ଜଳ ପ୍ରଦୂଷଣ: ଏକ ସାମୂହିକ ଚିନ୍ତନ

ଡା. ଜୀବନ କୃଷ୍ଣ ମିଶ୍ର

ଭୂପୃଷ୍ଠର ସମୁଦାୟ ଜନବସତି ଓ ଉନ୍ନତ ସଭ୍ୟତାକୁ ସୁବିସ୍ତୃତ ଜଳରାଶି ସଦାସର୍ବଦା ଜାଗ୍ରତ ପ୍ରହରୀ ସଦୃଶ ଚାରିପଟୁ ଘେରି ରହିଛି। ସମ୍ପ୍ରତି ସ୍ଥଳଭାଗ ଓ ଆକାଶମାର୍ଗ ପରି ଅମାପ ଜଳରାଶି ମଧ୍ୟ ଅଧୁନା ପ୍ରଦୂଷିତ ହେବାରେ ଲାଗିଛି। ଜଳକୁ ପ୍ରଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ; ଜନସଂଖ୍ୟାର ବିସ୍ଫୋରଣ ସହିତ ଜଳ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ, ଜନସମାଜ ପାଇଁ ଜୀବନ ଧାରଣ କରିବା କାଠିକର ପାଠ ହୋଇ ଯାଇଛି। ପରିବେଶରୁ ବାହାରୁଥିବା ଆବର୍ଜନା ଓ ଅପରିଚ୍ଛନ୍ନ ବସ୍ତୁ ବିଶେଷଗୁଡ଼ିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିଚ୍ଛନ୍ନ ନ କରି ସିଧାସଳଖ ଜଳାଶୟଗୁଡ଼ିକୁ ନିଷ୍କାସନ କରିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଜଳ ପ୍ରଦୂଷଣ ହେତୁ ପ୍ରାଣୀ ଓ ଉଦ୍ଭିଦଜଗତ ଉଭୟ ପ୍ରଭାବିତ ହୁଅନ୍ତି। ଜନବହୁଳ ଚାଇନା ଦେଶରେ ପ୍ରାୟ ୭୦%-୮୦% ପାଣି ପ୍ରଦୂଷିତ ହୋଇ ରହିଛି। ଆମେରିକାରେ ୩୨% ନଦୀ ଓ ସମୁଦ୍ର ଜଳ ପ୍ରଦୂଷିତ। ଜଳ ବାସ୍ତବରେ ଜୀବନ ଧାରଣ କରିବା ପାଇଁ ଏକ ବହୁମୂଲ୍ୟ ସମ୍ପଦ। ପାନୀୟ ଜଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆମକୁ ସହଜରେ ଉପଲବ୍ଧ ହେଉନାହିଁ; ବିଶ୍ୱ ଜନସଂଖ୍ୟା ଆଜିକା ତାରିଖରେ ୮୦୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାତିସଂଘ ସୂଚନା ଅନୁଯାୟୀ ଲୋକସଂଖ୍ୟା ସହିତ ଜଳ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି। ବିଭିନ୍ନ ପ୍ରକାରର ଜୈବିକ ଓ ଅଜୈବିକ ପଦାର୍ଥର ଅପମିଶ୍ରଣ ହେତୁ ଜଳର ଭୌତିକ ଓ ରାସାୟନିକ ଧର୍ମ ନଷ୍ଟ ହୋଇଥାଏ; ବ୍ୟବହାର ଅନୁପଯୋଗୀ ମଧ୍ୟ ହୋଇଥାଏ।
ମନୁଷ୍ୟ ତା’ର ଦୈନନ୍ଦିନ ଜୀବନଯାତ୍ରାରେ ଜଳପାନ କରିବା ପାଇଁ, ବସ୍ତ୍ର ସଫା କରିବା ପାଇଁ ଓ ପାକଶାଳାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଜଳ ବ୍ୟବହାର କରିଥାଏ। ପୋଖରୀ, ଜଳାଶୟ ଓ ନଦୀ ପାଣିରେ କପଡ଼ା ପରିଷ୍କାର କରିବା, ନଳିତା ଶଢ଼ାଇବା, ଗୋଜାତିଙ୍କୁ ଅବିଚାରିତ ଭାବେ ଅବଗାହନ କରାଇବା ହେତୁ ଜଳ ପ୍ରଦୂଷଣର ମାତ୍ରା ବେଶ୍‌ କିଛି ବଢ଼ି ଯାଇଥାଏ। ତୀର୍ଥକ୍ଷେତ୍ରଗୁଡ଼ିକରେ ଥିବା ମାତ୍ରାଧିକ ଜଳାଶୟମାନଙ୍କରେ ଆମ୍ବପତ୍ର, ବିଭିନ୍ନ କିସମର ପୁଷ୍ପ, ନାରିକେଳ, ଅସଂଖ୍ୟ ଦୀପ, ଅମାପ ଚାଉଳ ଓ ରନ୍ଧାଅନ୍ନ ମଧ୍ୟ ଭସା ଯାଇଥାଏ। ଏଗୁଡ଼ିକ ନଷ୍ଟ ହୋଇଗଲେ, ଜଳରେ ପଚିଗଲେ ଜଳ ଦୁର୍ଗନ୍ଧ ହେବା ସହିତ ଭୀଷଣ ଆକାରରେ ଦୂଷିତ ହୋଇଥାଏ। ଆମ ଦେଶରେ ଅଦ୍ୟାବଧି ପୋଖରୀ ଘାଟରେ, ବ୍ୟକ୍ତି ବିଶେଷ ନିଷ୍କାସନ ପ୍ରକ୍ରିୟା ଜାରି ରଖିଥାଆନ୍ତି; ପରିଣାମ ସ୍ବରୂପ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଥାଏ। ବିପଣିରେ ବିକ୍ରି ହେଉଥିବା ପଲିଥିନ୍‌, ସୋଲୋ ଓ ଥର୍ମୋକୁଲ ଆଦି ଆଣି ପବନରେ ଉଡ଼ି ପାଣି ସଂସ୍ପର୍ଶରେ ଆସି ଅତି ଜଘନ୍ୟ ଭାବେ ଜଳକୁ ପ୍ରଦୂଷିତ କରିଥାଏ, ବିଷାକ୍ତ କୀଟନାଶକ ଔଷଧ ଓ କଳକାରଖାନାରୁ ନିର୍ଗତ ତରଳ ପଦାର୍ଥ ନିକଟସ୍ଥ ନଦୀରେ ନିର୍ଗତ ହୋଇ ଜଳ ପ୍ରଦୂଷିତ କରିଥାଏ; ଏତଦ୍‌ବ୍ୟତୀତ ମହୋଦଧି ନିକଟସ୍ଥ ପଞ୍ଚତାରକା ଭୋଜନାଳୟ ଓ ଯାତ୍ରୀ ନିବାସର ପୂତି ଗନ୍ଧମୟ ଜଳ ସିଧାସଳଖ ମହୋଦଧିର ରମଣୀୟ ନୀଳ ଜଳରାଶିକୁ ନଷ୍ଟ କରି ଦେଇଥାଏ। କାଗଜକଳ, ଲୁଗାକଳ, ଚମଡ଼ା କାରଖାନା ଓ ତୈଳ କାରଖାନାର ବର୍ଜ୍ୟ ପଦାର୍ଥ ଦ୍ୱାରା ମଧ୍ୟ ଜଳ ବିଶଦ ଭାବରେ ପ୍ରଦୂଷିତ ହୋଇଥାଏ। ପ୍ରଦୂଷିତ ଜଳରେ ଜୀବାଣୁ ଓ ଭୂତାଣୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥାଏ। ‘ସାଲମୋନେଲା ଟାଇଫି’, ‘ନୋରା’ ଭାଇରସ୍‌, ‘ପାରାସାଇଟିକ’ ଜୀବାଣୁ, ‘ଜିଆଡିଆ’ ଲାମ୍ବଲିଆ ଇତ୍ୟାଦି ଜୀବାଣୁମାନଙ୍କର ସଂଖ୍ୟା ହୁ ହୁ ପରିମାଣରେ ପ୍ରଦୂଷିତ ଜଳରେ ବଢ଼ି ଯାଇଥାଏ। ନଦୀ ବା ସମୁଦ୍ରରେ ତୈଳକୂପ ଖନନ ଦ୍ୱାରା ମଧ୍ୟ ଜଳ ପ୍ରଦୂଷିତ ହୋଇଥାଏ। ପ୍ରଦୂଷିତ ପାଣି ହେତୁ ମତ୍ସ୍ୟ ସମୁଦାୟର ଉପତ୍ାଦକ ହାର ଯଥେଷ୍ଟ ପରିମାଣରେ ସଙ୍କୁଚିତ ହୋଇଥାଏ। ପରିଣାମ ସ୍ବରୂପ ଉତ୍ତମ ମାଛ, ଜିଅନ୍ତା କଙ୍କଡ଼ା ଓ ମନଲୋଭା ଚିଙ୍ଗୁଡ଼ିର ମୂଲ୍ୟ ଅତ୍ୟଧିକ ହୁଏ। ଗ୍ରାହକମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କିଣାବିକା ମଧ୍ୟ କମ୍‌ ହୋଇଥାଏ। ସୁତରାଂ ମସ୍ୟଜୀବୀମାନଙ୍କର ପେଟପାଟଣା ଦୁଃଖଦାୟକ ହୋଇଥାଏ। ଅନିର୍ମଳ ପାଣି ହେତୁ ମନୁଷ୍ୟସମାଜ, ‘ଟାଇଫଏଡ୍‌’, ‘ଡିସେଣ୍ଟ୍ରି’, ଫୁଡ୍‌ ପଏଜନିଂ ଓ ଜଆଡିଆସିସ ରୋଗ ଇତ୍ୟାଦିର ଶିକାର ହୋଇଥାନ୍ତି।
ଜଳ ପ୍ରଦୂଷଣ ଏକ ଜାଗତିକ ଓ ଚିନ୍ତନୀୟ ସମସ୍ୟା ହେତୁ ଏହାର ନିରାକରଣ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ନିହାତି ଯୁକ୍ତିଯୁକ୍ତ ବୋଲି ମନେହୁଏ। କଡ଼ାକଡ଼ି ଆଇନ ପ୍ରଣୟନ ଦ୍ୱାରା ଜଳ ପ୍ରଦୂଷଣକୁ ରୋକାଯାଇପାରେ; ପ୍ରଦୂଷଣ ଆଇନକୁ ବିରୋଧାଚରଣ କରୁଥିବା କଳକାରଖାନା ଓ ବ୍ୟକ୍ତି ସମୁଦାୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏକ ଯଥାର୍ଥ ପଦକ୍ଷେପ ହେବ। କୃଷି କ୍ଷେତ୍ରରେ ରାସାୟନିକ ସାରର ନିୟନ୍ତ୍ରଣ ଆବଶ୍ୟକ। ଦୂଷିତ ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଗଲେ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଯିବ। ତୈଳ ବିଶୋଧନ, ତୈଳକୂପ ଖନନ ଏବଂ ସର୍ବୋପରି ଜାହାଜ ଦ୍ୱାରା ପେଟ୍ରୋଲିୟମ ତୈଳର ପ୍ରେରଣ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଜଳାଶୟରେ ବୃଦ୍ଧି ପାଉଥିବା ଜଳଜ ଉଦ୍ଭିଦ, ଶୈବାଳ ଓ ଦଳ ପ୍ରଭୃତିକୁ ବାହାର କରି ନଷ୍ଟ କରିଦେଲେ ଜଳାଶୟର ପ୍ରଦୂଷଣ ନିୟନ୍ତ୍ରିତ ହୋଇଥାଏ। ବିଶୁଦ୍ଧ ଜଳର ଉପାଦେୟତା ଓ ଜଳପ୍ରଦୂଷଣର ନିୟନ୍ତ୍ରଣ ଉପରେ ଜନସଚେତନା ସୃଷ୍ଟି କଲେ ଜଳ ପ୍ରଦୂଷଣକୁ ପ୍ରତିରୋଧ କରିବା ଅସମ୍ଭବ ହେବ ନାହିଁ। ପୃଥିବୀରେ କ୍ରମଶଃ ବିଶୁଦ୍ଧ ଜଳର ପରିମାଣ କମିକମି ଯାଉଛି; ଏହା ମାନବ ସଭ୍ୟତା ପାଇଁ ଏକ ସଙ୍କଟଜନକ ସ୍ଥିତି। ତେଣୁ ଜଳ ପ୍ରଦୂଷଣର ଭୟାବହତାକୁ ସର୍ବସାଧାରଣ ଉପଲବ୍ଧି କରିବା ଉଚିତ; ସୁତରାଂ ଜଳ ସଂରକ୍ଷଣ ଓ ପ୍ରଦୂଷଣ ନିରାକରଣ କ୍ଷେତ୍ରରେ ସାମୂହିକ ପଦକ୍ଷେପ ସର୍ବାନ୍ତକରଣରେ ଏକ ସ୍ବାଗତଯୋଗ୍ୟ ପନ୍ଥା। ତେଣୁ ସମସ୍ତଙ୍କର ମନେରଖିବା ଉଚିତ ଯେ, ‘ଜଳ ପ୍ରଦୂଷଣେ ଜୀବନ ନିରସ : ଜଳ ବିଶୋଧନେ ଜୀବନ ସରସ’।
ମନ୍ଦିର ମାର୍ଗ, ଭୁବନେଶ୍ୱର,
ମୋ:୯୯୩୮୬୫୮୭୫୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri