ହରିନାମେ କି ରସ ଅଛି

ନିଜେ ନ ମଲେ ଯେମିତି ଯମରାଜଙ୍କ ଦର୍ଶନ ମିଳେନା, ସେମିତି ନିଜେ ନ ପିଇଲେ ହରିନାମରେ ଥିବା ରସର ସ୍ବାଦ ଜାଣିହୁଏନା। ଏକାନ୍ତ ବ୍ୟକ୍ତିଗତ ୟେ ଅନୁଭବ, ଯାହାକୁ କାହା ସହିତ ବାଣ୍ଟିହୁଏନା କି ଯେତେ ପିଇଲେ ବି ତୃଷ୍ଣା ମେଣ୍ଟେନା। ବିଜ୍ଞାନ ଓ ଆଧୁନିକତାର ଆବାହନ ମଧ୍ୟରେ ପରିପୁଷ୍ଟ ହେଉଥିବା ଏବେକାର ମଣିଷଙ୍କ ଉନ୍ନତ ଚେତନାରେ ହରିନାମର ଆକର୍ଷଣ ଯେତେ ଦୁର୍ବଳ ହେଲେ ବି ସେମାନଙ୍କ ଅବଚେତନରେ ଏହାର ପ୍ରଭାବ ଓ ପ୍ରତିଷ୍ଠାକୁ ଅସ୍ବୀକାର କରାଯାଇପାରେନା। ସକାଳର ଶଯ୍ୟାତ୍ୟାଗ ପୂର୍ବରୁ ଭକ୍ତି ସଙ୍ଗୀତଟିଏ ଶୁଣିଦେଲେ ଦେହମନରେ ଯେଉଁ ଅପୂର୍ବ ପୁଲକ ଜାତ ହୁଏ, ତାହା ପ୍ରକୃତରେ ଅନିର୍ବଚନୀୟ। ଭକ୍ତ ଜଣେ ତନ୍ମୟ ଚିତ୍ତରେ ଯେତେବେଳେ ଭଗବାନ୍‌ଙ୍କ ଭଜନ ଶୁଣୁଥାଏ, ସେତେବେଳେ ତା’ ଆଖିରୁ ଝରିପଡ଼ୁଥିବା ଲୁହକୁ ଲକ୍ଷ୍ୟ କଲେ ଜାଣିହେବ, କେତେ ଶକ୍ତିଶାଳୀ ହୋଇପାରେ ଈଶ୍ୱରଙ୍କ ପ୍ରତି ମଣିଷର ଆସ୍ଥା ଓ ବିଶ୍ୱାସ। ନାସ୍ତିକଙ୍କ ବିଜ୍ଞାନ ବିଚାରକୁ ପ୍ରତିହତ କରି ସଦର୍ପ ଛିଡ଼ାହୁଏ ଆସ୍ତିକଙ୍କ ବିମଳ ବିଶ୍ୱାସ।
ଜୀବନର ଅଧା ସମୟ ବିଜ୍ଞାନାଗାରରେ ବିତାଇଥିବା ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ଘରୁ ପ୍ରତିଦିନ ପ୍ରଭାତରେ ଶୁଣିବାକୁ ମିଳେ କେତୋଟି ସୁନ୍ଦର ଭକ୍ତିଭାବ ଉଦ୍ରେକକାରୀ ରେକର୍ଡ ସଙ୍ଗୀତ। ଆଶ୍ଚର୍ଯ୍ୟ ଲାଗେ, ହାଟ ମଧ୍ୟରେ ବ୍ରହ୍ମଜ୍ଞାନ! ବିଜ୍ଞାନ ବିହାରରେ ଭଜନ ଜଣାଣ! ମାତ୍ର ବୈଜ୍ଞାନିକ କହନ୍ତି, ”ସକାଳୁ ହରିନାମ ନ ଶୁଣିଲେ ସମଗ୍ର ଦିନଟି ମୋତେ ଅପୂର୍ଣ୍ଣ ମନେହୁଏ। ଗବେଷଣାରେ ମନ ଲାଗେ ନାହିଁ। ଲାଗେ, ସତେ ସେମିତି କେଉଁଠି କିଛି ହଜାଇ ଦେଇ ଆସିଛି।“ ସେ ପୁଣି କହନ୍ତି, ”ଜଗନ୍ନାଥ ଜଣାଣ, ରାମ ଚରିତ ମାନସ ବା କୃଷ୍ଣ କଥାମୃତର ସୁଲଳିତ ଗାୟନ ମୋ ହୃଦୟକୁ ଯେଉଁ ଆନନ୍ଦରେ ଭରିଦିଏ, ବିଜ୍ଞାନାଗାରର କୌଣସି ଅଭିନବ ଉଦ୍‌ଭାବନ ସେଭଳି ଆନନ୍ଦ ଦେଇପାରେନା। ଅଥଚ ଶ୍ରୀଜଗନ୍ନାଥ, ଶ୍ରୀରାମ ବା ଶ୍ରୀକୃଷ୍ଣଙ୍କ ଐଶ୍ୱରୀୟ ଚିତ୍ର ଓ ଚରିତ୍ର ବିଜ୍ଞାନ ଓ ବୈଜ୍ଞାନିକତାର ଏକାନ୍ତ ପରିପନ୍ଥୀ।“
ପ୍ରକୃତରେ ବିଜ୍ଞାନର ବୌଦ୍ଧିକ ଆବେଦନ ଓ ଆଧୁନିକତାର ଉଗ୍ର ଆବାହନ ସଭ୍ୟ ମଣିଷର ଜୀବନକୁ ଯେତେ ଉଦ୍‌ଭାସିତ କଲେ ବି ଏକ ବିଚିତ୍ର ଅଭାବବୋଧ ଓ ଅସହାୟତା ନେଇ ମଣିଷ ନିଜକୁ ଅପୂର୍ଣ୍ଣ ମନେକରେ। ଏହି ଅପୂର୍ଣ୍ଣତାର ଅନ୍ଧକାରରୁ ମୁକ୍ତି ଦେବା ପାଇଁ ଯେଉଁ ଆଲୋକ ଆବଶ୍ୟକ,ତାହା ଉପଲବ୍ଧ ହୁଏ ମନ୍ଦିରରେ ପୂଜାର୍ଚ୍ଚନାରୁ, ବିଭିନ୍ନ ତୀର୍ଥାଟନରୁ ଓ ହରିକଥା ଶ୍ରବଣରୁ। ଆଧ୍ୟାମତ୍ିକତାର ଏଇ ଆଲୋକ ସଂସ୍ପର୍ଶରେ ଆସି ଆଧୁନିକତାର ଅତିରିକ୍ତ ଔଜ୍ଜ୍ୱଲ୍ୟରେ ଆସ୍ତେ ଆସ୍ତେ ଅନ୍ଧ ହୋଇଯାଉଥିବା ମଣିଷ ଚକ୍ଷୁଷ୍ମାନ୍‌ ହୁଏ। ତା’ ଭିତରର ଦେବତ୍ୱର ବିକାଶ ଘଟେ। ଦୂରୀଭୂତ ହୁଏ ସକଳ ଅହଂକାର। ମଣିଷ ନିଜକୁ ଅମୃତର ସନ୍ତାନ କହିବାର ସାହସ ଓ ସାମର୍ଥ୍ୟ ହାସଲ କରେ।
