ଆମର କ’ଣ ଯାଉଥିଲା

ତଥାଗତ ସତପଥୀ

ଆମେରିକାର ୪୬ତମ ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍‌। ସେହି ଦେଶର ବ୍ୟବସ୍ଥା ଅନୁଯାୟୀ ପ୍ରତି ୪ ବର୍ଷରେ ନିର୍ବାଚନ ହୋଇଥାଏ। ସେଥିରେ ବିଜୟଲାଭ କରିଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଘୋଷଣାର ଦୁଇ ମାସ ପରେ ଅର୍ଥାତ୍‌ ଜାନୁୟାରୀ ୨୧ରେ ଶପଥ ନେଇଥାନ୍ତି। ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରାଜୟ ସୂଚାଇ ଦେଇଛି ଯେ ଏକଜିଦିଆ ବା ଏକଚ୍ଛତ୍ରବାଦ ଚିନ୍ତାଧାରା ନେଇ ଯେଉଁମାନେ ନିଷ୍ପତ୍ତି ନିଅନ୍ତି, ଗଣତନ୍ତ୍ରରେ ସେମାନଙ୍କ ପାଇଁ ସ୍ଥାନ ନାହିଁ। ବିଗତ ୪ ବର୍ଷ ମଧ୍ୟରେ ଟ୍ରମ୍ପ୍‌ ଯେତେ ପଦକ୍ଷେପ ନେଇଛନ୍ତି ସେଥିରୁ ଅଧିକାଂଶ ବିବାଦୀୟ ରହିଆସିଛି। ଏପରିକି ଭାରତ ସହ ମିତ୍ରତା ଦେଖାଉଥିବା ସତ୍ତ୍ୱେ ଏଚ୍‌-୧ବି ଭିଜାଠାରୁ ଆରମ୍ଭ କରି ଆମଦାନୀ ନିୟମ ସବୁକିଛି ଭାରତ ବିରୋଧରେ ପଦକ୍ଷେପ ନେଇଥିଲେ। ପରାଜିତ ହେବାର ଅଳ୍ପ କିଛିଦିନ ପୂର୍ବରୁ ଭାରତକୁ ଅତ୍ୟନ୍ତ ଅପରିଷ୍କାର ଓ ଅପରିଚ୍ଛନ୍ନ ରାଷ୍ଟ୍ରର ଆଖ୍ୟା ଦେଇଥିବାରୁ ଟ୍ରମ୍ପ୍‌ ଏହି ଦେଶରେ ସବୁବେଳେ ମନେରହିବେ। ୨୦୨୦ର ପ୍ରାରମ୍ଭରେ କୋଭିଡ୍‌-୧୯ ମହାମାରୀ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଥିବା ବେଳେ ଟ୍ରମ୍ପ୍‌ ଏହାକୁ ଖାତିର କରି ନ ଥିଲେ। କେବଳ ସେତିକି ନୁହେଁ, ମୁହଁରେ ମାସ୍କ ବାନ୍ଧିବା ବିପକ୍ଷରେ ଯାଇ ଆମେରିକା ଲୋକଙ୍କୁ ଭୁଲ୍‌ ବାଟରେ ନେଇଥିଲେ। ଏହାର ପରିଣାମ ସ୍ବରୂପ ୨,୩୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସେଠାରେ ମୃତ୍ୟୁ ଘଟିଥିବା ବେଳେ ୫୦ ହଜାରରୁ ଅଧିକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଚାଇନା ସମେତ ଅନେକ ରାଷ୍ଟ୍ର ସହ ବାଣିଜି୍ୟକ ସମ୍ପର୍କ ବିଗାଡ଼ିବାରେ ଟ୍ରମ୍ପ୍‌ଙ୍କୁ ଦାୟୀ କରାଯାଉଛି। ବର୍ତ୍ତମାନ ନିଆଯାଉଥିବା ପଦକ୍ଷେପର ପ୍ରଭାବ ଭବିଷ୍ୟତ ଉପରେ କ’ଣ ପଡ଼ିବ ତାହାକୁ ସମୀକ୍ଷା ନ କରି ଯେଉଁ ଶାସକମାନେ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେଇଥାନ୍ତି, ତାହା ଦେଶ ପାଇଁ ମଙ୍ଗଳଦାୟକ ହୋଇ ନ ଥାଏ। ସେହି ଦୃଷ୍ଟିରୁ ଦେଖିଲେ ଟ୍ରମ୍ପ୍‌ ସବୁଆଡ଼ୁ ବିଫଳ ହୋଇଥିବାରୁ ଆମେରିକାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ଏହା ସତ୍ତ୍ୱେ ଆମେରିକାର ୭ କୋଟିରୁ ଅଧିକ ନାଗରିକ ଟ୍ରମ୍ପ୍‌ଙ୍କୁ ଭୋଟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ସପକ୍ଷରେ କହିବାକୁ ଗଲେ ତାଙ୍କ ୪ ବର୍ଷ ଶାସନ ସମୟରେ ଆମେରିକା କୌଣସି ନୂଆ ଯୁଦ୍ଧ ଆରମ୍ଭ କରିନାହିଁ। ଏହା ବ୍ୟତୀତ ମଧ୍ୟପ୍ରାଚ୍ୟରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ସଙ୍ଗଠନର ମେରୁଦଣ୍ଡ ଭାଙ୍ଗିବା ସହିତ ଇସ୍ରାଏଲ୍‌ର ଅନେକ ଆରବ ଦେଶ ସହିତ ଶାନ୍ତିଚୁକ୍ତି କରାଇବାରେ ଟ୍ରମ୍ପ୍‌ଙ୍କ ଭୂମିକା ପ୍ରଶଂସନୀୟ। ଏଥିସହିତ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କ ସହ ବର୍ତ୍ତାଳାପ କରି ଆଣବିକ ଯୁଦ୍ଧ ପ୍ରତି ବଢ଼ୁଥିବା ଉତ୍ତେଜନାକୁ ପ୍ରଶମିତ କରାଇ ଦେଇପାରିଛନ୍ତି।
