ମହିଳାଙ୍କ ପାଇଁ ନିରାପଦ ସ୍ଥାନ କେଉଁଠି

ମହିଳାଙ୍କ ପାଇଁ ନିରାପଦ ସ୍ଥାନ କେଉଁଠି? ଏମିତି ପ୍ରଶ୍ନ ପଚରାଗଲେ, ଏହାର ଉତ୍ତରରେ ଆମେ ସମସ୍ତେ ନିଶ୍ଚିତ ଭାବେ କହିବା ‘ଘର’। ଏହି ପ୍ରଶ୍ନକୁ ଯଦି ଓଲଟେଇ ପଚରାଯାଏ, ମହିଳାଙ୍କ ପାଇଁ ବିପଜ୍ଜନକ ସ୍ଥାନ କେଉଁଠି? ଯଦି ଆପଣ ଏହାର ଉତ୍ତର ଦେବାକୁ ଚାହଁୁଛନ୍ତି ‘ବାହାର’ ବା ‘ଅପରିଚିତ ସ୍ଥାନ’, ତେବେ ଆପଣ ସମ୍ପୂର୍ଣ୍ଣଭାବେ ଭୁଲ୍‌ କହୁଛନ୍ତି। ଅସଲରେ ତଥ୍ୟ ଅନୁସାରେ ମହିଳାଙ୍କ ପାଇଁ ସବୁଠାରୁ ବିପଜ୍ଜନକ ସ୍ଥାନ ହେଉଛି ଘର ତଥା ପରିବାର ଓ ବିପଦପୂର୍ଣ୍ଣ ମଣିଷ ହେଉଛନ୍ତି ଘନିଷ୍ଠ ସହଯୋଗୀ ଓ ସମ୍ପର୍କୀୟ ମଣିଷ।
ଜାତିସଂଘର ଡ୍ରଗ୍ସ ଓ କ୍ରାଇମ୍‌ କାର୍ଯ୍ୟାଳୟ ଦ୍ୱାରା ମିଳିତ ଭାବେ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ନିଜର ଘନିଷ୍ଠ ସହଯୋଗୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ଏହି ରିପୋର୍ଟ ଅନୁସାରେ ୨୦୨୩ରେ ସାରା ବିଶ୍ୱରେ ୫୧,୦୦୦ ମହିଳା ଓ ଝିଅ ନିଜ ପରିବାର ଏବଂ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି। ୨୦୨୨ରେ ଏହି ଆକଳନ ୪୮,୮୦୦ ଥିବାବେଳେ ୨୦୨୩ରେ ଏହା ୪.୫% ବୃଦ୍ଧି ପାଇଛି। ସାରା ବିଶ୍ୱରେ ଆଫ୍ରିକାରେ ସର୍ବାଧିକ ୨୧,୭୦୦ ମହିଳା ଓ ଝିଅଙ୍କର ହତ୍ୟା ନିଜ ଘର ଭିତରେ ହୋଇଛି। ଜନସଂଖ୍ୟା ହିସାବରେ ଆଫ୍ରିକାରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୨.୯ଜଣ ନିଜ ପରିବାର ଓ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। ଆମେରିକାରେ ପ୍ରତି ୧ ଲକ୍ଷ ମହିଳାରେ ୧.୬ ଜଣ ମହିଳା ଏହିପରି ହତ୍ୟାର ଶିକାର ହେଉଥିବାବେଳେ ଏସିଆରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୦.୮ ଜଣ ମହିଳା ନିଜ ପରିବାର ଓ ସମ୍ପର୍କୀୟଙ୍କ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। ୟୁରୋପରେ ଏହି ହାର ସବୁଠାରୁ କମ୍‌, ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୦.୬ ଜଣ ନିଜ ପରିବାର ଲୋକ ଓ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ଜାତିସଂଘ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ୨୦୨୩ରେ ନିଜ ସମ୍ପର୍କୀୟ ଓ ପରିବାର ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ୫୧,୦୦୦ ମହିଳା ହେଉଛନ୍ତି ସମୁଦାୟ ମହିଳାଙ୍କ ହତ୍ୟାର ୬୦ ପ୍ରତିଶତ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ସାରା ଦୁନିଆରେ ପ୍ରତି ତିନିଜଣରେ ଜଣେ ଅର୍ଥାତ ୩୫% ମହିଳା ନିଜ ଅନ୍ତରଙ୍ଗ ତଥା ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ହିଂସାର ଶିକାର ହେଉଛନ୍ତି। ଭାରତ ଓ ଦକ୍ଷିଣ ପୂର୍ବ ଏସିଆରେ ଏହି ହାର ୩୭.୭ ପ୍ରତିଶତ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ୨୦୨୨ରେ ଭାରତରେ ୪,୪୪,୨୫୬ଟି ମହିଳା ବିରୋଧୀ ଅପରାଧ ହୋଇଥିବା ବେଳେ ୨୦୨୧ରେ ୪,୨୮,୨୭୮ଟି ମହିଳା ବିରୋଧୀ ହିଂସା ଓ ୨୦୨୦ରେ ୩,୭୧,୫୦୩ଟି ମହିଳା ବିରୋଧୀ ହିଂସା ଘଟଣା ପଞ୍ଜୀକୃତ ହୋଇଛି। ୨୦୨୨ରେ ହୋଇଥିବା ମହିଳା ବିରୋଧୀ ହିଂସା ମଧ୍ୟରୁ ୩୧.୪% ସ୍ବାମୀ କିମ୍ବା ପରିବାର ଲୋକଙ୍କ ଦ୍ୱାରା ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ୨୦୨୨ରେ ଭାରତରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୬୬.୪ ଜଣ ଏବଂ ୨୦୨୧ରେ ୬୪.୫ ଜଣ ହିଂସାର ଶିକାର ହୋଇଛନ୍ତି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଭାରତରେ କ୍ରମାଗତ ଭାବେ ବଢ଼ୁଥିବା ମହିଳା ବିରୋଧୀ ହିଂସା ଓ ପରିବାର ତଥା ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ବଢ଼ୁଥିବା ମହିଳା ହତ୍ୟାର କାରଣଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି, ପୁରୁଷପ୍ରଧାନ ସମାଜ, ମହିଳା ସୁରକ୍ଷାକୁ ନେଇ ଦୁର୍ବଳ ଆଇନ ତଥା ଆଇନର ପ୍ରଣୟନ ଏବଂ ଆମ ସାମାଜିକ ବ୍ୟବସ୍ଥା। ପୁରୁଷପ୍ରଧାନ ମାନସିକତା ଯୋଗୁ ପୁରୁଷମାନେ ମହିଳାମାନଙ୍କ ବିରୋଧରେ ହିଂସା କିମ୍ବା ଅପରାଧ ଘଟେଇବାକୁ ପଛାଉ ନାହାନ୍ତି। ଯଦିଓ ମହିଳାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଆମ ଦେଶରେ ଏକାଧିକ ଆଇନ ବଳବତ୍ତର ରହିଛି, କିନ୍ତୁ ସେସବୁ ଏବେବି ପୁରୁଷତାନ୍ତ୍ରିକ ମାନସିକତା ଦ୍ୱାରା ପରିଚାଳିତ। ଏଥିସହିତ ଯାହା ଆଇନ ଆମ ଦେଶରେ ଅଛି, ତାହାକୁ କଡ଼ାକଡ଼ି ଭାବେ ପାଳନ କରିବାରେ ଆମ ଦେଶ ଏବେ ବି ବହୁତ ପଛରେ। ଏହା ମହିଳା ବିରୋଧୀ ବାତାବରଣକୁ ବଳ ଯୋଗାଉଛି। ଏଥି ସହିତ ଆମ ସମାଜର ପରମ୍ପରା ଅନେକାଂଶରେ ମହିଳାଙ୍କ ଅଧିକାର ଓ ସ୍ବାଧୀନ ଜୀବନଯାପନ ବିରୋଧୀ। ୨୦୨୨ରେ ହୋଇଥିବା ସମୁଦାୟ ମହିଳା ବିରୋଧୀ ହିଂସା ଘଟଣା ମଧ୍ୟରୁ ୧୩,୪୭୯ଟି ଯୌତୁକଜନିତ ହିଂସା ହୋଇଥିବାବେଳେ ୧,୪୦,୦୦୦ଟି କେସ୍‌ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁର ଆଚରଣ ହୋଇଥିବାର ପଞ୍ଜୀକୃତ ହୋଇଛି। ନ୍ୟାଶନାଲକ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ଦ୍ୱାରା ଭାରତର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟକୁ ନେଇ କରାଯାଇଥିବା ଏହି ରିପୋର୍ଟ ଅନୁସାରେ ଦିଲ୍ଲୀରେ ୧୪,୧୫୮ଟି କେସ୍‌ ପଞ୍ଜୀକୃତ ହୋଇଥିବାବେଳେ ମୁମ୍ବାଇରେ ୬,୧୭୬ଟି ଓ ବେଙ୍ଗାଲୁରୁରେ ୩,୯୨୪ଟି ମହିଳା ବିରୋଧୀ ହିଂସା ଘଟଣା ଘଟିଛି। ଏସବୁ ସଂଖ୍ୟା ହେଉଛି ପଞ୍ଜୀକୃତ ହୋଇଥିବା ହିଂସାଘଟଣା। ଅସଲରେ ପଞ୍ଜୀକୃତ ହୋଇପାରୁନଥିବା ଆହୁରି ଅନେକ ମହିଳାବିରୋଧୀ ହିଂସା ଲୋକଲୋଚନକୁ ଆସିପାରୁନାହଁି।
କୋଲକାତାର ଆର୍‌.ଜି.କର ଡାକ୍ତରଖାନାର ବଳାତ୍କାର ଓ ହତ୍ୟାଘଟଣା ମହିଳାଙ୍କ ସୁରକ୍ଷା ପରିସ୍ଥିତିକୁ ନେଇ ପୁନଶ୍ଚ ବିଶ୍ଳେଷଣ କରିବାକୁ ସମସ୍ତଙ୍କୁ ବାଧ୍ୟ କରିଛି। ଏଥିସହିତ ସମ୍ପ୍ରତି ଜାତିସଂଘର ରିପୋର୍ଟ ଯେତେବେଳେ ବଖାଣୁଛି ଯେ, ମହିଳାମାନଙ୍କ ଉପରେ ସବୁଠାରୁ ଅଧିକ ହିଂସା ପରିବାର ଓ ଘନିଷ୍ଠ ସହଯୋଗୀମାନଙ୍କ ଦ୍ୱାରା ହେଉଛି, ସେତେବେଳେ ଆମେ ଚିନ୍ତାକରିବା କଥା ଜନସଂଖ୍ୟାର ଅଧା ଭାଗ ମହିଳାମାନଙ୍କ ପାଇଁ ପ୍ରକୃତ ନିରାପଦ ସ୍ଥାନ କେଉଁଠି!
ଆଜିର ସମୟରେ ମହିଳାମାନେ ଯଦି ନିଜ ଘର ଭିତରେ ବା ପରିବାରରେ ନିରାପଦ ନୁହନ୍ତି, ତାହେଲେ ଆମେ ବାହାରେ ତାଙ୍କର ସୁରକ୍ଷାକୁ ନିଶ୍ଚିତ କରିପାରିବା କିପରି? ଯେତେଦିନ ଯାଏ ସମାଜରେ ପୁରୁଷତାନ୍ତ୍ରିକ ମାନସିକତା ତଥା ଲିଙ୍ଗଗତ ବିଭେଦତା ବଳବତ୍ତର ଥିବ, ସେତେବେଳ ଯାଏ ମହିଳାମାନଙ୍କ ଜୀବନ ଉପରେ ବିପଦ ସର୍ବଦା ରହିଥିବ। ଏଥିପାଇଁ କେବଳ ସରକାରଙ୍କ ତରଫରୁ ନୁହେଁ, ସମାଜ ସ୍ତରରେ ଆମକୁ ଲିଙ୍ଗଗତ ସମାନତାର ଅଭ୍ୟାସ କରିବାକୁ ହେବ। ଏହି ଅଭ୍ୟାସ ପ୍ରଥମେ ଆମ ପରିବାରରୁ ଆରମ୍ଭ କରିବାକୁହେବ। ପରିବାର ସ୍ତରରେ ଝିଅପୁଅଙ୍କର ଲାଳନପାଳନ କରିବା ସମୟରେ ଆମକୁ ଉଭୟଙ୍କୁ ସମାନ ଦୃଷ୍ଟି ଦେବା ସହିତ ପୁଅମାନଙ୍କୁ ମଧ୍ୟ ଲିଙ୍ଗଗତ ସମାନତାର ଶିକ୍ଷା ଓ ଅଭ୍ୟାସ କରାଇବାକୁ ହେବ, ଯାହାଫଳରେ ସେମାନେ ବଡ଼ହେଲେ ସେମାନଙ୍କ ଜୀବନରେ ଆସୁଥିବା ମହିଳାମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାର କରିବେ। ଲିଙ୍ଗଗତ ସମାନତାର ଶିକ୍ଷା ଆଜିର ସମୟରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକ ଦେବାର ଆବଶ୍ୟକତା ଅଛି। ଏହା ଏପରି ଏକ ସମସ୍ୟା ଯେ, ଏହାକୁ ରାତାରାତି ସମାଧାନ କରିହେବ ନାହଁି। ଏଥିପାଇଁ ସାମୂହିକ ଭାବେ ପଦକ୍ଷେପ ନେବା ସହିତ ଅଭ୍ୟାସ ଆରମ୍ଭ କରିବା ଦରକାର।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?