ମାତ୍ର ଏ ସବୁ ହୁଏନାହିଁ କାହିଁକି? ଏଠି ତ ତୀର୍ଥକ୍ଷେତ୍ରର ଅଭାବ ନାହିଁ। ତୀର୍ଥରେ ମନ୍ଦିର ଅଛି, ମନ୍ଦିରରେ ପୂଜା ପାଉଛନ୍ତି ଦେବଦେବୀ। ଦେବତାଙ୍କ ସ୍ତୁତିି ପାଇଁ ଲେଖା ଓ ବୋଲାଯାଉଛି ଶହ ଶହ ଭକ୍ତି ଗୀତ ଓ ସଙ୍ଗୀତ। କିନ୍ତୁ ତଥାପି କାହିଁକି ବିଲୁପ୍ତ ହୋଇପାରୁନି ମଣିଷ ମନରୁ ଅସତ୍ୟ, ଅନାଚାର, ଔଦ୍ଧତ୍ୟ ଓ ଅହଂକାରର ନୀଳ ଜହର! ନିଜ ଆଚାର ବ୍ୟବହାରରେ ଥୋକେ ମଣିଷ କାହିଁକି ପାଲଟି ଯାଉଛନ୍ତି ପଶୁଠାରୁ ମଧ୍ୟ ଆହୁରି ଅସଭ୍ୟ, ଆହୁରି ଇତର! ତେବେ କ’ଣ ନିଷ୍ପ୍ରଭ ହୋଇଗଲାଣି ଆଧ୍ୟାମତ୍ିକ ଆଲୋକ? ମିଥ୍ୟା ଓ ରସଶୂନ୍ୟ ହୋଇଗଲାଣି ହରିନାମର ଓଁକାର ଉଚ୍ଚାରଣ!
ନା, ବିଜ୍ଞାନର ସକଳ ଔଜ୍ଜ୍ୱଲ୍ୟ ସତ୍ତ୍ୱେ ଏବେ ବି ବିଚ୍ଛୁରିତ ହେଉଛି ଈଶ୍ୱର ବିଶ୍ୱାସ ଓ ଆଧ୍ୟାମତ୍ିକତାର ଆଲୋକ। ଏବେ ବି ବିଶ୍ୱର ପ୍ରତ୍ୟେକ ବସ୍ତୁରେ ସଂଜୀବିତ ଅଛନ୍ତି ସର୍ବବ୍ୟାପୀ ଈଶ୍ୱର। ସ୍ରଷ୍ଟା ଓ ସୃଷ୍ଟି ବା ଭକ୍ତ ଓ ଭଗବାନ୍‌ଙ୍କ ମଧ୍ୟରେ ଥିବା ସମ୍ପର୍କରେ କିଛି ବି ପରିବର୍ତ୍ତନ ଘଟିନାହିଁ। କେବଳ ଯାହା ବଦଳିଯାଇଛି ପ୍ରଗତିଶୀଳ ବୋଲାଉଥିବା ସମାଜର ପରିଚୟ ଓ ଆଧୁନିକ ବୋଲାଉଥିବା ମଣିଷର ମାନସିକତା। ସମାଜର ସେହିଭଳି କେଇଜଣ ଆଧୁନିକ ମଣିଷଙ୍କ ଦୃଷ୍ଟିରେ ବିଶ୍ୱର ଆଜି ଭକ୍ତି ଭାବନାର ସର୍ବଶ୍ରେଷ୍ଠ ସଂକଳ୍ପ ଓ ସିଦ୍ଧି ସାଧନାର ସର୍ବଶେଷ ସିଦ୍ଧାନ୍ତ ନ ହୋଇ ପାଲଟି ଯାଇଛନ୍ତି ବିଳାସ ବା ଫେଶନର ବସ୍ତୁ। ସୁତରାଂ, ମଣିଷର ଚାରିତ୍ରିକ ଅବକ୍ଷୟ ଓ ସମାଜର ଅଧଃପତନ ପାଇଁ ଉଭୟର ଅନ୍ତରକୁ ନିରୀକ୍ଷଣ ନ କରି ‘ହରିନାମ ରସଶୂନ୍ୟ ହୋଇଗଲାଣି’ ବା ‘ଈଶ୍ୱର ଚାଲିଗଲେଣି’ ବୋଲି ଚିତ୍କାର କରିବା କାହିଁକି?
