ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍ପିଓ)ଙ୍କ ଗୁଳିବିଦ୍ଧ ମୃତଦେହ ଜବତ କରାଯାଇଛି। ଏହାର ଦିନକ ପୂର୍ବରୁ ଆତଙ୍କବାଦୀମାନେ କୁଲଗାମରେ ଏକ ସିଆର୍ପିଏଫ୍ ଚେକପୋଷ୍ଟକୁ ଟାର୍ଗେଟ କରିଥିଲେ। ଶହିଦ ଯବାନମାନଙ୍କର ସର୍ଭିସ ଅସ୍ତ୍ରଶସ୍ତ୍ର ମିଳିନାହିଁ। ସେଗୁଡ଼ିକ ମଧ୍ୟରେ ଗୋଟିଏ ଆଇଏନ୍ଏସ୍ଏଏସ୍ ରାଇଫଲ, ଗୋଟିଏ .୩୦୩ ରାଇଫଲ ସମେତ କିଛି ମାଗାଜିନ ଏବଂ ଗୁଳିଗୋଳା ରହିଛି। ଯାହାକୁ ଆତଙ୍କବାଦିମାନେ ନେଇଯାଇଥିବା ସନ୍ଦେହ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଘଟଣାସ୍ଥଳରୁ ପାକିସ୍ତାନୀ ନିର୍ମିତ ଆର୍ମର-ପିଅରସିଂ ଷ୍ଟିଲ-କୋର୍ ଗୁଳିର ଖାଲି କାଟ୍ରିଜ ମିଳିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା, ଖୋଜିବା ଏବଂ ନିପାତ କରିବା ପାଇଁ ଏକ ବ୍ୟାପକ ଅପରେଶନ ଜାରି ରହିଛି।
ଶହିଦ ୨ ଏସ୍ପିଓ ହେଲେ ବାବି ଚାନ୍ଦ (୫୭) ଏବଂ ରଶପାଲ କୁମାର (୪୫)। ସେମାନେ ଦଚ୍ଛନର କିୟାର ଗ୍ରାମରେ ସ୍ଥାନୀୟ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ (ଏସ୍ଓଜି)ରେ ନିଯୁକ୍ତ ଥିଲେ। ବୁଧବାର ଧରଣା-ମରୱାହଠାରେ ପାଟ୍ରୋଲିଂ ଡ୍ୟୁଟି ପାଇଁ ନିଜ କ୍ୟାମ୍ପରୁ ଏକ ସେନା ପୋଷ୍ଟକୁ ଯାଉଥିବା ବେଳେ ସେମାନେ ନିଖୋଜ ହୋଇଯାଇଥିଲେ। ଗୁରୁବାର ସକାଳେ ସୁରକ୍ଷା ବାହିନୀ ପକ୍ଷରୁ ଅତିରିକ୍ତ ବଳ ପଠାଯିବା ସହ ଡ୍ରୋନ ଏବଂ ସନ୍ଧାନୀ କୁକୁର ଥିବା ସ୍ବତନ୍ତ୍ର ଟିମ ନିୟୋଜିତ କରାଯାଇଥିଲା। ବୁଧବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ଏକ ସିଆର୍ପିଏଫ୍ ଚେକପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ତିନିଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ଆକ୍ରମଣ ପଛରେ ଥିବା ୨ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ଗୁରୁବାର ପୁଣିଥରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

