ସମ୍ବଲପୁର,୧୩ା୧୧(ପ୍ରମୋଦ ବହିଦାର):ସମ୍ବଲପୁର ଅଞ୍ଚଳରେ ଏନ୍ଏଲ୍ସି କମ୍ପାନୀର ମନମାନି ଓ ଦାଦାଗିରି ବିରୋଧରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବଲପୁର ଅଞ୍ଚଳରେ ଏନ୍ଏଲ୍ସି ଅଧୀନରେ କାର୍ଯ୍ୟରତ ଆଦାନୀ କମ୍ପାନୀର ମନମାନି ବିରୋଧରେ ସମ୍ବଲପୁର ବିଧାୟକ ମିଶ୍ର କହିଛନ୍ତି, ଏନ୍ଏଲ୍ସି ପାଇଁ କାମ କରୁଥିବା ଆଦାନୀ କମ୍ପାନୀ ବର୍ତ୍ତମାନ ନିଜକୁ ମାଲିକ ଭାବି ଦେଇଛି। ଆଦାନୀ କମ୍ପାନୀ ଏବେ ଏନ୍ଏଲ୍ସି ଅଧିକାରୀଙ୍କ ଉପରେ ମଧ୍ୟ ଦାଦାଗିରି ଚଳାଇଛି। ଆଦାନୀ ଯେଉଁଠାକୁ ଯାଇଛି, ସେଠାରେ ଲୋକଙ୍କୁ ମର୍ଡର କରିଛି। ତୁମେ ମାରିଲେ, ଆମେ ମଧ୍ୟ ମାରିବୁ। ଏ ମାଟିରେ ତା’ପରେ କିଏ ରହିପାରୁଛି, ଦେଖିବା। ତୁମେ ଯଦି ଦାଦାଗିରି କର, ତେବେ ଦାଦାଗିରି କେମିତି କରାଯାଏ, ଆମେ ବୁଝାଇବୁ। ଏହା ବୀର ସୁରେନ୍ଦ୍ର ସାଏଙ୍କ ମାଟି, ଆମେ ମରିଯିବୁ ପଛେ, ଶେଷ ଯାଏ ବୁଝାମଣା କରିବୁ ନାହିଁ ବୋଲି ଜୟନାରାୟଣ କହିଛନ୍ତି।
ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ବଜାର ପ୍ରାଙ୍ଗଣରେ ଖିଣ୍ଡା ସଂଗ୍ରାମ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକରେ ଗୁରୁବାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜୟନାରାୟଣ କହିଛନ୍ତି, ପୋଲିସ କମ୍ପାନୀ ସପକ୍ଷରେ ନ ଯାଇ ନିରପେକ୍ଷ ରହୁ, ନଚେତ୍ ସେମାନଙ୍କୁ ମଧ୍ୟ ଉଚିତ ଜବାବ ଦିଆଯିବ। ନିଜ ହକ୍ ପାଇଁ ସମସ୍ତେ ଏକଜୁଟ ହୋଇ ଲଢ଼େଇ କରନ୍ତୁ। ଏପରିକି କମ୍ପାନୀର ଏହି ଅନ୍ୟାୟ ବିରୋଧରେ ଆଗାମୀଦିନରେ ଜୋରଦାର ଆନ୍ଦୋଳନ କରାଯିବ। ଏନ୍ଏଲ୍ସି କମ୍ପାନୀ ଜରିଆରେ ଆଦାନୀ ଖିଣ୍ଡା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଜମିକୁ ଶାଗମାଛ ଦରରେ ଅଧିଗ୍ରହଣ କରି କୋଇଲା ଖନନ କରୁଛି। ଏହି ପ୍ରକ୍ରିୟାରେ ଅନେକ ଲକ୍ଷ ଗଛ କଟାଯାଇଥିବା ବେଳେ ସରକାରୀ ନିୟମଠାରୁ ଅଧିକ ପରିମାଣର ଜମିରେ ବେଆଇନ ଭାବେ ଖନନ କାର୍ଯ୍ୟ ଚାଲିଛି। ନିୟମ ଅନୁଯାୟୀ, ବିସ୍ଥାପିତ ପରିବାରଙ୍କୁ ପକ୍କା ଘର, ସ୍ବଚ୍ଛ ପାନୀୟ ଜଳ, ରାସ୍ତାଘାଟ ଏବଂ ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ଯୋଗାଇବା କଥା, କିନ୍ତୁ କମ୍ପାନୀ ଏସବୁକୁ ଅଣଦେଖା କରୁଛି। ଏପରିକି ସରକାରଙ୍କ ସହ ହୋଇଥିବା ଏମ୍ଓୟୁ ଅନୁସାରେ ପ୍ରତିବର୍ଷ ୨୪ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲେ ମଧ୍ୟ କମ୍ପାନୀ ଏହାକୁ ଅଣଦେଖା କରି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଉଛି। ପ୍ରଥମେ ମାଟି, ତା’ପରେ ପାର୍ଟି। ଏହା ବୀର ସୁରେନ୍ଦ୍ର ସାଏ, କୁଞ୍ଜେଲ ସିଂ, ହାଟୋ ସିଂ ଓ ମାଧୋ ସିଂଙ୍କ ବଳିଦାନର ମାଟି, ସମ୍ବଲପୁରବାସୀ କେବେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି କିମ୍ବା ସାଲିସ କରିନାହାନ୍ତି। ଲଢ଼େଇ ହେଲେ କୌଣସି ନୀତି ନିୟମ ମାନିବୁ ନାହିଁ। ନିଜ ଦଳର ସରକାର ଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ସ୍ବାର୍ଥ ପାଇଁ ସେ ସରକାରୀ ଲୋକ ନ ହୋଇ ବେସରକାରୀ ଭାବେ ଲଢ଼େଇ କରିବାକୁ ପଛାଇବେ ନାହିଁ। ଏଥିସହ ଏନ୍ଏଲ୍ସି କମ୍ପାନୀକୁ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକମାନଙ୍କୁ ଏକଜୁଟ ରହିବାକୁ ଆହ୍ବାନ ଦେବା ସହ ପରବର୍ତ୍ତୀ ସମୟରେ କୌଣସି ପ୍ରଲୋଭନ ବା ଠିକା କାମର ଲୋଭରେ ନ ପଡ଼ିବା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଶପଥ କରାଇଛନ୍ତି।
Dharitri – Odisha’s No.1 Odia Daily

