କିଏ ସତ, କିଏ ମିଛ

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏହା ପରେ ତାହାକୁ ଲୋକ ସଭା ଓ ରାଜ୍ୟ ସଭାର ସେକ୍ରେଟାରି ଜେନେରାଲ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ପଠାଯାଇଥିବା କୁହାଯାଉଛି। ନିୟମ ଅନୁଯାୟୀ, ଲୋକ ସଭା ଓ ରାଜ୍ୟ ସଭାରେ ଏହା ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି। ଦେଖିଲାବେଳକୁ ଓଡ଼ିଶାର ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବ ଏ ଯାଏ କେନ୍ଦ୍ର ନିକଟରେ ପହଞ୍ଚତ୍ ନାହିଁ ବୋଲି ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିବା ପରେ ‘କିଏ ସତ, କିଏ ମିଛ’ କହୁଛନ୍ତି, ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଓଡ଼ିଶା ବିଧାନସଭା ବାଚସ୍ପତି ଓ ଶାସକ ଦଳର ନେତାମାନେ ପ୍ରସ୍ତାବ ପଠାଯାଇଛି ବୋଲି କହୁଥିଲେ ମଧ୍ୟ ଘଟଣା ରହସ୍ୟମୁକ୍ତ ହେଉନାହିଁ।
ଓଡ଼ିଶାର ପ୍ରସ୍ତାବିତ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା କରାଯାଇଛି। ଯଦି ଦେଶର ଅନ୍ୟାନ୍ୟ ପ୍ରାନ୍ତର କଥା ଦେଖାଯାଏ, ଏବେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କର୍ନାଟକରେ ବିଧାନ ପରିଷଦ ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଏଭଳି ପରିଷଦ ଗଠନ ଲାଗି କେନ୍ଦ୍ରକୁ ଚିଠି ଲେଖିଥିବା କୁହାଯାଉଛି। ଏମିତି ଦେଖିଲେ ପ୍ରଦେଶଗୁଡ଼ିକରେ ବିଧାନ ପରିଷଦର ଆବଶ୍ୟକତାକୁ ବହୁ ଦିଗରୁ ବିରୋଧ କରାଯାଉଛି। ଏପରି ବିଧାନ ପରିଷଦରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରାଯାଉଥିବାରୁ କରଦାତାଙ୍କ ଅର୍ଥ ଅପଚୟ ହେଉଛି ବୋଲି ବିତର୍କରେ ଭାଗ ନେଉଥିବା ବର୍ଗ ବାରମ୍ବାର ଯୁକ୍ତି ବାଢ଼ିଥାଆନ୍ତି। କୌତୂହଳର ବିଷୟ ହେଉଛି ଯେ, ଅବସରପ୍ରାପ୍ତ ବିଚାରପତି ଏବଂ ସରକାରୀ ଅଧିକାରୀ ଯେତେବେଳେ ମାନବ ଅଧିକାର କମିଶନ ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଗଭର୍ନର, ସୂଚନା କମିଶନର, ଏନ୍‌ଜିଟିର ଚେୟାରମ୍ୟାନ୍‌ କିମ୍ବା ନିର୍ବାଚନ ଆୟୋଗର କମିଶନର ଭଳି ଅନେକ ପଦବୀରେ ପୁନଃ ନିଯୁକ୍ତି ପାଇଥାନ୍ତି, ସେତେବେଳେ କାହାରି ନାହି ଡିଏଁ ନାହିଁ। ଏହିସବୁ ଅବସରପ୍ରାପ୍ତ ବ୍ୟକ୍ତିମାନେ ସରକାରଙ୍କ ସମ୍ପୂର୍ଣ୍ଣ ଗୋଡ଼ାଣିଆ ହୋଇ ଦେଶର ପ୍ରବଳ କ୍ଷତି କରୁଥିବାର ଅନେକ ପ୍ରମାଣ ଦେଖିବାକୁ ମିଳେ। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶକ୍ତିଶାଳୀ କଲାବେଳେ ସମସ୍ତଙ୍କୁ ବାଧୁଥିବା ଭଳି ମନେହୁଏ। ଏଠାରେ ସେହି ଦିଗ ଆଡ଼ୁ ଦୃଷ୍ଟି ହଟାଇ ଯଦି ଓଡ଼ିଶା ବିଧାନ ପରିଷଦ ସଂକ୍ରାନ୍ତ ପ୍ରସ୍ତାବ ଉପରେ ନଜର ଦେବା, ତାହାହେଲେ ରିଜିଜୁ ଭୁଲ୍‌ କହୁଛନ୍ତି ନା ରାଜ୍ୟ ସରକାର ପ୍ରସ୍ତାବ ପଠାଇବାରେ ଅବହେଳା କରିଛନ୍ତି; ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସହଯୋଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ସର୍ବଦା ପ୍ରାଧାନ୍ୟ ଲାଭ କରିଥାଏ। ଓଡ଼ିଶାର ଲୋକ ପ୍ରତିନିଧିମାନେ କହୁଛନ୍ତି, ଆଇନ ମନ୍ତ୍ରଣାଳୟକୁ ଏ ସଂକ୍ରାନ୍ତ ପ୍ରସ୍ତାବ ପଠାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ତାହାକୁ ଅସ୍ବୀକାର କରୁଥିବାରୁ ଓଡ଼ିଶା ସରକାର ପ୍ରେରଣ କରିଥିବା କାଗଜପତ୍ର ଓ ଇ-ମେଲ୍‌ଗୁଡ଼ିକର ପ୍ରମାଣ ଦେବା ଦରକାର। ଅଥଚ ଏଠାକାର ଲୋକ ପ୍ରତିନିଧି ଆଉ ଗୋଟିଏ କାର୍ଯ୍ୟରେ ବ୍ୟସ୍ତ ଥିବା ଭଳି ମନେହେଉଛି। ଗତ ସପ୍ତାହରେ ଓଡ଼ିଶା ହାଇକୋର୍ଟର ଇଂଲିଶ୍‌ ବନାନ ପରିବର୍ତ୍ତନ ପ୍ରସ୍ତାବ ଉଠାଇଥିଲେ ବିଜେଡି ସାଂସଦ। ଯେହେତୁ ରାଜ୍ୟର ନାମ ଇଂଲିଶ ଅକ୍ଷରରେ Odisha ହୋଇଗଲାଣି, ତେଣୁ ଓଡ଼ିଶା ହାଇକୋର୍ଟର ଇଂଲିଶ ବନାନ Orissa ପରିବର୍ତ୍ତେ Odisha କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦେଖିବାକୁ ଗଲେ ରାଜ୍ୟବାସୀ ଓଡ଼ିଶା ହାଇକୋର୍ଟ ମୂଳରୁ କହି ଆସୁଛନ୍ତି। କାରଣ ଓଡ଼ିଆ ବନାନରେ ଓଡ଼ିଶାର ନାମ ‘ଓରିଶା’ ଲେଖାଯାଉ ନ ଥିଲା। ଏହି ଇଂଲିଶ୍‌ ବନାନ ପରିବର୍ତ୍ତନ କରିଦିଆଗଲେ ରାଜ୍ୟବାସୀଙ୍କୁ କେଉଁ ପ୍ରକାରର ନ୍ୟାୟ ସମ୍ବନ୍ଧୀୟ ସୁବିଧା ମିଳିବ, ତାହା ବୁଝିବା କଷ୍ଟକର। ଯଦି ଦେଖାଯାଏ ଦେଶର ଅନ୍ୟାନ୍ୟ ପ୍ରାନ୍ତର ଯେଉଁଠାରେ ରାଜ୍ୟ ଓ ମହାନଗରଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି, ସେସବୁଠାରେ ହାଇକୋର୍ଟ ନାମକୁ ଅପରିବର୍ତ୍ତିତ ରଖାଯାଇଛି। ଉଦାହରଣ ସ୍ବରୂପ, କାଲ୍‌କାଟା, ବମ୍ବେ ଓ ମାଡ୍ରାସ ହାଇକୋର୍ଟ ପୂର୍ବଭଳି ତାହାର ନାମ ବଜାୟ ରଖିଛନ୍ତି।
ଏ ଦେଶରେ ଐତିହ୍ୟ ଓ ଇତିହାସ ସହ ଜଡ଼ିତ ନାମ, ସ୍ଥାନ, କୀର୍ତ୍ତିସ୍ତମ୍ଭଗୁଡ଼ିକୁ ବଦଳାଇବାର ଗୋଟେ ବିକୃତ ମାନସିକତା କାହିଁକି କେତେକଙ୍କୁ ଘାରିଛି, ଆଲୋଚନା କଲେ ଆଶ୍ଚର୍ଯ୍ୟ ଲାଗେ। ପୁରୁଣା ସ୍ଥାନ ଓ ବସ୍ତୁ ସହିତ ଲୋକଙ୍କର ଗୋଟେ ଆବେଗ ଜଡ଼ିତ ଥାଏ। ଅବଶ୍ୟ ଅନେକ କୁହାଳିଆ ଓଡ଼ିଆ ଏବେ ହଠାତ୍‌ ରାଜ୍ୟର ନାମ ଇଂଲିଶ୍‌ ବନାନ ପରିବର୍ତ୍ତନ ଦ୍ୱାରା ବିହ୍ବଳିତ ହୋଇଯାଇଛନ୍ତି। ଯେଉଁମାନେ ଆଇନ ପାଠ ପଢ଼ିଛନ୍ତି ସେମାନେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ମନେ ପକାଇଲେ ହୃଦ୍‌ବୋଧ କରିବେ ଯେ, ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ରାୟ ପଢ଼ିବାର ସୁଯୋଗ ପାଇଥିବେ ମୁଖ୍ୟତଃ ଅନ୍ୟ ରାଜ୍ୟ ହାଇକୋର୍ଟର ହୋଇଥିବ। କ୍ୱଚିତ୍‌ ଐତିହାସିକ ରୂପରେ ଓଡ଼ିଶା ହାଇକୋର୍ଟର କୌଣସି ରାୟ ଆଇନ ପାଠ୍ୟପୁସ୍ତକରେ ଦେଖିବାକୁ ମିଳିଥାଏ। ଯେତେବେଳେ ଦେଶର ଅନ୍ୟସବୁ ଗୁରୁତ୍ୱପୂର୍ଣ୍ଣ ହାଇକୋର୍ଟ ସେମାନଙ୍କ ନାମ ପରିବର୍ତ୍ତନ କରିନାହାନ୍ତି, ସେଥିରେ ରାଜନେତାମାନଙ୍କର ହସ୍ତକ୍ଷେପ କରିବାର ଆବଶ୍ୟକତା ଉଠୁନାହିଁ। ଯଦି ହାଇକୋର୍ଟର ମୁଖ୍ୟ ବିଚାରପତି, ଅନ୍ୟାନ୍ୟ ବିଚାରପତି ଓ ରାଜ୍ୟର ଓକିଲ ସଂଘଗୁଡ଼ିକ ଏକତ୍ରିତ ହୋଇ ବନାନ ପରିବର୍ତ୍ତନ କରିବାକୁ ସଂକଳ୍ପ ନିଅନ୍ତି, ତେବେ ତାହା ଉପରେ ଆଲୋଚନା ଯଥାର୍ଥ ହୋଇପାରେ।

  • ତଥାଗତ ସତପଥୀ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?