ଅଳ୍ପଦିନ ତଳେ ଆମ ରାଜଧାନୀ ନଗରୀର ଏକ ଉପାନ୍ତ ଅଞ୍ଚଳରେ ଗୋଟିଏ ନବନିର୍ମିତ ପ୍ରାସାଦର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥାଏ। ଗୃହସ୍ବାମୀ ଏହି ଉପଲକ୍ଷେ ଦୁଇଦିନବ୍ୟାପୀ ପୂଜାପାଠ ଓ ଭଜନ କୀର୍ତ୍ତନର ଆୟୋଜନ କରିଥା’ନ୍ତି। ପ୍ରଥମ ଦିନ ଏକାଧିକ ବ୍ରାହ୍ମଣଙ୍କ ଛନ୍ଦମୟ ମନ୍ତ୍ରପାଠ ଓ ଦ୍ୱିତୀୟ ଦିନ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନର ଉତ୍ତାଳ କୋରସ୍‌। ଭଗବତ୍‌ ପ୍ରେମର ଅମୃତ ଧ୍ୱନିରେ ଆଖପାଖ ବିସ୍ତୀର୍ଣ୍ଣ ଅଞ୍ଚଳକୁ ପ୍ଳାବିତ କରୁଥିଲା ହରିନାମ ମହାମନ୍ତ୍ର। ଦୁଇଟି ଶକ୍ତିଶାଳୀ ମାଇକ୍ରୋଫୋନ୍‌ ସାହାଯ୍ୟରେ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ଦୀର୍ଘ ଚବିଶ ଘଣ୍ଟାଯାଏ ଅବିରାମ ଭାବେ ଉଚ୍ଚାରିତ ହେଉଥିଲା ‘ହରେକୃଷ୍ଣ ହରେରାମ ହରେହରେ’ ସଂକୀର୍ତ୍ତନ ସଙ୍ଗୀତ। ଏ ସବୁ ଗାନ କରୁଥିଲେ କିଛି ଯୁବକ, ଯେଉଁମାନେ ଫିଲ୍ମ ସଙ୍ଗୀତର ସୁର ସହିତ ସୁର ମିଳାଇ ଏମିତି ଗାଉଥିଲେ ଯେ ଦୂରରୁ ଜଣାପଡ଼ୁଥିଲା, ସତେଯେମିତି ମାଇକ୍ରୋଫୋନ୍‌ରୁ ହରିନାମ ଧ୍ୱନିତ ହେବା ପରିବର୍ତ୍ତେ ଭାସିଆସୁଛି କିଛି ଲୋକପ୍ରିୟ ସିନେମା ସଙ୍ଗୀତ। ହରିନାମ ମହାମନ୍ତ୍ରର ଉଦ୍‌ଗାତା ଗୌରାଙ୍ଗ ଶ୍ରୀଚୈତନ୍ୟ ଯେଉଁ ଆଦ୍ୟ ସୁରରେ ଏହି ସଂକୀର୍ତ୍ତନକୁ ସଜାଇଥିଲେ, ତାହା ବୋଧହୁଏ ଶ୍ରୁତିକଟୁ ବୋଧ ହେଉଥିଲା ଏଇ ଆଧୁନିକ ଯୁବ ସଂକୀର୍ତ୍ତନକାରୀଙ୍କୁ।
