କିଏ ସତ, କିଏ ମିଛ

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏହା ପରେ ତାହାକୁ ଲୋକ ସଭା ଓ ରାଜ୍ୟ ସଭାର ସେକ୍ରେଟାରି ଜେନେରାଲ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ପଠାଯାଇଥିବା କୁହାଯାଉଛି। ନିୟମ ଅନୁଯାୟୀ, ଲୋକ ସଭା ଓ ରାଜ୍ୟ ସଭାରେ ଏହା ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି। ଦେଖିଲାବେଳକୁ ଓଡ଼ିଶାର ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବ ଏ ଯାଏ କେନ୍ଦ୍ର ନିକଟରେ ପହଞ୍ଚତ୍ ନାହିଁ ବୋଲି ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିବା ପରେ ‘କିଏ ସତ, କିଏ ମିଛ’ କହୁଛନ୍ତି, ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଓଡ଼ିଶା ବିଧାନସଭା ବାଚସ୍ପତି ଓ ଶାସକ ଦଳର ନେତାମାନେ ପ୍ରସ୍ତାବ ପଠାଯାଇଛି ବୋଲି କହୁଥିଲେ ମଧ୍ୟ ଘଟଣା ରହସ୍ୟମୁକ୍ତ ହେଉନାହିଁ।
ଓଡ଼ିଶାର ପ୍ରସ୍ତାବିତ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା କରାଯାଇଛି। ଯଦି ଦେଶର ଅନ୍ୟାନ୍ୟ ପ୍ରାନ୍ତର କଥା ଦେଖାଯାଏ, ଏବେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କର୍ନାଟକରେ ବିଧାନ ପରିଷଦ ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଏଭଳି ପରିଷଦ ଗଠନ ଲାଗି କେନ୍ଦ୍ରକୁ ଚିଠି ଲେଖିଥିବା କୁହାଯାଉଛି। ଏମିତି ଦେଖିଲେ ପ୍ରଦେଶଗୁଡ଼ିକରେ ବିଧାନ ପରିଷଦର ଆବଶ୍ୟକତାକୁ ବହୁ ଦିଗରୁ ବିରୋଧ କରାଯାଉଛି। ଏପରି ବିଧାନ ପରିଷଦରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରାଯାଉଥିବାରୁ କରଦାତାଙ୍କ ଅର୍ଥ ଅପଚୟ ହେଉଛି ବୋଲି ବିତର୍କରେ ଭାଗ ନେଉଥିବା ବର୍ଗ ବାରମ୍ବାର ଯୁକ୍ତି ବାଢ଼ିଥାଆନ୍ତି। କୌତୂହଳର ବିଷୟ ହେଉଛି ଯେ, ଅବସରପ୍ରାପ୍ତ ବିଚାରପତି ଏବଂ ସରକାରୀ ଅଧିକାରୀ ଯେତେବେଳେ ମାନବ ଅଧିକାର କମିଶନ ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଗଭର୍ନର, ସୂଚନା କମିଶନର, ଏନ୍‌ଜିଟିର ଚେୟାରମ୍ୟାନ୍‌ କିମ୍ବା ନିର୍ବାଚନ ଆୟୋଗର କମିଶନର ଭଳି ଅନେକ ପଦବୀରେ ପୁନଃ ନିଯୁକ୍ତି ପାଇଥାନ୍ତି, ସେତେବେଳେ କାହାରି ନାହି ଡିଏଁ ନାହିଁ। ଏହିସବୁ ଅବସରପ୍ରାପ୍ତ ବ୍ୟକ୍ତିମାନେ ସରକାରଙ୍କ ସମ୍ପୂର୍ଣ୍ଣ ଗୋଡ଼ାଣିଆ ହୋଇ ଦେଶର ପ୍ରବଳ କ୍ଷତି କରୁଥିବାର ଅନେକ ପ୍ରମାଣ ଦେଖିବାକୁ ମିଳେ। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶକ୍ତିଶାଳୀ କଲାବେଳେ ସମସ୍ତଙ୍କୁ ବାଧୁଥିବା ଭଳି ମନେହୁଏ। ଏଠାରେ ସେହି ଦିଗ ଆଡ଼ୁ ଦୃଷ୍ଟି ହଟାଇ ଯଦି ଓଡ଼ିଶା ବିଧାନ ପରିଷଦ ସଂକ୍ରାନ୍ତ ପ୍ରସ୍ତାବ ଉପରେ ନଜର ଦେବା, ତାହାହେଲେ ରିଜିଜୁ ଭୁଲ୍‌ କହୁଛନ୍ତି ନା ରାଜ୍ୟ ସରକାର ପ୍ରସ୍ତାବ ପଠାଇବାରେ ଅବହେଳା କରିଛନ୍ତି; ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସହଯୋଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ସର୍ବଦା ପ୍ରାଧାନ୍ୟ ଲାଭ କରିଥାଏ। ଓଡ଼ିଶାର ଲୋକ ପ୍ରତିନିଧିମାନେ କହୁଛନ୍ତି, ଆଇନ ମନ୍ତ୍ରଣାଳୟକୁ ଏ ସଂକ୍ରାନ୍ତ ପ୍ରସ୍ତାବ ପଠାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ତାହାକୁ ଅସ୍ବୀକାର କରୁଥିବାରୁ ଓଡ଼ିଶା ସରକାର ପ୍ରେରଣ କରିଥିବା କାଗଜପତ୍ର ଓ ଇ-ମେଲ୍‌ଗୁଡ଼ିକର ପ୍ରମାଣ ଦେବା ଦରକାର। ଅଥଚ ଏଠାକାର ଲୋକ ପ୍ରତିନିଧି ଆଉ ଗୋଟିଏ କାର୍ଯ୍ୟରେ ବ୍ୟସ୍ତ ଥିବା ଭଳି ମନେହେଉଛି। ଗତ ସପ୍ତାହରେ ଓଡ଼ିଶା ହାଇକୋର୍ଟର ଇଂଲିଶ୍‌ ବନାନ ପରିବର୍ତ୍ତନ ପ୍ରସ୍ତାବ ଉଠାଇଥିଲେ ବିଜେଡି ସାଂସଦ। ଯେହେତୁ ରାଜ୍ୟର ନାମ ଇଂଲିଶ ଅକ୍ଷରରେ Odisha ହୋଇଗଲାଣି, ତେଣୁ ଓଡ଼ିଶା ହାଇକୋର୍ଟର ଇଂଲିଶ ବନାନ Orissa ପରିବର୍ତ୍ତେ Odisha କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦେଖିବାକୁ ଗଲେ ରାଜ୍ୟବାସୀ ଓଡ଼ିଶା ହାଇକୋର୍ଟ ମୂଳରୁ କହି ଆସୁଛନ୍ତି। କାରଣ ଓଡ଼ିଆ ବନାନରେ ଓଡ଼ିଶାର ନାମ ‘ଓରିଶା’ ଲେଖାଯାଉ ନ ଥିଲା। ଏହି ଇଂଲିଶ୍‌ ବନାନ ପରିବର୍ତ୍ତନ କରିଦିଆଗଲେ ରାଜ୍ୟବାସୀଙ୍କୁ କେଉଁ ପ୍ରକାରର ନ୍ୟାୟ ସମ୍ବନ୍ଧୀୟ ସୁବିଧା ମିଳିବ, ତାହା ବୁଝିବା କଷ୍ଟକର। ଯଦି ଦେଖାଯାଏ ଦେଶର ଅନ୍ୟାନ୍ୟ ପ୍ରାନ୍ତର ଯେଉଁଠାରେ ରାଜ୍ୟ ଓ ମହାନଗରଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି, ସେସବୁଠାରେ ହାଇକୋର୍ଟ ନାମକୁ ଅପରିବର୍ତ୍ତିତ ରଖାଯାଇଛି। ଉଦାହରଣ ସ୍ବରୂପ, କାଲ୍‌କାଟା, ବମ୍ବେ ଓ ମାଡ୍ରାସ ହାଇକୋର୍ଟ ପୂର୍ବଭଳି ତାହାର ନାମ ବଜାୟ ରଖିଛନ୍ତି।
ଏ ଦେଶରେ ଐତିହ୍ୟ ଓ ଇତିହାସ ସହ ଜଡ଼ିତ ନାମ, ସ୍ଥାନ, କୀର୍ତ୍ତିସ୍ତମ୍ଭଗୁଡ଼ିକୁ ବଦଳାଇବାର ଗୋଟେ ବିକୃତ ମାନସିକତା କାହିଁକି କେତେକଙ୍କୁ ଘାରିଛି, ଆଲୋଚନା କଲେ ଆଶ୍ଚର୍ଯ୍ୟ ଲାଗେ। ପୁରୁଣା ସ୍ଥାନ ଓ ବସ୍ତୁ ସହିତ ଲୋକଙ୍କର ଗୋଟେ ଆବେଗ ଜଡ଼ିତ ଥାଏ। ଅବଶ୍ୟ ଅନେକ କୁହାଳିଆ ଓଡ଼ିଆ ଏବେ ହଠାତ୍‌ ରାଜ୍ୟର ନାମ ଇଂଲିଶ୍‌ ବନାନ ପରିବର୍ତ୍ତନ ଦ୍ୱାରା ବିହ୍ବଳିତ ହୋଇଯାଇଛନ୍ତି। ଯେଉଁମାନେ ଆଇନ ପାଠ ପଢ଼ିଛନ୍ତି ସେମାନେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ମନେ ପକାଇଲେ ହୃଦ୍‌ବୋଧ କରିବେ ଯେ, ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ରାୟ ପଢ଼ିବାର ସୁଯୋଗ ପାଇଥିବେ ମୁଖ୍ୟତଃ ଅନ୍ୟ ରାଜ୍ୟ ହାଇକୋର୍ଟର ହୋଇଥିବ। କ୍ୱଚିତ୍‌ ଐତିହାସିକ ରୂପରେ ଓଡ଼ିଶା ହାଇକୋର୍ଟର କୌଣସି ରାୟ ଆଇନ ପାଠ୍ୟପୁସ୍ତକରେ ଦେଖିବାକୁ ମିଳିଥାଏ। ଯେତେବେଳେ ଦେଶର ଅନ୍ୟସବୁ ଗୁରୁତ୍ୱପୂର୍ଣ୍ଣ ହାଇକୋର୍ଟ ସେମାନଙ୍କ ନାମ ପରିବର୍ତ୍ତନ କରିନାହାନ୍ତି, ସେଥିରେ ରାଜନେତାମାନଙ୍କର ହସ୍ତକ୍ଷେପ କରିବାର ଆବଶ୍ୟକତା ଉଠୁନାହିଁ। ଯଦି ହାଇକୋର୍ଟର ମୁଖ୍ୟ ବିଚାରପତି, ଅନ୍ୟାନ୍ୟ ବିଚାରପତି ଓ ରାଜ୍ୟର ଓକିଲ ସଂଘଗୁଡ଼ିକ ଏକତ୍ରିତ ହୋଇ ବନାନ ପରିବର୍ତ୍ତନ କରିବାକୁ ସଂକଳ୍ପ ନିଅନ୍ତି, ତେବେ ତାହା ଉପରେ ଆଲୋଚନା ଯଥାର୍ଥ ହୋଇପାରେ।

  • ତଥାଗତ ସତପଥୀ

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri