ନୂଆଦିଲ୍ଲୀ,୨୧।୧୦: ଭାରତୀୟ ମହିଳା କ୍ରିକେଟ ଦଳର ବିସ୍ଫୋରକ ଓପନର ଶେଫାଳୀ ବର୍ମାଙ୍କ ବ୍ୟାଟ ଏବେ ଜୋରଦାର ଚାଲିଛି। ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ଶେଫାଳୀ। ମହିଳା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ସେ ଏବେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଏହି ରେକର୍ଡ ସହ ସେ ନିଜ ସାଥୀ ଖେଳାଳି ସ୍ମୃତି ମନ୍ଧାନାଙ୍କୁ ପଛରେ ପକାଇଛନ୍ତି।
ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଶେଫାଳୀ ମାତ୍ର ୨୬ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସିରିଜ୍ରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ୨୦୨୬ରେ ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ଏଯାଏଁ ୯ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ଏହି ଉପଲବ୍ଧି ସହ ଶେଫାଳୀ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ମହିଳା ଟି-୨୦ ବ୍ୟାଟରଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା କ୍ଷେତ୍ରରେ ଶେଫାଳୀ ନୂଆ ରେକର୍ଡ କରିଛନ୍ତି। ସ୍ମୃତି ମନ୍ଧାନା ୨୦୨୪ରେ ୨୩ଟି ମ୍ୟାଚ ଖେଳି ୮ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ୨୦୧୮ରେ ୨୨ଟି ମ୍ୟାଚ୍ରୁ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ।
କିନ୍ତୁ ଶେଫାଳୀ ଚଳିତ ବର୍ଷ ମାତ୍ର ୨୭ଟି ମ୍ୟାଚ୍ରେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ସହ ଏହି ଦୁଇ ଭାରତୀୟ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ୨୦୨୬ରେ ତାଙ୍କ ବ୍ୟାଟ୍ରୁ ଏଯାଏଁ ୯୭୨ ରନ ବାହାରିଛି।
କେବଳ ଅର୍ଦ୍ଧଶତକ ନୁହେଁ, ଛକା ମାରିବା କ୍ଷେତ୍ରରେ ମଧ୍ୟ ଶେଫାଳୀ ନୂଆ ଇତିହାସ ରଚିଛନ୍ତି। ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ନିଜ ଅର୍ଦ୍ଧଶତକୀୟ ପାଳି ସମୟରେ ସେ ୫ଟି ଛକା ମାରିଥିଲେ। ଏହା ସହ ୨୦୨୬ରେ ମହିଳା ଟି-୨୦ କ୍ରିକେଟ୍ରେ ତାଙ୍କ ଛକା ସଂଖ୍ୟା ୫୨ରେ ପହଞ୍ଚିଛି। ଏହି ରେକର୍ଡ ସହ ସେ ହରମନପ୍ରୀତ କୌରଙ୍କୁ ପଛରେ ପକାଇଛନ୍ତି। ହରମନପ୍ରୀତ ୨୦୧୮ରେ ମହିଳା ଟି-୨୦ କ୍ରିକେଟ୍ରେ ୫୧ଟି ଛକା ମାରିଥିଲେ।
Dharitri – Odisha’s No.1 Odia Daily

