
କୋଲକାତା,୧୪।୧: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିରେ ପହଞ୍ଚି ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଅନ୍ୟପକ୍ଷେ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିଠାରେ ଗୁରୁବାର ସନ୍ଧ୍ୟାରେ ପାଟନାରୁ ଗୌହାଟୀ ଯାଉଥିବା ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନ ଚ୍ୟୁତ ହୋଇ ପରସ୍ପର ଉପରକୁ ମାଡି ଯାଇଥିଲା। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଟ୍ରାଫିକ ପାଇଁ ଟ୍ରାକ ସଫା କରାଯାଉଥିବା ଅଧିକାରୀମାନେ କହିଛନ୍ତି। ରେଳ ଇଞ୍ଜିନରେ ତ୍ରୁଟି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି।