କିଏ ବଡ଼

ଡ. ସୁବାସ ଚନ୍ଦ୍ର ପାତ୍ର

 

ସାମାଜିକ କଥୋପକଥନରେ ବଡ଼ ସାନର କ୍ରମ ବିଷୟରେ ଆମକୁ କିଛି କଥା କୁହାଯାଇଥାଏ। ଯେମିତି ଡାକ୍ତର ଦ୍ୱିତୀୟ ଭଗବାନ୍‌, ଗୁରୁ ସାକ୍ଷାତ ଈଶ୍ୱର, କବି ତ୍ରିକାଳଦ୍ରଷ୍ଟା ଇତ୍ୟାଦି। ଡାକ୍ତର ଓ ଶିକ୍ଷକ କ୍ଷେତ୍ରରେ ଉଭୟ ବୃତ୍ତିକୁ ଗୌରବାନ୍ବିତ କରିବା ପାଇଁ ପ୍ରଚଳିତ ସାମାଜିକ ଦୃଷ୍ଟିଭଙ୍ଗୀକୁ ଆମେ ପ୍ରତ୍ୟାଖ୍ୟାନ ନ କରି ପରିବର୍ତ୍ତିତ ପରିସ୍ଥିତିରେ ଆମେ ଉପରଲିଖିତ କ୍ଷେତ୍ର ପରି ବିଭିନ୍ନ କ୍ଷେତ୍ରକୁ ପୁନର୍ବଲୋକନ କଲେ ପ୍ରସଙ୍ଗର ବ୍ୟାପକତା ଅଧିକ ଜଣାପଡ଼ିବ।
ଜୀବନ ବଞ୍ଚାଇବା କ୍ଷେତ୍ରରେ ଆମେ ଡାକ୍ତରମାନଙ୍କ ଭୂମିକାକୁ ଭଗବାନ୍‌ଙ୍କ ଚମତ୍କାର ହିସାବରେ ନେଉଥିଲା ବେଳେ ଅନେକ ଡାକ୍ତର ନମ୍ରତା ପ୍ରକାଶକରି କହନ୍ତି, ”ଆମେ ଚିକିତ୍ସା କରୁ, ‘ସେ’ (ଭଗବାନ୍‌) ଆରୋଗ୍ୟ କରନ୍ତି“। ଜେ.ବି.ଏସ୍‌. ହାଲ୍‌ଡେନ୍‌ଙ୍କ ଭଳି କେତେଜଣ ଜୀବବିଜ୍ଞାନୀ ବିଶେଷଜ୍ଞ ଚିକିତ୍ସା ବିଜ୍ଞାନର ଅଗ୍ରଗତି କ୍ଷେତ୍ରରେ ରୋଗୀ ଏପରିକି ମୃତକମାନଙ୍କୁ ବହୁତ ଗୁରୁତ୍ୱ ଦିଅନ୍ତି। ହାଲ୍‌ଡେନ୍‌ କହନ୍ତି, ପୃଥିବୀରେ ବେଶ୍‌ କିଛି ଲୋକ ବିଭିନ୍ନ ମହାମାରୀରେ ମରିଥିଲେ ବୋଲି ଏବଂ ସେମାନଙ୍କ ମୃତଶରୀର ଅଂଶ ବିଶେଷକୁ ନେଇ ଗବେଷଣା କରାଯାଇଥିଲା ବୋଲି ପରବର୍ତ୍ତୀ ସମୟରେ ଟିକା ଅବା ଇଞ୍ଜେକ୍ସନ ବାହାରିଲା ଯାହା ଅନେକଙ୍କ ଜୀବନରକ୍ଷାର କାରଣ ପାଲଟିଲା। ହୁଏତ ଏହା କୁହାଯାଇପାରେ, ପରବର୍ତ୍ତୀ ପିଢ଼ିର ଜୀବନ ରକ୍ଷା ପାଇଁ ମୃତ ପୂର୍ବ ପିଢ଼ି ପ୍ରକୃତରେ ‘ଶହୀଦ’ ହୋଇ ଯାଇଥିଲେ! ବିଭିନ୍ନ ଟିକା ବା ଇଞ୍ଜେକ୍ସନ ଉଦ୍ଭାବନ ପ୍ରକ୍ରିୟାରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ତ୍ୟାଗ ମଧ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦୈନନ୍ଦିନ ରୋଗୀ ଚିକିତ୍ସାକ୍ଷେତ୍ରରେ ରୋଗୀର ସହଯୋଗ, ଆତ୍ମ-ଚିକିତ୍ସାରୁ ନିବୃତ୍ତି, ଡାକ୍ତର, ଔଷଧ ଓ ଚିକିତ୍ସାବିଧି ଉପରେ ବିଶ୍ୱାସ ମଧ୍ୟ ଡାକ୍ତରଙ୍କ ଚିକିତ୍ସାକୁ ସୁଗମ କରେ ଏବଂ ଡାକ୍ତରଙ୍କୁ ଭଗବତ ସ୍ତରକୁ ଘେନିଯାଏ। ଡାକ୍ତରଙ୍କ ଅବଦାନ ତ ଅତୁଳନୀୟ କିନ୍ତୁ ସଫଳ ଚିକିତ୍ସା ସହିତ ନୂତନ ଉଦ୍ଭାବନ ପାଇଁ ରୋଗୀ ଏପରିକି ମୃତରୋଗୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ, ବିଶେଷତଃ ପ୍ରାଚ୍ୟ ସଭ୍ୟତାରେ ଶିକ୍ଷକ ଅବା ଗୁରୁମାନଙ୍କୁ ବହୁତ ଉଚ୍ଚ ସ୍ଥାନରେ ଅଭିଷିକ୍ତ କରାଯାଇଛି। ଶିକ୍ଷାର ପ୍ରସାର ବିଶେଷତଃ ଶ୍ରେଣୀଶିକ୍ଷାରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛନ୍ତି। ବେଳେବେଳେ ସେମାନେ ଶ୍ରେଣୀ ଶିକ୍ଷାର ଏକ ସଙ୍କଟମୟ ମୁହୂର୍ତ୍ତରେ ଶିକ୍ଷକଙ୍କୁ ରକ୍ଷା କରନ୍ତି ତ କେତେବେଳେ ସେମାନେ ଗତାନୁଗତିକ ବ୍ୟାଖ୍ୟା ବା ବିଶ୍ଳେଷଣଠୁ ଦୂରେଇ ଏକ ଭିନ୍ନ ବ୍ୟାଖ୍ୟା ମାଧ୍ୟମରେ ବିଷୟବସ୍ତୁକୁ ଆହୁରି ଜୀବନ୍ତ ଓ ସମୟ ଉପଯୋଗୀ କରି ତୋଳନ୍ତି। ମନେପଡ଼େ ମୋର ଇଣ୍ଟରମିଡିଏଟ୍‌ ବିଜ୍ଞାନ ଶ୍ରେଣୀର କଥା। ପଦାର୍ଥ ବିଜ୍ଞାନ କ୍ଳାସ୍‌ରେ ଅଧ୍ୟାପକ ଜଣକ ଲେନ୍ସ ପାଠର ଏକ ସମୀକରଣକୁ ଉପସଂହାର ପର୍ଯ୍ୟନ୍ତ ନେଇପାରୁ ନ ଥିଲେ। ବାରମ୍ବାର ଚେଷ୍ଟାକରି ବିଫଳ ହେଲାପରେ ସେ ଭରାକ୍ଳାସ୍‌କୁ ସାହାଯ୍ୟ ମାଗିଲେ। ମୋର ଜଣେ ସହପାଠୀ ଗ୍ୟାଲେରିର ନିଜ ସ୍ଥାନରୁ ଓହ୍ଲାଇ ବ୍ଳାକ୍‌ବୋର୍ଡ ପାଖକୁ ଯାଇ ସାର୍‌ଙ୍କ ସହ ମିଶି ସମୀକରଣଟିକୁ ଠିକଣା ସ୍ଥାନରେ ପହଞ୍ଚିଦେଇଥିଲା। ଆମେ ତା’ ପାଇଁ ଗୌରବାନ୍ବିତ ହେଲୁ ଏବଂ ସେଦିନ ସାର୍‌ ମଧ୍ୟ ଅଧିକ ଅପଦସ୍ଥ ହେବାରୁ ବଞ୍ଚିଗଲେ। ଅନ୍ୟ ଏକ ଉଦାରହଣ କ୍ରମରେ ‘ସିଂହୀ’ (ଦ ଲାୟନେସ୍‌) ନାମକ ଏକ ଇଂରାଜୀ ଗଳ୍ପକୁ ଛାତ୍ରଟି ନୂତନ ଦୃଷ୍ଟିଭଙ୍ଗୀରେ ବ୍ୟାଖ୍ୟାକରି ଶିକ୍ଷକଙ୍କ ସମେତ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲା। ସେହି ଗଳ୍ପରେ କୁହାଯାଇଛି କିପରି ଆଫ୍ରିକୀୟ ଜଙ୍ଗଲରେ ସର୍ଭେକାରୀ ଦଳ ଏକ ଶିବିର ସ୍ଥାପନ କରିଥିଲେ। କିଛିଦିନ ପରେ ଗୋଟିଏ ସିଂହୀ ପ୍ରଥମେ ମୁହଁ ଦେଖାଇ ଦେଖାଇ ପରେ ସେମାନେ ଫିଙ୍ଗିଦେଇଥିବା ମାଂସ ମଧ୍ୟ ଖାଇବାକୁ ଲାଗିଲା। ସର୍ଭେ ଦଳ ସେଠାରୁ ପ୍ରତ୍ୟାବର୍ତ୍ତନ କରିବାର ବହୁଦିନ ପରେ ସେମାନେ ପୁଣି ଥରେ ସର୍ଭେ କରିବାକୁ ସେହି ସ୍ଥାନର ନିକଟସ୍ଥ ଏକ ଜଙ୍ଗଲୀ ପୋଖରୀରୁ ଏକ ସିଂହର କଙ୍କାଳ ଦେଖିବାକୁ ପାଇଥିଲେ। ପ୍ରକୃତରେ ଏହା ଥିଲେ ସେହିି ସିଂହୀର। ମନୁଷ୍ୟ ଦତ୍ତ ଖାଦ୍ୟ ଖାଇଖାଇ ସେ ତା’ର ଶିକାର ପ୍ରବୃତ୍ତି ଛାଡ଼ି ଦେଇ ମୃତ୍ୟୁମୁଖରେ ପଡି଼ଥିଲା। ସାଧାରଣ ଭାବରେ କୁହାଯାଉଥିଲା ବନ୍ୟ ଜୀବଜନ୍ତୁ ପ୍ରତି ଅଧିକ ଦୟାଶୀଳ ମନୋଭାବ କେତେ କ୍ଷତିକାରକ। ଛାତ୍ରଟି କିନ୍ତୁ ଠିଆ ହୋଇ କହିଲା, ”ସାର୍‌, ଆମେ କାହିଁକି ଏ ଗଳ୍ପକୁ ପ୍ରତୀକାତ୍ମକ ଦୃଷ୍ଟିରେ ଦେଖିବା ନାହିଁ। ଅର୍ଥାତ୍‌ ଏ ଜଙ୍ଗଲ ହେଉଛି ଆଫ୍ରିକା ମହାଦେଶ; ଏ ସର୍ଭେକାରୀ ଦଳ ହେଲେ ଚତୁର ଗୋରା ସାହେବ ଗୋଷ୍ଠୀ; ସିଂହୀଟି ହେଲା ନିଗ୍ରୋ ଜାତି ଯେଉଁମାନେ ଚତୁର ଗୋରା ଶାସକଙ୍କ ପ୍ରଲୋଭନରେ ସ୍ବଧର୍ମ ଛାଡ଼ି ରୁଗ୍‌ଣ, କାଙ୍ଗାଳ ପାଲଟିଯାଇଥିଲେ।“ ଖାଲି ନୂତନ ଦିଗ୍‌ଦର୍ଶନ ନୁହେଁ, ବେଳେବେଳେ ଶ୍ରେଣୀକକ୍ଷରେ ଛାତ୍ରୀଛାତ୍ରମାନଙ୍କର ଶିକ୍ଷକଙ୍କ ସୀମିତତାଜନିତ ଅସୁବିଧାକୁ ହୃଦୟଙ୍ଗମ ପୂର୍ବକ ଉଦାରତା ପ୍ରଦର୍ଶନ ସେମାନଙ୍କୁ ମହନୀୟ କରି ତୋଳେ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାର ‘ଟଲଷ୍ଟୟ ଫାର୍ମ’ରେ ଶିକ୍ଷକତା କରୁଥିବା ବେଳେ ସେ ଏହି ଉଦାରତାର ଉପଭୋକ୍ତା ପାଲଟିଥିଲେ ଯେତେବେଳେ ସେ ପଢ଼ାଉଥିବା ପାଠ ତଥା ଭାଷା ଠିକ୍‌ ନ ଥିଲା। ପିଲାମାନେ କିନ୍ତୁ ନୀରବ ରହୁଥିଲେ, ଅବା ପାଠ ଉପଭୋଗ କରୁଥିବାର ଛଳନା କରୁଥିଲେ, ଗାନ୍ଧୀଙ୍କ ମନରେ ଆଘାତ ନ ଦେବା ପାଇଁ। ଅଥଚ ଗାନ୍ଧୀ ଘରକୁ ଫେରି ଭୁଲ୍‌ଗୁଡ଼ିକ ଧରି ପାରୁଥିଲେ। ସେ ଅସହାୟ ଥିଲେ କାରଣ ଶିକ୍ଷକ ଅଭାବ ଯୋଗୁ ସେ ବହୁ ବିଷୟ ଓ ବହୁତ ଭାରତୀୟ ଭାଷାର ଶିକ୍ଷାଦାନ କରୁଥିଲେ।
