ଚାଲ୍‌ କ’ଣ

ଗତ ସପ୍ତାହରେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଛି। ତାଙ୍କ ନିକଟରୁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଓ ଗାଡ଼ିମୋଟର ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମହାପାତ୍ର ୨୮ ଫେବୃୟାରୀ ୨୦୨୨ରେ ଅବସର ଗ୍ରହଣ କରିଥାଆନ୍ତେ। ଅର୍ଥାତ୍‌ ତାଙ୍କର ଦୁର୍ନୀତି ଧରାପଡ଼ିବା ଦିନଠାରୁ ଅବସର ଦିନ ଯାଏ ମାତ୍ର ୧୮ ଦିନ ଥିଲା। ଅନୁରୂପ ଭାବେ ୧୫ ଫେବୃୟାରୀରେ କଟକରେ ପୋଲିସ କମ୍ୟୁନିକେଶନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇ ଅନେକ କୋଟି ଟଙ୍କା, ବିଳାସପୂର୍ଣ୍ଣ ଚାରିଚକିଆ ଓ ଦୁଇ ଚକିଆ ଯାନ ଜବତ କରାଯାଇଛି। ଆସନ୍ତା ୬୦ ଦିନ ମଧ୍ୟରେ ମିଶ୍ର ଅବସର ନେଇଥାଆନ୍ତେ। ସପ୍ତାହକ ମଧ୍ୟରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଧରାଯିବା ଓ ସେମାନଙ୍କ ଅମାପ ସମ୍ପତ୍ତି ବିଷୟରେ ଗଣମାଧ୍ୟମରେ ପ୍ରଚାରିତ କରାଇ ଭିଜିଲାନ୍ସ ବିଭାଗ ବାହାବା ନେବାକୁ ଚେଷ୍ଟା କରିଛି। ପୂର୍ବରୁ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଅବସର ନେବାକୁ ଅଳ୍ପଦିନ ଥିବ ଯେତେବେଳେ ଭିଜିଲାନ୍ସ ଚଢ଼ାଉ କରାଯାଇଥାଏ, ସେତେବେଳେ ଉକ୍ତ ବିଭାଗ ତାଙ୍କ ଅଭିଯୋଗଗୁଡ଼ିକୁ ପ୍ରମାଣ କଲା ଭଳି ତଥ୍ୟ ଯୋଗାଡ଼ କରିବାରେ ମଧ୍ୟ ଅସମର୍ଥ ହୋଇଥାଏ। ଇତିମଧ୍ୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହିତ ଅନେକ ଖେଳ ଖେଳିବାରେ ଭିଜିଲାନ୍ସ ଅଫିସରମାନେ ଚତୁରତା ଦେଖାଇଥାଆନ୍ତି।
ଉପରଲିଖିତ ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଦ୍ୱୟଙ୍କ ବିଷୟକୁ ଯଦି ଦେଖିବା ସେମାନେ ଚାକିରିର ଶେଷ ସମୟରେ ଦୁର୍ନୀତି ଅଭିଯୋଗରେ ଧରାପଡ଼ିଛନ୍ତି। ୩୦-୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଦୁର୍ନୀତି କରି ବେଆଇନ ଭାବେ ଠୁଳ କରିଥିବା ଅର୍ଥରେ ମଉଜମଜ୍‌ଲିସ କରିସାରିବା ପରେ ଭିଜିଲାନ୍ସ ସେମାନଙ୍କ ତଥାକଥିତ ଆୟବହିର୍ଭୂତ ସମ୍ପତ୍ତିକୁ ଜବତ କରିଛି। ଯେଉଁ ଆକାରର ଧନ ଓ ସମ୍ପତ୍ତି ସେମାନଙ୍କଠାରୁ ଓ ସମ୍ପର୍କୀୟଙ୍କ ଘରୁ ବାହାର କରାଯାଉଛି, ସେଗୁଡ଼ିକ ରାତାରାତି ଠୁଳ ହୋଇନାହିଁ। ଚାକିରିର ଦୀର୍ଘବର୍ଷ ପରେ ଦୁର୍ନୀତି କରି ଏହି ଅଧିକାରୀମାନେ ଅର୍ଥ ଠୁଳ କରିଥାଆନ୍ତି। ଭିଜିଲାନ୍ସ ସମ୍ପୃକ୍ତ ଅଧିକାରୀଙ୍କ ଚାକିରିକାଳ ମଧ୍ୟରେ ହୋଇଥିବା ଦୁର୍ନୀତିକୁ ଧରିବାରେ ସକ୍ଷମ ନ ହୋଇ ଶେଷ ସମୟରେ ସେମାନଙ୍କ ସମ୍ପତ୍ତି ଜବତ କରିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏତେକାଳ ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କାହିଁକି ଠାବ କରୁ ନ ଥିତ୍ଲା ବୁଝି ହେଉନାହିଁ। କୌତୂହଳର କଥା ହେଲା ଯେ, ଏବେ ମଧ୍ୟ ସବୁ ସ୍ଥାନରେ ଜନସାଧାରଣ ଦୁର୍ନୀତିଗ୍ରସ୍ତ କନିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେଇଥାଆନ୍ତି। ଭିଜିଲାନ୍ସ ସେହି କୁନିଗଛଟିକୁ ଏକ ମହାଦ୍ରୁମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପଛରେ କାରଣ ବୁଝିବା କଷ୍ଟକର ନୁହେଁ। ଉଦାହରଣସ୍ବରୂପ ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ, ଦୁର୍ନୀତିଗ୍ରସ୍ତଙ୍କଠାରୁ ଜବତ ହେଉଥିବା ସମୁଦାୟ ଅର୍ଥ ଓ ସୁନାରୁପା ଆଦି ଅଳଙ୍କାରରୁ କିଛି ସାଧାରଣରେ ଦର୍ଶାଯାଇଥାଏ। ଅନ୍ୟପଟେ ଏହା କୁହାଯାଏ ଯେ, ଚଢ଼ାଉ କରୁଥିବା ଅଫିସର ଯେଉଁ ସୁନାଗହଣା ଓ ଟଙ୍କା ଜବତ କରନ୍ତି ସେଥିରୁ ଏକ ବଡ଼ ଅଂଶ ନିଜେ ମାରିନିଅନ୍ତି। ଚଢ଼ାଉ ହେଉଥିବା ବ୍ୟକ୍ତି ଏଥିରେ ଦୁଃଖିତ ହେବା ପରିବର୍ତ୍ତେ ନୀରବ ରହିଯାଆନ୍ତି , କାରଣ ତାଲିକାଭୁକ୍ତ କରାଯାଇ ନ ଥିବା ଏହି ସମ୍ପତ୍ତିର କିଛି ଅଂଶ ଆୟବହିର୍ଭୂତ ବୋଲି ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରମାଣ କରିବାକୁ ପଡ଼ିବ ନାହିଁ। ତେବେ ଏହାଠାରୁ ଅଧିକ କୌତୂହଳ ପ୍ରଶ୍ନ ହୋଇପାରେ ଯେ, ଆଜିର ନିର୍ବାଚନ ବାତାବରଣରେ ଏହିସବୁ ଛୋଟ ଓ ମଧ୍ୟମଧରଣ ବାବୁଙ୍କ ଉପରେ ଚଢ଼ାଉ ଓ ନିଲମ୍ବନ କେଉଁ ଚାଲ୍‌ର ବାର୍ତ୍ତା ଦେଉଛି। ରାଜ୍ୟରେ ସାଧାରଣ ଲୋକ ଆଲୋଚନା କରୁଛନ୍ତି ଯେ, ଓଡ଼ିଶାକୁ ଅମଲାତନ୍ତ୍ର ପରିଚାଳନା କରୁଛନ୍ତି। ଜାଡ଼ ଯାଉଛି, ଖରା ଆସୁଛି। ମନରେ ବିଶ୍ୱାସ ସୃଷ୍ଟି କରାଇବାକୁ ହେବ ଯେ, ସରକାର କୌଣସି ଦୁର୍ନୀତିଗ୍ରସ୍ତଙ୍କ ଦ୍ୱାରା ପ୍ରଭାବିତ ନୁହେଁ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ଚାହୁଁନାହାନ୍ତି। ସେଥିପାଇଁ ବିଛା ଯାଇଥିବା ଜାଲରେ ବିରାଟକାୟ ଶାର୍କ ଖସିଯାଉଥିବାବେଳେ ଚୂନା ମାଛ ଛନ୍ଦି ହୋଇପଡୁଛନ୍ତି। ଏହିସବୁ ଭିଜିଲାନ୍ସ ଚଢ଼ାଉର ଶିକାର ହେଉଥିବା ଅଫିସର କୌଣସି ଭାବେ ବ୍ୟବସ୍ଥା ପାଇଁ ଗୁରୁତ୍ୱ ଧାରଣ କରନ୍ତି ନାହିଁ ବୋଲି ସହଜରେ ବୁଝି ହେଉଛି। ଏଥିରୁ ବୁଝିବାକୁ ହେବ ଯେ, ନିର୍ବାଚନ ଆସିଲେ ସବୁ ପ୍ରକାର ଛଇ ବାହାରେ।
ଓଡ଼ିଶା ଛାଡ଼ି ଦିଲ୍ଲୀ ଘଟଣାକୁ ଦେଖାଯାଉ। ଉତ୍ତରପ୍ରଦେଶ କ୍ୟାଡରର ଦୁଇ ଜଣ ଆଇଏଏସ୍‌ ଅଧିକାରୀ ସଞ୍ଜୟ ଅଗ୍ରଓ୍ବାଲ (୧୯୮୪ ବ୍ୟାଚ୍‌) ଏବଂ ଆଲୋକ କୁମାର (୧୯୮୮ ବ୍ୟାଚ୍‌) ଯଥାକ୍ରମେ କୃଷି ସଚିବ ଓ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସେମାନଙ୍କ ବିରୋଧରେ ୨,୨୬୮ କୋଟି ଟଙ୍କା ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଦୁର୍ନୀତିରେ ସମ୍ପୃକ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ମାଗିଥିଲେ। ଏହି ଦୁଇ ଶାର୍କ ମାଛଙ୍କୁ ବଞ୍ଚାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କ କ୍ୟାଡର ରାଜ୍ୟକୁ ଫେରିଯିବା ପାଇଁ ବନ୍ଦୋବସ୍ତ କରିଛନ୍ତି। କୁହାଯାଉଛି ଏହି ଦୁଇ ବାବୁଙ୍କୁ ୩୧ ମାର୍ଚ୍ଚରେ ସେମାନଙ୍କ କ୍ୟାଡର ରାଜ୍ୟକୁ ଫେରସ୍ତ ପଠାଯିବ। ଅନୁରୂପ ଭାବେ ଭାଇବ୍ରାଣ୍ଟ୍‌ ଗୁଜରାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ସର୍ବବୃହତ୍‌ ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ ହଠାତ୍‌ ୫ ରାଜ୍ୟର ନିର୍ବାଚନ ପୂର୍ବରୁ ଧରାପଡ଼ୁଛି। ବଡ଼ ଶାର୍କ ବାବୁ ଧରାପଡ଼ିଥିଲେ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଥାଆନ୍ତା। ହେଲେ ସେମାନଙ୍କୁ ଖସେଇ ଦିଆଯାଉଛି। ଏବିଜି ଶିପ୍‌ୟାର୍ଡ ଠକେଇ ଧରାପଡ଼ିଥିବାରୁ କେନ୍ଦ୍ର ସରକାର ସୁନାମ ପାଇବେ ବୋଲି ଆଶା ବାନ୍ଧି ବସିଛନ୍ତି।
ଏସବୁ ହେଉଛି ନିର୍ବାଚନର ମାୟା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?