା ଆଇଆଇସି ନିର୍ଯାତନା ଦେଇଥିବାରୁ ସ୍ବାଗତିକା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିପାରେ। କିନ୍ତୁ ଯଦି ଅନ୍ୟ କୌଣସି ତଦନ୍ତକାରୀ ଅଧିକାରୀ ଏହି ଆଇଆଇସିଙ୍କ ସହ ସମ୍ପୃକ୍ତ ଥିବେ, ତେବେ କୌଣସି କାରଣ ଜଣାପଡ଼ିବ ନାହିଁ ଏବଂ ଗଣମାଧ୍ୟମ ଦୃଷ୍ଟିରୁ ଏହି ଘଟଣା ଦୂରେଇଗଲେ ଜନସାଧାରଣ ମଧ୍ୟ ସ୍ବାଗତିକା ବେହେରାଙ୍କ ବିଷୟରେ ଭୁଲିଯିବେ। କିଛିମାସ ପରେ ସେହି ଆଇଆଇସି ପଚାରିପାରନ୍ତି ସ୍ବାଗତିକା କିଏ?
ପୋଲିସର ଚରିତ୍ର ବିଷୟରେ ଆଜିର ନାଗରିକ ଭଲ ଭାବେ ଅବଗତ। ଭାରତରେ ପୋଲିସର ଲୋକାଭିମୁଖୀ ଆଦର୍ଶ ରହିଛି ବୋଲି କୌଣସି ବ୍ୟକ୍ତି ବିଚାର କରୁନାହାନ୍ତି। ଲୋକେ କହନ୍ତି ଦୁର୍ଭାଗ୍ୟ ପଡ଼ିଲେ ଜଣେ ଥାନାକୁ ଯିବ। କାରଣ ପୋଲିସ ହେଉଛି ଅନ୍ୟାୟ ଓ ଅବିଚାରର ପ୍ରତୀକ। ସେହି ବଳରେ କନିଷ୍ଠଙ୍କ ଅନ୍ୟାୟକୁ ବରିଷ୍ଠମାନେ ସମର୍ଥନ କରନ୍ତି। ବରିଷ୍ଠଙ୍କ ଅବିଚାରକୁ କନିଷ୍ଠମାନେ ଘୋଡ଼ାନ୍ତି। ଅପରାଧୀ ଯଦି ସର୍ବପ୍ରଥମେ କୌଣସି ବରିଷ୍ଠ ପୋଲିସ ଅଧିକାରୀର ସାହାଯ୍ୟ ପାଇପାରିଲା, ତେବେ ତାକୁ କେହି ଛୁଇଁପାରିବେ ନାହିଁ। ପୋଲିସର ସହଯୋଗ ପାଇବାକୁ ହେଲେ କେତୋଟି ଧରାବନ୍ଧା ଉପାୟ ରହିଛି। ପ୍ରଥମଟି ହେଲା ସେହି ପୋଲିସ ବାହିନୀର କୌଣସି ବରିଷ୍ଠ ଦକ୍ଷ ଅଧିକାରୀଙ୍କ ସାହାଯ୍ୟ। ଦ୍ୱିତୀୟରେ ରହିଲା ଅର୍ଥ ଦେଇ ଥାନା ଅଧିକାରୀ ଏବଂ ତଦନ୍ତକାରୀ ଅଧିକାରୀଙ୍କୁ କିଣିନେବା। ତୃତୀୟରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବିପୁଳ ପ୍ରତିବାଦର ଉପାୟ। ଚତୁର୍ଥରେ ରାଜନୈତିକ ଚାପ, ଯାହାକି ଏବେ ଅପେକ୍ଷାକୃତ ଦୁର୍ବଳ ହୋଇଯାଉଛି। ଅବଶ୍ୟ ପୋଲିସର ଅନ୍ୟ ଅଙ୍ଗ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି କେନ୍ଦ୍ରୀୟ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ବେଳେ ନ୍ୟାୟ ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି। ଦେଖାଯାଏ ଯଦି ବଡ଼ ଅସ୍ବାଭାବିକ ଘଟଣା ଘଟିଲା ଓ ତାହାକୁ ନେଇ ଚାରିଆଡ଼େ ହୋହଲ୍ଲା ହେଲା; ତାହା ହେଲେ ତତ୍‌କ୍ଷଣାତ୍‌ ପୋଲିସର ସର୍ବୋଚ୍ଚରେ ଥିବା ବ୍ୟକ୍ତି ଜଣେ ଦୁଇ ଜଣ ସବ୍‌ଇନ୍ସପେକ୍ଟର କିମ୍ବା କନଷ୍ଟେବଲଙ୍କୁ ନିଲମ୍ବନ କରି ଦେଇଥାଆନ୍ତି। ତାହା ଶକ୍ତିଶାଳୀ କାର୍ଯ୍ୟାନୁଷ୍ଠାନ ଭାବେ ଡିଣ୍ଡିମ ପିଟାଯାଇଥାଏ। କିନ୍ତୁ ଅନେକ ଅଘଟଣର ମୂଳକୁ ଗଲେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପାରଗତା ଯୋଗୁ ତାହା ଘଟିଥିଲେ ହେଁ ସେଥିପ୍ର୍ରତି ବିଶେଷ ଦୃଷ୍ଟି ଦିଆଯାଇ ନ ଥାଏ। ଅନ୍ୟପକ୍ଷରେ କୌଣସି ଘଟଣାରେ ଯଦି ପୋଲିସକୁ ସଫଳତା ମିଳେ, ସେତେବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଗଣମାଧ୍ୟମ ଆଗକୁ ଆସି ଦମ୍ଭ ଦେଖାଇଥାଆନ୍ତି।
