ଚାଲ୍‌ କ’ଣ

ଗତ ସପ୍ତାହରେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଛି। ତାଙ୍କ ନିକଟରୁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଓ ଗାଡ଼ିମୋଟର ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମହାପାତ୍ର ୨୮ ଫେବୃୟାରୀ ୨୦୨୨ରେ ଅବସର ଗ୍ରହଣ କରିଥାଆନ୍ତେ। ଅର୍ଥାତ୍‌ ତାଙ୍କର ଦୁର୍ନୀତି ଧରାପଡ଼ିବା ଦିନଠାରୁ ଅବସର ଦିନ ଯାଏ ମାତ୍ର ୧୮ ଦିନ ଥିଲା। ଅନୁରୂପ ଭାବେ ୧୫ ଫେବୃୟାରୀରେ କଟକରେ ପୋଲିସ କମ୍ୟୁନିକେଶନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇ ଅନେକ କୋଟି ଟଙ୍କା, ବିଳାସପୂର୍ଣ୍ଣ ଚାରିଚକିଆ ଓ ଦୁଇ ଚକିଆ ଯାନ ଜବତ କରାଯାଇଛି। ଆସନ୍ତା ୬୦ ଦିନ ମଧ୍ୟରେ ମିଶ୍ର ଅବସର ନେଇଥାଆନ୍ତେ। ସପ୍ତାହକ ମଧ୍ୟରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଧରାଯିବା ଓ ସେମାନଙ୍କ ଅମାପ ସମ୍ପତ୍ତି ବିଷୟରେ ଗଣମାଧ୍ୟମରେ ପ୍ରଚାରିତ କରାଇ ଭିଜିଲାନ୍ସ ବିଭାଗ ବାହାବା ନେବାକୁ ଚେଷ୍ଟା କରିଛି। ପୂର୍ବରୁ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଅବସର ନେବାକୁ ଅଳ୍ପଦିନ ଥିବ ଯେତେବେଳେ ଭିଜିଲାନ୍ସ ଚଢ଼ାଉ କରାଯାଇଥାଏ, ସେତେବେଳେ ଉକ୍ତ ବିଭାଗ ତାଙ୍କ ଅଭିଯୋଗଗୁଡ଼ିକୁ ପ୍ରମାଣ କଲା ଭଳି ତଥ୍ୟ ଯୋଗାଡ଼ କରିବାରେ ମଧ୍ୟ ଅସମର୍ଥ ହୋଇଥାଏ। ଇତିମଧ୍ୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହିତ ଅନେକ ଖେଳ ଖେଳିବାରେ ଭିଜିଲାନ୍ସ ଅଫିସରମାନେ ଚତୁରତା ଦେଖାଇଥାଆନ୍ତି।
ଉପରଲିଖିତ ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଦ୍ୱୟଙ୍କ ବିଷୟକୁ ଯଦି ଦେଖିବା ସେମାନେ ଚାକିରିର ଶେଷ ସମୟରେ ଦୁର୍ନୀତି ଅଭିଯୋଗରେ ଧରାପଡ଼ିଛନ୍ତି। ୩୦-୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଦୁର୍ନୀତି କରି ବେଆଇନ ଭାବେ ଠୁଳ କରିଥିବା ଅର୍ଥରେ ମଉଜମଜ୍‌ଲିସ କରିସାରିବା ପରେ ଭିଜିଲାନ୍ସ ସେମାନଙ୍କ ତଥାକଥିତ ଆୟବହିର୍ଭୂତ ସମ୍ପତ୍ତିକୁ ଜବତ କରିଛି। ଯେଉଁ ଆକାରର ଧନ ଓ ସମ୍ପତ୍ତି ସେମାନଙ୍କଠାରୁ ଓ ସମ୍ପର୍କୀୟଙ୍କ ଘରୁ ବାହାର କରାଯାଉଛି, ସେଗୁଡ଼ିକ ରାତାରାତି ଠୁଳ ହୋଇନାହିଁ। ଚାକିରିର ଦୀର୍ଘବର୍ଷ ପରେ ଦୁର୍ନୀତି କରି ଏହି ଅଧିକାରୀମାନେ ଅର୍ଥ ଠୁଳ କରିଥାଆନ୍ତି। ଭିଜିଲାନ୍ସ ସମ୍ପୃକ୍ତ ଅଧିକାରୀଙ୍କ ଚାକିରିକାଳ ମଧ୍ୟରେ ହୋଇଥିବା ଦୁର୍ନୀତିକୁ ଧରିବାରେ ସକ୍ଷମ ନ ହୋଇ ଶେଷ ସମୟରେ ସେମାନଙ୍କ ସମ୍ପତ୍ତି ଜବତ କରିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏତେକାଳ ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କାହିଁକି ଠାବ କରୁ ନ ଥିତ୍ଲା ବୁଝି ହେଉନାହିଁ। କୌତୂହଳର କଥା ହେଲା ଯେ, ଏବେ ମଧ୍ୟ ସବୁ ସ୍ଥାନରେ ଜନସାଧାରଣ ଦୁର୍ନୀତିଗ୍ରସ୍ତ କନିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେଇଥାଆନ୍ତି। ଭିଜିଲାନ୍ସ ସେହି କୁନିଗଛଟିକୁ ଏକ ମହାଦ୍ରୁମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପଛରେ କାରଣ ବୁଝିବା କଷ୍ଟକର ନୁହେଁ। ଉଦାହରଣସ୍ବରୂପ ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ, ଦୁର୍ନୀତିଗ୍ରସ୍ତଙ୍କଠାରୁ ଜବତ ହେଉଥିବା ସମୁଦାୟ ଅର୍ଥ ଓ ସୁନାରୁପା ଆଦି ଅଳଙ୍କାରରୁ କିଛି ସାଧାରଣରେ ଦର୍ଶାଯାଇଥାଏ। ଅନ୍ୟପଟେ ଏହା କୁହାଯାଏ ଯେ, ଚଢ଼ାଉ କରୁଥିବା ଅଫିସର ଯେଉଁ ସୁନାଗହଣା ଓ ଟଙ୍କା ଜବତ କରନ୍ତି ସେଥିରୁ ଏକ ବଡ଼ ଅଂଶ ନିଜେ ମାରିନିଅନ୍ତି। ଚଢ଼ାଉ ହେଉଥିବା ବ୍ୟକ୍ତି ଏଥିରେ ଦୁଃଖିତ ହେବା ପରିବର୍ତ୍ତେ ନୀରବ ରହିଯାଆନ୍ତି , କାରଣ ତାଲିକାଭୁକ୍ତ କରାଯାଇ ନ ଥିବା ଏହି ସମ୍ପତ୍ତିର କିଛି ଅଂଶ ଆୟବହିର୍ଭୂତ ବୋଲି ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରମାଣ କରିବାକୁ ପଡ଼ିବ ନାହିଁ। ତେବେ ଏହାଠାରୁ ଅଧିକ କୌତୂହଳ ପ୍ରଶ୍ନ ହୋଇପାରେ ଯେ, ଆଜିର ନିର୍ବାଚନ ବାତାବରଣରେ ଏହିସବୁ ଛୋଟ ଓ ମଧ୍ୟମଧରଣ ବାବୁଙ୍କ ଉପରେ ଚଢ଼ାଉ ଓ ନିଲମ୍ବନ କେଉଁ ଚାଲ୍‌ର ବାର୍ତ୍ତା ଦେଉଛି। ରାଜ୍ୟରେ ସାଧାରଣ ଲୋକ ଆଲୋଚନା କରୁଛନ୍ତି ଯେ, ଓଡ଼ିଶାକୁ ଅମଲାତନ୍ତ୍ର ପରିଚାଳନା କରୁଛନ୍ତି। ଜାଡ଼ ଯାଉଛି, ଖରା ଆସୁଛି। ମନରେ ବିଶ୍ୱାସ ସୃଷ୍ଟି କରାଇବାକୁ ହେବ ଯେ, ସରକାର