ଏବେ ବିଜୟ ପରେ ଜୋ ବାଇଡେନଙ୍କ ପାଇଁ ମହାମାରୀ, ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ସ୍ଥିତି ସୁଦୃଢ଼ କରିବା ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏଥିସହିତ ତାଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କକୁ କିଭଳି ପ୍ରଭାବିତ କରିବ ତାହା ଉପରେ ଭାରତରେ ଚର୍ଚ୍ଚା ହେଲାଣି। ପ୍ରଥମରେ କୁହାଯାଇପାରେ ଯେ, ଭାରତୀୟ ବଂଶୋଦ୍ଭବ ଭାବେ କମଲା ହାରିସଙ୍କ ଜିତାପଟ ଭାରତବାସୀଙ୍କୁ ଖୁସି ଦେଇଛି। ସେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ପାଇଁ ବିଭିନ୍ନ ଉପାୟରେ ଭୋଟ ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ, ସେସବୁ ବିଷୟ ଆମେରିକାରେ ଜଣାଶୁଣା। ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଉପସ୍ଥିତିକୁ ବାଇଡେନ୍‌ ଗୋଷ୍ଠୀ ଭଲଭାବେ ନଜର ପକାଇଥିବେ। ଏହା ପରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରି ଯେଉଁଭଳି ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଗଲା, ତାହାଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସମର୍ଥନ ଟ୍ରମ୍ପ୍‌ଙ୍କ ନିର୍ବାଚନ ଜିତାପଟ ପଛରେ ରହିଛି ବୋଲି ଏହି ଦୁଇ କାର୍ଯ୍ୟକ୍ରମରୁ ସମଗ୍ର ପୃଥିବୀ ଜାଣିଲା। ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ସମର୍ଥନ ଦ୍ୱାରା ଆଶା କରାଯାଉଥିଲା ଯେ ଆମେରିକାରେ ଥିବା ଭାରତୀୟଙ୍କ ଭୋଟ୍‌ ଟ୍ରମ୍ପ୍‌ଙ୍କ ସହିତ ରହିବ। କିନ୍ତୁ ସମଗ୍ର ଆମେରିକାର ରାଜନୈତିକ ସ୍ଥିତିକୁ ଅନୁଧ୍ୟାନ କରୁଥିବା ସେଠାକାର ଭାରତୀୟ ସଙ୍ଗଠନଗୁଡ଼ିକର ଟୁଇଟ୍‌ରୁ ଜଣାପଡ଼େ ଯେ ଅନିଚ୍ଛା ସତ୍ତ୍ୱେ ସେମାନେ ବାଇଡେନ୍‌ଙ୍କୁ ଭୋଟ୍‌ ଦେବେ ବୋଲି ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ। ଅର୍ଥାତ୍‌ ଯଦି ସେମାନେ ଏଭଳି ପଦକ୍ଷେପ ଖୋଲାଖୋଲି ନେଇ ନ ଥାନ୍ତେ ଓ ମୋଦିଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତେ, ତା’ହେଲେ ଆମେରିକାରେ ଥିବା ଭାରତୀୟମାନେ ପରିବର୍ତ୍ତିତ ପରିସ୍ଥିତିରେ ଅନେକ ନୂଆ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତେ। ଏହା ଥିଲା ଅଳ୍ପ କିଛି ଲକ୍ଷ ଆମେରିକୀୟ-ଭାରତୀୟଙ୍କ ବ୍ୟକ୍ତିଗତ ସମସ୍ୟା, ଯାହାକୁ ସେମାନେ ଉଚିତ ସମୟରେ ସୁଧାରି ଦେଇପାରିଲେ। ଅନ୍ୟପଟେ ଭାରତ ଯେଉଁ ବିଧିବଦ୍ଧ ନୀତିରେ ତ୍ରୁଟି କରି ଆମେରିକାର ଆଭ୍ୟନ୍ତରୀଣ ରାଜନୀତିରେ ପ୍ରବେଶ କରିଗଲା, ସେହି ଭୁଲ୍‌ ନିଷ୍ପତ୍ତିର କ୍ଷତି ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଭୋଗିବାକୁ ପଡ଼ିବ। କହିବାକୁ ଗଲେ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ରାଜନୀତିରେ ସିଧାସଳଖ ମୁଣ୍ଡ ପୂରାଇବା ଗୋଟିଏ ଦେଶର ବହିିର୍ବ୍ୟାପାର ନୀତି ହୋଇ ନ ପାରେ। କାରଣ ସେଠାରେ କେଉଁ ପ୍ରକାର ରାଜନୈତିକ ପରିବର୍ତ୍ତନ ଆସିବ ତାହା ଏଠାକାର ଲୋକଙ୍କ ଚିନ୍ତା ବାହାରେ ହୋଇପାରେ। ମୋଦି ସେସବୁକୁ କିଛି ନ ଭାବି ଟ୍ରମ୍ପ୍‌ଙ୍କ ସପକ୍ଷରେ ଏକପାଖିଆ ସମର୍ଥନ କରି ଦେଇଥିବାରୁ ଏବେ ବାଇଡେନ୍‌ଙ୍କ ସହ ଭାରତ ପାଇଁ ପୁନଃସମ୍ପର୍କ ସ୍ଥାପନ କରିବା କଷ୍ଟକର ହୋଇପାରେ। ଏଠାରେ ମୋଦିଙ୍କ ଭୂମିକା ଅସ୍ଥାୟୀ ହୋଇଥିବା ବେଳେ ଆମେରିକା-ଭାରତ ସମ୍ପର୍କ ଚିରସ୍ଥାୟୀ ହେବା କଥା।
ଏପଟେ ଘରକୁ ଦେଖାଯାଉ। ବିହାର ବିଧାନସଭା ନିର୍ବାଚନ ଫଳାଫଳ ୧୦ ନଭେମ୍ବରରେ ଆସିବ। କିନ୍ତୁ ୭ ନଭେମ୍ବରରେ ହୋଇଥିବା ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଜିତିବା ପରିସ୍ଥିତିକୁ ଆସିଯାଇଛି। ସେହି ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ପରାଜିତ ହୋଇପାରେ। ଏକ୍‌ଜିଟ୍‌ ପୋଲ୍‌ ଓ ବାସ୍ତବ ଫଳ ମଧ୍ୟରେ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଅନେକ ସମୟରେ ଏପଟସେପଟ ହେଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଦୀର୍ଘ ଶାସନ କାଳ ଭଳି ନୀତୀଶ କୁମାରଙ୍କ ୧୫ ବର୍ଷର ଶାସନ ମଧ୍ୟରେ ଶେଷ ୩ ବର୍ଷ ଭାଜପା ସହ ମିଶି ଯେଭଳି ନିଷ୍ପତ୍ତି ନିଆଯାଇଛି ତାହା ଦ୍ୱାରା ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି ବୋଲି ଆଭାସ ମିଳୁଛି। କେବଳ କ୍ଷମତାରେ ରହିବା ପାଇଁ ନୀତୀଶ ନୈତିକତା ହରାଇଥିବାର ଏକାଧିକ ଦୃଷ୍ଟାନ୍ତ ରହିଛି। ଯଦି ୧୦ ନଭେମ୍ବରରେ ନୀତୀଶଙ୍କ ପତନ ଘଟି ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ଅଭ୍ୟୁଦୟ ଘଟେ, ତାହା ହେଲେ କ୍ଷମତାଲୋଭୀ ଲୋକଙ୍କୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ। ଏଥିସହିତ ଗତ ବିହାର ବିଧାନସଭାରେ ଥିବା ଭାଜପାର ୫୩ ଆସନରୁ ଯଦି ସଂଖ୍ୟା ହ୍ରାସ ହୁଏ ତେବେ ଉତ୍ତର ଭାରତରେ ଭାଜପା ପାଇଁ ଏହା ଏକ ବଡ଼ଧରଣର ସତର୍କଘଣ୍ଟି। ବିଶେଷକରି ବିହାରରେ ଭାଜପାର ସ୍ଥାନୀୟ ନେତାଙ୍କ ଅଭାବ ଯୋଗୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରରେ ଯାଇଥିବା ହେତୁ ଏହା ମୋଦିଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତିରେ ପ୍ରଥମ ବଡ଼ଧରଣର ଆଞ୍ଚ ଲାଗିଲା ବୋଲି କୁହାଯାଇପାରେ। ମହାମାରୀରେ ଜର୍ଜରିତ ବର୍ଷ ୨୦୨୦ର ଶେଷ ଆଡ଼କୁ ଆମେରିକାଠାରୁ ବିହାର ଯାଏ ପରିବର୍ତ୍ତନ ହୁଏତ ସୂଚାଇ ଦେଇଛି ଯେ, ସବୁକିଛି ଗିଳିଦେବାକୁ ଚେଷ୍ଟା କଲେ ତାହା ସହଜରେ ହଜମ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri