ନୂଆଦିଲ୍ଲୀ,୧୯।୧୦:ଭାରତୀୟ ଘରୋଇ କ୍ରିକେଟ୍ରେ ଏକ ବିରଳ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି ଚିନ୍ମୟ ସୁତାର। ରଣଜୀ ଟ୍ରଫିରେ ନାଗାଲାଣ୍ଡ ବିପକ୍ଷରେ ଖେଳି ମିଜୋରାମର ଏହି ବ୍ୟାଟର୍ ଅପରାଜିତ ୪୦୦ ରନ କରିଛନ୍ତି। ତାଙ୍କର ଏହି ଐତିହାସିକ ଇନିଂସ ବଳରେ ମିଜୋରାମ ୯ ଉଇକେଟ ହରାଇ ୫୮୧ ରନ କରିବା ପରେ ଇନିଂସ ଘୋଷଣା କରିଥିଲା।
ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଚିନ୍ମୟ ଆରମ୍ଭରୁ ଦମ୍ଦାର ବ୍ୟାଟିଂ କରିଥିଲେ। ତାଙ୍କ ଇନିଂସରେ ୪୬ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ଅନ୍ୟପକ୍ଷରେ ଦଳର ଦ୍ୱିତୀୟ ସର୍ବାଧିକ ସ୍କୋରର ଜୁହୁ ଆଣ୍ଡରସନ ୧୫୧ଟି ବଲ୍ରୁ ୯ଟି ଚୌକା ସହ ୬୯ ରନ କରିଥିଲେ। ଚିନ୍ମୟ ଅପରାଜିତ ୪୦୦ ରନ୍ରେ ପହଞ୍ଚିବା ପରେ ଦଳ ଇନିଂସ ଘୋଷଣା କରିଥିଲା।
ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୦୦ କିମ୍ବା ତା’ଠାରୁ ଅଧିକ ରନ କରିବା ଏକ ବିରଳ ସଫଳତା। ଏହା ପୂର୍ବରୁ ୧୯୪୮ ମସିହାରେ ମହାରାଷ୍ଟ୍ର ପକ୍ଷରୁ ଖେଳି ବିବି ନିମ୍ବାଲକର ଅପରାଜିତ ୪୪୩ ରନ କରିଥିଲେ। ଚିନ୍ମୟଙ୍କ ଏହି ଇନିଂସ ଦୀର୍ଘ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ୪୦୦ ରନ୍ର ମାଇଲଖୁଣ୍ଟକୁ ପୁଣି ଚର୍ଚ୍ଚାରେ ଆଣିଛି।
ଚିନ୍ମୟଙ୍କ ପାଇଁ ଏହା ପ୍ରଥମ ଶ୍ରେଣୀ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ। ଏହା ପୂର୍ବରୁ ମଣିପୁର ବିପକ୍ଷରେ ସେ ପ୍ରଥମ ଇନିଂସରେ ୩୫ ରନ ଓ ଦ୍ୱିତୀୟ ଇନିଂସରେ ୯୯ ରନ କରିଥିଲେ। ମାତ୍ର ଗୋଟିଏ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବା ଏହି ବ୍ୟାଟର୍ ପରବର୍ତ୍ତୀ ମ୍ୟାଚ୍ରେ ହିଁ ୪୦୦ ରନ୍ର ବିଶାଳ ଇନିଂସ ଖେଳିଛନ୍ତି।
ଲିଷ୍ଟ-ଏ କ୍ରିକେଟ୍ରେ ମଧ୍ୟ ଚିନ୍ମୟଙ୍କ ନାମରେ ଶତକ ରହିଛି। ସେ ୫ଟି ମ୍ୟାଚ୍ରେ ୪ଟି ଇନିଂସରେ ମୋଟ ୧୩୪ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୧୦୪ ରନ। ୧୯୯୭ ମସିହାରେ ଜନ୍ମିତ ଚିନ୍ମୟଙ୍କ ଏହି ପ୍ରଦର୍ଶନ ତାଙ୍କ ଆଗାମୀ କ୍ରିକେଟ ଯାତ୍ରା ପ୍ରତି ନୂଆ ଆଶା ସୃଷ୍ଟି କରିଛି।
Dharitri – Odisha’s No.1 Odia Daily