କୌଣସି ଦୁର୍ନୀତିଗ୍ରସ୍ତଙ୍କ ଦ୍ୱାରା ପ୍ରଭାବିତ ନୁହେଁ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ଚାହୁଁନାହାନ୍ତି। ସେଥିପାଇଁ ବିଛା ଯାଇଥିବା ଜାଲରେ ବିରାଟକାୟ ଶାର୍କ ଖସିଯାଉଥିବାବେଳେ ଚୂନା ମାଛ ଛନ୍ଦି ହୋଇପଡୁଛନ୍ତି। ଏହିସବୁ ଭିଜିଲାନ୍ସ ଚଢ଼ାଉର ଶିକାର ହେଉଥିବା ଅଫିସର କୌଣସି ଭାବେ ବ୍ୟବସ୍ଥା ପାଇଁ ଗୁରୁତ୍ୱ ଧାରଣ କରନ୍ତି ନାହିଁ ବୋଲି ସହଜରେ ବୁଝି ହେଉଛି। ଏଥିରୁ ବୁଝିବାକୁ ହେବ ଯେ, ନିର୍ବାଚନ ଆସିଲେ ସବୁ ପ୍ରକାର ଛଇ ବାହାରେ।
ଓଡ଼ିଶା ଛାଡ଼ି ଦିଲ୍ଲୀ ଘଟଣାକୁ ଦେଖାଯାଉ। ଉତ୍ତରପ୍ରଦେଶ କ୍ୟାଡରର ଦୁଇ ଜଣ ଆଇଏଏସ୍‌ ଅଧିକାରୀ ସଞ୍ଜୟ ଅଗ୍ରଓ୍ବାଲ (୧୯୮୪ ବ୍ୟାଚ୍‌) ଏବଂ ଆଲୋକ କୁମାର (୧୯୮୮ ବ୍ୟାଚ୍‌) ଯଥାକ୍ରମେ କୃଷି ସଚିବ ଓ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସେମାନଙ୍କ ବିରୋଧରେ ୨,୨୬୮ କୋଟି ଟଙ୍କା ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଦୁର୍ନୀତିରେ ସମ୍ପୃକ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ମାଗିଥିଲେ। ଏହି ଦୁଇ ଶାର୍କ ମାଛଙ୍କୁ ବଞ୍ଚାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କ କ୍ୟାଡର ରାଜ୍ୟକୁ ଫେରିଯିବା ପାଇଁ ବନ୍ଦୋବସ୍ତ କରିଛନ୍ତି। କୁହାଯାଉଛି ଏହି ଦୁଇ ବାବୁଙ୍କୁ ୩୧ ମାର୍ଚ୍ଚରେ ସେମାନଙ୍କ କ୍ୟାଡର ରାଜ୍ୟକୁ ଫେରସ୍ତ ପଠାଯିବ। ଅନୁରୂପ ଭାବେ ଭାଇବ୍ରାଣ୍ଟ୍‌ ଗୁଜରାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ସର୍ବବୃହତ୍‌ ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ ହଠାତ୍‌ ୫ ରାଜ୍ୟର ନିର୍ବାଚନ ପୂର୍ବରୁ ଧରାପଡ଼ୁଛି। ବଡ଼ ଶାର୍କ ବାବୁ ଧରାପଡ଼ିଥିଲେ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଥାଆନ୍ତା। ହେଲେ ସେମାନଙ୍କୁ ଖସେଇ ଦିଆଯାଉଛି। ଏବିଜି ଶିପ୍‌ୟାର୍ଡ ଠକେଇ ଧରାପଡ଼ିଥିବାରୁ କେନ୍ଦ୍ର ସରକାର ସୁନାମ ପାଇବେ ବୋଲି ଆଶା ବାନ୍ଧି ବସିଛନ୍ତି।
ଏସବୁ ହେଉଛି ନିର୍ବାଚନର ମାୟା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri