ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ ସହ କଥିତ ସମ୍ପର୍କ ଓ ଗୁପ୍ତଚରୀ ଅଭିଯୋଗକୁ ନେଇ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିବା ବେଳେ, ଆଉ ଜଣେ ମହିଳା କର୍ମଚାରୀଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ନେଇ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି । ଏହି ଦାବିଗୁଡ଼ିକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି ।
ମିଡିଆ ରିପୋର୍ଟ ଅନୁସାରେ, ହୁଆଙ୍ଗଙ୍କ ନାଁ ଏନଭିଡିଆର ଜଣେ ମହିଳା ଅଧିକାରୀ କିମ୍ବର୍ଲି ପାୱେଲଙ୍କ ସହ ମଧ୍ୟ ଯୋଡ଼ାଯାଇଛି । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ପାୱେଲ କମ୍ପାନୀର ହେଲ୍ଥକେୟାର ବିଭାଗର ଉପସଭାପତି ଥିଲେ ଏବଂ ହୁଆଙ୍ଗଙ୍କୁ ରିପୋର୍ଟ କରୁଥିଲେ। ଏହା ବ୍ୟତୀତ ରଏଟର୍ସ ମଧ୍ୟ କିଛି ସୂତ୍ରଙ୍କ ଆଧାରରେ ଆଉ ଜଣେ ମହିଳା କର୍ମଚାରୀଙ୍କ ସହ ହୁଆଙ୍ଗଙ୍କ ଘନିଷ୍ଠ ସମ୍ପର୍କ ଥିବା ଦାବି କରିଛି । ତେବେ ଏହି ମହିଳାଙ୍କ ପରିଚୟ କିମ୍ବା କଥିତ ସମ୍ପର୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ସାର୍ବଜନୀନ ହୋଇନାହିଁ।
ଏହା ପୂର୍ବରୁ ହୁଆଙ୍ଗଙ୍କ ନାଁ ଆଲିସ୍ ହୁଆଙ୍ଗ ନାମକ ଜଣେ ଚାଇନା ମହିଳାଙ୍କ ସହ ଯୋଡ଼ାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ଆଲିସ୍ ସିଙ୍ଗାପୁରର ଟେକ୍ନୋଲୋଜି କମ୍ପାନୀ ମେଗାସ୍ପିଡ୍ର ପୂର୍ବତନ ଅଧିକାରୀ ଥିଲେ । ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କ ଉପରେ ଚାଇନା ପାଇଁ ଗୁପ୍ତଚରୀ କରିବାର ସନ୍ଦେହ କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ଗୁପ୍ତଚରୀ ଅଭିଯୋଗ ସାର୍ବଜନୀନ ଭାବେ ପ୍ରମାଣିତ ହୋଇନାହିଁ। ଚୀନ୍ ମଧ୍ୟ ଏପରି ଅଭିଯୋଗକୁ ଖଣ୍ଡନ କରିଛି।
ଏନଭିଡିଆର ଏଆଇ ଚିପ୍ ଏବଂ ଚାଇନାକୁ ଏହାର ଯୋଗାଣ ପ୍ରସଙ୍ଗ ଆମେରିକାର ଜାତୀୟ ସୁରକ୍ଷା ସହ ଜଡ଼ିତ ଥିବାରୁ ଏହି ମାମଲା ଅଧିକ ଗୁରୁତ୍ୱ ବହନ କରୁଛି । ତେବେ ହୁଆଙ୍ଗଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ହୋଇଥିବା ଦାବି ଓ ଗୁପ୍ତଚରୀ ଅଭିଯୋଗ ମଧ୍ୟରେ କୌଣସି ପ୍ରମାଣିତ ସମ୍ପର୍କ ସ୍ଥାପିତ ହୋଇନାହିଁ ।

