ଜଳକଷ୍ଟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ସହରୀକରଣ, ଖାଦ୍ୟ ଉପତ୍ାଦନର ଚାପ, ଜନସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ, ଘରୋଇ ଓ ଶକ୍ତି କ୍ଷେତ୍ରର ବଢ଼ୁଥିବା ଚାହିଦା ଯୋଗୁ ୨୦୩୦ ବେଳକୁ ବିଶ୍ୱ ୪୦ ପ୍ରତିଶତ ଜଳ ସଙ୍କଟର ସମ୍ମୁଖୀନ ହେବ। ଜାତିସଂଘ ଏହି ଚେତାବନୀ ଦେଇଛି। ଜାତିସଂଘ ଜାରି କରିଥିବା ବିଶ୍ୱ ଜଳ ରିପୋର୍ଟ-୨୦୨୨ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱରେ ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ଜଳ ରହିଛି। କିନ୍ତୁ ଜଳ ବ୍ୟବହାରରେ ପରିବର୍ତ୍ତନ ବିନା ଏହା ସମ୍ଭବ ନୁହେଁ ବୋଲି ଜାତିସଂଘର ବାର୍ଷିକ ବିଶ୍ୱ ଜଳ ବିକାଶ ରିପୋର୍ଟ କହିଛି। ଜଳର ଠିକ୍‌ ମାନ ନିର୍ଦ୍ଧାରଣ, ତଦାରଖ ଓ କାର୍ଯ୍ୟକାରୀ କରା ନ ଗଲେ ଜଳାଭାବକୁ ରୋକାଯାଇ ପାରିବନାହିଁ। ରିପୋର୍ଟ ଅନୁସାରେ, ଜଳ ସଙ୍କଟର ସବୁଠୁ ବଡ଼ କାରଣ ସାଜିଛି ଜନସଂଖ୍ୟା ବୃଦ୍ଧି। ବିଶ୍ୱଜନସଂଖ୍ୟା ବର୍ତ୍ତମାନ ୭ଶହ କୋଟିରୁ ଅଧିକ ଥିବାବେଳେ ପ୍ରତିବର୍ଷ ହାରାହାରି ୮ କୋଟି ହିସାବରେ ଏହି ହାର ବଢ଼ିଚାଲିଛି। ଏପରି ହେଲେ ୨୦୫୦ବେଳକୁ ଜନସଂଖ୍ୟା ୯ଶହ କୋଟି ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ପ୍ରତିଦିନ ୭୪୮ ମିଲିଅନ୍‌ ଲୋକ ସ୍ବଚ୍ଛ ପାନୀୟ ଜଳର ଉତ୍ତମ ଓ ସୁରକ୍ଷିତ ସ୍ରୋତ ପାଇବାରେ ଆଜି ବି ବଞ୍ଚତ୍ତ। ଗରିବ, ସାଧାରଣ ସାମାଜିକ ସୁବିଧାରୁ ବଞ୍ଚତ୍ତ ଏବଂ ମହିଳା ଏଥିରେ ସର୍ବାଧିକ ପ୍ରଭାବିତ। ଭୂତଳ ଜଳ ଭଣ୍ଡାର ହ୍ରାସ ଭାରତ, ଚାଇନା, ପାକିସ୍ତାନ, ନେପାଳ, ବାଂଲାଦେଶ ଭଳି ଦେଶ ପାଇଁ ବଡ଼ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଠିକ୍‌ ସମୟରେ ବର୍ଷା ହେଉନାହିଁ। ଏସବୁ ଉତ୍କଟ ସମସ୍ୟା ଆଗାମୀ ଦିନରେ ଭୟଙ୍କର ରୂପ ନେବ।
ବର୍ତ୍ତମାନର ଭୟାବହ କରୋନା ମହାମାରୀ ଭିତରେ ଆଗକୁ ଆସୁଛି ପ୍ରଚଣ୍ଡ ଖରାର ସମୟ। ଉପକୂଳ ଓଡ଼ିଶାଠାରୁ ଆରମ୍ଭ କରି ରାଜ୍ୟର ପଶ୍ଚିମାଞ୍ଚଳ, ଦକ୍ଷିଣର ପାହାଡ଼ିଆ ଇଲାକା ପର୍ଯ୍ୟନ୍ତ ସବୁଠି ପିଇବା ପାଣି ପାଇଁ ଲୋକେ ଡହଳବିକଳ ହୋଇଥାନ୍ତି। ଖରାର ତାତି ଯେତିକି ବଢ଼େ, ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳ କଷ୍ଟ ସେତିକି ଉତ୍କଟ ହୋଇଥାଏ। ରାଜ୍ୟର କେତେକ ସ୍ଥାନରେ ପାଣିମୁନ୍ଦିଏ ପାଇଁ ମହିଳାଙ୍କୁ ତିନିରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଦୂର ସ୍ଥାନକୁ ଯିବାକୁ ପଡ଼େ। କେଉଁଠି ପାନୀୟ ଜଳର ଆଦୌ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ସରକାରୀ ରେକର୍ଡ ଅନୁଯାୟୀ ଗ୍ରାମାଞ୍ଚଳର ନଳକୂପ, ଷ୍ଟାଣ୍ଡପୋଷ୍ଟ ସମେତ ପ୍ରାୟ ୩ଲକ୍ଷ ୧୨ ହଜାର ୨୮୧ଟି ୱାଟର ସ୍ପଟ୍‌ ରହିଛି। ସେଥିରୁ ଏବେ ବହୁ ସଂଖ୍ୟକ ଅଚଳ, ବ୍ୟବହାର ଅନୁପଯୋଗୀ। କେଉଁଠି ନଳକୂପ ଭାଙ୍ଗି ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ଭୂତଳ ଜଳସ୍ତର କମି ଯାଇଥିବାରୁ ପାଣି ବାହାରୁ ନାହିଁ। ଆଉ କେଉଁଠି ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଟ୍ୟାପ୍‌ ଖୋଲିଲେ ପାଣି ବଦଳରେ ସଁ ସଁ ହୋଇ ପବନ ବାହାରୁଛି। ବହୁ ସଂଖ୍ୟକ ଗାଁରେ ପାନୀୟ ଜଳର ମୁଖ୍ୟ ଉତ୍ସ କୂଅଗୁଡ଼ିକ ଶୁଖିଯିବା ଫଳରେ ସମସ୍ୟା ଦେଖାଦେଉଛି । ପାନୀୟ ଜଳର ଏ ଉତ୍କଟ ସମସ୍ୟା ଭିତରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଲୁଚି ଯାଉଛି। କିନ୍ତୁ ପାନୀୟ ଜଳ ସମସ୍ୟାଠାରୁ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଅଧିକ ଗୁରୁତର, ଯାହାଫଳରେ ବିପଜ୍ଜନକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କା ରହିଛି।
ତେବେ ଚଳିତ ବର୍ଷ ଦେଖାଦେଇଥିବା ଏ ପାନୀୟ ଜଳାଭାବ ଏକ ବ୍ୟତିକ୍ରମ ନୁହେଁ। ପ୍ରାୟ ପ୍ରତିବର୍ଷ ରାଜ୍ୟରେ ନିଦାଘ ଗ୍ରୀଷ୍ମ ତା’ ସହ ପାନୀୟ ଜଳ ସମସ୍ୟାକୁ ସାଥିରେ ନେଇ ଆସେ। ପ୍ରତିବର୍ଷ ଏହାର ନିରାକରଣ ପାଇଁ ପଦକ୍ଷେପ ଘୋଷଣା କରାଯାଏ, ଅଥଚ ପରବର୍ତ୍ତୀ ବର୍ଷ ପୁଣି ସମସ୍ୟାର ପୁନରାବୃତ୍ତି ହୁଏ। ବିଡ଼ମ୍ବନାର ବିଷୟ ହେଲା, ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା ଚାଲିଥିବା ଦାବି କରାଯାଉଛି, କିନ୍ତୁ ଅବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ସ୍ଥିତି ଅଧିକ ବିଗିଡ଼ି ଚାଲିଛି ।
ଏ ସନ୍ଦର୍ଭରେ ଜନଗଣନା ରିପୋର୍ଟର ତଥ୍ୟକୁ ଉଦ୍ଧାର କରାଯାଇପାରେ। ପାନୀୟ ଜଳ ସ୍ଥିତି ନେଇ ୨୦୦୧ ଏବଂ ୨୦୨୦ ଜନଗଣନା ରିପୋର୍ଟର ତୁଳନାତ୍ମକ ବିଶ୍ଳେଷଣ କଲେ ସ୍ଥିତିରେ ଅବନତି ସ୍ପଷ୍ଟ ଜଣାପଡ଼େ। ଦଶବର୍ଷ ତଳେ ରାଜ୍ୟର ୩୦.୮ ପ୍ରତିଶତ ପରିବାରକୁ ନିଜ ଘରଠାରୁ ୫୦୦ ମିଟରରୁ ଅଧିକ ଦୂରକୁ ଯାଇ ପାଣି ଆଣିବାକୁ ପଡ଼ୁଥିଲା। ୨୦୨୧ ବେଳକୁ ନିଜ ଘରୁ ୫୦୦ ମିଟରରୁ ଅଧିକ ଦୂର ଯାଇ ପାଣି ଆଣୁଥିବା ପରିବାରଙ୍କ ଭାଗ ୩୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ବି ରାଜ୍ୟର ମାତ୍ର ୨୨.୪ ପ୍ରତିଶତ ପରିବାର ପାଇଁ ନିଜ ଘର ପରିସରରେ ପାନୀୟ ଜଳର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୭ ପ୍ରତିଶତ ପରିବାରକୁ ପାଣି ପାଇଁ ଘରୁ ବାହାରକୁ ଯିବାକୁ ପଡ଼େ। ଖୋଦ ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ୪୬ ହଜାର ୭୩୨ଟି ଗ୍ରାମ ଅନ୍ତର୍ଗତ ମୋଟ ୧ଲକ୍ଷ ୪୧ହଜାର ୯୨ଟି ଜନବସତି ମଧ୍ୟରୁ ୮୧,୮୧୨ଟି ଜନବସତି ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ହେଲା ବର୍ତ୍ତମାନ ବି ପ୍ରାୟ ୪୦ ପ୍ରତିଶତ ଜନବସତି ଜଳକ୍ଳିଷ୍ଟ।
ଏହାହିଁ ରାଜ୍ୟର ପାନୀୟ ଜଳ ସମସ୍ୟାର ଉତ୍କଟ ରୂପର ଦୁଃଖଦ ଚିତ୍ର ପ୍ରଦାନ କରୁଛି। ଯଦି ସାଧାରଣ ଭାବେ ପାନୀୟ ଜଳ ଯୋଗାଣର ସ୍ଥିତି ଏହା, ଗ୍ରୀଷ୍ମରେ ସମସ୍ୟା ଅଧିକ ଗୁରୁତର ହେବା ସ୍ବାଭାବିକ। ଏହା କେବଳ ପାନୀୟ ଜଳ ଭଳି ମୌଳିକ ଆବଶକତା ପୂରଣ କ୍ଷେତ୍ରରେ ବିଫଳତାର ସୂଚନା ଦେଉନାହିଁ, ସାମଗ୍ରିକ ଭାବେ ବିକାଶ ଓ ପ୍ରଗତି ନେଇ ଦାବି କେତେ ଫମ୍ପା ଓ ଅନ୍ତଃସାରଶୂନ୍ୟ ତାହାର ମଧ୍ୟ ଦୁର୍ଭାଗ୍ୟଜନକ ଇଙ୍ଗିତ।
ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ନିଷ୍ଠା ଓ ଆନ୍ତରିକତାର ସହ ପଦକ୍ଷେପ ନିଆଯିବା ଏକାନ୍ତ ଜରୁରୀ। ପାନୀୟ ଜଳ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜନ୍‌ ୨୦୨୨ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ସବୁ ଅଞ୍ଚଳକୁ ଫ୍ଲୋରୋସିସ୍‌ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକର ୧୬ଶହଟି ନଳକୂପ ଏବଂ ୫୮ଟି ପାଇପ୍‌ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ତେବେ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ଉଦାସୀନତା ଫଳରେ ଲକ୍ଷ୍ୟ ହାସଲ ନେଇ ସନ୍ଦେହ ଦେଖାଦେଇଛି। ଏହାଛଡ଼ା ତ୍ରୟୋଦଶ ଅର୍ଥ କମିଶନ ପାନୀୟ ଜଳ, ପରିମଳ ପାଇଁ ସ୍ବତନ୍ତ୍ର ଭାବେ ୨,୭୫୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ ସୁଦ୍ଧା ଏହାର ବିନିଯୋଗ ଆଦୌ ଉତ୍ସାହଜନକ ନୁହେଁ। ସାମ୍ପ୍ରତିକ ପାନୀୟ ଜଳ ସମସ୍ୟାର ମୁକାବିଲା ସରକାରୀ କଳ ପାଇଁ ଏକ ବଡ଼ ଆହ୍ବାନ । ଏଥିପାଇଁ ଉଭୟ ସ୍ବଳ୍ପମିଆଦି ଏବଂ ଦୀର୍ଘମିଆଦି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ପ୍ରଥମ ସ୍ବଳ୍ପମିଆଦି ପଦକ୍ଷେପ ସ୍ବରୂପ ଯୁଦ୍ଧକାଳୀନଭିତ୍ତିରେ ଅନେକ ନଳକୂପର ମରାମତି କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ, ଦୂଷିତ ହୋଇଯାଇଥିବା ଜଳ ଉତ୍ସଗୁଡ଼ିକ ବିଶୋଧୀକରଣ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ନୂତନ ଗଭୀର ନଳକୂପ ଖନନ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉ।
ଦୀର୍ଘମିଆଦି ପଦକ୍ଷେପ ସ୍ବରୂପ ପାନୀୟ ଜଳ ଯୋଗାଣ ନେଇ ପ୍ରସ୍ତୁତ ଭିଜନ ୨୦୨୨ ଏବଂ ଅନ୍ୟ ଯୋଜନାଗୁଡ଼ିକର ରୂପାୟନକୁ ତ୍ୱରାନ୍ବିତ କରାଯାଉ ।
ଜଳ ସୃଷ୍ଟି ଆମ ହାତରେ ନାହିଁ, କିନ୍ତୁ ପ୍ରାକୃତିକ ସାଧନଗୁଡ଼ିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ। ଜଳ ସଂରକ୍ଷଣ ପାଇଁ ଆବାଳବୃଦ୍ଧବନିତା ଶପଥ ନେଲେ ଏହି ସଙ୍କଟ କେତେକାଂଶରେ ଦୂର କରାଯାଇପାରେ। ସମ୍ପ୍ରତି ସମଗ୍ର ବିଶ୍ୱରେ ଉତ୍କଟ ଜଳାଭାବ ଦେଖାଯିବା ସହ ସେହିକ୍ରମରେ ଜଳ ପ୍ରଦୂଷଣ ଦେଖାଯାଉଛି। ଅବିଚାରିତ ଭାବେ ଜଳ ନଷ୍ଟ ହେଉଥିଲେ ମଧ୍ୟ ଆମମାନଙ୍କ ଭିତରେ ସେତେଟା ସଚେତନତା ବଢ଼ିନାହିଁ। ବ୍ୟାପକ ବୃକ୍ଷରୋପଣ ଓ ଜଳ ସୁରକ୍ଷା ପାଇଁ ସଚେତନତା ବଢ଼ିବା ଜରୁରୀ। ଆସନ୍ତୁ ପ୍ରାକୃତିକ ଜଳ ଉତ୍ସକୁ ସୁରକ୍ଷିତ ରଖିବା ସହ ଜଳ ସଂରକ୍ଷଣ ଓ ଆବଶ୍ୟକତାକୁ ଦେଖି ବ୍ୟବହାର କରିବା। ଜଳ ପ୍ରଦୂଷଣ ରୋକିବା ପାଇଁ ଆମେମାନେ ବ୍ୟକ୍ତିଗତ ଉଦ୍ୟମରେ ହେଉ ବା ଗୋଷ୍ଠୀଗତ ଭାବରେ କିଛି କାର୍ଯ୍ୟକ୍ରମ ହାତକୁ ନେଲେ ଭଗବାନ୍‌ଙ୍କ ପ୍ରଦତ୍ତ ଅମୂଲ୍ୟ ଜଳର ଗୁରୁତ୍ୱ ପ୍ରତିପାଦିତ ହୋଇପାରନ୍ତା।
ମୋ-୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫...

ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ...

ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ...

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri