ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଛାତ୍ରୀଛାତ୍ରମାନେ ସୋମବାରେ ବିଦ୍ୟାଳୟ ହଷ୍ଟେଲରୁ ବାହାରି ରାସ୍ତାରେ ଚାଲିଚାଲି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ବାହାରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲା ବିସିପୁର ଆଶ୍ରମ ବିଦ୍ୟାଳୟରୁ।
ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୧୦୦ ଛାତ୍ର ଏବଂ ୧୫୦ ଛାତ୍ରୀ ରହିଛନ୍ତି। ହେଲେ ଅନ୍ତେବାସୀ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ପାନୀୟ ଜଳ ଏବଂ ବିଦ୍ୟୁତ୍ ସେବା ପାଇପାରୁ ନାହାନ୍ତି। ଏପରିକି ହଷ୍ଟେଲରେ ପୋକରା ଚାଉଳ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ଛାତ୍ରୀଛାତ୍ରମାନେ ହଷ୍ଟେଲର ଅବ୍ୟବସ୍ଥାକୁ ନେଇ ବାରମ୍ବାର ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମ୍ୟାଟ୍ରୋନ୍ଙ୍କୁ ଅବଗତ କରାଇଛନ୍ତି। ଏପରିକି ମ୍ୟାଟ୍ରୋନ୍ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ସୁଦ୍ଧା ପ୍ରଧାନ ଶିକ୍ଷକ ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ବରଂ ଅନେକ ସମୟରେ ଅନ୍ତେବାସୀମାନଙ୍କୁ ଗାଳିଗୁଲଜ କରାଯାଉଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।
ବାରମ୍ବାର ସମସ୍ୟା ବାବଦରେ ଜଣାଇ କୌଣସି ସମାଧାନ ନ ହେବାରୁ ଶେଷରେ ବାଧ୍ୟହୋଇ ଅନ୍ତେବାସୀମାନେ ହଷ୍ଟେଲରୁ ବାହାରି ଚାଲିଚାଲି ଜିଲାପାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ବାହାରି ଥିଲେ।
ଉଦଳା-ବାରିପଦା ରାଜ୍ୟ ରାଜପଥରେ ଅନ୍ତେବାସୀମାନେ ଚାଲି ଚାଲି ଯାଉଥିବା ବେଳେ ରାସ୍ତାରେ ପୋଲିସ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନାହିଁ। ଅନ୍ତେବାସୀମାନେ ୮ କି.ମି ଦୂର ଚାଲିଥିବା ବେଳେ ଅଧିକାରୀଙ୍କୁ ଭେଟିବାକୁ ଜିଦ୍ ଧରି ବସିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Dharitri – Odisha’s No.1 Odia Daily