କବି, ଲେଖକ ଓ ପାଠକଙ୍କୁ ନେଇ ମଧ୍ୟ ସେହି ପ୍ରକାର ବଡ଼ ସାନର ବିଚାର କରାଯାଏ। ସାଧନା ଓ ପ୍ରେରଣା ପ୍ରସୂତ ଲେଖାଟି ପାଠକ ଆଗରେ ପରିବେଷଣକରି ଲେଖକ ସ୍ରଷ୍ଟା ବା ସୃଷ୍ଟିକର୍ତ୍ତା ଭୂମିକାରେ ଅବତୀର୍ଣ୍ଣ ହୁଏ। କିନ୍ତୁ ତା’ ଲେଖାକୁ ଅଧିକ ଶାଣିତ, ଅଧିକ ସମୟୋପଯୋଗୀ ତଥା କାଳଜୟୀ କରିବାରେ ପାଠକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପାଠକର ଚିରନ୍ତନ, ଅଦୃଶ୍ୟ ଉପସ୍ଥିତି ଲେଖକଙ୍କୁ ଦାୟିତ୍ୱ ସଚେତନ କରାଏ; ବେଳେବେଳେ ତାକୁ ନୀରବି ଯିବାକୁ ଆହ୍ବାନ ଦିଏ। ଭକ୍ତ ଭଗବାନ ପ୍ରେକ୍ଷାପଟରେ ଭକ୍ତକୁ ବଡ଼ କଲା ଭଳି ଉଦାରତା ଆମେ ଭଗବାନ୍‌ଙ୍କ ପାଖରେ ଦେଖୁ ଯାହା ଶ୍ରୀମଦ୍‌ ଭାଗବତର ତୃତୀୟ ସ୍କନ୍ଧର ଷୋଡ଼ଶ ଅଧ୍ୟାୟରେ ପ୍ରତିଫଳିତ। ଯାହାର ଅର୍ଥ ହେଲା ”ମୋ ପାଦରେଣୁର ପବିତ୍ରତା ଆପଣଙ୍କ ଭଳି ବ୍ରହ୍ମଜ୍ଞମାନଙ୍କ ସେବାର ପରିଣାମ।“
ଡାକ୍ତର ଓ ଶିକ୍ଷକଙ୍କ ପ୍ରତି ସମାଜର ଭଗବତସମ ଦୃଷ୍ଟି ସେମାନଙ୍କର ଅହଂକାର ବୃଦ୍ଧି ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ଆପେକ୍ଷିକ ବିଚାରବୋଧ। ଚିକିତ୍ସା ବ୍ୟବସ୍ଥା କ୍ଷେତ୍ରରେ ରୋଗୀ ଯେତିକି ଜଣେ ଉପଭୋକ୍ତା, ସେତିିକ ଜଣେ ଅବଦାନକାରୀ ମଣିଷ; ଶିକ୍ଷା କ୍ଷେତ୍ରରେ ଛାତ୍ରଟି ଯେତିକି ଅନୁଗୃହୀତ, ସେତିିକି ମଧ୍ୟ ଭିନ୍ନଦୃଷ୍ଟି ଉନ୍ମୋଚନରେ ସକ୍ଷମ, କାରଣ ପ୍ରତ୍ୟେକ ଛାତ୍ର ଜଣେ ଜଣେ ଅପେକ୍ଷମାଣ ଶିକ୍ଷକ। ମୂଳକଥା ହେଲା ଆମେ ଏମାନଙ୍କୁ କେତେ ଗୁରୁତ୍ୱଦେବା।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର, ମୋ. : ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?