ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର ଭାବେ ପଡ଼ିଆକୁ ଓହ୍ଲାଇଥିବା ଆର୍ଯ୍ୟବୀର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ତେବେ ୪୭ ରନ୍ରେ ରନ ଆଉଟ ହୋଇ ତାଙ୍କ ଅର୍ଦ୍ଧଶତକ ସ୍ବପ୍ନ ଅଧୁରା ରହିଗଲା।
ଆର୍ଯ୍ୟବୀର ପ୍ରଥମ ଓଭରର ପଞ୍ଚମ ବଲ୍ରେ ଚୌକା ମାରି ନିଜ ଖାତା ଖୋଲିଥିଲେ। ଦ୍ରୁତ ବୋଲରଙ୍କ ବିପକ୍ଷରେ ତାଙ୍କ ଫୁଟୱର୍କ ବେଶ ଭଲ ଥିଲା। ବଡ଼ ଶଟ ଖେଳିବା ପରିବର୍ତ୍ତେ ଗ୍ୟାପ୍ରେ ସେ ଦ୍ରୁତ ରନ ସଂଗ୍ରହ କରିଥିଲେ। ଚୌକା ମାଧ୍ୟମରେ ରନ ସଂଗ୍ରହ କରିବା ସହ ଭଲ ଫୁଟୱର୍କ ଦେଖାଇ ଦଳକୁ ମଜଭୁତ ଆରମ୍ଭ ଦେଇଥିଲେ।
ଆର୍ଯ୍ୟବୀର ଏହି ପାଳିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ କରିଥିଲେ। ପ୍ରଥମେ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହ ୪୫ ବଲ୍ରେ ୪୬ ରନ ଯୋଡ଼ିଥିଲେ। ଏହାପରେ ଭିକେ ବିନୀତଙ୍କ ସହ ୬୮ ବଲ୍ରେ ୫୫ ରନ୍ର ଭାଗୀଦାରୀ କରି ଭାରତୀୟ ଦଳର ସ୍କୋରକୁ ୧୦୦ ରନ ପାର କରାଇଥିଲେ। ଦଳୀୟ ସ୍କୋର ୧୦୧ ରନ ଥିବା ବେଳେ ଆର୍ଯ୍ୟବୀର ଏବଂ ବିନୀତଙ୍କ ମଧ୍ୟରେ ରନ ନେବାକୁ ନେଇ ଭୁଲ ବୁଝାମଣା ହୋଇଥିଲା। ଏହାର ଫଳରେ ଆର୍ଯ୍ୟବୀରଙ୍କୁ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।
୪୭ ରନ୍ରେ ଆଉଟ ହେବା ପରେ ଆର୍ଯ୍ୟବୀର ବେଶ ନିରାଶ ନଜର ଆସିଥିଲେ। ଆଉ ମାତ୍ର ୩ ରନ କରିଥିଲେ ସେ ଅର୍ଦ୍ଧଶତକ ପୂରଣ କରିପାରିଥାନ୍ତେ। ରାଜକୋଟରେ ଖେଳାଯାଇଥିବା ସିରିଜ୍ରେ ପ୍ରଥମ ମ୍ୟାଚ୍ରେ ମଧ୍ୟ ଆର୍ଯ୍ୟବୀର ଭଲ ବ୍ୟାଟିଂ କରିଥିଲେ। ସେ ୨୬ ବଲ୍ରୁ ୨୮ ରନ କରିଥିଲେ।
ବର୍ଷା ଯୋଗୁ ସେହି ମ୍ୟାଚକୁ ୨୦ ଓଭରକୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଅଣ୍ଡର-୧୯ ୧୮୨ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ୧୭୫ ରନ୍ରେ ସୀମିତ ରହିଥିଲା। ଫଳରେ ଭାରତୀୟ ଦଳ ୭ ରନ୍ରେ ମ୍ୟାଚ ଜିତିଥିଲା।
Dharitri – Odisha’s No.1 Odia Daily