ସେଇ ଅଞ୍ଚଳରେ ବେଶ୍‌ କିଛି ଝିଅ ପୁଅମାନେ ଅଳ୍ପଦିନ ପରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ, ଦୀର୍ଘ ସମୟ ମାଇକ୍ରୋଫୋନ୍‌ର ବୁକୁଫଟା ଗର୍ଜନ ଅସହ୍ୟ ହେବାରୁ କେଇଜଣ ଅଭିଭାବକ ବିନା ମାଇକ୍ରୋଫୋନ୍‌ରେ ସଂକୀର୍ତ୍ତନ କରିବାକୁ ଅନୁରୋଧ କଲେ ସଂପୃକ୍ତ ଗୃହସ୍ବାମୀଙ୍କୁ। ତାତି ଉଠିଲେ ମାଲିକ। ଯଜ୍ଞ, ହୋମ ଓ ନାମ ସଂକୀର୍ତ୍ତନ ଆଦି ପବିତ୍ର କର୍ମରେ ଆପତ୍ତି ଉଠାଉଥିବାରୁ ଅଭିଭାବକମାନଙ୍କୁ ଧର୍ମଦ୍ରୋହୀ ବୋଲି ଭର୍ତ୍ସନା କଲେ ଓ ସ୍ପଷ୍ଟଭାବେ ଶୁଣାଇଦେଲେ, “ଆପଣଙ୍କ ପିଲାଙ୍କ ପରୀକ୍ଷାଠାରୁ ମୋ ଗୃହପ୍ରତିଷ୍ଠା ଅଧିକ ମହତ୍ତ୍ୱପୂର୍ଣ୍ଣ। ମାଇକ୍ରୋଫୋନ୍‌ ବ୍ୟବହାର କରି ମୁଁ କେବଳ ମୋ ଗୃହକୁ ନୁହେଁ, ଆଖପାଖ ଇଲାକାର ସମଗ୍ର ପରିବେଶକୁ ହରିରସରେ ପ୍ଳାବିତ କରୁଥିବା ବେଳେ ଆପଣଙ୍କର ଏ ଅଭିଯୋଗ ଆଦୌ ସ୍ପୃହଣୀୟ ନୁହେଁ।”
ପ୍ରକୃତରେ କେଡ଼େ କଥା କରୁ ନ ଥିଲେ ସେଇ ଧାର୍ମିକ ଗୃହସ୍ବାମୀ ଜଣକ ମାଇକ୍ରୋଫୋନ୍‌ରେ ହରିଙ୍କୁ ଡାକି ଓ ସେ ଡାକ ଅନ୍ୟମାନଙ୍କୁ ଶୁଣାଇ! ତେଣିକି ପ୍ରତିବେଶୀ କିଶୋରୀ କିଶୋରମାନଙ୍କ ପରୀକ୍ଷା ଚୁଲିକୁ ଯାଉପଛେ! ସନ୍ଥ କବୀର ଦିନେ କହିଥିଲେ, ”ଏତେ ଉଚ୍ଚ ସ୍ବରରେ ଚିତ୍କାର କରି ଏମାନେ କେଉଁ ଆଲ୍ଲା ବା ଈଶ୍ୱରଙ୍କୁ ଡାକୁଛନ୍ତି କେଜାଣି? ମୁଁ ଯେଉଁ ପ୍ରଭୁଙ୍କୁ ଜାଣେ, ଗୋଟିଏ ପିମ୍ପୁଡ଼ି ପାଦରେ ଘୁଙ୍ଗୁର ବାନ୍ଧିଦେଲେ ବି ସେ ତା’ର ଶବ୍‌ଦ ଶୁଣିପାରିବେ।“ ଆଧୁନିକ ଦୁନିଆର ଶବ୍ଦ ପ୍ରଦୂଷଣ ମଧ୍ୟରେ ସେକାଳର କବୀରଙ୍କ ପ୍ରଭୁ କ’ଣ ଏବେ ଏତେ ବଧିର ହୋଇଗଲେଣି ନା ଏକାଳର ଆଧୁନିକ ମଣିଷ ପ୍ରଭୁଙ୍କୁ ଚିହ୍ନିବାର ଶକ୍ତି ହରାଇ ବସିଲେଣି? କେଜାଣି!

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
    ଚକେଇସିହାଣି, ଭୁବନେଶ୍ୱର
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?