ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଗସ୍ତକୁ ବିରାଟ ଆକାରରେ ଦେଖାଇଲା। ଟାରିଫ୍ ଓ ଅନ୍ୟାନ୍ୟ ଆର୍ଥିକ ଦିଗ ବିଷୟରେ ବ୍ରିକ୍ସରେ ଚର୍ଚ୍ଚା ହୋଇଥିଲା। ଆମେରିକାର ନାମ ନିଆଯାଇ ନ ଥିଲେ ମଧ୍ୟ ଯେଉଁ ପ୍ରକାରରେ ଟାରିଫ୍ ପ୍ରସଙ୍ଗ ଉତ୍ଥାପନ କରାଗଲା, ତାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତି ଇଙ୍ଗିତ ଥିବା ବୁଝାପଡ଼ୁଛି। ଟ୍ରମ୍ପ୍ଙ୍କ ଏକଜିଦିଆ ଆଭିମୁଖ୍ୟ ବିଷୟରେ ପୃଥିବୀସାରା ଲୋକ ଜାଣିଛନ୍ତି। ଚାଇନା ଓ ରୁଷିଆ ସହ ଭାରତ ଯେମିତି ଡେଇଁଲା ତାହା ଆମେରିକାର ତୀକ୍ଷ୍ଣ ନଜରରେ ରହିଥିବ। ଗତ କିଛିବର୍ଷ ଧରି ଭାରତର ଆଭିମୁଖ୍ୟ ଆମେରିକା ସମ୍ମୁଖରେ ମୁଣ୍ଡ ନୁଅଁାଇ ଆସିଲା ଭଳି ରହିଆସିଛି। ହଠାତ୍ ଏବେ ଶି ଓ ପୁଟିନଙ୍କ ଶକ୍ତିଶାଳୀ କାନ୍ଧରେ ବସି ଭାରତ ତା’ର ମୌଳିକ ଦୁର୍ବଳତା ଭୁଲିଗଲା ଭଳି ଯେଉଁ ବ୍ୟବହାର ଦେଖାଇଲା, ତାହାର ନକାରାତ୍ମକ ଦିଗ ଏବେ ସହିବାକୁ ପଡ଼ିବ।
୧୮ ସେପ୍ଟେମ୍ବରରେ ଟ୍ରମ୍ପ୍ ‘ଲିଣ୍ଡ୍ସେ ଓ. ଗ୍ରାହାମ୍ ସାଙ୍କଶନିଂ ରୁଷିଆ ଆଣ୍ଡ୍ ଇରାନ ଆକ୍ଟ ଅଫ୍ ୨୦୨୬’ରେ ସ୍ବାକ୍ଷର କରିଛନ୍ତି। ଫଳରେ ରୁଷିଆଠାରୁ କମ୍ ଦରରେ ତୈଳ କିଣୁଥିବା ଭାରତ ଓ ଚାଇନା ସମେତ ଅନ୍ୟ କେତେକ ଦେଶ ଉପରେ ଟ୍ରମ୍ପ୍ ୧୦୦ ପ୍ରତିଶତ ଯାଏ ଟାରିଫ୍ ବସାଇବାର ସ୍ବୀକୃତି ପାଇଗଲେ। ୩୦ ଦିନ ଭିତରେ ଏହା କାର୍ଯ୍ୟକାରୀ ହେବ ବୋଲି ଆଇନରେ ଦର୍ଶାଯାଇଛି। ସମସ୍ତେ ଜାଣନ୍ତି ଯେ, ପୂର୍ବରୁ ଭାରତ ବିରୋଧରେ ଆମେରିକା ଟାରିଫ୍ ବସାଇଥିଲା ଓ ପରବର୍ତ୍ତୀ ସମୟରେ କୋହଳ କରିଥିଲା। ଗତ ଫେବୃଆରୀରେ ଭାରତୀୟ ସାମଗ୍ରୀ ଉପରେ ଆମେରିକୀୟ ଶୁଳ୍କକୁ ୫୦%ରୁ ହ୍ରାସ କରାଯାଇ ୧୮% କରାଯାଇଥିଲା। ଏବେ ଟାରିଫ୍ ବ୍ୟବସ୍ଥାରେ ପୁଣି ଥରେ ପରିବର୍ତ୍ତନ ଆସିବା ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ। ଗତ ଜୁଲାଇରେ ଭାରତ ତା’ର ଅଶୋଧିତ ତୈଳ ଆମଦାନୀର ୫୧ ପ୍ରତିଶତ ରୁଷିଆଠାରୁ କିଣିଥିଲା। ଫଳରେ ଭାରତ ପାଇଁ ବିଦେଶୀ ମୁଦ୍ରା ସଞ୍ଚୟ ହୋଇଆସୁଥିଲା। ଏବର ଆମେରିକୀୟ ଆଇନ କାର୍ଯ୍ୟକାରୀ ହୋଇ ଭାରତୀୟ ରପ୍ତାନି ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ ହେଲେ ବୟନ ଶିଳ୍ପ, ଔଷଧ, ଅଳଙ୍କାର ଆଦି କ୍ଷେତ୍ର ଘୋର ପ୍ରଭାବିତ ହେବ। ଏଥିସହିତ ଆଲୋଚନା ହେଲାଣି ଯେ, ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଦୁଇ ମାସରୁ କମ୍ ସମୟ ଅଛି। ଟ୍ରମ୍ପ୍ ନିଜେ ଜାଣିଛନ୍ତି ଯେ, ରୁଷିଆ ତୈଳ ବିନା ବିଶ୍ୱ ଶକ୍ତି ମୂଲ୍ୟ ଅତ୍ୟଧିକ ବଢ଼ିଯିବ ଓ ତାଙ୍କ ଭୋଟରଙ୍କୁ ବ୍ୟାପକ କ୍ଷତି ପହଞ୍ଚାଇବ। ତଥାପି ଭାରତ ଓ ଚାଇନା ଉପରେ ଟାରିଫ୍ ଲାଗୁ କରି ଟ୍ରମ୍ପ୍ ନିଜ ଦେଶର ଶିଳ୍ପକୁ ସୁରକ୍ଷା ଦେବା ସହିତ ବିଶ୍ୱ ତୈଳ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଦେଶ ପାଇଁ ତାଙ୍କ ଉଦ୍ୟମ ସୁହାଇପାରେ। କିନ୍ତୁ ଭାରତ ଭଳି ଦୁର୍ବଳ ଅର୍ଥନୀତି ପାଇଁ ଏହି ପଦକ୍ଷେପ ବିପଦପୂର୍ଣ୍ଣ ହେବ।
ଭାରତ ଅଦ୍ୟାବଧି ଚାଇନା ଭଳି ତା’ର ବଜାରକୁ ବିଶ୍ୱବ୍ୟାପୀ କରିପାରି ନାହିଁ। ୨୦୨୬ରେ ହିସାବ କଲେ ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦.୮୫ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଥିବା ବେଳେ ଭାରତର ରହିଛି ମାତ୍ର ୪.୧୫ ଟ୍ରିଲିୟନ ଆମେରିକୀୟ ଡଲାର। ଅର୍ଥାତ୍ ଚାଇନା ଅର୍ଥନୀତି ଭାରତଠାରୁ ୫ ଗୁଣା ଅଧିକ। ତେଣୁ ଚାଇନା ଭଳି ଭାରତ ତାହାର ଶକ୍ତି ପ୍ରଦର୍ଶନ କରିବାର ପରିସ୍ଥିତି ସୃଷ୍ଟି କରିନାହିଁ। ଏଥିସହିତ ବିମୁଦ୍ରୀକରଣ ଭଳି ବହୁ ପଦକ୍ଷେପ, ଯାହାକୁ ଅନେକ ଲୋକ ଭୁଲାଇଦେବାକୁ ଚେଷ୍ଟା କରୁଛନ୍ତି; ସେହିସବୁ ଭାରତର ଉତ୍ପାଦନ କ୍ଷମତାର ମେରୁଦଣ୍ଡ ଭାଙ୍ଗିଦେଇଥିଲା।
ଅନ୍ତର୍ଜାତୀୟ ପରିସ୍ଥିତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥିତି ଥିବାଭଳି ମନେହେଉ ନାହିଁ। କୂଟନୀତିରେ ‘ଏ ଘର ମାଉସୀ, ସେ ଘର ପିଉସୀ’ ଆଜିର ଯୁଗରେ ଚଳୁ ନାହିଁ। ପୂର୍ବରୁ ଭାରତ ଗୋଷ୍ଠୀ ନିରପେକ୍ଷ ନୀତିରେ ନେତୃତ୍ୱ ନେଉଥିଲା। ବ୍ୟକ୍ତିଗତ ଇଚ୍ଛାରୁ ଓହରିଯାଇ ଆମେରିକାର ନିକଟତର ହେବାକୁ ଚେଷ୍ଟା କଲୁ। ଆମେରିକା ନିର୍ଦ୍ଦେଶରେ ରୁଷିଆଠାରୁ ତୈଳ କିଣିବା ବନ୍ଦ କରିଦେଲୁ। ଇରାନ ଯୁଦ୍ଧ ଯୋଗୁ ଶକ୍ତି ସମସ୍ୟା ସୃଷ୍ଟି ହେବାରୁ ପୁନର୍ବାର ରୁଷିଆର ଦ୍ୱାରସ୍ଥ ହେଲୁ। ଆଜି ଆମେରିକାଠାରୁ ଦୂରତା ରଖିବାକୁ ଇଚ୍ଛୁକ ବୋଲି ବ୍ରିକ୍ସ ସମ୍ମିଳନୀରେ ବାର୍ତ୍ତା ଦେବାକୁ ଚେଷ୍ଟା କଲୁ। ଅନ୍ୟପଟେ ରୁଷିଆ ଏବଂ ଚାଇନାର ଗଭୀର ଓ ନିବିଡ଼ ସମ୍ବନ୍ଧ ମଧ୍ୟରେ ଭାରତର ପ୍ରବେଶ ସ୍ବାଗତଯୋଗ୍ୟ ହେଲା ନାହିଁ। ପୂର୍ବ ରେକର୍ଡ ଦେଖି ଏହି ଦୁଇ ଦେଶ କେବଳ ବ୍ୟବସାୟ ପାଇଁ ଭାରତକୁ ଖୋଜି ପାରନ୍ତି, କିନ୍ତୁ ବିପଦବେଳେ ବ୍ରିକ୍ସର କୌଣସି ଦେଶ ଭାରତ ସପକ୍ଷରେ ସ୍ବର ଉତ୍ତୋଳନ କରିବ ନାହିଁ ବୋଲି ‘ଅପରେଶନ ସିନ୍ଦୂର’ବେଳେ ସ୍ପଷ୍ଟ ପ୍ରମାଣ ମିଳିଲା। ପଦେ କଥା କହି ସମର୍ଥନ କରିବାକୁ କେହି ଆସିଲେ ନାହିଁ। ଅନ୍ୟପଟେ ପାକିସ୍ତାନକୁ ଖୋଲାଖୋଲି ତୁର୍କୀର ସମର୍ଥନ ଏବଂ ସେହି ଘଟଣାର ତତ୍କ୍ଷଣାତ୍ ପରେ ସାଉଦି ଆରବ ଓ ପାକିସ୍ତାନର ସାମରିକ ଚୁକ୍ତି ସମ୍ବନ୍ଧୀୟ ଘୋଷଣା ପୃଥିବୀକୁ ଆଶ୍ଚର୍ଯ୍ୟ କରିଥିଲା। ପାକିସ୍ତାନର ବୈଦେଶିକ ନୀତିର ସଫଳତା ସେହି ଦେଶକୁ ସବୁଆଡ଼ୁ ସୁବିଧା ପାଇବାର ସୁଯୋଗ ସୃଷ୍ଟି କରୁଛି। ଆମେରିକା ଏବଂ ଚାଇନା ଉଭୟେ ପାକିସ୍ତାନକୁ ମିଲିଟାରୀ, ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ସାଉଦି ଆରବ ପ୍ରବଳ ଅର୍ଥ ସାହାଯ୍ୟ କରୁଥିବାବେଳେ ତୁର୍କୀର ଡ୍ରୋନ ପ୍ରଯୁକ୍ତି ଜ୍ଞାନକୌଶଳ ପାକିସ୍ତାନକୁ ମାଗଣାରେ ମିଳିଯାଉଛି।
ଭାରତ ଗଭୀର ଆତ୍ମସମୀକ୍ଷା କରିବା ଆବଶ୍ୟକ। ଆମ ଦେଶ ଏବେ ହେଣ୍ଡି ମାରିବା ପରିସ୍ଥିତିରେ ନାହିଁ। ବିଶ୍ୱର ଗୁରୁ ହେବା ପୂର୍ବରୁ ନମ୍ର ହେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଆଭ୍ୟନ୍ତରୀଣ ବ୍ୟବହାର କେବଳ ଭାରତର ସୀମା ଭିତରେ ରହିଯାଉ ନାହିଁ। ସୋସିଆଲ ମିଡିଆ ମାଧ୍ୟମରେ ପ୍ରତ୍ୟେକଟି କଥା ବିଶ୍ୱ ସାରା ତତ୍କ୍ଷଣାତ୍ ବ୍ୟାପିଯାଉଛି। ସେଥିପାଇଁ ନିର୍ବାଚନୀ ସଭାଠାରୁ ଆରମ୍ଭ କରି ପାର୍ଲାମେଣ୍ଟରେ ଭାଷଣ ଦେଲାବେଳକୁ ଭାରତର ନେତୃବୃନ୍ଦ ଅତ୍ୟନ୍ତ ସଜାଗ ରହିବା ଦରକାର। ନଚେତ୍ କ୍ଷଣସ୍ଥାୟୀ ରାଜନେତା ଏହି ମାଟିର ଦୀର୍ଘସ୍ଥାୟୀ କ୍ଷତି କରିଚାଲିଯିବେ।