ପୋଲିସ ସଂସ୍କାରରେ କେବଳ ଅସ୍ତ୍ରଶସ୍ତ୍ର, ଯାନବାହନ ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ସେହି ଅନୁଯାୟୀ ଜନସାଧାରଣଙ୍କ ସହ ସୁସମ୍ପର୍କ ବୃଦ୍ଧି ଓ ଶୃଙ୍ଖଳିତ ଆଚରଣ ସହିତ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ପ୍ରାଧାନ୍ୟ ଦିଆଯାଇ ନ ଥାଏ। କେହି ଜଣେ ନାଗରିକ କେବେହେଲେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ କମିଶନରମାନଙ୍କ ଦ୍ୱାରା ନିଜ ବଳର ସଦସ୍ୟମାନଙ୍କୁ ସାମାଜିକ ଦାୟିତ୍ୱ ସମ୍ପର୍କରେ କିଭଳି ସକ୍ରିୟ ଓ ସଚେତନ କରିହେବ ଆଲୋଚନା କରିଥିବାର ବା ବାର୍ତ୍ତା ଦେଇଥିବାର ଦେଖି ନ ଥିବେ। ସେଥିପାଇଁ କେବଳ ଥାନାର ସଂଖ୍ୟା ବଢ଼ାଇଦେଲେ ଅପରାଧ ଘଟିବ ନାହିଁ ଚିନ୍ତା କରିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ସାଧାରଣରେ ଚିନ୍ତା କରାଯାଏ ଯେ ପୋଲିସର ସକ୍ରିୟ ସହଯୋଗ ବିନା ବଡ଼ଧରଣର ଅପରାଧ ଘଟାଇବା ଅସମ୍ଭବ। ଏପରିକି ରାହାଜାନି କରୁଥିବା ଅପରାଧୀ ସେହି ଅଞ୍ଚଳର ଥାନାକୁ ବଟି ନ ଦେଲେ ଚଳପ୍ରଚଳ କରିପାରିବ ନାହିଁ। ଅଧିକ ଗଣମାଧ୍ୟମ ବା ସାମାଜିକ ଚାପ ପଡ଼ିଲେ ତାଙ୍କରି ମଧ୍ୟରୁ କେତେଜଣଙ୍କୁ କ୍ଷଣକ ପାଇଁ ବାନ୍ଧି ଦିଆଯାଏ ଓ ପୋଲିସ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କେସ୍‌ ଡାଏରୀ ଏଭଳି ଦୁର୍ବଳ କରିଦିଆଯାଏ ଯେ କୌଣସି ଅପରାଧୀ ଦଣ୍ଡିତ ହୁଏ ନାହିଁ। ହୁଏତ ସେଥିପାଇଁ ଲୋକେ କୁହନ୍ତି ପୋଲିସ ହେଉଛି ଖାକି ପୋଷାକଧାରୀ ଗୁଣ୍ଡା। ସେହି ଗୁଣ୍ଡା ଭାବମୂର୍ତ୍ତିକୁ ଅନେକ ଆଇପିଏସ୍‌ ଅଫିସର ମଧ୍ୟ ପରୋକ୍ଷରେ ଉତ୍ସାହିତ କରନ୍ତି। ବିଭିନ୍ନ ଜିଲାରେ ନୂତନ ଭାବେ ନିଯୁକ୍ତି ପାଉଥିବା ଆରକ୍ଷୀ ଅଧୀକ୍ଷକ କିଛିମାସ ପର୍ଯ୍ୟନ୍ତ, ଥାନା ନିଲାମ ନ ହେବା ଯାଏ, ସାଦା ପୋଷାକରେ ଲାଠି ଧରିଥିବା ଟୋକା କନ୍‌ଷ୍ଟେବଲଙ୍କୁ ସାଥୀରେ ଧରି ଗରିବ ଖଟିଖିଆଙ୍କ ବାସସ୍ଥାନ କିମ୍ବା ଢାବା ଉପରେ ଚଢ଼ାଉ କରି ମାରପିଟ କରିବା ଓଡ଼ିଶା ସମେତ ଭାରତବର୍ଷ ସାରା ଏକ ସାଧାରଣ ଘଟଣା। ଅଧିକ ବରିଷ୍ଠ ହେବା ପରେ ସେହି ଆଇପିଏସ୍‌ ଅଫିସର ବାଣୀ ଶୁଣାଇଥାଆନ୍ତି। ଏଥିରୁ ବୁଝିବାକୁ ହେବ ଯେ, କେବଳ ଥାନା ସଂଖ୍ୟା ବୃଦ୍ଧି କରାଇଦେଲେ କିମ୍ବା ପୋଲିସ ମୁଣ୍ଡଗଣତି ବଢ଼ାଇଲେ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri